ଓଡ଼ିଶା ସହ ସଂପର୍କ ଥିଲା ଅତି ନିବିଡ଼
ନୂଆଦିଲ୍ଲୀ : ପ୍ରଖ୍ୟାତ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀ ପଣ୍ଡିତ ଯଶରାଜଙ୍କର ଆଜି ଆମେରିକାର ନ୍ୟୁଜର୍ସିଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ପଣ୍ଡିତ ଯଶରାଜଙ୍କ ପରଲୋକରେ ଦୀର୍ଘ ୮୦ ବର୍ଷର ଶାସ୍ତ୍ରୀୟ ସଙ୍ଗୀତ ଯାତ୍ରାର ଅନ୍ତ ଘଟିଛି। ୧୦ ବର୍ଷ ବୟସରୁ ସେ ସଙ୍ଗୀତ ସାଧନା ଆରମ୍ଭ କରିଥିଲେ। ‘ବାପୁଜୀ ଆଉ ନାହାନ୍ତି’ ବୋଲି ପଣ୍ଡିତଙ୍କ ଝିଅ ତଥା ପ୍ରଖ୍ୟାତ ସଙ୍ଗୀତଜ୍ଞ ଦୁର୍ଗା ଯଶରାଜ୍ ଟ୍ବିଟ୍ କରି ଜଣାଇବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।
ପଣ୍ଡିତ ଯଶରାଜଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଶାସ୍ତ୍ରୀୟ ସଙ୍ଗୀତ ଆକାଶରେ ପଣ୍ଡିତ ଜଣେ ଉଜ୍ଜ୍ୱଳ ନକ୍ଷତ୍ର ଥିଲେ ଏବଂ ତାଙ୍କ ବିୟୋଗରେ ଦେଶ ଜଣେ ବଡ଼ ତାରକାଙ୍କୁ ହରାଇଲା ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେହିଭଳି ପଣ୍ଡିତଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ଏବଂ ନୀତିନ ଗଡକରି ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

୧୯୩୦ ମସିହା ଜାନୁଆରି ୨୮ ତାରିଖରେ ହରିଆଣାର ହିସାର ଜିଲ୍ଲାର ପିଲିମନ୍ଦୋରି ଗାଁର ଏକ ବ୍ରାହ୍ମଣ ପରିବାରରେ ପଣ୍ଡିତ ଯଶରାଜ ଜନ୍ମ ହୋଇଥିଲେ। ଯଶରାଜଙ୍କୁ ମାତ୍ର ୪ ବର୍ଷ ହୋଇଥିବା ବେଳେ ତାଙ୍କ ପିତା ପଣ୍ଡିତ ମୋତିରାମଙ୍କର ପରଲୋକ ହୋଇଥିଲା। ତାଙ୍କ ବଡ଼ଭାଇ ପଣ୍ଡିତ ପ୍ରତାପ ନାରାୟଣଙ୍କ ପ୍ରଭାବରେ ଯଶରାଜ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ଯଶରାଜଙ୍କ ପିଲାଦିନ ହାଇଦ୍ରାବାଦରେ କଟିଥିଲା। ଏହାପରେ ସେ ଗୁଜରାଟର ମେୱାଟି ଘରାନାରେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାଲାଭ କରିଥିଲେ। ୧୯୪୬ରେ ସେ କୋଲକାତା ରେଡିଓରେ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ ଆରମ୍ଭ କରିଥିଲେ। କିଛି ବର୍ଷ କୋଲକାତାରେ ରହିବା ପରେ ଯଶରାଜ ମୁମ୍ବାଇକୁ ଚାଲି ଯାଇଥିଲେ। ୧୯୬୨ରେ ମୁମ୍ବାଇରେ ମଧୁରା ସାନ୍ତାରାମଙ୍କୁ ବିବାହ କଲେ। ପତ୍ନୀ ମଧୁରାଙ୍କ ନିର୍ଦ୍ଦେଶିତ ଅନେକ ଚଳଚ୍ଚିତ୍ରରେ ଯଶରାଜ କଣ୍ଠଦାନ କରିଛନ୍ତି। ବନ୍ଦନା କରୋ, ଯୁଗଳବନ୍ଦୀ, ୱାଦା ତୁମ୍ସେ ହୈ ୱାଦା, ଏ ସଙ୍ଗ ଇନ୍ ଲାଇଫ୍ ଅଫ୍ ପାଇ ଭଳି ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଛନ୍ତି।
ଶାସ୍ତ୍ରୀୟ ସଙ୍ଗୀତରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୭୫ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା। ସେହିଭଳି ୧୯୮୭ରେ ତାଙ୍କୁ ସଙ୍ଗୀତ ନାଟକ ଏକାଡେମି ପୁରସ୍କାର, ୧୯୯୦ରେ ପଦ୍ମଭୂଷଣ, ୨୦୦୦ରେ ପଦ୍ମ ବିଭୂଷଣ, ୨୦୧୦ରେ ସଙ୍ଗୀତ ନାଟକ ଏକାଡେମି ଫେଲୋସିପ୍, ୨୦୧୬ରେ ଗାଙ୍ଗୁଭାଇ ହଙ୍ଗାଲ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ଭଳି ଅନେକ ପୁରସ୍କାର ମିଳିଛି।
ଓଡ଼ିଶା ସହ ସଂପର୍କ ଥିଲା ଅତି ନିବିଡ଼
ସଂଗୀତ ମାର୍ତଣ୍ଡ ପଣ୍ଡିତ ଯଶରାଜ ଓଡ଼ିଶାର ନଥିଲେ। ମାତ୍ର ଓଡ଼ିଶା ସହ ତାଙ୍କର ସମ୍ପର୍କ ଥିଲା ଅତି ନିବିଡ଼। ୧୯୭୫ ମସିହାରେ ମୁମ୍ବାଇରେ ଭି.ଶାନ୍ତାରାମଙ୍କ ଷ୍ଟୁଡିଓରେ ନିର୍ମିତ ହୋଇଥିବା ‘ଗୀତଗୋବିନ୍ଦ’ ନୃତ୍ୟନାଟିକାର ସଂଗୀତ ନିର୍ଦେଶନା ଦେଇଥିଲେ ପଣ୍ଡିତ ଯଶରାଜ। ସେତେବେଳେ ସେହି ନୃତ୍ୟନାଟିକାର ନୃତ୍ୟ ସଂଯୋଜନା କରିଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ର। ପଣ୍ଡିତ ଯଶରାଜଙ୍କ ପତ୍ନୀ ମଧୁରା ଶାନ୍ତାରାମ ଏହାର ପ୍ରଯୋଜନା କରିଥିଲେ। ସେଥିରେ କୃଷ୍ଣ ଭୂମିକାରେ ମାଧବୀ ମୁଦ୍ଗଲ ଅଭିନୟ କରିଥିବା ବେଳେ ରାଧା ଚରିତ୍ରରେ ଅଭିନୟ କରିଥିଲେ ଭି.ଶାନ୍ତାରାମଙ୍କ କନ୍ୟା। ସେତେବେଳେ ନିର୍ମିତ ଏହି ଗୀତଗୋବିନ୍ଦ ନୃତ୍ୟନାଟିକା କାଳଜୟୀ ପାଲଟିବା ସହ ଗୁରୁ କେଳୁଚରଣ ମହାପାତ୍ରଙ୍କ ପରିବାର ସହ ପାରିବାରିକ ସମ୍ପର୍କ ଯୋଡ଼ି ହୋଇଗଲା।

ଏହା ପରେ ପଣ୍ଡିତଙ୍କ ସହ ମିଶି ଗୁରୁ କେଳୁଚରଣ ମହାପାତ୍ର ଅନେକ କାର୍ଯ୍ୟକ୍ରମ କରିଛନ୍ତି। ଏଥିସହ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଓ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀଙ୍କ ସହ ମଧ୍ୟ ସେ ମଧ୍ୟ ସେ ନୃତ୍ୟ ମଞ୍ଚରେ ଦର୍ଶକଙ୍କୁ ରୋମାଞ୍ଚିତ କରିଥିଲେ। ଗୁରୁ କେଳୁଚରଣ ମହାପାତ୍ରଙ୍କ ମୃତ୍ୟୁ ପରେ ପଣ୍ଡିତ ଯଶରାଜ ବହୁତ ଭାଙ୍ଗି ପଡ଼ିଥିଲେ। ସେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଏତେ ଭଲ ପାଉଥିଲେ ଯେ ତାଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟ ଭଳି ମୃତ୍ୟୁ ପରର ୧୦ଦିନ ପର୍ଯ୍ୟନ୍ତ ଶାସ୍ତ୍ରବିଧି ମତେ ସମସ୍ତ ସଂସ୍କାର ମାନିଥିଲେ। ୧୦ ଦିନ ପରେ ଏପଟେ ଗୁରୁଙ୍କ ପରିବାର ତୁଠ ରୀତି କରୁଥିବା ବେଳେ ସେ ନିଜ ଘରେ ଥାଇ ତୁଠ ରୀତି ସମ୍ପାଦନ କରିଥିଲେ। ଯେବେ ପଣ୍ଡିତ ଯଶରାଜ ୨୦୦୭ରେ ଓଡ଼ିଶା ପୁନର୍ବାର ଆସିଲେ, ଭୁବନେଶ୍ବର ଏୟାରପୋର୍ଟରେ ଗୁରୁ କେଳୁଚରଣଙ୍କ ପୁଅ ରତିକାନ୍ତ ମହାପାତ୍ରଙ୍କୁ ଦେଖି କାନ୍ଦି ପକାଇଥିଲେ। ପ୍ରତିଥର ଗୁରୁ କେଳୁଚରଣ ତାଙ୍କୁ ନେବାକୁ ଆସୁଥିବା ବେଳେ ସେଥର ତାଙ୍କ ଅନୁପସ୍ଥିତି ଯଶରାଜଙ୍କ ଆଖିରେ ଲୁହ ଆଣି ଦେଇଥିଲା।