ପିପିଲିରେ ବିଜେଡିର ମଙ୍ଗୁଆଳ କିଏ – ପତ୍ନୀ ନା ପୁଅ ?

ମହାରଥୀଙ୍କ ପତ୍ନୀ ପ୍ରତିଭା

ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ଦିବଙ୍ଗତ ବିଧାୟକଙ୍କ ପତ୍ନୀ

ପିପିଲି: ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ବିଜେଡିର ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। କିଏ ଦଳ ସମ୍ଭାଳି‌ବେ ବୋଲି ସ୍ଥାନୀୟ ଛାମୁଆ ନେତା ଓ ପଞ୍ଚାୟତ ସ୍ତରୀୟ ନିର୍ବାଚିତ ଜନପ୍ରତିନିଧିଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ ପିପିଲିରେ ବିଜେଡିର ମଙ୍ଗ ସ୍ବର୍ଗତ ମହାରଥୀଙ୍କ ପତ୍ନୀ ପ୍ରତିଭା ଧରିଲେ ବୋଲି କିଛି ଦଳୀୟ କର୍ମୀ ପ୍ରଚାର ଆରମ୍ଭ କଲେଣି। ଏ ନେଇ ଗତ ରବିବାର ଦିନ ପିପିଲିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଏକ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ପିପିଲି ଓ ଡେଲାଙ୍ଗ ଅଞ୍ଚଳରୁ ଦଳର ଛାମୁଆ କର୍ମୀ ଓ କେତେକ ଜନପ୍ରତିନିଧି ଯୋଗ ଦେଇଥିଲେ। ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ପରିବାରରୁ ଯିଏ ପ୍ରାର୍ଥୀ ହେବେ, ତାଙ୍କୁ ସମର୍ଥନ କରାଯାଇ ନିର୍ବାଚନ ଲଢ଼ାଯିବ ବୋଲି ଉକ୍ତ ବୈଠକରେ ଦଳୀୟ ନେତାମାନେ ନିଷ୍ପତ୍ତି ନେଇଥିଲେ। ମହାରଥୀଙ୍କ ବିୟୋଗକୁ ମାସେ ପୂରିଛି। ଇତି ମଧ୍ୟରେ ପ୍ରତିଭା ବୃକ୍ଷରୋପଣ ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ କାର୍ଯ୍ୟରେ ଲଗାତର ଯୋଗ ଦେଉଥିବା ଦେଖିବାକୁ ମିଳୁଛି। ନିୟମ ଅନୁଯାୟୀ ନିର୍ବାଚିତ ବିଧାୟକଙ୍କ ମୃତ୍ୟୁ ହେଲେ ୬ ମାସ ମଧ୍ୟରେ ଉପନିର୍ବାଚନ ହେବ। ଆପାତଃ ଆସନ୍ତା ୨୦୨୧ ଜାନୁଆରି କିମ୍ବା ଫେବୃୟାରୀ ମାସରେ ଉପନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ପିପିଲିରେ ଉପନିର୍ବାଚନ ପାଇଁ ସାଧାରଣରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ଶ୍ରୀ ମହାରଥୀ ପିପିଲିର ୭ ଥର ବିଧାୟକ ହୋଇଛନ୍ତି, ଦୁଇଥର ମନ୍ତ୍ରୀ ପଦ ମଧ୍ୟ ପାଇଛନ୍ତି। ତାଙ୍କ ଅନୁପସ୍ଥିତିରେ ପ୍ରତିଭା ପିପିଲିରେ ବିଜେଡି ମଙ୍ଗ ଧରିବେ ବୋଲି ଦଳୀୟ କର୍ମୀମାନେ ଏକପ୍ରକାର ନିଶ୍ଚିତ ଅଛନ୍ତି। କେତେକ କର୍ମୀ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପଙ୍କ ପ୍ରାର୍ଥିତ୍ବକୁ ନେଇ ମଧ୍ୟ ଚର୍ଚ୍ଚା ମଧ୍ୟ କରୁଛନ୍ତି। ତେବେ, ପ୍ରକୃତରେ କାହା କାନ୍ଧରେ ପିପିଲିର ବିଜେଡି ନେତୃତ୍ୱ ଭାର ରହିବ, ତାହା କିଛିଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ।

Share Now:

Kalinga News Beuro

Next Post

ଏକାମ୍ର ଉଦ୍ୟାନକୁ ବିକ୍ରି କରିବାକୁ ଦିଆଯିବନି: କଂଗ୍ରେସ

Wed Nov 4 , 2020
ସରକାର ନେଉଥିବା ଜମି ଏକାମ୍ର କାନନର ନୁହେଁ, ସରକାରଙ୍କ ସ୍ପଷ୍ଟୀକରଣ ଭୁବନେଶ୍ୱର : ଏକାମ୍ରକାନନ ଫାର୍ମ ବା ଏକାମ୍ର ଉଦ୍ୟାନକୁ କୌଣସି ପରିସ୍ଥିତିରେ ବିକ୍ରି କରିବାକୁ ଦିଆଯିବନି ବୋଲି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି। ଗତକାଲି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବଦିକ ସମ୍ମିଳନୀରେ ଶ୍ରୀ ରାଉତରାୟ କହିଛନ୍ତି ଯେ, ଅଶି ଦଶକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏକାମ୍ର ପାର୍କ ପ୍ରତିଷ୍ଠା କରିଥିଲେ। ଏହାକୁ […]
ସୁରେଶ କୁମାର ରାଉତରାୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial