ହାଟରେ ପଡ଼ିଲା ସଟର୍‌ : ଅନିର୍ଦ୍ଦିଷ୍ଟ କାଳ ପାଇଁ ୟୁନିଟ୍‌-୧ ହାଟ ବନ୍ଦ

ଅନିର୍ଦ୍ଦିଷ୍ଟ କାଳ ପାଇଁ ୟୁନିଟ୍‌-୧ ହାଟ ବନ୍ଦ

ଉଭୟ ଗ୍ରାହକ ଓ ବ୍ୟବସାୟୀ ହତାଶ

ଭୁବନେଶ୍ୱର: ଭେଣ୍ଡିଂ ଜୋନ୍‌ ଓ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ (ୟୁନିଟ୍‌-୧ ହାଟ) ବିବାଦ ଉଗ୍ରରୂପ ନେଇଛି। ଭେଣ୍ଡିଂ ଜୋନ୍‌ ବ୍ୟବସାୟୀମାନେ ମାଡ଼ି ବସିଥିବା ଅଞ୍ଚଳ ଉଚ୍ଛେଦ ଦାବିରେ ୟୁନିଟ୍‌-୧ ହାଟକୁ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିଛି। ବ୍ୟବସାୟୀମାନେ ପୂର୍ବାହ୍ନରେ ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା‌ ଦେବା ସହ ୟୁନିଟ୍‌-୧ ହାଟ ସମ୍ମୁଖରେ ଧାରଣା ଦେଇଛନ୍ତି। ମଙ୍ଗଳବାର ଦିନ ବିଏମ୍‌ସି ଏହି ବିବାଦକୁ ନେଇ ଆଲୋଚନା କରିବ ବୋଲି କହିଥିବାରୁ ଅନ୍ତତଃ ମଙ୍ଗଳବାର ପର୍ଯ୍ୟନ୍ତ ହାଟ ବନ୍ଦ ରହିବ ବୋଲି ସଂଘ କହିଛି। ୧ ନମ୍ବର ହାଟରେ ଅନ୍ୟ ହାଟ ତୁଳନାରେ ଜିନିଷପତ୍ର ଶସ୍ତା ହୋଇଥିବାରୁ ଏହି ହାଟ ଉପରେ ସହର ଠାରୁ ଆରମ୍ଭ କରି ଉପକଣ୍ଠ ଓ ପାଖ ଜିଲ୍ଲାର ଲୋକ ନିର୍ଭର କରନ୍ତି। ଆଗକୁ ପାର୍ବଣ ଋତୁ ରହିଥିବାରୁ ଏଠାରୁ କିଣାକିଣି କରିବାକୁ ସମସ୍ତେ ଲକ୍ଷ୍ୟ ରଖିଥିଲେ। ଏହି ସମୟରେ ବ୍ୟବସାୟ ଭଲ ହେଉଥିବାରୁ ବ୍ୟବସାୟୀମାନେ ମଧ୍ୟ ଏହି ପାର୍ବଣ ଋତୁକୁ ଅପେକ୍ଷା କରିଥାନ୍ତି। କିନ୍ତୁ ହାଟ ବନ୍ଦ ହେବା ଫଳରେ ଏବେ ଉଭୟ ଗ୍ରାହକ ଓ ବ୍ୟବସାୟୀ କ୍ଷତିରେ ଚିନ୍ତାରେ ପଡ଼ିଛନ୍ତି।
ସଂଘର ଅଭିଯୋଗ ମୁତାବକ, ୧୯୫୬ ମସିହାରେ ଜିଏ ବିଭାଗର ୩.୮୨୨ ଏକର ଜାଗାରେ ଏହି ହାଟ ଆରମ୍ଭ ହୋଇଥିଲା। ପରିଚାଳନା ତଥା ଉନ୍ନତୀକରଣ ପାଇଁ ଜିଏ ବିଭାଗ ୧୯୮୪ ମସିହାରେ ହାଟକୁ ତତ୍‌କାଳୀନ ଭୁବନେଶ୍ୱର ମୁନିସିପାଲିଟି (ବର୍ତ୍ତମାନ ବିଏମ୍‌ସି)କୁ ହସ୍ତାନ୍ତର କରିଥିଲା। ସେତେବେଳେ ରଖା ଯାଇଥିବା ଏକାଧିକ ସର୍ତ୍ତ ମଧ୍ୟରୁ ଥିଲା, ମାର୍କେଟ ପରିସରରେ ହୋଲ୍‌ ସେଲ୍‌ ପରିବା ବ୍ୟବସାୟ ହୋଇପାରିବ ନାହିଁ, ଏହି ହାଟର ଆଖପାଖ ରାସ୍ତାରେ ବଡ଼ ଗାଡ଼ି (ଟ୍ରକ୍‌, ଲରି)କୁ ଅନୁମତି ଦିଆଯିବ ନାହିଁ, ହାଟର ଉତ୍ତର (ରାଜପଥ) ପାର୍ଶ୍ଵକୁ ଫାଟକ ଖୋଲିବ ନାହିଁ। ଭାରୀଯାନ ପ୍ରବେଶ ନ କରିବା ପାଇଁ ପରିବା ହାଟ ରାସ୍ତାରେ ବିଡିଏ ବ୍ୟାରିୟର ତିଆରି କରିଥିଲା। ହେଲେ ପରିବା ହାଟକୁ ଗାଡ଼ି ଆସିବା ପାଇଁ ବିଏମ୍‌ସି ଏହାକୁ ରାତାରାତି ଉଚ୍ଛେଦ କରିଦେଲା। ଉତ୍ତର ପାର୍ଶ୍ଵକୁ ଏକ ଫାଟକ ବି ଖୋଲିଲା। ଏହି ରାସ୍ତାରେ କିଛି ବ୍ୟବସାୟୀ ବସିଲେ। ଫଳରେ ବିଭିନ୍ନ ସମୟରେ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କଲା। ଯେଉଁ ଆଶଙ୍କାରେ ଉତ୍ତରପାର୍ଶ୍ଵରେ ଫାଟକ ନ ଖୋଲିବା ପାଇଁ ସର୍ତ୍ତ ରହିଥିଲା, ତାହା ହିଁ ଘଟିଲା‌।
ଏଭଳି ସମସ୍ୟା ବଢ଼ି ଚାଲିବାରୁ ସ୍ଥାନୀୟ ଲୋକମାନେ ବିଭିନ୍ନ ଫୋରମ୍‌ରେ ସରକାରଙ୍କୁ ଅସନ୍ତୋଷ ଜାହିର କରିଥିଲେ। ଏଣୁ ୨୦୧୨ ମସିହାରେ ଏହି ହାଟର ଉନ୍ନତୀକରଣ ପାଇଁ ସରକାର ଯୋଜନା କଲେ। ଜିଏ ବିଭାଗ ଏଠାରେ ଥିବା ୩.୮୨୨ ଏକର ଜମିକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନାମରେ କରିଦେଲା। ଏହା ପରେ ୧୪୬ କୋଟି ଟଙ୍କା ବ୍ୟୟ ଅଟକଳରେ ଉନ୍ନତୀକରଣ ପାଇଁ ଡିପିଆର ପ୍ରସ୍ତୁତ ହେଲା। ସେଥିପାଇଁ ଏଠାରୁ ୪୨ଟି ସରକାରୀ କ୍ବାର୍ଟର୍ସ ମଧ୍ୟ ଉଚ୍ଛେଦ ହେଲା। ହେଲେ ୧୦ ବର୍ଷ ମଧ୍ୟରେ ଇଟା ଖଣ୍ଡିଏ ପଡ଼ି ପାରିଲା ନାହିଁ। ଫଳରେ ଜବରଦଖଲକାରୀ ମାର୍କେଟ୍‌ କମ୍ପ୍ଲେକ୍ସ ପାଇଁ ଉଦ୍ଦିଷ୍ଟ ଜମିକୁ ମାଡ଼ି ବସି ବେପାର କଲେ। ତା’ ସହିତ ପାର୍କିଂ ଜାଗା, ଡ୍ରେନ୍‌, ରାସ୍ତା- ସବୁ ମାଡ଼ି ବସିଲେ। ମାର୍କେଟ୍‌ ଭିତରକୁ ନା ଦମକଳ ପଶି ପାରିଲା, ନା ଆମ୍ବୁଲାନ୍ସ। ଗ୍ରାହକ କି ବ୍ୟବସାୟୀ ଗାଡ଼ି ରଖିବାକୁ ଜାଗା ପାଇଲେନି।
ଅନ୍ୟପଟେ ହାଟକୁ ଲାଗି ରାଜମହଲ-ଏଜି ରାସ୍ତା ପାର୍ଶ୍ଵରେ ଅପରାଜିତା ଷଡ଼ଙ୍ଗୀ ବିଏମ୍‌ସି କମିସନର ଥିବା ବେଳେ ଭେଣ୍ଡିଂ ଜୋନ୍‌ ପାଇଁ ସ୍ୱୀକୃତି ଦେଇଦେଲେ। ସେମାନେ ଯେତିକି ଜାଗା ପାଇଲେ, ତାହାର ଦୁଇଗୁଣ ମାଡ଼ି ବସି ପସରା ମେଲାଇଲେ। ୧ ନମ୍ବର ହାଟକୁ ଚାରିପଟୁ ଜବରଦଖଲକାରୀ ଘେରଉ କରି ରଖିଲେ। ଫଳରେ ସ୍ଥିତି ଆଜି ଅସମ୍ଭାଳ ହେଲା। ଏଣୁ ଗ୍ରାହକଙ୍କ ପାଇଁ ଯଥେଷ୍ଟ ପରିମାଣର ପାର୍କିଂ ବ୍ୟବସ୍ଥା କରିବା ସହ ଜବରଦଖଲ ହଟାଇବା, ବେଆଇନ ହୋଲ୍‌ସେଲ୍‌ ପରିବା ବଜାର ହଟାଇବା, ଭାରୀଯାନ ପ୍ରବେଶ ବାରଣ କରିବା ପ୍ରଭୃତି ଦାବି କରିଛି ସଂଘ। ଆଜି ଏହି ଦାବିରେ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ସଭାପତି ଗୟାଧର ସ୍ୱାଇଁଙ୍କ ନେତୃତ୍ୱରେ ସମ୍ପାଦକ ବ୍ରଜବନ୍ଧୁ ନରେନ୍ଦ୍ର, ସହ-ସମ୍ପାଦକ ବିଷ୍ଣୁ ଚରଣ ସାହୁଙ୍କ ସମେତ ଶତାଧିକ ବ୍ୟବସାୟୀ ବିଏମ୍‌ସି କମିସନରଙ୍କୁ ଭେଟିବା ସହ ହାଟ ସାମ୍ନାରେ ଧାରଣା ଦେଇଛନ୍ତି।

Share Now:

Kalinga News Beuro

Next Post

ସାବତପୁଅ ସହ ଅନୈତିକ ସମ୍ପର୍କ ସନ୍ଦେହ: ଦ୍ଵିତୀୟ ସ୍ତ୍ରୀର ମୁଣ୍ଡକାଟ କଲେ ସ୍ୱାମୀ

Sat Sep 30 , 2023
ବାନ୍ଦା: ପୁଅ ଓ ପୁତୁରାଙ୍କ ସହଯୋଗରେ ଜଣେ ସ୍ୱାମୀ ନିଜ ଦ୍ଵିତୀୟ ସ୍ତ୍ରୀକୁ ହତ୍ୟା କରିଥିବା କଥା ଶୁକ୍ରବାର ଦିନ ଉତ୍ତର ପ୍ରଦେଶ ପୁଲିସ କହିଛି। ସଂଗୃହୀତ ସୂଚନା ଅନୁସାରେ, ଶୁକ୍ରବାର ଦିନ ବାନ୍ଦା ଜିଲ୍ଲାରେ ପୁଲିସ ମୁଣ୍ଡ ଓ ୪ଟି ଆଙ୍ଗୁଠି କଟା ଯାଇଥିବା ଜଣେ ମହିଳାଙ୍କ ଶବ ପାଇଥିଲେ। ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅଙ୍କୁର ଅଗରୱାଲ୍‌ଙ୍କ କହିଛନ୍ତି, ଅର୍ଦ୍ଧନଗ୍ନା ଅବସ୍ଥାରେ ମରିପଡ଼ିଥିବା ସେ ମହିଳାଙ୍କ ବୟସ ୩୪ରୁ ୪୦ […]
ସାବତପୁଅ ସହ ଅନୈତିକ ସମ୍ପର୍କ ସନ୍ଦେହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial