ମୃତ ବ୍ୟକ୍ତି ହାଜର ହୋଇ ଜମି ବିକିଲେ:ତଦନ୍ତ ପାଇଁ ଭୁବନେଶ୍ୱର ଏଡିଏମ୍‌ଙ୍କୁ ନିର୍ଦ୍ଦେଶ

କଟକ: ୪୦ ବର୍ଷ ତଳେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତି ସବ ରେଜିଷ୍ଟ୍ରାର ଅଫିସରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଜମି ବିକ୍ରି କରିଛନ୍ତି। ଏଭଳି ଏକ ଚାଞ୍ଚଲ୍ୟକର ଅଭିଯୋଗ ସାମନାକୁ ଆସିଥିବା ବେଳେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୃତ ବ୍ୟକ୍ତିଙ୍କ ପୁଅଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗର ତଦନ୍ତ ପାଇଁ ବୋର୍ଡ ଅଫ୍ ରେଭିନ୍ୟୁ ପକ୍ଷରୁ ଖୋର୍ଦ୍ଧା ଏଡିଏମ୍ ତଥା ଡିଆରଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅଭିଯୋଗ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ୍ (ଆଇଜିଆର୍‌)ଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ଅନୁଯାୟୀ କଟକ ସହରର ଲାଲବାଗ ଥାନା ଅନ୍ତର୍ଗତ ଅଲିଶାବଜାର ଅଞ୍ଚଳର ସ୍ୱର୍ଗତ ବିଶ୍ୱନାଥ ଦାସଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଦାସଙ୍କ ନାଁରେ ଭୁବନେଶ୍ୱର ତହସିଲ ଅନ୍ତର୍ଗତ ବଡଧାନପୁରରେ ଜମି ରହିଛି। ଲକ୍ଷ୍ମୀପ୍ରିୟା ଦାସଙ୍କ ମୃତ୍ୟୁ ୧୯୭୬ ମସିହା, ଏପ୍ରିଲ ୧୩ରେ ହୋଇଥିଲା। ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁପରେ ତାଙ୍କ ଜମିରୁ କିଛି ଅଂଶ ଜାଲିଆତି କରି ବିକ୍ରି ପାଇଁ ଉଦ୍ୟମ ହୋଇଥିଲା। ଏହି ପ୍ରସଂଗ ନେଇ ଭୁବନେଶ୍ୱର ସିଭିଲ କୋର୍ଟରେ ମାମଲା ବିଚାରାଧୀନ ରହିଛି। ଏହି ଜମିର କିଛି ଅଂଶ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅଧିଗ୍ରହଣ କରିଥିବା ବେଳେ କ୍ଷତିପୂରଣ ସଂକ୍ରାନ୍ତ ମାମଲା ଏବେ ଭୁବନେଶ୍ୱର ଜିଲ୍ଲା ଜଜ୍‌ ଅଦାଲତରେ ବିଚାରାଧୀନ ରହିଛି। ଆଉ କିଛି ଜମି ଖାଲି ପଡ଼ିଛି। ଏଭଳି ପରିସ୍ଥିତିରେ ଲକ୍ଷ୍ମୀପ୍ରିୟାଙ୍କ ଉତ୍ତରାଧିକାରୀଙ୍କ ‘ଲିଗାଲ ହେୟାର’ ପ୍ରସଂଗରେ କଟକ ସଦର ତହସିଲଦାରଙ୍କ ପକ୍ଷରୁ ତଦନ୍ତ କରାଯାଇଥିଲା।

ଲକ୍ଷ୍ମୀପ୍ରିୟାଙ୍କ ଦୁଇ ପୁଅ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସଂପର୍କରେ ତଦନ୍ତ ରିପୋର୍ଟରେ ସବିଶେଷ ତଥ୍ୟ ରହିଥିଲା। ଏ ନେଇ କଟକ ସଦର ତହସିଲଦାରଙ୍କ ପକ୍ଷରୁ ୨୦୧୫, ଅକ୍ଟୋବର ୧୪ରେ ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ ସବ୍-ରେଜିଷ୍ଟ୍ରାରଙ୍କ ନିକଟକୁ ଚିଠି ଲେଖାଯାଇଥିଲା ଓ ତଦନ୍ତ ରିପୋର୍ଟର ନକଲ ମଧ୍ୟ ପଠାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ୨୦୧୯, ଅକ୍ଟୋବର ୧୯ରେ ଏହି ଜମିରୁ ୧୨୦ ଡେସିମିଲ ଓ ୨୦୧୯, ଡିସେମ୍ବର ୨୩ରେ ୮୦ ଡେସିମିଲ ଜମି ବିକ୍ରି କରାଯାଇଥିଲା। ଜଣେ ମହିଳା ନିଜକୁ ଲକ୍ଷ୍ମୀପ୍ରିୟା ଦାସ, ବୟସ ୫୮ ବର୍ଷ ବୋଲି ପରିଚୟ ଦେଇ ଦୁଇଟି ବିକ୍ରି କବଲା ଦୁଇ ଜଣ ପୃଥକ ବ୍ୟକ୍ତିଙ୍କ ନାଁରେ କରିଥିଲେ। ଏହି କବଲାରେ ମହିଳାଙ୍କର ବୟସ ୫୮ ବର୍ଷ, ସ୍ୱାମୀଙ୍କ ନାଁ ସ୍ୱର୍ଗତ ବିଶ୍ୱନାଥ ଦାସ ଓ ଘର କଟକ ଜିଲ୍ଲା ଲାଲବାଗ ଥାନା ଅନ୍ତର୍ଗତ ଅଲିଶାବଜାର ବୋଲି ଉଲ୍ଲେଖ କରାଯାଇଥିଲା। କବଲା ଦୁଇଟି ଭୁବନେଶ୍ୱରସ୍ଥିତ ଡିଷ୍ଟ୍ରିକ୍ଟ ସବ୍-ରେଜିଷ୍ଟ୍ରାରଙ୍କ ନିକଟରେ ପଞ୍ଜୀକୃତ ହୋଇଥିଲା। ଏହି ବିକ୍ରି କବଲା ଦୁଇଟିରେ ଲକ୍ଷ୍ମୀପ୍ରିୟା ଦାସ ନାମକ ମହିଳାଙ୍କ ଫଟୋ ସହିତ ଟିପ ଚିହ୍ନ ଓ ଦସ୍ତଖତ ମଧ୍ୟ ରହିଛି। ଏ ସଂପର୍କରେ ଖବର ପାଇବା ପରେ ଲକ୍ଷ୍ମୀପ୍ରିୟା ଦାସଙ୍କ ପୁଅ ପ୍ରାଣକ୍ରିଷ୍ଣ ଦାସ ଏ ନେଇ ଅନୁସନ୍ଧାନ କରି କବଲାର ନକଲ ହାସଲ କରିଥିଲେ। କବଲାରେ ଖାତା ନମ୍ବର, ପ୍ଲଟ ନମ୍ବର, ଲକ୍ଷ୍ମୀପ୍ରିୟା ଦାସଙ୍କ ନାଁ, ଗାଁ ଓ ଠିକଣା ଠିକ୍ ଥିବା ବେଳେ ଫଟୋ ଅନ୍ୟ ଜଣେ ମହିଳାଙ୍କର ରହିଛି। ଏ ନେଇ ସେ ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ ସବ୍-ରେଜିଷ୍ଟ୍ରାରଙ୍କ ସହିତ ବଡ଼ଗଡ଼ ଥାନା ଓ ଭୁବନେଶ୍ୱର ତହସିଲଦାରଙ୍କ ନିକଟରେ ଅଭିଯୋଗ କରି ଏଭଳି ଜାଲିଆତି ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। କୌଣସି ସୁଫଳ ନ ମିଳିବାରୁ ସେ କଟକସ୍ଥିତ ଆଇଜିଆରଙ୍କ ନିକଟରେ ଅଭିଯୋଗ କରିଥିଲେ। ଲକ୍ଷ୍ମୀପ୍ରିୟା ଦାସଙ୍କ ଡେଥ୍ ସାର୍ଟିଫିକେଟ, କଟକ ସଦର ତହସିଲଦାରଙ୍କ ୨୦୧୫ର ଉତ୍ତରାଧିକାରୀ ସଂପର୍କିତ ଚିଠି ଓ ଅନ୍ୟାନ୍ୟ ସମସ୍ତ କାଗଜପତ୍ର ଅଭିଯୋଗପତ୍ର ସହିତ ଦାଖଲ କରିଥିଲେ। ଆଇଜିଆର କାର୍ଯ୍ୟାଳୟ ପକ୍ଷରୁ ଅଭିଯୋଗକୁ ଗ୍ରହଣ କରାଯାଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Share Now:

Kalinga News Beuro

Next Post

ଆଜି ରାଜ୍ୟରେ ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ:ଜଗତସିଂହପୁରରୁ ସର୍ବାଧିକ ୩୩ ଜଣ

Wed Jun 10 , 2020
ଭୁବନେଶ୍ୱର: ରାଜ୍ୟରେ ଆଜି ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବାବେଳେ ୧୩ଟି ସ୍ଥାନୀୟ କେସ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ୧୧୦ ଜଣଙ୍କ ମଧ୍ୟରୁ ଜଗତସିଂହପୁରରୁ ସର୍ବାଧିକ ୩୩ ଜଣ, ରାୟଗଡାରୁ ୪ ଜଣ, କଟକରୁ ୨୦ ଜଣ, ଝାରସୁଗୁଡ଼ାରୁ ଜଣେ, ଖୋର୍ଦ୍ଧାରୁ ୧୪ ଜଣ, ନୟାଗଡ଼ରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial