ଗଞ୍ଜେଇ ଚାଷ ପାଇଁ ବନ ବିଭାଗ ଓ ଜିଲ୍ଲା ପ୍ରଶାସନର ଆର୍ଥିକ ସହାୟତା

ଗଞ୍ଜେଇ ଚାଷ

କନ୍ଧମାଳରେ ମାଫିଆଙ୍କୁ ସବୁ ଆଡ଼ୁ ସାହାଯ୍ୟ!

ଫୁଲବାଣୀ : କନ୍ଧମାଳରେ କେବଳ ଗଞ୍ଜେଇ ମାଫିଆଙ୍କ ପ୍ରୋତ୍ସାହନ ନୁହେଁ, ଗଞ୍ଜେଇ ଚାଷ ପଛରେ ବନ ବିଭାଗ ଓ ପ୍ରଶାସନର ପରୋକ୍ଷ ପ୍ରୋତ୍ସାହନ ରହିଛି। ଆଉ ପରୋକ୍ଷ ଭାବେ ପ୍ରଶାସନ ପକ୍ଷରୁ ଗଞ୍ଜେଇ ମାଫିଆଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ, ଚାଷ(ଗଞ୍ଜେଇ)କୁ ଜଳସେଚନ ସୁବିଧା ମଧ୍ୟ ଯୋଗାଇ ଦିଆ ଯାଉଥିବା ଘଟଣା ପଦାକୁ ଆସିଛି। ଜଙ୍ଗଲ ସଫା କରି ଗଞ୍ଜେଇ ଚାଷ କରିବାକୁ ସୁଯୋଗ ଦେଉଛି ବନ ବିଭାଗ। ଆଉ ଗଞ୍ଜେଇ ଚାଷ ପାଇଁ ବିଭିନ୍ନ ଉପାୟରେ ପାଣି, ଏପରିକି କେନାଲ ଯୋଗେ ଜଳସେଚନ ସୁବିଧା ବି ଯୋଗାଉଛି ପ୍ରଶାସନ। ମାଫିଆଙ୍କୁ ସବୁ ସୁବିଧା ମିଳି ଯାଉଥିବାରୁ କନ୍ଧମାଳରେ ବର୍ଷକୁ ବର୍ଷ ବଢ଼ି ଚାଲିଛି ଗଞ୍ଜେଇ ଚାଷ। ଅନ୍ୟ ଚାଷ ଛାଡ଼ି ଗଞ୍ଜେଇ ଚାଷ କରୁଛନ୍ତି ଚାଷୀ। ତାହା କେବଳ ମାଫିଆଙ୍କ ପ୍ରୋତ୍ସାହନରେ ସମ୍ଭବ ହେଉଛି ବୋଲି ଧାରଣା ଥିଲା। ଘଞ୍ଚ ଜଙ୍ଗଲ ହେଉଛି ନିରାପଦ ସ୍ଥାନ। ତେଣୁ ଗଞ୍ଜେଇ ଚାଷ କରିବା ପୂର୍ବରୁ ଜଙ୍ଗଲ ସଫା କରାଯାଉଛି। ମୂଲ୍ୟବାନ ଗଛ କାଟି ସଫା କରାଯାଉଛି। ଗଞ୍ଜେଇ ଚାଷ ପାଇଁ ପାଣିର ଆବଶ୍ୟକତା ଥିବାରୁ ମାଫିଆମାନେ ନେତାଙ୍କୁ ଧରୁଛନ୍ତି। ଆଉ ନେତାଙ୍କ କଥାରେ ସରକାରୀ ବାବୁମାନେ ଜଙ୍ଗଲ ଭିତର ଦେଇ କେନାଲ ଖୋଳି, ଗଭୀର କୂପ ଯୋଜନାରେ କୂଅ ଖୋଳିବାକୁ ସରକାରୀ ପ୍ରୋତ୍ସାହନରେ ଜଳଯୋଗାଣର ସୁବ୍ୟବସ୍ଥା କରି ଦେଉଛନ୍ତି। କେଉଁଠି କେନାଲ ନିର୍ମାଣ କରି ଦେଉଛନ୍ତି ଆଉ କେଉଁଠି ଝରଣାରୁ ପାଣି ମାଡ଼ିବା ପାଇଁ ସିମେଣ୍ଟ ଡ୍ରେନ୍‌ର ବ୍ୟବସ୍ଥା କରିବାକୁ ପଛାଉ ନାହାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଚାଷ ପାଇଁ ଜଳଯୋଗାଣ ସୁବିଧା କରାଯାଇଛି ବୋଲି ମିଥ୍ୟା କାଗଜପତ୍ର ଦର୍ଶାଇ ସରକାରୀ ଅର୍ଥ ଚଳୁ କରି ଦେଉଛନ୍ତି। ଚଳିତ ବର୍ଷ ଗଞ୍ଜେଇ ଗଛ କଟା ଅଭିଯାନ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ନା ଧାନ ଚାଷ ହୋଇଛି, ନା ପରିବା ଫସଲ। ହେଲେ ଗଞ୍ଜେଇ ଚାଷ ପାଇଁ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିବା ଗଞ୍ଜେଇ ଗଛ କଟା ଅଭିଯାନ ବେଳେ ଚଢ଼ଉରେ ସାମିଲ କିଛି ଅଧିକାରୀ ଓ ପୁଲିସ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି। ଜଙ୍ଗଲରେ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ‌ପଇଁତରା ମାରୁଛନ୍ତି ବୋଲି କହୁଛନ୍ତି। ହେଲେ ମୂଲ୍ୟବାନ ଗଛ କଟାଯାଇ ଜଙ୍ଗଲରେ କିଭଳି ହଜାର ହଜାର ‌‌ଏକର ଜାଗାରେ ଗଞ୍ଜେଇ ଚାଷ ହେଉଛି ତାହା ସ୍ବଚକ୍ଷୁରେ ଦେଖି ନଥିବା ଲୋକଙ୍କୁ ବିସ୍ମିତ କରିଛି। ପାଣି ହାତପାଆନ୍ତାରେ ମିଳିଯାଉଛି। ଏତେ ସବୁ ସୁବିଧା ସୁଯୋଗ ପାଇ ମାଫିଆମାନେ ବର୍ଷକୁ ବର୍ଷକୁ ବେଶ୍‌ ସକ୍ରିୟ ହୋଇ ଉଠୁଛନ୍ତି। ବ୍ୟାପକ ଗଞ୍ଜେଇ ଚାଷ ସେମାନଙ୍କ ପ୍ରୋତ୍ସାହନରେ ହେଉଛି। ଆଉ ଅମଳ ପରେ ବାହାରକୁ ଗଞ୍ଜେଇ ଚାଲାଣ କରି ସେମାନେ ମାଲାମାଲ୍‌ ହେବା ସହ ମୋହରା ସାଜିଥିବା ଚାଷୀଙ୍କୁ କିଛି ଟଙ୍କା ଦେଇ ଭଣ୍ଡାଉଛନ୍ତି। ସରକାରଙ୍କ ଅର୍ଥ ଶ୍ରାଦ୍ଧ କରି ପ୍ରତିବର୍ଷ ୨ ମାସ ଧରି ଚାଲୁଛି ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ। ତାହା ପୁଣି ହୋଇଥିବା ଗଞ୍ଜେଇ ଚାଷରୁ କାଣିଚାଏ। ସବୁଠାରୁ ବଡ଼ କଥା ହେଲା, ପୁଲିସ ଓ ଅବକାରୀ ବିଭାଗ ଗଞ୍ଜେଇ ଗଛ କାଟୁଥିବା ବେଳେ ଚାଷ କରିବାକୁ ଏପଟେ ସାହାଯ୍ୟ ଯୋଗାଉଛନ୍ତି ରାଜନେତା, ପ୍ରଶାସନ। ସେପଟେ ସରକାରୀ ଅର୍ଥ ବରବାଦ କରି ଗଛ କଟା। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

Share Now:

Kalinga News Beuro

Next Post

ବଳ ଗୋଟାଉଛି ନିଭାର: ଘନୀଭୂତ ହେଉଛି, ଆଜି ଭୀଷଣ ବାତ୍ୟା ରୂପ ନେବ

Wed Nov 25 , 2020
ଭୁବନେଶ୍ବର: ବଙ୍ଗୋପସାଗରରେ ରହିଥିବା ଅବପାତ ଗତକାଲି ରାତି ସୁଦ୍ଧା ଅଧିକ ଘନୀଭୂତ ହୋଇ ବାତ୍ୟା ‘ନିଭାର’ରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ସମୁଦ୍ର ମଧ୍ୟ‌ରେ ଅଧିକରୁ ଅଧିକ ବଳ ଗୋଟାଇ ଭୀଷଣ ବାତ୍ୟାର ରୂପ ନେବ। ଆଜି ସଂଧ୍ୟା ସୁଦ୍ଧା ଏହା ତାମିଲନାଡ଼ୁ ଓ ପୁଡୁଚେରି ନିକଟରେ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଏଥିଯୋଗୁଁ ଓଡ଼ିଶାକୁ ବିପଦ ନଥିଲେ ହେଁ ଆସନ୍ତାକାଲିଠାରୁ ରାଜ୍ୟରେ […]
ଆଜି ଭୀଷଣ ବାତ୍ୟା ରୂପ ନେବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial