ସ୍ମାର୍ଟ ସିଟିରେ ମୋ ସାଇକେଲ‌ ଯୋଜନା ଫେଲ୍‌

ରାଜଧାନୀରେ ମୋ ସାଇକେଲ୍‌ ଯୋଜନା ଫେଲ୍‌

ହଜାରେ ସାଇକେଲ‌ ନେଇ ସଂସ୍ଥା ଛୁ’

ଭୁବନେଶ୍ୱର : ରାଜଧାନୀବାସୀଙ୍କୁ ଏକ ସୁସ୍ଥ ଜୀବନଶୈଳୀ ଭେଟି ଦେବା, ଭୁବନେଶ୍ବରକୁ ପ୍ରଦୂଷଣମୁକ୍ତ ସହର କରିବା ଉଦ୍ଦେଶ୍ୟରେ ନଭେମ୍ବର, ୨୦୧୮ରେ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ମୋ ସାଇକେଲ‌ ସେବା ଆରମ୍ଭ ହୋଇଥିଲା। ପ୍ରଥମରୁ କେବେ ବି ଉତ୍ସାହଜନକ ସଫଳତା ପାଇ ନଥିବା ଏହି ଯୋଜନା ଦେଢ଼ବର୍ଷ ପରେ ଚିତ୍‌ପଟାଙ୍ଗ ମାରି ପଡ଼ିଛି। ନା ଲୋକ ସାଇକେଲ‌ ଚଲାଉଛନ୍ତି ନା ରାସ୍ତା କଡ଼ରେ ମୋ ସାଇକେଲ‌ ଥିବା ପୂର୍ବଭଳି ଦେଖିବାକୁ ମିଳୁଛି। ଏପରିକି ଯେଉଁ ସଂସ୍ଥାକୁ ନଜରରେ ରଖି ରାଜଧାନୀରେ ମୋ ସାଇକେଲ‌ ସେବା ଆରମ୍ଭ ହୋଇଥିଲା, ସେ ସଂସ୍ଥା ଏବେ ସାଇକେଲ‌ ନେଇ ଛୁ’। ବାକି ଦୁଇଟି ସଂସ୍ଥାର କାଁ ଭାଁ ସାଇକେଲ‌ ରାସ୍ତାରେ ଥିବା ଦେଖିବାକୁ ମିଳୁଛି। ମୋ ସାଇକେଲ ଯୋଜନା ଏବେ ଏକରକମ ଫେଲ୍‌ ମାରି ଯାଇଛି। ଭୁବନେଶ୍ବରରେ ମୋ ସାଇକେଲ‌ ସେବା ଆରମ୍ଭ କରିବା ପୂର୍ବରୁ ଟପୋଗ୍ରାଫି ସର୍ଭେ ହୋଇଥିଲା କି ନାହିଁ? ଭୁବନେଶ୍ବରରେ ପାଣିପାଗ ଯାହା ସେଥିରେ ଖରାଦିନେ ସାଇକେଲ‌ ଚଲାଇବାକୁ ଲୋକ ପସନ୍ଦ କରିବେ କି ନାହିଁ, ସାଇକେଲ‌ କେଉଁଠି ରଖିଲେ ଓ କିପରି ପ୍ରଚାର କଲେ, ଏହାକୁ ଅଧିକ ଲୋକ ଚଲାଇବେ, ସେନେଇ ସର୍ଭେ ହୋଇଥିଲା କି ନାହିଁ, ସେନେଇ ପ୍ରଶ୍ନ ଉଠିଲାଣି। ରାଜଧାନୀବାସୀଙ୍କୁ କ୍ରୁଟ୍‌ ମାଗଣାରେ ସାଇକେଲ‌ ଚଲାଇବାଠାରୁ ଆରମ୍ଭ କରି ଘଣ୍ଟାକୁ ୫ ଟଙ୍କା, ଗୁରୁବାର ପ୍ରଥମ ଅଧଘଣ୍ଟା ମାଗଣା ଏହିଭଳି ବହୁ ମନଲୋଭା ଅଫର୍ ଦେଇଛି। କିନ୍ତୁ କିଛି କାମ କଲାନି। aଲୋକ ସାଇକେଲ‌ ଚଲାଇବା ଦୂର କଥା ଏବେ ଲୋକ ସାଇକେଲ‌ ପାଖକୁ ଆସୁନାହାନ୍ତି। ଏପରିକି ସାଇକେଲ ଷ୍ଟାଣ୍ଡରେ ସାଇକେଲ‌ ଦେଖିବାକୁ ମିଳୁନି। ରାଜଧାନୀରେ ଲୋକ ସାଇକେଲ ଚଲାଉ ନାହାନ୍ତି ବୋଲି ହେକ୍ସି ସଂସ୍ଥା ହଜାରେ ସାଇକେଲ‌ ନେଇ ପଳାଇ‌ଲାଣି। ଏହି ସଂସ୍ଥା ପ୍ରାୟ ୪ମାସ ହେଲା ରାଜଧାନୀରେ ସାଇକେଲ‌ ସେବା ବନ୍ଦ କରିଦେଇଛି। ହିରୋ ଗ୍ରୁପ୍‌ର ହେକ୍ସି ସାଇକେଲ‌ ଭୁବନେଶ୍ବର ସମେତ ବିଭିନ୍ନ ସହରରେ ସାଇକେଲ‌ ସେବା ଯୋଗାଉଥିଲା। ଚାଇନା ସଂସ୍ଥା ଭୁବନେଶ୍ବର ସ୍ମାର୍ଟସିଟି ଲିମି‌ଟେଡ୍‌ କର୍ତ୍ତୃପକ୍ଷଙ୍କୁ ଶେଷ ମୁହୂର୍ତ୍ତରେ ଧୋକ୍କା ଦେବା ପରେ କର୍ତ୍ତୃପକ୍ଷ ହେକ୍ସି ସଂସ୍ଥାକୁ ଭରସା କରି ଭୁବନେଶ୍ବରରେ ମୋ ସାଇକେଲ‌ ସେବା ଆରମ୍ଭ କରିଥିଲେ। ରାଜଧାନୀରେ ୨ହଜାର ସାଇକେଲ‌ ଗଡ଼ୁଥିବାବେଳେ ଏଥିରେ ହେକ୍ସିର ହଜାରେ ସାଇକେଲ‌, ୟୁଲୁର ୫୦୦ ସାଇକେଲ‌, ୟୋନୋର ୫୦୦ ସାଇକେଲ‌ ଥିଲା। ଏବେ ୟୁଲୁ ଓ ୟୋନୋ ନାଁ କୁ ସାଇକେଲ୍‌ ସେବା ଯୋଗାଉଥିବା ବେଳେ ହେକ୍ସି କର୍ତ୍ତୃପକ୍ଷ ସାଇକେଲ‌ ନେଇ ଡିପୋରେ ରଖି ଦେଇଛନ୍ତି। ଏହାସହ ସବୁ କର୍ମଚାରୀଙ୍କୁ ସଂସ୍ଥା ଫେରାଇ ନେଇଛି। କ୍ରୁଟ୍‌ କର୍ତ୍ତୃପକ୍ଷ ହେକ୍ସିକୁ ସାଇକେଲ‌ ଚଲାଇବାକୁ କହୁଥିଲେ ହେଁ ଏହି ସଂସ୍ଥା ଧରାଛୁଆଁ ଦେଉନି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ହେକ୍ସି ଗତ ଦେଢ଼ ବର୍ଷରେ ବହୁତ କ୍ଷତି ସହିଥିବାରୁ ଭୁବନେଶ୍ବରରେ ସେବା ବନ୍ଦ କରିବାକୁ ଆପାତତଃ ନିଷ୍ପତ୍ତି ନେଇଛି। ତେଣୁ ସେବା ବନ୍ଦ କରିଦେଇଛି। ଅପରପକ୍ଷେ କ୍ରୁଟ୍‌ କର୍ତ୍ତୃପକ୍ଷ କହିଛନ୍ତି ଯେ ୟୁଲୁର ୫୦୦ ଓ ୟୋନୋର ୫୦୦ ସାଇକେଲ‌ ଭୁବନେଶ୍ବରରେ ଗଡ଼ୁଛି। ୨୫ଟି ସ୍ଥାନରେ ସାଇକେଲ‌ ରଖାଯାଉଛି। ଦିନକୁ ପ୍ରାୟ ୩୦୦ଜଣ ସାଇକେଲ‌ ଚଲାଉଛନ୍ତି। ହେକ୍ସି କରୋନା ପାଇଁ ସବୁ କର୍ମଚାରୀଙ୍କୁ ନେଇଯାଇଥିବାରୁ ଏବଂ ସାଇକେଲ‌ଗୁଡ଼ିକୁ ଡିପୋକୁ ନେଇଯାଇଥିବାରୁ ଏବେ ଏହି ସଂସ୍ଥାର ସାଇକେଲ‌ ଗଡ଼ୁନି। କରୋନା ଯୋଗୁଁ ଲୋକ ସାଇକେଲ୍‌ ଚଲାଇବାକୁ ଅମଙ୍ଗ ହେଉଛନ୍ତି। ଅଧିକ ସାଇକେଲ‌ ଚଲାଇବା ପାଇଁ ଯୋଜନା ଅଛି। ଖୁବ୍‌ଶୀଘ୍ର ୫୦୦ ନୂଆ ସାଇକେଲ‌ ଆସିବ। ହେଲେ ସବୁ କରୋନା ପ୍ରଭାବ ଉପରେ ନିର୍ଭର କରୁଛି। କ୍ରୁଟ୍‌ କର୍ତ୍ତୃପକ୍ଷ ୟୁଲୁର ୫୦୦ ସାଇକେଲ‌ ଚାଲୁଥିବା କହୁଥିଲେ ହେଁ ଘାଟିକିଆସ୍ଥିତ ଡିପୋରେ ଏବେ ଶତାଧିକ ସାଇକେଲ‌ ଅବ୍ୟବସ୍ଥିତ ହୋଇପଡ଼ିଛି। କେଉଁ ସାଇକେଲ‌ର ସିଟ୍ ଉପୁଡ଼ି ଯାଇଛି ତ କାହାର ମଡ଼ଗାର୍ଡ ଭାଙ୍ଗି ଯାଇଛି। ଅଧିକାଂଶ ସାଇକେଲ‌ ଆଉ ଗଡ଼ିବା ଅବସ୍ଥାରେ ନାହିଁ। ଏନେଇ କ୍ରୁଟ୍‌ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ କହିଛନ୍ତି ଯେ ସାଇକେଲ୍ଗୁଡ଼ିକ ବିଶୋଧନ ହେବାକୁ ଓ ମରାମତି ହେବାକୁ ଡିପୋକୁ ଯାଇଛି। ସେଠାରେ ମରାମତି ହୋଇଆସିବ। ଏହି ସାଇକେଲ ‌ଗୁଡ଼ିକ ଏପରି ଅବସ୍ଥାରେ ଅଛି ଯେ ଏହା ମାସାଧିକ ହେଲା ଏମିତି ଅବସ୍ଥାରେ ଅଛି ବୋଲି ଜଣା ପଡ଼ିଯାଉଛି।

Share Now:

Kalinga News Beuro

Next Post

ଭୁବନେଶ୍ୱରରୁ ୨୯୫ ଜଣ କରୋନା ପଜିଟିଭ୍‌: ବିସ୍କୁଟ କାରଖାନାରୁ ୨୮ ଜଣ ସଂକ୍ରମିତ

Sat Aug 22 , 2020
ରାଜଧାନୀରୁ ସୁସ୍ଥ ହେଲେ ୧୫୮ ଜଣ କରୋନା ଆକ୍ରାନ୍ତ ଭୁବନେଶ୍ୱର: ଚନ୍ଦକା ଅଞ୍ଚଳରେ ଥିବା ଏକ ବିସ୍କୁଟ କାରଖାନାରେ ୨୮ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ପୁଲିସ ସିକ୍ୟୁରିଟି ଓ୍ଵିଙ୍ଗ୍‌ରୁ ୩୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଏଥି ସହିତ ଭୁବନେଶ୍ୱରରୁ ଆଜି ୨୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଭୁବନେଶ୍ୱର […]
କରୋନା ପ୍ରଭାବ

ଆହୁରି ପଢ଼ନ୍ତୁ