ବାଲେଶ୍ୱର : କରୋନା କୋପରେ ପୂରା ପରିବାର ଛାରଖାର। ମହାମାରୀରେ ପ୍ରଥମେ ଆକ୍ରାନ୍ତ ହୋଇ ମା’ଙ୍କ ଜୀବନ ଯିବାପରେ ଦଶାହକ୍ରିୟା ଦିନ ବାପା ଆଖି ବୁଜିଛନ୍ତି। ସେପଟେ କରୋନା ଆକ୍ରାନ୍ତ ପୁଅ ବି ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ବାଲେଶ୍ବର ସହର ପାତ୍ରପଡ଼ା ଅଞ୍ଚଳର ଏହି ଘଟଣା ସମଗ୍ର ଅଞ୍ଚଳରେ କୋକୁଆଭୟ ଖେଳାଇ ଦେଇଛି। ମୃତ ଦମ୍ପତି ହେଲେ ଅମରେନ୍ଦ୍ର ଗିରି (୬୧) ଓ ତାଙ୍କ ପତ୍ନୀ ନମିତା ଗିରି (୫୬)। ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ ଥିବା ତାଙ୍କ ପୁଅ ହେଉଛନ୍ତି ସଂଜୟ ଗିରି (୩୧)। ସ୍ବର୍ଗତ ଅମରେନ୍ଦ୍ରଙ୍କର ବାଲେଶ୍ବର ସହର ହେମକାପଦା ବଜାରରେ ମା ଅମ୍ବିକା ମେଡିକାଲ ଷ୍ଟୋର ନାମରେ ଏକ ଔଷଧ ଦୋକାନ ରହିଛି। ଗତ ମାସ ୪ ତାରିଖରେ ସେ କରୋନା ଆକ୍ରାନ୍ତ ହୋଇ ଜ୍ୟୋତି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଡାକ୍ତରଖାନାରେ ଭର୍ତ୍ତି ହେବାର ୭ ଦିନ ପରେ ତାଙ୍କ ପତ୍ନୀ ନମିତା ମଧ୍ୟ ପ୍ରାଣଘାତୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଅବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିବାରୁ ତାଙ୍କୁ ବି ଜ୍ୟୋତି କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ପରେ ତାଙ୍କ ପୁଅ ସଂଜୟ ମଧ୍ୟ କରୋନାରେ ସଂକ୍ରମିତ ହୋଇ ଫକୀରମୋହନ କଲେଜସ୍ଥିତ ଆଇସୋଲେସନ୍ ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ଏଭଳି ସମୟରେ ଗତ ୨୪ ତାରିଖ ଦିନ ପ୍ରଥମେ ନମିତାଙ୍କର ମୃତ୍ୟୁ ହୋଇଥିଲା। ଗତ ଶୁକ୍ରବାର ତାଙ୍କର ଦଶାହକ୍ରିୟା ଚାଲିଥିବା ବେଳେ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସ୍ବାମୀ ଅମରେନ୍ଦ୍ର ଆଖି ବୁଜିଥିଲେ। ଏନେଇ ତାଙ୍କ ସାନଭାଇ ମାନସ କହିଛନ୍ତି, ପରିବାରର ଦୁଇ ମୁଖ୍ୟ ସଦସ୍ୟଙ୍କୁ ହରାଇ ସେମାନେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। କିଏ ଜାଣିଥିଲା ତାଙ୍କ ପରିବାରକୁ କରୋନା ମହାମାରୀର ଏ କଷଣ ଭୋଗିବାକୁ ପଡ଼ିବ ବୋଲି। ଏବେ ସ୍ବର୍ଗତ ଗିରିଙ୍କ ଏକମାତ୍ର ପୁଅ ସଂଜୟ କରୋନା ଆକ୍ରାନ୍ତ ଥିବା ବେଳେ ବାପା-ମାଙ୍କୁ ହରାଇ ଏକପ୍ରକାର ମାନସିକ ସନ୍ତୁଳନ ହରାଇ ବସିଛନ୍ତି।
ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ କରୋନା ମହାମାରୀ ସ୍ଥିତି ବର୍ତ୍ତମାନ ଭୟଙ୍କର ରୂପ ଧାରଣ କରିଛି। ୭ ମାସ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ପାର କରିସାରିଲାଣି। ପ୍ରତିଦିନ ଶହଶହ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଶତାଧିକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। କରୋନା ମୁକାବିଲାରେ ଲାଗିଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ସରକାରୀ ଅଧିକାରୀ, କର୍ମଚାରୀଙ୍କଠାରୁ ଆରମ୍ଭ କରି ଜନପ୍ରତିନିଧିଙ୍କ ପର୍ଯ୍ୟନ୍ତ କେହି ଏଥିରୁ ବାଦ୍ ପଡିନାହାନ୍ତି। ଆଖି ପିଛୁଳାକେ ଜୀବନ ନେଇଯାଉଛି ମହାମାରୀ କୋଭିଡ୍ ଭୂତାଣୁ। ଏବେ ସମସ୍ତେ ସତର୍କ ଓ ସଚେତନ ହେବାର ବେଳ ଆସିଛି।
ପତ୍ନୀଙ୍କ ଦଶାହ ଦିନ ଆଖି ବୁଜିଲେ ସ୍ବାମୀ: ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କରୋନା ଆକ୍ରାନ୍ତ ପୁଅ

Share Now: