ଲଦାଖର ଫିଙ୍ଗର୍‌ ୪ ଇଲାକାରୁ ଚୀନ୍‌ ସେନା ହଟିବାକୁ ଅମଙ୍ଗ

ଲଦାଖର ଫିଙ୍ଗର୍‌ ୪ ଇଲାକାରୁ ହଟିବାକୁ ଚୀନ୍‌ ସେନା ଅରାଜି

ନୂଆଦିଲ୍ଲୀ: ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ କିଛି ଦିନ ପାଇଁ ଥମି ଆସିଥିବା ଉତ୍ତେଜନା ଆଗକୁ ଆହୁରି ବିସ୍ଫୋରକ ରୂପ ନେବ ବୋଲି ଆଶଙ୍କା କରାଯାଉଛି। ଉଭୟ ପକ୍ଷର କମାଣ୍ଡରସ୍ତରୀୟ ଓ କୂଟନୈତିକସ୍ତରୀୟ ବୁଝାମଣା ପରେ ଚୀନ୍‌ ସେନା ନିରପେକ୍ଷ ଇଲାକାର ଅତି କମ୍‌ରେ ଦେଢ଼ କିମି ପଛକୁ ହଟିବ ବୋଲି ରାଜି ହୋଇ ଗତ ସପ୍ତାହରେ ପଛଘୁଞ୍ଚା ଆରମ୍ଭ କରିଥିଲା। ଏହି କ୍ରମରେ ସେମାନେ ପାଟ୍ରୋଲିଂ ପଏଣ୍ଟ୍ ୧୫, ୧୭ ଓ ୧୭ଏରୁ ପ୍ରାୟ ଦୁଇ କିମି ଯାଏ ନିଜର ଅସ୍ଥାୟୀ ଶିବିରଗୁଡ଼ିକୁ ଘୁଞ୍ଚାଇ ନେଇଥିଲେ। ତେବେ ଆଲୋଚନା ମୁତାବକ ପରିସ୍ଥିତିର ନିୟମିତ ଅନୁଧ୍ୟାନ ପରେ ଅନ୍ୟତମ ବିବାଦୀୟ ସ୍ଥଳ ପାଙ୍ଗଙ୍ଗ ସୋ ହ୍ରଦର ଫିଙ୍ଗର ୪ ଅଞ୍ଚଳ ଛାଡ଼ିବାକୁ ଚୀନୀ ସେନା ମନା କରିଦେବାରୁ ଏଭଳି ଆଶଙ୍କା ଦେଖାଦେଇଛି। ଅପରପକ୍ଷେ, ଚୀନ୍‌ ପକ୍ଷରୁ ସୃଷ୍ଟ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ସୀମାରେ ଭାରତୀୟ ସେନାବାହିନୀ ଅଧିକ ସାମରିକ ଶକ୍ତି ଠୁଳ କରିବାରେ ଲାଗିଛି। ଆସନ୍ତା ୧୭-୧୮ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ଲଦାଖ ଓ ଜାମ୍ମୁ କାଶ୍ମୀର ଗସ୍ତ କରିବାର ଅଛି। ଏ ଅବସରରେ ନଦର୍ଣ୍ଣ କମାଣ୍ଡ୍‌ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍‌ ୱାଇ କେ ଯୋଶୀ ନୂଆଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ସେ ଖୁବ୍‌ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ସୀମାରେ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଅବଗତ କରିବେ ବୋଲି ଆଶା କରାଯାଉଛି। ଗତ ବୁଧବାର ଭାରତ ଓ ଚୀନ୍‌ ମଧ୍ୟରେ ସରିଥିବା ଚତୁର୍ଥ ପର୍ଯ୍ୟାୟ କର୍ପସ୍‌ କମାଣ୍ଡରସ୍ତରୀୟ କଥାବାର୍ତ୍ତା ଦୀର୍ଘ ୧୪ ଘଣ୍ଟା ଧରି ଚାଲିଥିଲା। ସେହି ଅବସରରେ ଫିଙ୍ଗର ୪ ଇଲାକାରୁ ନିଜ ସେନା ପଛକୁ ହଟିବେନି ବୋଲି ଚୀନୀ କର୍ତ୍ତୃପକ୍ଷ ରୋକଠୋକ ଶୁଣାଇଛନ୍ତି। ଏଣେ କ୍ୟାବିନେଟ୍‌ ସଚିବଙ୍କ ସମେତ ଗୃହ, ବୈଦେଶିକ ବ୍ୟାପାର ଓ ପ୍ରତିରକ୍ଷା ବିଭାଗ ସଚିବ ଏବଂ ତିନି ବାହିନୀର ପ୍ରତିନିଧିମାନଙ୍କୁ ନେଇ ଗଠିତ ଚୀନୀ ସମୀକ୍ଷା ଗ୍ରୁପ୍‌(ସିଏସ୍‌ଜି)ର ନେତୃତ୍ବ ନେଇଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଏହି ଆଲୋଚନାର ଫଳାଫଳକୁ ତର୍ଜମା କରିଛନ୍ତି। ଅପରପକ୍ଷେ, ଭାରତ ସୀମାରେ ଚୀନ୍‌ ସେନାର ସମ୍ଭାବ୍ୟ ଅତିକ୍ରମଣ ରୋକିବା ଲାଗି ପୂର୍ବ ଲଦାଖରେ ୬୦ ହଜାର ଭାରତୀୟ ଯବାନ ମୁତୟନ ହୋଇସାରିଛନ୍ତି। ଏପରିକି ଭୀଷ୍ମ ଟ୍ୟାଙ୍କ, ଆପାଚି ହେଲିକପ୍ଟର ଏବଂ ସୁଖୋଇ ଯୁଦ୍ଧ ବିମାନ ସମେତ ଚିନୁକ୍‌ ଓ ରୁଦ୍ର ହେଲିକପ୍ଟରକଗୁଡ଼ିକୁ ମଧ୍ୟ ସଜାଗ ରଖାଯାଇଛି।

Share Now:

Kalinga News Beuro

Next Post

ପ୍ରଦୀପ ମାଝୀଙ୍କ ଟାର୍ଗେଟରେ ଗାନ୍ଧୀ ପରିବାର: ଜବାବ ରଖିଲେ ସୁର ଓ ତାରା

Fri Jul 17 , 2020
ଭୁବନେଶ୍ୱର : ରାଜସ୍ଥାନରେ ରାଜନୈତିକ ଅସ୍ଥିରତା ପାଇଁ ସୋନିଆ ଓ ରାହୁଲ ହିଁ ଦାୟୀ। ଗଣମାଧ୍ୟମକୁ ଏଭଳି ବିସ୍ଫୋରକ ପ୍ରତିକ୍ରିୟା ଦେଇଥିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଏବେ ଏହାକୁ ନେଇ ରାଜନୀତିକ ମହଲ ସରଗରମ ହୋଇଛି। ସେ କହିଛନ୍ତି ଯେ, ଯେଉଁମାନେ ଦଳର ସଭାପତି ଦାୟିତ୍ୱରେ ଥିଲେ ଓ ଅଛନ୍ତି। ସେମାନେ ହିଁ ବର୍ତ୍ତମାନର ସ୍ଥିତି ପାଇଁ ଦାୟୀ। ତେବେ ରାହୁଲଙ୍କ ନିକଟ ଲୋକ କୁହାଯାଉଥିବା ପ୍ରଦୀପ ମାଝୀ […]
ପ୍ରଦୀପ ମାଝୀଙ୍କ ଟାର୍ଗେଟରେ ଗାନ୍ଧୀ ପରିବାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial