ନନ୍ଦନକାନନରେ ଜୀବଜନ୍ତୁ ମଡ଼କ: ୫କୁ ଖସିଆସିଲେଣି ଆନାକୋଣ୍ଡା

ନନ୍ଦନକାନନରେ ଜୀବଜନ୍ତୁ ମଡ଼କ

ମାସକରେ ୧୧ରୁ ଅଧିକ ମଲେଣି, ଲୋପ ପାଇଯିବେ ଶଙ୍ଖଚିଲ, କିଙ୍ଗକୋବ୍ରା

ଭୁବନେଶ୍ବର: ୧୮୫ଦିନ ହେଲା ନନ୍ଦନକାନନ ବନ୍ଦ। ପର୍ଯ୍ୟଟକଙ୍କ ଆଗମନ ନାହିଁ କି ଗହଳିଚହଳି ହେଉନି। ସବୁ ଯେମିତି ଶୂନ୍‌ଶାନ। ଯୁଆଡ଼େ ଚାହିଁଲେ ଖାଲି ଖାଁ ଖାଁ। କାଁ ଭାଁ କର୍ମଚାରୀ ଜୀବଜନ୍ତୁଙ୍କୁ ଖାଦ୍ୟ ପାନୀୟ ଯୋଗାଇ ଦେଉଛନ୍ତି। ଦେଖାରଖା ବି କରୁଛନ୍ତି। ଏକପ୍ରକାର ନିଶବ୍ଦ ହୋଇପଡ଼ିଥିବା ଦେଶର ଏହି ପ୍ରମୁଖ ପ୍ରାଣୀଉଦ୍ୟାନ ଗୋଟିଏ ପରେ ଗୋଟିଏ ଜୀବଜନ୍ତୁଙ୍କୁ ହରାଇ ବସୁଛି। କରୋନା କଟକଣା ଭିତରେ ଜଣା ପଡ଼ୁ ନ ଥିଲେ ମଧ୍ୟ ଗତ ମାସକ ମଧ୍ୟରେ ନନ୍ଦନକାନନରେ ୧୧ରୁ ଅଧିକ ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଛି। ଆଗରୁ କେବେ ବି ଏଭଳି ସ୍ଥିତି ଦେଖିବାକୁ ମିଳି ନଥିଲା। ୬ ମାସରୁ ଅଧିକ ଦିନ ହେବ ପ୍ରାଣୀଉଦ୍ୟାନ ବନ୍ଦ ରହିବା ଭିତରେ ୩୦ରୁ ଅଧିକ ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନୂଆ ଜନ୍ମ ନେଇଛନ୍ତି। ତେବେ ସେମାନଙ୍କ ସଂଖ୍ୟା ବହୁତ ନଗଣ୍ୟ।
ବଡ଼ କଥା ହେଉଛି ଯେ ନନ୍ଦନକାନନ ଇତିହାସରେ ପ୍ରଥମଥର ଲାଗି ବୋଧେ ଏତେ ଦିନ ପର୍ଯ୍ୟନ୍ତ ତାଲା ପଡ଼ିଛି। ଆଗରୁ କେବେ ବି ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନଥିଲା। ଜୀବଜନ୍ତୁ ମଡ଼କ ସମୟରେ କେଉଁ ଏନ୍‌କ୍ଲୋଜର ବନ୍ଦ ରହିଥିଲା ତ ଆଉ କେଉଁଠି ସଫାରି ଭିତରକୁ ପର୍ଯ୍ୟଟକଙ୍କ ଗାଡ଼ି ଗଡ଼ି ନ ଥିଲା। ତେବେ ସମ୍ପୂର୍ଣ୍ଣ ନନ୍ଦନକାନନ ୬ ମାସରୁ ଅଧିକ ସମୟ ଧରି ବନ୍ଦ ହେବା ଘଟଣା ପ୍ରଥମ ବୋଲି କୁହାଯାଉଛି। କର୍ତୃପକ୍ଷଙ୍କ କଠିନ ପରିଶ୍ରମ ଓ ଉପଯୁକ୍ତ ରକ୍ଷଣାବେକ୍ଷଣ, ଜୀବଜନ୍ତୁଙ୍କ ପ୍ରତି ଯତ୍ନଶୀଳ ପାଇଁ ଏପର୍ଯ୍ୟନ୍ତ ସେଭଳି କୌଣସି ବଡ଼ ଜୀବଜନ୍ତୁଙ୍କର ମୃତ୍ୟୁ ଘଟି ନ ଥିଲେ ମଧ୍ୟ ଆନାକୋଣ୍ଡା, ହିମାଳୟ ଭାଲୁ ପରି ବିରଳ ପ୍ରଜାତିର ଜୀବଜନ୍ତୁଙ୍କ ମୃତ୍ୟୁ ବନ୍ୟପ୍ରେମୀଙ୍କ ପାଇଁ ଦୁଃଖ ଆଣି ଦେଇଛି। ଅଗଷ୍ଟ ୧୬ରେ ନନ୍ଦନକାନନ ପ୍ରାଣୀଉଦ୍ୟାନର ୫୪ ନମ୍ବର ଖୁଆଡ଼ରେ ଜନ୍ମ ନେଇଥିଲେ ଦୁଇଟି ମାର୍ମୋସେଟ୍‌ ମାଙ୍କଡ଼। ଜନ୍ମ ହେବାର ଦୁଇ ଦିନ ମଧ୍ୟରେ ସେଥିରୁ ଗୋଟିଏ ଶାବକର ମୃତ୍ୟୁ ହୋଇଥିଲା। ଏବେ ଆଉ ୪ଟି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ମାଈ, ଗୋଟିଏ ଅଣ୍ଡିରା ଓ ୨ଟି ଶାବକ ରହିଛନ୍ତି। ଅଗଷ୍ଟ ୧୮ରେ ୭୯ ନମ୍ବର ଖୁଆଡ଼ରେ ରହୁଥିବା ଏକ ୨୫ ବର୍ଷୀୟ ଶଙ୍ଖଚିଲର ମୃତ୍ୟୁ ହୋଇଛି। ବାର୍ଦ୍ଧକ୍ୟଜନିତ ବ୍ୟାଧିରେ ଆକ୍ରାନ୍ତ ହୋଇ ଶଙ୍ଖଚିଲ ମୃତ୍ୟୁବରଣ କରିଥିଲା। ଏବେ ନନ୍ଦନକାନନରେ ଆଉ ମାତ୍ର ଗୋଟିଏ ଶଙ୍ଖଚିଲ ରହିଥିବାରୁ ଏହାର ବଂଶ ଲୋପ ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। ଅଗଷ୍ଟ ୨୫ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପଥଚଲା ବିହଙ୍ଗ ସାରଣୀରେ ରହୁଥିବା ଏକ ମାଇ ଗୋଲ୍ଡେନ୍‌ ପିଜାଣ୍ଟର ମୃତ୍ୟୁ ହୋଇଛି। ଦୀର୍ଘଦିନ ଧରି ଅଣ୍ଡକୋଷ ଓ ମଳଦ୍ବାର ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ହୋଇ ପକ୍ଷୀଟିର ମୃତ୍ୟୁ ଘଟିଥିବା କର୍ତୃପକ୍ଷ ସୂଚନା ଦେଇଥିଲେ। ଅଗଷ୍ଟ ୩୧‌ରେ ଏକ ଅହିରାଜର ବି ମୃତ୍ୟୁ ହୋଇଯାଇଛି। ଏହାପରେ ପର୍ଯ୍ୟଟକଙ୍କ ଦେଖିବା ପାଇଁ ଏଠାରେ ଆଉ ମାତ୍ର ୨ଟି କିଙ୍ଗକୋବ୍ରା ରହିଛନ୍ତି। ଏହାବ୍ୟତୀତ ମାସକ ମଧ୍ୟରେ ଗୋଟିଏ ସମ୍ବର, ଦୁଇଟି ହରିଣର ବି ମୃତ୍ୟୁ ଘଟିଛି।
ଆନାକୋଣ୍ଡା ଆଣିଥିଲେ, ବଞ୍ଚୁନାହାନ୍ତି
୨୦୧୯ ଅକ୍ଟୋବର ମାସରେ ଚେନ୍ନାଇରୁ ଆସିଥିବା ୮ଟି ଆନାକୋଣ୍ଡା ମଧ୍ୟରୁ ୩ଟିଙ୍କର ମୃତ୍ୟୁ ହୋଇସାରିଲାଣି। ନନ୍ଦନକାନନକୁ ଆସିବାର ଦେଢ଼ ମାସ ମଧ୍ୟରେ ଦୁଇଟି ଆନାକୋଣ୍ଡାଙ୍କର ମୃତ୍ୟୁ ‌ହୋଇଥିଲା। ଅନ୍ତଃନଳୀରେ ସଂକ୍ରମଣ ଯୋଗୁଁ ରକ୍ତସ୍ରାବ ହୋଇ ଆନାକୋଣ୍ଡାଦ୍ବୟଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ଚେନ୍ନାଇରୁ ଆସିଥିବା ଦୁଇଜଣ ବ‌ିଶେଷଜ୍ଞ ନନ୍ଦନକାନନ କର୍ମଚାରୀଙ୍କୁ ଆନାକୋଣ୍ଡାଙ୍କ ଜୀବନଶୈଳୀ, ଚିକିତ୍ସା, ଖାଦ୍ୟ‌େପେୟ ସମ୍ପର୍କରେ ବୁଝାଇଥିଲେ। ତା’ପରେ ବି ଏହି ବିରଳ ଜନ୍ତୁଙ୍କୁ ରକ୍ଷା କରାଯାଇପାରି ନାହିଁ। ଅଗଷ୍ଟ ୨୮ରେ ଆଉ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ହୋଇଯାଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ରକ୍ତଝାଡ଼ାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା କୁହାଯାଉଛି। ପର୍ଯ୍ୟଟକଙ୍କ ଦେଖିବା ଲାଗି ଅଣାଯାଇଥିବା ଏହି ବିରଳ ପ୍ରଜାତି ସାପଙ୍କ ବଞ୍ଚିବା ମରିବା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁଭଳି ଭାବେ ଗୋଟିଏ ପରେ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ହେଉଛି, ଆଗାମୀ ଦିନରେ ସେମାନଙ୍କୁ ବଞ୍ଚାଇବା କର୍ତୃପକ୍ଷଙ୍କ ଲାଗି କଷ୍ଟକର ହୋଇପଡ଼ିବ।
୧୮ ଦିନରେ ୩ ଭାଲୁ ମୃତ
ଦୁଃଖର ବିଷୟ ହେଉଛି ଯେ ୧୮ ଦିନ ମଧ୍ୟରେ ୩ଟି ଭାଲୁଙ୍କର ମୃତ୍ୟୁ ହୋଇଛି। ନନ୍ଦନକାନନ ପ୍ରାଣୀଉଦ୍ୟାନର ୧୭ ନମ୍ବର ଖୁଆଡ଼ରେ ରହୁଥିବା ୩୨ବର୍ଷୀୟ ହିମାଳୟ କଳା ଭାଲୁ ‘ଚୁଲୁ’ର ମୃତ୍ୟୁ ହୋଇଯାଇଛି। ଦୀର୍ଘଦିନ ଧରି ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଥିବା ବେ‌‌ଳେ ଅଗଷ୍ଟ ୩୦ରେ ତାହାର ମୃତ୍ୟୁ ହୋଇଥିଲା। ଗତ ୪୮ଘଣ୍ଟା ମଧ୍ୟରେ ଦୁଇଟି ଦେଶୀ ଭାଲୁଙ୍କର ମୃତ୍ୟୁ ହୋଇଛି। ୨୦୧୩ରେ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଦେଶୀ ଭାଲୁ ‘ଦେବାଶିଷ’ ସ୍ନାୟୁ ଜନିତ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲା। ଯାହାର ବୁଧବାର ମୃତ୍ୟୁ ଘଟିଛି। ପର୍ଯ୍ୟଟକଙ୍କୁ ମନୋରଞ୍ଜନ ଯୋଗାଇ ଆସୁଥିବା ୮ ବର୍ଷୀୟ ‘ଦେବାଶିଷ’କୁ ଏଣିକି ନନ୍ଦନକାନନରେ ଦେଖିବାରୁ ବଞ୍ଚିତ ହେବେ ପର୍ଯ୍ୟଟକ।
‘ଦେବାଶିଷ’ ମୃତ୍ୟୁର ୨୪ ଘଣ୍ଟା ବିତିନି। ଆଜି ୨୪ ବର୍ଷୀୟ ଦେଶୀ ଭାଲୁ ‘ଆରତି’କୁ ହରାଇଛି ନନ୍ଦନକାନନ। ଭାଲୁ ସଫାରିରେ ରହୁଥିବା ‘ଆରତି’ କିଛି ଦିନ ହେଲା ଅସୁସ୍ଥ ରହିଥିଲା। ଥଣ୍ଡା, ଜ୍ବର, ବାନ୍ତି ଓ ତରଳ ଝାଡ଼ା ଲାଗି ରହିଥିଲା। ଖାଦ୍ୟନଳୀ ସଂକ୍ରମିତ ହୋଇଥିବା କାରଣରୁ ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ପ୍ରକୃତ କାରଣ ଜଣାପଡ଼ି ନାହିଁ। ଆଜି ଭୋର୍‌ ୫ଟା ୨୦ରେ ତାହାର ମୃତ୍ୟୁ ଘଟିଛି। ଯଦି ଦେଖାଯାଏ, ଗତ ୧୮ ଦିନ ମଧ୍ୟରେ ନନ୍ଦନକାନନରେ ୩ଟି ଭାଲୁଙ୍କର ମୃତ୍ୟୁ ହୋଇଛି। ଗତ ଜୁନ୍‌ ୨୩ରେ ୨୫ ବର୍ଷୀୟ ହିମାଳୟ କଳା ଭାଲୁ ‘କୁଲୁ’ର ମୃତ୍ୟୁ ଘଟିଥିଲା। ‘କୁଲୁ’ ୧୯୯୫ ଡିସେମ୍ବର ୨୬ରେ ଜନ୍ମ ଗ୍ରହଣ କରିଥିଲା।

Share Now:

Kalinga News Beuro

Next Post

ମୋଦି ସରକାରଙ୍କ କରୋନା ମୁକାବିଲା ପାଇଁ ୯,୦୦୦ କୋଟିରୁ ଅଧିକ ଋଣ

Fri Sep 18 , 2020
ଚୀନ ପୁଞ୍ଜିରେ ଚାଲୁଥିବା ବ୍ୟାଙ୍କରୁ ଆଣିଲେ ଋଣ ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଚୀନ ପୁଞ୍ଜିରେ ଚାଲୁଥିବା ବେଜିଂସ୍ଥିତ ଏସିଆନ ଇନଫ୍ରାଷ୍ଟ୍ରକଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କ (ଏଆଇଆଇବି)ରୁ ଭାରତ ୯,୦୦୦ କୋଟିରୁ ଅଧିକ ଋଣ ନେଇଛି। ଏ ନେଇ ସୋମବାର କେନ୍ଦ୍ର ସରକାର ନିଶ୍ଚିତ କରିଛନ୍ତି। ଜାତୀୟ ଗଣମାଧ୍ୟମ ‘ସ୍କ୍ରଲ୍’ ଏହି ଖବର ପ୍ରକାଶ କରିଛି। ଲୋକସଭାରେ ବିଜେପି ସାଂସଦ ସୁନୀଲ କୁମାର ସିଂ ଏବଂ ପିପି ଚୌଧୁରୀଙ୍କ […]
ଚୀନ ପୁଞ୍ଜିରେ ଚାଲୁଥିବା ବ୍ୟାଙ୍କ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial