ପ୍ରଥମ କରୋନା ଟୀକା ସ୍ପୋଟନିକ ‘ଭି’: ଟିକା ନେଲେ ପୁଟିନ୍‌ଙ୍କ ଝିଅ

ରୁଷିଆ ଆଣିଲା ପ୍ରଥମ ଟିକା

ମସ୍କୋ: ବିଶ୍ବର ପ୍ରଥମ ଦେଶ ଭାବେ ରୁଷିଆ ଆଜିଠାରୁ କୋଭିଡ୍‌-୧୯ ପ୍ରତିଷେଧକ ଟିକାର ବ୍ୟାବହାରିକ ପଞ୍ଜୀକରଣ ଆରମ୍ଭ କରିଛି। କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଅନେକ ଦେଶ ପ୍ରତିଷେଧକ ଟିକା ବିକଶିତ କରିବା ପାଇଁ ଗବେଷଣା ଚଳାଇଥିବାବେଳେ ରୁଷିଆର ରା‌ଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଏଭଳି ଘୋଷଣା କରି ସାରା ବିଶ୍ବକୁ ଚକିତ କରି ଦେଇଛନ୍ତି। ଏହି ଟିକାର ନାଁ ରଖାଯାଇଛି ସ୍ପୋଟନିକ‌ ‘ଭି’। ୧୯୫୭ ମସିହାରେ ବିଶ୍ବର ପ୍ରଥମ ଦେଶ ଭାବେ ରୁଷିଆ ମହାକାଶକୁ ପ୍ରେରଣ କରିଥିବା କୃତ୍ରିମ ଉପଗ୍ରହ ‘ସ୍ପୋଟନିକ‌-୧’ର ନାଁ ଅନୁସାରେ ଏଭଳି ନାମକରଣ କରାଯାଇଥିବା ଜଣାପଡ଼ିଛି। ମହାମାରୀ କୋଭିଡ୍‌-୧୯ର ସଫଳ ମୁକାବିଲା ପାଇଁ ରୁଷିଆର ସରକାରୀ ପ୍ରତିଷ୍ଠାନ ଗମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏପିଡର୍ମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ବିକଶିତ ଏହି ଟିକାର ସାର୍ବଜନୀନ ବ୍ୟବହାର ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। ପୂର୍ବରୁ ଉକ୍ତ ଟିକା ବିଶ୍ବର ପ୍ରଥମ କୋଭିଡ୍‌ ଟିକା ଭାବେ ଆସନ୍ତା ୧୨ ତାରିଖରେ ସାର୍ବଜନୀନ ବ୍ୟବହାର ପାଇଁ ଉପଲବ୍ଧ ହେବ ବୋଲି ରୁଷିଆର ଉପସ୍ବାସ୍ଥ୍ୟମନ୍ତ୍ରୀ ଓଲେଗ ଗ୍ରିଦନେଭ ଘୋଷଣା କରିସାରିଛନ୍ତି। ଗାମ୍‌-କୋଭିଡ୍‌-ଭାକ୍‌-ଲାଇୟୋ ନାମକ ଉକ୍ତ ଟିକାର ବର୍ତ୍ତମାନ ମଣିଷ ଶରୀରରେ ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଜାରି ରହିଥିବା ବେଳେ ଏହାର ପ୍ରୟୋଗ ପାଇଁ ଆବଶ୍ୟକ ଅନୁମତି ଏବଂ ପ୍ରସ୍ତୁତି ପାଇଁ କାଗଜପତ୍ର ପ୍ରସ୍ତୁତ ହୋଇ ସାରିଛି। ଏହି ଅବସରରେ ଟିକା ନେବାକୁ ଆଗ୍ରହୀ ଲୋକଙ୍କର ପଞ୍ଜୀକରଣ ଆରମ୍ଭ ହୋଇଛି। ପଞ୍ଜୀକରଣର ତିନିରୁ ସାତ ଦିନ ଭିତରେ ସେମାନଙ୍କଠାରେ ଟିକା ପ୍ରୟୋଗ କରାଯିବ ବୋଲି ସୂଚନା ମିଳିଛି। ଅପରପକ୍ଷେ, ରୁଷିଆ ବିଶ୍ବର ପ୍ରଥମ ଦେଶ ଭାବେ ସାର୍ବଜନୀନ ବ୍ୟବହାର ପାଇଁ ଏକ କୋଭିଡ୍‌ ଟିକା ଉପଲବ୍‌ଧ କରାଇବାର ଦାବି କରୁଥିବା ବେଳେ ଦେଶ ଭିତରେ ଓ ବାହାରେ ଅନେକ ବୈଜ୍ଞାନିକ ଏହି ଟିକାର ଫଳପ୍ରଦତା ସମ୍ପର୍କରେ ସନ୍ଦିହାନ ଅଛନ୍ତି। ସାଧାରଣତଃ ହଜାର ହଜାର ସ୍ବେଚ୍ଛାସେବୀଙ୍କୁ ସାମିଲ କରି ଦୀର୍ଘ ମାସ ମାସ ଧରି ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସରିବା ଆଗରୁ ସରକାର କିଭଳି ଏହି ଟିକାର ବ୍ୟବହାର ପଞ୍ଜୀକରଣ କଲେ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଉକ୍ତ ଟିକାର ସମ୍ପୂର୍ଣ୍ଣ ତିନି ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସରିଛି ନା ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ସରକାର ଏଭଳି ପଦକ୍ଷେପ ନେବାକୁ ଚାହୁଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ଏହି ଅବସରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରୁଷିଆକୁ ଟିକା ପ୍ରସ୍ତୁତି ପାଇଁ ନିର୍ଦ୍ଧାରିତ ନୀତିନିୟମର ଅନୁପାଳନ କରିବାକୁ ସତର୍କ କରାଇ ଦେଇଛି।
ନିଜ ଦେଶରେ ବିକଶିତ ହୋଇଥିବା ଏକ କୋଭିଡ୍‌ ଟିକାର ସାର୍ବଜନୀନ ବ୍ୟବହାର ପାଇଁ ପଞ୍ଜୀକରଣ ସରିଛି ବୋଲି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୂଚନା ଦେବା ସହ ଏହି ଟିକାକୁ ତାଙ୍କର ଜଣେ ଝିଅ ନେଇଛି ବୋଲି ସ୍ବୀକାର କରିଛନ୍ତି। ମଙ୍ଗଳବାର ଏକ ସରକାରୀ କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ପୁଟିନ କହିଥିଲେ ଯେ ବିଭିନ୍ନ ପର୍ଯ୍ୟାୟ ପରୀକ୍ଷଣ ବେଳେ ଉକ୍ତ ଟିକା ବେଶ ଫଳପ୍ରଦ ପ୍ରମାଣିତ ହୋଇପାରିଛି। ଏପରିକି କରୋନା ଭୂତାଣୁ ବିରୋଧରେ ଏହା ଦୀର୍ଘସ୍ଥାୟୀ ରୋଗ ପ୍ରତିରୋଧକ ବିକଶିତ ମଧ୍ୟ କରିପାରୁଛି। ଏହାକୁ ଭିତ୍ତି କରି ତାଙ୍କର ଦୁଇ ଝିଅଙ୍କ ଭିତରୁ ଜଣଙ୍କୁ ଏହି ଟିକା ଦିଆଯାଇଛି ଏବଂ ସେ ନିଜକୁ ସ୍ବାଭାବିକ ଓ ସୁସ୍ଥ ମନେ କରୁଥିବା ପୁଟିନ ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ଏହି ଟିକାର ବିଧିବଦ୍ଧ ଭାବେ ବିଭିନ୍ନ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସଫଳତାର ସହ ସଂପନ୍ନ ହୋଇଛି ବୋଲି ପୁଟିନ୍‌ ତାଙ୍କ ଅଭିଭାଷଣରେ ଗୁରୁତ୍ବାରୋପ କରିଛନ୍ତି।
ସୂଚନାଯୋଗ୍ୟ, କୌଣସି ଟିକାର ସାର୍ବଜନୀନ ବ୍ୟବହାର ପୂର୍ବରୁ ତାହାର ନିରାପତ୍ତା ଓ ଫଳପ୍ରଦତା ସ୍ପଷ୍ଟ କରିବା ଲାଗି ତିନି ପର୍ଯ୍ୟାୟ ମାନବୀୟ ନୈଦାନିକ ପରୀକ୍ଷଣ ନିହାତି ଜରୁରୀ ହୋଇଥିବା ବେଳେ ଗମାଲେଇ ପ୍ରତିଷ୍ଠାନ ଏହାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ସାରିନଥିବା ଆଲୋଚନା ହେଉଛି। ତେବେ କମ୍ପାନି ପକ୍ଷରୁ ଅଗଷ୍ଟ ୩ ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସାରି ପରେ ପରେ ଉଭୟ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଓ ସ୍ବାସ୍ଥ୍ୟକର୍ମୀଙ୍କଠାରେ ପ୍ରୟୋଗ ସମାନ୍ତରାଳ ଭାବେ ଚାଲୁ ରହିବ ବୋଲି ପୂର୍ବରୁ ସ୍ପଷ୍ଟ କରାଯାଇଥିଲା।

Share Now:

Kalinga News Beuro

Next Post

କ୍ୟାପିଟାଲ ଥାନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ କଲା ବିଜେପି

Wed Aug 12 , 2020
କୋଭିଡ୍‌ ହସ୍ପିଟାଲ ସମ୍ପର୍କରେ ଅଡିଓ ଭାଇରାଲ ଘଟଣା ଭୁବନେଶ୍ବର: କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ ଆଜି ଡିସିପିଙ୍କ ନିକଟରେ ଅଭିଯୋଗ ହୋଇଛି। ସମ୍ପୃକ୍ତ ଟିଭି ଚ୍ୟାନେଲ ପକ୍ଷରୁ ଅଭିଯୋଗରେ ଦର୍ଶାଯାଇଛି, ଭାଇରାଲ୍ ଅଡିଓ ମାମଲାରେ ଦସ୍ତାବିଜ୍ ଦାଖଲ କରିବା ଲାଗି ସେମାନଙ୍କୁ ନୋଟିସ୍ କରାଯାଇଥିଲା। ରାତି ଅଧରେ କ୍ୟାପିଟାଲ ଥାନାଧିକାରୀ ଶ୍ରୀ ଚକ୍ରବର୍ତ୍ତୀ ନୋଟିସ୍ କରିବା ସହ ଦସ୍ତାବିଜ୍ ଦାଖଲ […]
କୋଭିଡ୍‌ ଅଡିଓ ଭାଇରାଲ ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial