ଘଣ୍ଟା ପ୍ରତି ବେଗ ୫୦୦ରୁ ୮୦୦କିମି
ନୂଆଦିଲ୍ଲୀ: ବୁଲେଟ୍ ଟ୍ରେନ୍ ପରେ ମୋଦୀ ସରକାର ଆଣିବାକୁ ଯାଉଛନ୍ତି ମ୍ୟାଗଲୋବ୍ ଟ୍ରେନ୍। ଏଥିପାଇଁ ଭାରତୀୟ କମ୍ପାନୀ ଭେଲ୍ , ସ୍ୱିସ୍ ରାପିଡେ ଏଜି ସହିତ ଚୁକ୍ତି କରିଛି। ଏହି ଟ୍ରେନ୍ ଅଧଘଣ୍ଟାରେ ମୁମ୍ୱାଇରୁ ଚଣ୍ଡିଗଡ଼ ପହଞ୍ଚିବ। ଚୁମ୍ୱକୀୟ ଶକ୍ତି ସହାୟତାରେ ଚାଲିବ ଏହି ଟ୍ରେନ୍। ଭାରତ ହେଭି ଇଲେକ୍ଟ୍ରିକ୍ ଲିମିଟେଡ୍, ଭେଲ୍ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ମ୍ୟାଗଲୋବ୍ ଟ୍ରେନ୍ ଚୁମ୍ୱକୀୟ ଶକ୍ତି ସହାୟତାରେ ଚାଲିବ। ଏହା ଟ୍ରେନ୍ ଟିକୁ ଚୁମ୍ୱକୀୟ ଶକ୍ତି ସହାୟତାରେ ଉପରକୁ ଉଠାଇ ଆଗକୁ ଯିବାରେ ସହାୟତା କରିବ। ମ୍ୟାଗ୍ନେଟିକ୍ ଲେଭିଟେସନ୍ ସହାୟତାରେ ଟ୍ରେନ୍ ଚଳାଇବା ପାଇଁ ରେଳ ମନ୍ତ୍ରାଳୟ ପିପିପି ମୋଡରେ ମ୍ୟାଗ୍ନେଟ୍ ଟ୍ରେନ୍ ସିଷ୍ଟମର ଯୋଜନା ତିଆରି କରିଛନ୍ତି। ଏହି ଟ୍ରେନର ରେଳ ଧାରଣା ସହିତ କୌଣସି ସିଧା ସଂପର୍କ ରହିବ ନାହିଁ। ତେଣୁ ଏଥିରେ ଉର୍ଜା ବ୍ୟବହାର ମଧ୍ୟ କମ୍ ହେବ। ଏହି ଟ୍ରେନ୍ ଘଣ୍ଟା ପ୍ରତି ୫୦୦ରୁ ୮୦୦ କିମି ବେଗରେ ଚାଲିପାରିବ। ସୂତ୍ର ଅନୁସାରେ କେନ୍ଦ୍ର ସରକାର ବେଙ୍ଗାଲୁରୁ-ଚେନ୍ନାଇ, ହାଇଦ୍ରାବାଦ୍-ଚେନ୍ନାଇ, ଦିଲ୍ଲୀ-ଚଣ୍ଡିଗଡ଼ ଏବଂ ନାଗପୁର-ମୁମ୍ୱାଇ ମଧ୍ୟରେ ଏହି ମ୍ୟାଗଲୋବ୍ ଟ୍ରେନ୍ ଚଳାଇବାକୁ ଯୋଜନା ତିଆରି କରୁଛନ୍ତି। ସାରା ବିଶ୍ୱରେ ହାତ ଗଣତି ଦେଶ ଗୁଡିକ ପାଖରେ ମ୍ୟାଗଲୋବ୍ ଟ୍ରେନ୍ ର ବୈଷୟିକ ଜ୍ଞାନ ରହିଛି। ଏହି ଦେଶ ଗୁଡିକ ମଧ୍ୟରେ ରହିଛି ଜର୍ମାନୀ, ଚୀନ, ଜାପାନ, ଦକ୍ଷିଣ କୋରିଆ ଏବଂ ଆମେରିକା। ପ୍ରଥମେ ମ୍ୟାଗଲୋବ୍ ଚଳାଇବା ସ୍ୱପ୍ନ ଦେଖିଥିଲେ ଜର୍ମାନୀ, ଆମେରିକା ଓ ବ୍ରିଟେନ୍।

ତେବେ ବୈଷୟିକ ଜ୍ଞାନ ଓ ଏହାର ଖର୍ଚ୍ଚ ଦୃଷ୍ଟିରୁ ଏହାକୁ ପ୍ରଥମେ ସଫଳ କରିପାରିନଥିଲେ। ଚୀନ୍ ବର୍ତ୍ତମାନ ସାଂଘାଇ ସହରରୁ ସାଂଘାଇ ବିମାନବନ୍ଦର ମଧ୍ୟରେ ଏହି ମ୍ୟାଗଲୋବ୍ ଟ୍ରେନ୍ ଚଳାଚଳ କରୁଛି। ଏହାର ଦୂରତା ପ୍ରାୟ ୩୮ କିମି ରହିଛି। ବର୍ତ୍ତମାନ ବିଶ୍ୱର ତିନୋଟି ରାଷ୍ଟ୍ର ଚୀନ, ଦକ୍ଷିଣ କୋରିଆ ଏବଂ ଜାପାନରେ ଏହି ମ୍ୟାଗଲୋବ୍ ଟ୍ରେନ୍ ଚଳାଚଳ କରୁଛି। ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଅଭିଯାନକୁ ନଜରରେ ରଖି ମୋଦୀ ସରକାର ଏହି ଚୁକ୍ତି କରିଛନ୍ତି। ଆଗକୁ ଭେଲ୍ ସ୍ୱିସ୍ ରାପିଡେ ଏଜି ସହିତ ମିଶି ଏହି ଯୋଜନାରେ କାମ କରିବ। ଗତ ୫୦ ବର୍ଷ ଧରି ଭେଲ୍ ଭାରତୀୟ ରେଳବାଇର ବିକାଶ ଦିଗରେ କାମ କରି ଆସୁଛି। ମ୍ୟାଗଲୋବ୍ ଟ୍ରେନ୍ ଚଳାଚଳ କଲେ ଭାରତୀୟ ରେଳ ଇତିହାସରେ ଏହା ନୂଆ ଫର୍ଦ୍ଦ ଯୋଡିବ।