ଭୁବନେଶ୍ବର: ଗତରାତିରେ ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ପୁରୁଣା ଟୋଲ୍ଗେଟ୍ ନିକଟରେ ଚଢ଼ଉ କରି ଯାଁଳା ଫାଣ୍ଡି ପୁଲିସ ଏକ ବସ୍ରୁ ୭ଟି ମାଂସ ଭର୍ତ୍ତି ଡ୍ରମ୍ ଜବତ କରିଛି। ଡ୍ରମ୍ରେ ଗୋମାଂସ ଚାଲାଣ ହେଉଛି ବୋଲି ବଜରଙ୍ଗ ଦଳର କର୍ମୀମାନଙ୍କ ଅଭିଯୋଗକୁ ଆଧାର କରି ପୁଲିସ୍ ଏହି ଚଢ଼ଉ କରିଥିଲା। ମାତ୍ର ଡ୍ରମ୍ ଭିତରୁ ପ୍ରାୟ ଏକ କ୍ବିଣ୍ଟାଲ୍ ଓଜନର ଛେଳି ମୁଣ୍ଡ, ଗୋଡ଼ ଓ ପୁଟା ଆଦି ବରଫ ଭିତରେ ପ୍ୟାକ୍ ହୋଇଥିବା ଦେଖିବାକୁ ମିଳିଛି। କିଛି ମାଂସ ଜରି ଭିତରେ ଥିବାରୁ ଏହା ଗୋମାଂସ କି ନା, ଜାଣିବା ପାଇଁ ପୁଲିସ୍ ବନ ବିଭାଗର ଫରେନ୍ସିକ୍ ଲାବରେଟୋରିକୁ ନମୁନା ପରୀକ୍ଷା ପାଇଁ ପଠାଇଛି। ବସ୍ରେ କୌଣସି ଯାତ୍ରୀ ଏହି ଡ୍ରମ୍ର ଦାବିଦାର ନ ଥିବାରୁ ଏହି ମାମଲାରେ ପୁଲିସ କାହାକୁ ଅଟକ ରଖିନାହିଁ। ସୂଚନାନୁସାରେ, କଟକରୁ ବଲାଙ୍ଗୀର ଯାଉଥିବା ଏହି ବସ୍କୁ ବଜରଙ୍ଗ ଦଳର କର୍ମୀମାନେ ଭୁବନେଶ୍ବରରୁ ପିଛା କରିଥିଲେ। ବସ୍ ଉପରେ ଲଦା ହୋଇଥିବା ୭ଟି ଯାକ ଡ୍ରମ୍ରେ ଗୋମାଂସ ଚାଲାଣ ହେଉଥିଲା ବୋଲି ସୁରାକ୍ ପାଇ ସେମାନେ ପିଛା କରିଥିଲେ ଓ ଯାଁଳା ଫାଣ୍ଡି ପୁଲିସକୁ ଆଗୁଆ ଜଣାଇଥିଲେ। ଗଙ୍ଗପଡ଼ା ଟୋଲ୍ଗେଟ୍ ନିକଟରେ ବସ୍କୁ ପୁଲିସ ଅଟକାଇଥିଲା। ଡ୍ରମ୍ଗୁଡ଼ିକୁ ବସ୍ରୁ ଓହ୍ଲାଇ ଦିଆଯିବା ପରେ ଉପରେ କେବଳ କଟା ଛେଳିମୁଣ୍ଡ ଓ ଗୋଡ଼ ଥିବା ଦେଖିବାକୁ ମିଳିଥିଲା। ତେବେ ଭିତରେ ଗୋମାଂସ ରହିଛି ବୋଲି ବଜରଙ୍ଗ କର୍ମୀମାନେ ଅଭିଯୋଗ କରିବାରୁ ପୁଲିସ ଡ୍ରମ୍ଗୁଡ଼ିକୁ ଜବତ କରିଥିଲା। ଏଗୁଡ଼ିକ ବଲାଙ୍ଗୀର ଚାଲାଣ ହେଉଥିଲା ବୋଲି କଣ୍ଡକ୍ଟର କହିଥିଲେ ହେଁ ବସ୍ ଭିତରେ ଥିବା ଯାତ୍ରୀଙ୍କୁ ଚିହ୍ନଟ କରି ପାରିନଥିଲେ। ଆଜି ସକାଳେ ଯାଁଳା ପ୍ରାଣୀ ଚିକିତ୍ସକଙ୍କ ଉପସ୍ଥିତିରେ ସବୁତକ ଡ୍ରମ୍ ଖୋଲା ଯାଇଥିଲା ଓ ଭିତରୁ କେବଳ କଟା ଛେଳିମୁଣ୍ଡ ଓ ଗୋଡ଼ ବାହାରିଥିଲା। ତେବେ କିଛି ପଲିଥିନ୍ ପ୍ୟାକେଟ୍ରେ ପୁଟା ଓ ଖଣ୍ଡ ଖଣ୍ଡ ମାଂସ ଥିଲା। ଉକ୍ତ ମାଂସ ଖଣ୍ଡକୁ ଚିହ୍ନଟ କରିବା ସମ୍ଭବ ନ ହେବାରୁ ପଶୁ ଡାକ୍ତର ସେଗୁଡ଼ିକୁ ବନବିଭାଗ ଫରେନ୍ସିକ୍ ଲାବ୍କୁ ପଠାଇବାକୁ ପରାମର୍ଶ ଦେଇଥିଲେ।
ବସ୍ରୁ ମାଂସ ଭର୍ତ୍ତି ୭ ଡ୍ରମ୍ ଜବତ: ଗୋମାଂସ ଚାଲାଣ ସନ୍ଦେହ

Share Now: