ଅଣ୍ଡା ବ୍ୟବସାୟୀଙ୍କୁ ମାରି ନଦୀରେ ଫିଙ୍ଗିଦେଲେ ଦୁର୍ବୁତ୍ତ

ବ୍ୟବସାୟୀଙ୍କୁ ମାରି ଦେଲେ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଦାଣ୍ଡିସାହି ନିକଟ କଣ୍ଠିଆନାଳ ନଦୀରୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଜଣକ ହେଉଛନ୍ତି ଚତୁର୍ଭୁଜ ସେଠୀ(୨୫)। ତାଙ୍କ ଘର ଡେରାବିଶ ଥାନା କୁଷୁନୁପୁର ବେରାଡି ଅଞ୍ଚଳରେ ହୋଇଥିବା ବେଳେ ସେ ହୋଲସେଲ୍‌ ଅଣ୍ଡା ବ୍ୟବସାୟ କରୁଥିଲେ। ତାଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦିଆଯାଇଛି ବୋଲି ଚତୁର୍ଭୁଜଙ୍କ ବାପା ଚଉଦକୁଲାଟ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ପୁଲିସ ସୂଚନା ଅନୁଯାୟୀ, ଚତୁର୍ଭୁଜ ଡେରାବିଶରୁ ଅଣ୍ଡା ଆଣି ଧୋୟାଞ୍ଚଳରେ ବ୍ୟବସାୟ କରୁଥିଲେ। ଗଲା ରବିବାର ଅଣ୍ଡା ନେଇ ଦାଣ୍ଡିସାହିକୁ ଆସିଥିଲେ। ଦାଣ୍ଡିସାହିର ରବି ରାଉତଙ୍କ ଫାଷ୍ଟଫୁଡ୍‌ ଦୋକାନକୁ ଅଣ୍ଡା ନେଇଯାଉଛି ଓ ବାକି ଟଙ୍କା ଆଦାୟ କରି ଫେରିବି ବୋଲି ଘରେ କହି ଆସିଥିଲେ। ସେହିଦିନ ରାତିରେ ଚତୁର୍ଭୁଜଙ୍କ ଉପସ୍ଥିତିରେ ରବି ତାଙ୍କ ବାପାଙ୍କ ସମେତ ପରିବାର ଲୋକଙ୍କୁ ମାରପିଟ କରିଥିଲେ। ଏହି ଗଣ୍ଡଗୋଳ ସଂପର୍କରେ ରବିଙ୍କ ବାପା ସେହିଦିନ ରାତିରେ ଚଉଦକୁଲାଟ ଫାଣ୍ଡିରେ ଅଭିଯୋଗ କରିଥିଲେ। ଏହାପରେ ଚତୁର୍ଭୁଜ ଆଉ ଘରକୁ ଫେରି ନ ଥିଲେ। ପୁଅ ନ ଫେରିବାରୁ ଚତୁର୍ଭୁଜଙ୍କ ବାପା ଡେରାବିଶ ଥାନାରେ ଏକ ଏତଲା ଦେଇଥିଲେ। ଗତକାଲି ଚତୁର୍ଭୁଜଙ୍କ ବାଇକ୍‌ କଣ୍ଠିଆନାଳ ନଦୀ ପୋଲ ଉପରେ ଥୁଆ ହୋଇଥିବା କିଛି ଲୋକ ଦେଖି ଚଉଦକୁଲାଟ ଫାଣ୍ଡିକୁ ଖବର ଦେଇଥିଲେ। ଆଜି ସ୍ଥାନୀୟ ମାଛ ଧରାଳୀ ନଦୀରେ ଜଣେ ଯୁବକଙ୍କ ଶବ ଭାସୁଥିବା ଦେଖିବାକୁ ପାଇଥିଲେ। ସୂଚନା ପାଇ ଚତୁର୍ଭୁଜଙ୍କ ବାପା ପର୍ଶୁରାମ ଏଠାରେ ପହଞ୍ଚି ପୁଅର ମୃତଦେହ ଚିହ୍ନଟ କରିଥିଲେ। ଏ ନେଇ ସେ ଚଉଦକୁଲାଟ ଫାଣ୍ଡିରେ ଏତଲା ଦେଇଛନ୍ତି। ତାଙ୍କ ପୁଅକୁ ହତ୍ୟା କରି କେହି ନଦୀରେ ଫିଙ୍ଗି ଦେଇଛି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ଘଟଣା ପଛରେ ରବି ରାଉତଙ୍କ ହାତ ରହିଥିବା ସେ ଉଲ୍ଲେଖ କରିଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ରବିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ବୋଲି ଫାଣ୍ଡି ଅଧିକାରୀ ବିଜୟ କୁମ‌ାର ମଲ୍ଳ କହିଛନ୍ତି।

Share Now:

Kalinga News Beuro

Next Post

ବାଇଡେନ୍‌ ଜିତିଲେ ଚୀନ୍‌ ଆମେରିକାକୁ କିଣିନେବ: ଟ୍ରମ୍ପ୍‌

Tue Aug 25 , 2020
ନ୍ୟୁୟର୍କ: ଆସନ୍ତା ନଭେମ୍ବର ୩ ତାରିଖ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କର ପ୍ରତିଦ୍ବନ୍ଦୀ ତଥା ଡେମୋକ୍ରାଟିକ୍‌ ଦଳର ପ୍ରାର୍ଥୀ ଜୋ ବାଇଡେନ୍‌ ଯଦି ବିଜୟ ଲାଭ କରନ୍ତି, ତେବେ ଚୀନ୍‌ ଆମେରିକାକୁ କିଣିନେବ ବୋଲି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଆକ୍ଷେପ କରି କହିଛନ୍ତି। ବାଇଡେନ୍‌ ତାଙ୍କ ପ୍ରାର୍ଥିତ୍ବ ଗ୍ରହଣ ଅଭିଭାଷଣରେ ଚୀନ୍‌ ସମ୍ପର୍କରେ ପଦଟିଏ ବି ଉଚ୍ଚାରଣ କରିନଥିବାରୁ ଟ୍ରମ୍ପ୍‌ ଏପରି ଆଶଙ୍କା ବ୍ୟକ୍ତ କରିଥିବା କହିଛନ୍ତି। ସେହିପରି ଗୁଇନ୍ଦା ରିପୋର୍ଟ […]
ଡୋନାଲ୍ଡ ଟ୍ରମ୍ପ-new

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial