ବଲାଙ୍ଗୀର ସାର୍ଟିଫିକେଟ୍ କେଳେଙ୍କାରୀ : କୋଟିଏ ୭୦ ଲକ୍ଷର ସମ୍ପତ୍ତି ଜବତ

ସାର୍ଟିଫିକେଟ୍ କେଳେଙ୍କାରୀ

କଟକ : ବହୁ ଚର୍ଚ୍ଚିତ ବଲାଙ୍ଗୀର ସାର୍ଟିଫିକେଟ୍ କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ରିଲାଏନ୍ସ ଏଜୁକେସନାଲ୍ କମ୍ପ୍ଲେକ୍ସର ମାଲିକ ତଥା ମାଷ୍ଟରମାଇଣ୍ଡ ମନୋଜ କୁମାର ମିଶ୍ରର କୋଟିଏ ୭୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି। ଏଥିରେ କେବଳ ମୂଲ୍ୟବାନ ଜମି ଦେଢ଼ କୋଟି ଟଙ୍କାର ରହିଛି। ଅବଶିଷ୍ଟ ୨୦ ଲକ୍ଷ ଟଙ୍କା ନଗଦ ଅର୍ଥ ରହିଥିବା କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଛି। ବଲାଙ୍ଗୀର ସାର୍ଟିଫିକେଟ୍ କେଳେଙ୍କାରୀ ଘଟଣାରେ ଗଲା ୫ ତାରିଖରେ କ୍ରାଇମବ୍ରାଞ୍ଚର ତିନି ଦିନିଆ ରିମାଣ୍ଡରେ ଆସିଥିବା ରିଲାଏନ୍ସ ଏଜୁକେସନାଲ୍ କମ୍ପ୍ଲେକ୍ସର ମାଲିକ ତଥା ମାଷ୍ଟରମାଇଣ୍ଡ ମନୋଜ କୁମାର ମିଶ୍ର, କମ୍ପ୍ୟୁଟର ଶିକ୍ଷକ ଆଲୋକ ରଞ୍ଜନ ଉଦଗାତା, ଜିଡିଏସ୍(ଗ୍ରାମୀଣ ଡାକ ସେବକ) ପାଇଁ ଆବେଦନ କରିଥିବା ତ୍ରିବିହାରୀ ପଣ୍ଡା ଓ ପରେଶ ବୁଡେକଙ୍କ ରିମାଣ୍ଡ ଶୁକ୍ରବାର ଶେଷ ହୋଇଛି। ଏହି ରିମାଣ୍ଡ ଅବଧି ସମୟରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି କୋଟିଏ ୭୦ ଲକ୍ଷ ଟଙ୍କାର ସଂପତ୍ତି। ମନୋଜ ୨୦୧୬ରୁ କମ୍ପ୍ୟୁଟର ଶିକ୍ଷକ ଆଲୋକ ମାଧ୍ୟମରେ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ରାଜସ୍ଥାନ, ସିକିମ୍, କର୍ଣ୍ଣାଟକ, ନୂଆଦିଲ୍ଲୀ, ବିହାର, ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡର ୪୧ଟି ସ୍କୁଲ୍‌ ଓ ବିଶ୍ବବିଦ୍ୟାଳୟ ନାଁ ପାଖାପାଖି ୫ ହଜାରରୁ ଉର୍ଦ୍ଧ୍ବ ନକଲି ସାର୍ଟିଫିକେଟ୍ ପ୍ରସ୍ତୁତ କରିଥିଲା। ଏହି ସାର୍ଟିଫିକେଟ୍ ପିଛା ଦେଢ଼ ଲକ୍ଷରୁ ୨ ଲକ୍ଷ ଟଙ୍କା ମୂଲ୍ୟରେ ମନୋଜ ଆଶାୟୀ ପ୍ରାର୍ଥୀଙ୍କୁ ବିକ୍ରି କରୁଥିଲା।
ତେବେ ଏହି ସାର୍ଟିଫିକେଟ୍ ବିକ୍ରି ବାବଦ ଅର୍ଥରେ ମନୋଜ ବଲାଙ୍ଗୀରରେ ମୂଲ୍ୟବାନ ଜମି କିଣିଥିଲା। ଆଉ କିଛି ନଗଦ ଅର୍ଥ ବିଭିନ୍ନ ବ୍ୟାଙ୍କ୍ ଓ ଘରେ ରଖିଥିଲା। ତେବେ ମନୋଜକୁ କ୍ରାଇମବ୍ରାଞ୍ଚ ଟିମ୍ ତିନି ଦିନ ଧରି ଜେରା କରିବା ପରେ ସାର୍ଟିଫିକେଟ୍ ଅର୍ଥରେ କିଣାଯାଇଥିବା ଜମିକୁ ଜବତ କରିଛି। କୋର୍ଟଙ୍କ ନିର୍ଦ୍ଦେଶ ବଳରେ କ୍ରାଇମବ୍ରାଞ୍ଚ ଏଭଳି କରିଥିବା କୁହାଯାଉଛି। ତେବେ ଆସନ୍ତା ଶନିବାର କ୍ରାଇମବ୍ରାଞ୍ଚ ଏ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିବାକୁ ଯାଉଛି। ମନୋଜ ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟାରେ ସାର୍ଟିଫିକେଟ୍ ବିକ୍ରି କରିଛି ଏବଂ ତା ବ୍ୟାଙ୍କ ଆକାଉଣ୍ଟକୁ କେତେ ଟଙ୍କା ଆସିଛି, ସେ ନେଇ କ୍ରାଇମବ୍ରାଞ୍ଚ ବ୍ୟାଙ୍କ ଅଧିକାରୀଙ୍କ ନିକଟରୁ ତଥ୍ୟ ମାଗିଥିବା ବେଳେ ଏହି ଜବତ ଟଙ୍କା ସଂଖ୍ୟା ବୃଦ୍ଧି ପାଇବ। ସେହିଭଳି ମନୋଜର ଜମି ସଂକ୍ରାନ୍ତ ଅଧିକ ତଥ୍ୟ ଦେବାକୁ ସ୍ଥାନୀୟ ତହସିଲଦାରଙ୍କୁ କ୍ରାଇମବ୍ରାଞ୍ଚ ଯୋଗାଯୋଗ ଆରମ୍ଭ କରିଥିବା ସୂଚନା ମିଳିଛି। ମାର୍ଚ୍ଚ ୨୩ ତାରିଖରେ ବଲାଙ୍ଗୀରରେ ଏହି ସାର୍ଟିଫିକେଟ୍ କେଳେଙ୍କାରୀ ସାମନାକୁ ଆସିବା ପରେ ମନୋଜ ଓ ଆଲୋକଙ୍କ ବିରୋଧରେ ଦୁଇଟି ଠକେଇ ମାମଲା ରୁଜୁ ହୋଇଛି। ଗୋଟିଏ ଅଭିଯୋଗ ବଲାଙ୍ଗୀର ଡିଭିଜନ ଅଧୀକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ ଦେଇଥିବା ବେଳେ ଅନ୍ୟଟି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲାର ରଞ୍ଜନ କୁମାର ନାୟକ ଦେଇଥିଲେ। ରଞ୍ଜନ ଜିଡିଏସ୍ ପରୀକ୍ଷା ପୂର୍ବରୁ ସାର୍ଟିଫିକେଟ୍ ପାଇଁ ଏହି ଦୁଇ ଠକଙ୍କୁ ୫ ଲକ୍ଷ ଟଙ୍କା ଦେଇଥିଲେ। ନିଜେ ରଞ୍ଜନ ବି ଗିରଫ ହୋଇ ଜେଲରେ ରହିଛି। ପ୍ରଥମ ପର୍ଯ୍ୟାୟରେ ମନୋଜ ନିକଟରୁ ନଗଦ ୩ ଲକ୍ଷ ୬୭ ହଜାର ଟଙ୍କା ୬୦୦ ଟଙ୍କା, ଚାରିଟି କମ୍ପ୍ୟୁଟର, ଗୋଟିଏ ଲାପଟପ୍, ୩ଟି ପ୍ରିଣ୍ଟର, ଗୋଟିଏ ସ୍କାନର, ଗୋଟିଏ ଜେରକ୍ସ ମେସିନ୍, ୨୫୦ ଜିବିର ହାର୍ଡଡିସ୍କ, ଦୁଇଟି ମୋବାଇଲ୍ ଫୋନ୍, ୩୩ଟି ଜାଲ୍‌ ରବର୍ ଷ୍ଟାମ୍ପ, ୪୧ଟି ବିଶ୍ବବିଦ୍ୟାଳୟ ଓ ବୋର୍ଡର ପ୍ରାୟ ୫ ହଜାର ସାର୍ଟିଫିକେଟ୍ ଜବତ ହୋଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ ପରେ ସମ୍ପତ୍ତି ଜବତ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି।

Share Now:

Kalinga News Beuro

Next Post

ଜାପାନରୁ ଭର୍ଚୁଆଲ ରାଜ୍ୟ କ୍ୟାବିନେଟ୍ : ୭ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ

Sun Apr 9 , 2023
ଭୁବନେଶ୍ୱର: ଅପରାହ୍ଣ ସାଢେ ୧ଟାରେ ଆରମ୍ଭ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି। ଏଥିରେ ୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ରାଜ୍ୟରେ ୧୦ଟି ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ଲାଗି ପ୍ରସ୍ତାବ ଅନୁମୋଦିତ ହୋଇଛି। ଏହାଛଡ଼ା ‘ଓଡ଼ିଶା ପରିବାର’ ନାମରେ ଏକ ନୂଆ ନିର୍ଦ୍ଦେଶାଳୟ ଖୋଲାଯିବାର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।ରାଜ୍ୟ କ୍ୟାବିନେଟ ବୈଠକରେ ଜାପାନରୁ ଭର୍ଚୁଆଲରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଶାସନ […]
ଜାପାନରୁ ଭର୍ଚୁଆଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial