ଭୁବନେଶ୍ବର : ସ୍ମାର୍ଟ ଜନପଥ କାମ ଚାଲିଥିବାରୁ ପ୍ରାୟ ଦୁଇବର୍ଷ ହେଲା ବିଏମ୍ସି ପାର୍କିଂ ବାବଦକୁ ଜନପଥରୁ ଟାର୍ଗେଟ୍ ରାଜସ୍ବ ପାଉନି। ଏପରିକି ବର୍ଷେ ହେଲା ଜନପଥରେ ପାର୍କିଂ ଅଞ୍ଚଳ ନିଲାମ ବି କରୁନି। ବିଏମ୍ସି ପାର୍କିଂ ବାବଦକୁ ପ୍ରାୟ ୫କୋଟିରୁ ଅଧିକ ଟଙ୍କା ଏଠାରୁ ହରାଉଥିବାରୁ ଖୁବ୍ ଶୀଘ୍ର ଜନପଥରୁ ପାର୍କିଂ ଫି’ ଆଦାୟ କରିବାକୁ ଯୋଜନା ହୋଇଛି। ଏନେଇ ଖୁବ୍ ଶୀଘ୍ର ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ମାର୍ଟ ଜନପଥରେ ଗାଡ଼ି ପାର୍କିଂ ପାଇଁ ଯେଉଁ ଜାଗା ଚିହ୍ନଟ ହୋଇଛି, ସେଠାରେ ବିଏମ୍ସି ଗାଡ଼ି ପାର୍କିଂ ପାଇଁ ନିଲାମ ଡାକିବ। ଏନେଇ ବିଏମ୍ସି, ବିଡିଏ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃପକ୍ଷ ବସିକି ମିଳିତ ନିଷ୍ପତ୍ତି ନେଇଛନ୍ତି। ଏହି ତିନିଟି ସଂସ୍ଥାର ମୁଖ୍ୟ ଜଣେ ଅଧିକାରୀ ହୋଇଥିବାରୁ ନିଷ୍ପତ୍ତି ନେବାରେ କିଛି ଅସୁବିଧା ହୋଇନି କି କେହି ବିରୋଧ କରିନାହାନ୍ତି। ସ୍ମାର୍ଟ ଜନପଥରେ ପାର୍କିଂ ଅଞ୍ଚଳ ନିଲାମ କରିବା ପାଇଁ କର୍ତ୍ତୃପକ୍ଷ ଏକ ସ୍ମାର୍ଟ କାରସାଦି କରିଛନ୍ତି। ସ୍ମାର୍ଟ ଜନପଥର ପାର୍କିଂ ଅଞ୍ଚଳକୁ ଅଫ୍ ଷ୍ଟ୍ରିଟ୍ ପାର୍କିଂ ଦର୍ଶାଇ ଏହାକୁ ନିଲାମ ଡାକିବାକୁ ଯୋଜନା ହୋଇଛି। ଅନ୍ଷ୍ଟ୍ରିଟ୍ ପାର୍କିଂ କରିବା ବେଆଇନ ହୋଇଥିବାରୁ ବିଏମ୍ସି ପକ୍ଷରୁ ଏହି ଯୋଜନା ହୋଇଛି। ନିୟମ ଖେଳରେ ଏବେ ଲୋକଙ୍କୁ ଲୁଟିବାକୁ ଯୋଜନା ହୋଇଛି। ଏନେଇ ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି ଯେ ଆଗରୁ ଜନପଥରେ ଗାଡ଼ି ପାର୍କିଂ ପାଇଁ ରାସ୍ତା ଉପରେ ଟ୍ରାକ୍ ଟଣାଯାଇ ପାର୍କିଂ ବ୍ୟବସ୍ଥା ହୋଇଥିଲା। ଏଠାରେ ଗାଡ଼ି ପାର୍କିଂ ହୋଇ ନଥିଲେ ଅନ୍ୟ ଗାଡ଼ି ଚଳାଚଳ କରୁଥିଲା। ଏହାକୁ ଅନଷ୍ଟ୍ରିଟ୍ ପାର୍କିଂ କୁହାଯାଇଥିଲା। କିନ୍ତୁ ଏବେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ଜନପଥରେ ରାସ୍ତାର ଓସାର କମାଇ ସ୍ବତନ୍ତ୍ର ପାର୍କିଂ ଅଞ୍ଚଳ ସୃଷ୍ଟି କରାଯାଇଛି। ଏହାକୁ କ୍ୟାରେଜ୍-ୱେ କୁହାଯାଉଛି। ଏଠାରେ କୌଣସି ଗାଡ଼ି ଯାତାୟାତ କରୁନି କି କରିବାର ବ୍ୟବସ୍ଥା ବି ନାହିଁ। ତେଣୁ ଏହାକୁ ଅଫ୍ ଷ୍ଟ୍ରିଟ୍ ପାର୍କିଂ କୁହାଯିବ। ଏହାକୁ ବିଏମ୍ସିକୁ ହସ୍ତାନ୍ତର କରିବାକୁ ବିଏସ୍ସିଏଲ୍ ରାଜି ହୋଇଛି। ତେଣୁ ଖୁବ୍ଶୀଘ୍ର ପାର୍କିଂ ଅଞ୍ଚଳ ନିଲାମ କରାଯିବ। ଜନପଥରେ ପାର୍କିଂସ୍ଥଳ ମୂଲ୍ୟ ଅଧିକ ରହୁଥିବାରୁ ଟେଣ୍ଡର ଡାକିଲେ କେହି ନେଉ ନାହାନ୍ତି। ତେଣୁ ଏହାର ମୂଲ୍ୟ କମାଇବାକୁ ଏକ କମିଟି ଗଠନ ହୋଇଛି। କମିଟି ପାର୍କିଂ ଅଞ୍ଚଳ ନିଲାମର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରିବା ପରେ ଟେଣ୍ଡର ଆହ୍ବାନ ହେବ।

ଅପରପକ୍ଷେ ଅନଷ୍ଟ୍ରିଟ୍ ପାର୍କିଂକୁ ଅଫ୍ ଷ୍ଟ୍ରିଟ୍ ପାର୍କିଂ କରିଦେବା ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କୌଣସି ପରିସ୍ଥିତିରେ ଅନଷ୍ଟ୍ରିଟ୍ ପାର୍କିଂକୁ ଅଫ୍ ଷ୍ଟ୍ରିଟ୍ ପାର୍କିଂ କରିବାର ନିୟମ ନାହିଁ। ଯେଉଁଠି ଲୋକଙ୍କ ନିଜ ଜାଗାରେ ପାର୍କିଂ ହୁଏ, ତାହାକୁ ଅଫ୍ ଷ୍ଟ୍ରିଟ୍ ପାର୍କିଂ କୁହାଯାଏ। ଜନପଥରେ ଯେଉଁଠି ବ୍ୟବସାୟୀମାନେ ନିଜ ମଲ୍/ଦୋକାନରେ ପାର୍କିଂ ଅଞ୍ଚଳ ରଖିଥିବେ ତାହାକୁ ଅଫ୍ ଷ୍ଟ୍ରିଟ୍ ପାର୍କିଂ କୁହାଯିବ। ବିଏମ୍ସି ଯଦି ସ୍ମାର୍ଟ ଜନପଥରେ ଥିବା ପାର୍କିଂ ଅଞ୍ଚଳକୁ ଅଫ୍ ଷ୍ଟ୍ରିଟ୍ ପାର୍କିଂ କହିବ, ତେବେ ଲୋକ ଫୁଟପାଥ୍ ଉପରେ ବି ଗାଡ଼ି ପାର୍କିଂ କରି ଅଫ୍ ଷ୍ଟ୍ରିଟ୍ ପାର୍କିଂ ବୋଲି କହିବେ। ଯଦି ଜଣେ ରାସ୍ତାକଡ଼ରେ ଠେଲା ଗାଡ଼ିରେ ବ୍ୟବସାୟ କଲେ ବା ସରକାରୀ ଜାଗାରେ ଦୋକାନ ଖୋଲିଲେ ଅନ୍ଷ୍ଟ୍ରିଟ୍ ଭେଣ୍ଡର କୁହାଯାଉଛି ତେବେ ରାସ୍ତା କଡ଼ରେ ଗାଡ଼ି ପାର୍କିଂ କଲେ ତାହାକୁ କିପରି ଅଫ୍ ଷ୍ଟ୍ରିଟ୍ ପାର୍କିଂ କୁହାଯିବ।