ରତ୍ନ ସିଂହାସନ ପଦ୍ମ ପାଖୁଡ଼ାରୁ ପଥର ଗାଏବ!

puri-jagannath-temple-2020 Pathar gayab

ଇପ୍‌ସିତ ପ୍ରତିହାରୀଙ୍କ ସାଙ୍ଘାତିକ ଅଭିଯୋଗକୁ ନେଇ ପୁଣି ହଇଚଇ

ପୁରୀ: ରଥଯାତ୍ରାକୁ ନେଇ ବିତର୍କ ଶେଷ ହୋଇନାହିଁ, ଏଭଳି ସମୟରେ ଶ୍ରୀମନ୍ଦିରକୁ ନେଇ ପୁଣି ଏକ ସାଂଘାତିକ ଅଭିଯୋଗ ଆସିଛି। ମହାପ୍ରଭୁଙ୍କ ରତ୍ନ ସିଂହାସନରୁ କିଛି ପଥର ଅପସାରଣ କରାଯାଇଥିବା ନେଇ ସେବକ ଇପ୍‌ସିତ ପ୍ରତିହାରୀ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ସିଧା ସିଧା କହିଛନ୍ତି, ଚଳିତବର୍ଷ ରଥଯାତ୍ରା ସମୟ (ଜୁନ ୨୩ରୁ ଜୁଲାଇ ୪)ରେ ମହାପ୍ରଭୁ ଶ୍ରୀମନ୍ଦିରରେ ନ ଥିବା ବେ‌ଳେ ପ୍ରତିବର୍ଷ ଭଳି ଏଥର ମଧ୍ୟ କିଛି ମରାମତି କରାଯାଇଥିଲା। ଏହି କ୍ରମରେ ଗର୍ଭଗୃହ, ମହାପ୍ରଭୁଙ୍କ ରତ୍ନ ସିଂହାସନ ବି ମରାମତି ହୋଇଛି। ଏହି ସମୟରେ ରତ୍ନ ସିଂହାସନରୁ କିଛି ପଥର ଅପସାରଣ କରାଯାଇଛି। ମହାପ୍ରଭୁଙ୍କ ରତ୍ନ ସିଂହାସନ ସମ୍ମୁଖ ପଦ୍ମ ପାଖୁଡ଼ା ମଧ୍ୟରୁ ଗୋଟିଏ ପାଖୁଡ଼ାରୁ ଅଧା ପଥର କାଢ଼ି ନିଆଯାଇଥିବା ସେ କହିଛନ୍ତି। ଏହି ପଥର ‌କାହିଁକି କଢ଼ାଗଲା? କ’ଣ ପାଇଁ ଏହା କରାଯାଇଛି? ଏଥିପାଇଁ କାହାଠାରୁ ଅନୁମତି ନିଆଯାଇଥିଲା? କଢ଼ାଯାଇଥିବା ପଥର କାହାକୁ ହସ୍ତାନ୍ତର କରାଯାଇଛି ତାହା ଏଏସ୍‌ଆଇ ସ୍ପଷ୍ଟ କରୁ ବୋଲି ଶ୍ରୀ ପ୍ରତିହାରୀ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ୍ କୁମାର ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି। ଆଜି ପରିଚାଳନା କମିଟି ବୈଠକ ପରେ ତାଙ୍କ ଦୃଷ୍ଟିକୁ ଏହି ପ୍ରସଙ୍ଗ ଆସିବା ପରେ ସେ ଘଟଣାର ଅନୁସନ୍ଧାନ ଲାଗି ନିର୍ଦେଶ ଦେଇଛନ୍ତି। ଅଭିଯୋଗର ସତ୍ୟତା ଯାଞ୍ଚ କରିବା ଲାଗି ଶ୍ରୀମନ୍ଦିର ପରିଚାଳନା କମିଟିରେ ଥିବା ସେବକମାନଙ୍କୁ ସେ ଦାୟିତ୍ବ ଦେଇଛନ୍ତି। ଆସନ୍ତାକାଲି ସେମାନେ ଶ୍ରୀମନ୍ଦିର ଭିତରକୁ ଯାଇ ଗର୍ଭଗୃହର ସ୍ଥିତି ଅନୁଧ୍ୟାନ କରିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ତେବେ ଶ୍ରୀ ପ୍ରତିହାରୀଙ୍କ ଆଜିର ଅଭିଯୋଗ ପରେ ପୁଣି ଥରେ ଶ୍ରୀମନ୍ଦିରକୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରସଙ୍ଗଟି ଜୋର ଧରିବା ପଥର କାରଣ ହେଉଛି, ଭାରତର ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଛନ୍ତି। ଶ୍ରୀମନ୍ଦିରରେ ଇତିମଧ୍ୟରେ ଅନେକ ମରାମତି ହୋଇଛି। ହେଲେ ଶ୍ରୀମନ୍ଦିରରେ ଯେତେ ସବୁ ପ୍ରାଚୀନ ପଥର, ବିରଳ ତଥା ଦୁର୍ଲଭ ମୂର୍ତି କଢାଯାଇଛି, ତାର ହିସାବ କାହା ପାଖରେ ନାହିଁ। ସବୁଠାରୁ ବଡ଼ କଥା ହେଲା, ଶ୍ରୀମନ୍ଦିର ପ୍ରଶାସନ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ଯେଭଳି ଗୁରୁତ୍ବ ଦେବା କଥା ତାହା ଦେଖାଯାଇନାହିଁ। ନା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ବିଷୟରେ କେବେ ଆଲୋଚନା ହୋଇଛି ନା ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଏ ନେଇ ଖୋଳତାଡ଼ କରିଛନ୍ତି। ଏହାକୁ ନେଇ ସନ୍ଦେହ ବଢ଼ୁଥିବା ବେଳେ ଶ୍ରୀ ପ୍ରତିହାରୀଙ୍କ ଅଭିଯୋଗ ଏବେ ସମୁଦାୟ ଘଟଣାକୁ ପୁଣି ତାଜା କରିଛି। ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହାପ୍ରଭୁଙ୍କ ଶ୍ରୀମନ୍ଦିର ବିରୋଧରେ ଏକ ବଡ଼ ଧରଣର ଷଡ୍‌ଯନ୍ତ୍ର ଚାଲିଥିବା ଅଭିଯୋଗ ଜୋର ଧରିଛି।
କୌତୂହଳର ବିଷୟ ହେଉଛି, ଏଥର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମରାମତି ବେଳେ କର୍ମଚାରୀ ଖାଇଥିବା ଚା, ଜଳଖିଆ ଠୋଲା ରତ୍ନ ସିଂହାସନ ପାଖରେ ପକାଇଥିବା ଦେଖିବାକୁ ମିଳିଥିଲା। ଏହାକୁ ସେବକମାନେ ଗମ୍ଭୀରତାର ସହିତ ନେଇଛନ୍ତି। ଯେଉଁ ରତ୍ନସିଂହାସନକୁ ଟିକେ ସ୍ପର୍ଶ କରିବା ସମ୍ଭବ ନୁହେଁ, ସେହି ରତ୍ନସିଂହାସନ କାମ ବେଳେ କର୍ମଚାରୀମାନେ ଧୋତି,ଗାମୁଛା ନ ପିନ୍ଧି ଜିନ୍ ପ୍ୟାଣ୍ଟ ସାର୍ଟ ପିନ୍ଧି କାମ କରୁଥିବା ଅଭିଯୋଗ ଆସିଛି। ବନ୍ଧା ‌ହୋଇଥିବା ଚାର ଓ ରତ୍ନ ସିଂହାସନର ପବିତ୍ରତା ମଧ୍ୟ ନଷ୍ଟ କରାଯାଇଛି ବୋଲି କୁହାଯାଇଛି। ଶ୍ରୀମନ୍ଦିର ମରାମତି ବେଳେ ପ୍ରଶାସନ କାହାକୁ ଦାୟିତ୍ବ ଦେଇଥିଲେ, ସେ ସେଠାରେ କଣ କରୁଥିଲେ, ଏ ସଂପର୍କରେ କାହିଁକି ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ନାହିଁ, ଏବେ ଏମିତି ଅନେକ ପ୍ରଶ୍ନ ସେବକମାନଙ୍କୁ ଆନ୍ଦୋଳିତ କରୁଛି। ଏଭଳି ସାଂଘାତିକ ତ୍ରୁଟି କରିଥିବା ଏଏସ୍‌ଆଇ ଓ ଦାୟିତ୍ବହୀନ ମନ୍ଦିର ପ୍ରଶାସନର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଲାଣି। କେବଳ ସେତିକି ନୁହେଁ, ଏଏସ୍‌ଆଇ ଦାୟିତ୍ବ ନେବା ପରେ ‌ବଦଳିଥିବା ମୂର୍ତ୍ତି ଓ ପଥରର ଟିକନିକ ହିସାବ କରାଯାଉ, ରତ୍ନଭଣ୍ଡାର ରତ୍ନ ଗଣତି ଭଳି କେତେ ମୂର୍ତ୍ତି ଅତୀତରେ ବାହାରିଛି ତା’ର ହିସାବ ଏଏସ୍‌ଆଇ ଦେବା ଉଚିତ୍ ବୋଲି ସେବକମାନେ ମତ ରଖିଛନ୍ତି।

Share Now:

Kalinga News Beuro

Next Post

ବେଆଇନ ପଥର ଖାଦାନ ବନ୍ଦ କରିବା ପ୍ରତିବାଦରେ ସିନ୍ଦୁରପୁର ଗ୍ରାମବାସୀ

Wed Jul 8 , 2020
ସାନଖେମୁଣ୍ଡି :ବେଆଇନ ପଥର ଖାଦାନରେ ବେଆଇନ ପଥର ଫୁଟାକୁ ପ୍ରତିବାଦ କରି ରାଜରାସ୍ତାକୁ ଓଲ୍ହାଇଲେ ସିନ୍ଦୁରପୁର ଗ୍ରାମବାସୀ। ଦୀର୍ଘ ୩ ଘଣ୍ଟା ଧରି ଏନ ଏଚ ୩୨୬ର ପୋଡାମାରି-ପଟିଗୁଡା ଗାଁ ଛକଠାରେ ଗ୍ରାମବାସୀମାନେ ଆନ୍ଦୋଳନ କରିଥିଲେ।ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତିରେ ସୁଧାର ଆସିଥିଲା।ସୂଚନା ଅନୁଯାୟୀ ଗଂଜାମ ଜିଲ୍ଲାର ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପଟିଗୁଡା ସିନ୍ଦୁରପୁର ଗାଁ ନିକଟରେ ଏକ ବିରାଟ କ୍ରସର କମ୍ପାନୀ ରହିଛି।ଏହି କମ୍ପାନୀ କର୍ତ୍ତୃପକ୍ଷ ନିକଟସ୍ଥ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial