ଭୁବନେଶ୍ବର: ଆଜି ଲିଙ୍ଗରାଜ ମନ୍ଦିର ସାମ୍ନାରେ ସେବାୟତଙ୍କ ସହ ସିଧାକଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକାମ୍ରଯୋଜନାରେ ଯେତେବେଳେ ଶ୍ରୀଲିଙ୍କରାଜ ମନ୍ଦିର ପରିଦର୍ଶନ କରି ସୌନ୍ଦର୍ଯ୍ୟକରଣ ଅନୁଧ୍ୟାନ କରୁଥିଲେ ମୁଖ୍ୟମନ୍ତ୍ରୀ ସେହି ଅବସରରେ ସେବାୟତଙ୍କ ସହ ୱାନ ଟୁ ୱାନ୍ କଥା ହୋଇଥିଲେ ନବୀନ। ସେବାୟତଙ୍କ ସମସ୍ୟା ନେଇ ନିଜେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ଆଉ ସେବାୟତମାନେ ମଧ୍ୟ ସେମାନଙ୍କ ସମସ୍ୟା ଓ ସୁଖଦୁଃଖ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ତେବେ ମନ୍ଦିର ସାମ୍ନାରେ ସେବାୟତଙ୍କ ସହ ଆଲୋଚନା ବେଳେ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଜାଗା ଦେଇଥିବାରୁ ଧନ୍ୟବାଦ ଜଣାଇବା ସହ ମନ୍ଦିର ନେଇ ଆଇନ ଆଣିବାକୁ ସେବାୟତ କହିଥିଲେ। ଆଉ ନବୀନ ସେମାନଙ୍କୁ ଉତ୍ତର ଦେଇ କହିଥିଲେ, ‘‘କରିବି… କରିବି, ପକ୍କା ଆଇନ କରିବି।’’ ଏଥିସହ ସେବାୟତମାନେ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ନବୀନଙ୍କ ଶାସନ କାଳରେ ବହୁବିଧ ଉନ୍ନତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ସେପଟେ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଆସିବ ଏକ ସ୍ୱତନ୍ତ୍ର ଆଇନ। ଆଜି ଅପରାହ୍ନରେ ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପ କାମ ବୁଲି ଦେଖିବା ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରକଳ୍ପ କାମ ବୁଲି ଦେଖିବା ସହ ସିଂହଦ୍ୱାରକୁ ଯାଇ ମହାପ୍ରଭୁଙ୍କୁ ପ୍ରଣାମ ଜଣାଇଛନ୍ତି। ଏହାପରେ ଦେବୀ ପାଦହରା ପୁଷ୍କରଣୀ ବୁଲି ଦେଖିବା ସହ ବିନ୍ଦୁସାଗର ମଠଘାଟ ଠାରେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଫାଇଭ-ଟି କାର୍ଯ୍ୟକ୍ରମ ଅଧିନରେ ଏକାମ୍ର କ୍ଷେତ୍ରର ବିକାଶ କରାଯାଉଛି।
ଲିଙ୍ଗରାଜ ସେବାୟତଙ୍କ ସହ ସିଧାକଥା ହେଲେ ମୁଖ୍ୟମନ୍ତ୍ରୀ

Share Now: