ସପ୍ତମଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଓ ମୃତ୍ୟୁ ଘଟଣା: ମ୍ୟାଟ୍ରନ ବହିଷ୍କୃତ, ପ୍ରଧାନଶିକ୍ଷକ ଓ ସ୍ବାସ୍ଥ୍ୟକର୍ମୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ସପ୍ତମଶ୍ରେଣୀ ଛାତ୍ରୀ ପ୍ରସୂତି

ପ୍ରଶାସନର ଅବହେଳାକୁ ଦାୟୀ କଲା କଂଗ୍ରେସ ଓ ବିଜେପି

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ ରାଙ୍ଗାପାରୁ ଆବାସିକ ଉଚ୍ଚବିଦ୍ୟାଳୟରେ ସପ୍ତମଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଓ ପୁତ୍ର ସନ୍ତାନ ପ୍ରସବର ୨୪ ଘଣ୍ଟା ମଧ୍ୟରେ ସଂପୃକ୍ତ ନାବାଳିକାର ମୃତ୍ୟୁ ହେବା ଘଟଣାକୁ ନେଇ ଏବେ କଂଗ୍ରେସ ଓ ବିଜେପି ପ୍ରତିବାଦର ସ୍ବର ଉତ୍ତୋଳନ କରିଛନ୍ତି। ଅନ୍ୟାୟର ଶିକାର ହୋଇଥିବା ଜଣେ ଅନୁସୂଚିତ ଜନଜାତି ବର୍ଗର ନାବାଳିକାର ପରିବାର ପ୍ରଶାସନ ପକ୍ଷରୁ ନ୍ୟାୟ ଆଶା କରିଥିବା ବେଳେ ଓଲଟା ଘଟଣାର ମାତ୍ର କିଛି ଦିନ ପରେ ନିଜ ଝିଅର ଶବ ଘରକୁ ନେବାକୁ ପଡିଛି। ମୃତ ନାବାଳିକାର ପିତାମାତା ନିଜ ଝିଅକୁ ହରାଇ ଏକ ପ୍ରକାର ଭାଙ୍ଗି ପଡିଛନ୍ତି। ନାବାଳିକା ମୃତ୍ୟୁ ପରେ ପ୍ରଶାସନର ଭୂମିକା ସନ୍ଦେହ ଘେରକୁ ଚାଲି ଆସିଛି। ପ୍ରାଶାସନିକ ଅବହେଳା ଏବଂ ଖାମାଖିଆଲ କାର୍ଯ୍ୟ ଯୋଗୁଁ ଗୋଟିଏ ନିରୀହ ଓ ନିଷ୍ପାପ ଝିଅର ଜୀବନ ଚାଲିଯାଇଛି ବୋଲଇ କଂଗ୍ରେସ ଅଭିଯୋଗ କରିଛି। ଏହି ଘଟଣା ପରେ ସାରା ଜିଲ୍ଲାରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳର ରଙ୍ଗାପାରୁ ଆଶ୍ରମ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇ ମୃତ୍ୟୁବରଣ କରିବା ଘଟଣାରେ ରବିବାର ସକାଳେ ଘଟଣାସ୍ଥଳରେ ପହଞ୍ଚିବ ବିଜେପି ମହିଳା ମୋର୍ଚ୍ଚାର ଟିମ୍। ଆଜି ସ°ଧ୍ୟା ୬ଟାରେ ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ କନ୍ଧମାଳ ଗସ୍ତରେ ବାହାରିଛି। କଂଗ୍ରେସର ଯୁବ ନେତା ପ୍ରତାପ ପ୍ରଧାନଙ୍କ ଅଭିଯୋଗ ପ୍ରକାରେ ବେଲଘର ଥାନାରେ ମାମଲା ରୁଜୁ ପରେ ନାବାଳିକାକୁ ପୁଲିସ ଜିଲ୍ଲା ଶିଶୁ ସୁରକ୍ଷା କମିଟି ନିକଟରେ ହାଜର କରି ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇଥିଲେ। ସେଠାରେ ନାବାଳିକାର ସ୍ୱାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା କରାଇଥିଲା। ହେଲେ ୩୦ ତାରିଖ ଦିନ ରାତିରେ ଉକ୍ତ ନାବାଳିକାକୁ ସ୍ଥାନୀୟ ସୁଭଦ୍ରା ମହତାବ ସେବା ସଦନରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦେଶ କ୍ରମେ ଛାଡି ଦିଆଯାଇଥିଲା ତେବେ ପ୍ରଶ୍ନ ଉଠୁଛି ସୁଭଦ୍ରା ମହତାବ ସେବା ସଦନରେ ଜଣେ ଗର୍ଭବତୀ ନାବାଳିକା ସୁରକ୍ଷିତ ଭାବେ ରହିବା ପାଇଁ ସମସ୍ତ ସ୍ୱାସ୍ଥ୍ୟଗତ ସୁବିଧା ଉପଲବ୍ଧ ନଥିବା ସତ୍ତ୍ୱେ କିଭଳି ସେହି ସ୍ଥାନରେ ରଖାଗଲା। କାହାର ସୁବିଧା ପାଇଁ ବ୍ରହ୍ମପୁର ବଡ଼ ମେଡିକଲରୁ ତରବରିଆ ଭାବେ ନାବାଳିକାଙ୍କୁ ଅଣାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ସ୍ଥାନୀୟ ଅଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଗର୍ଭବତୀ ନାବାଳିକାର ଚିକିତ୍ସା ପାଇଁ କ’ଣ ସୁବିଧା ଅଛି, ତା ବିଷୟରେ ଚିନ୍ତା ନକରି ତରବରିଆ ଭାବେ ଜଣେ ନାବାଳିକା ଗର୍ଭବତୀ ଥିବା ସତ୍ତ୍ୱେ ତାକୁ ବିଭାଗୀୟ କର୍ତ୍ତୃପକ୍ଷ ବେପରୁଆ ଭାବେ ସୁଭଦ୍ରା ମହତାବ ସେବା ସଦନରେ ଛାଡି ଦେଇ ଅଚିନ୍ତାରେ ରହିଗଲେ। ଯାହାର ପରିଣାମ ସ୍ୱରୂପ ନାବାଳିକା ଜଣକ ୫ ତାରିଖ ରାତିରେ ଯନ୍ତ୍ରଣାରେ ଛଟପଟ ହୋଇ ଏକ ମୃତପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଆଉ ଏହାର ୨୪ଘଣ୍ଟା ପରେ ନାବାଳିକା ଜଣକ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ବରଣ କରିଥିଲେ। ସବୁଠୁ ବଡ଼ କଥା ହେଲା ଘୁ.ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ କେହି ବି ଅଭିଜ୍ଞ ଡାକ୍ତର ନାହାନ୍ତି। ସ୍ତ୍ରୀ ଏବଂ ପ୍ରସୂତି ବିଭାଗ ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ମଧ୍ୟ ଏହି ହସ୍‌ପିଟାଲରେ ନାହାନ୍ତି। ସ୍ଥାନୀୟ ଲୋକ ସାମାନ୍ୟ ରୋଗର ଚିକିତ୍ସା ପାଇଁ ଗଲେ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ରେଫର କରାଯାଉଛି। ଏଭଳି ଏକ ଏକ ଡାକ୍ତରଖାନାରେ ଜଣେ ନାବାଳିକା ଗର୍ଭବତୀଙ୍କୁ କେଉଁ ସାହାସରେ ଓ କାହା ନିର୍ଦ୍ଧେଶରେ ୨୪ଘଣ୍ଟା ରଖି ଚିକିତ୍ସା କରାଗଲା ବୋଲି ପ୍ରତାପ କହିଛନ୍ତି। ଅନ୍ୟବଡ଼ ଡ଼ାକ୍ତରଖାନାକୁ ଯାଇ ଅଧିକ ଚିକିତ୍ସା ପାଇଥିଲେ ହୁଏତ ନାବାଳିକା ଜଣଙ୍କର ଜୀବନ ବଞ୍ଚିଯାଇଥାନ୍ତା। ‌ତେଣୁ ଏହି ଘଟଣାକୁ ନେଇ କଂଗ୍ରେସର ଯୁବନେତା ପ୍ରତାପ ସିଧାସଳଖ ପ୍ରଶାସନକୁ ଦାୟୀ କରିବା ସହ ଅବହେଳାକୁ ଦାୟୀ କରିଛନ୍ତି। ତେଣୁ ତୁରନ୍ତ ଏହାର ନିରପେକ୍ଷ ତଦନ୍ତ ସହ ସମସ୍ତ ଦୋଷୀ ଅଧିକାରୀଙ୍କ ବିରୋରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏନେଇ ପ୍ରଶଶସନ ପକ୍ଷରୁ ପଦକ୍ଷେପ ନିଆନଗଲେ ଆଗକୁ ଦଳ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷଟେ ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଏହି ଘଟଣା୍କୁ ନିନ୍ଦା କରିବା ସହ ପ୍ରଶାସନର ଚରମ ଅବହେଳା ଯୋଗୁଁ ଏପରି ଘଟଣା ବାରମ୍ବାର ଗଟଉଥିବା କହିଛନ୍ତି। ଏହି ଘଟଣାରେ ବିଜେପି କେନ୍ଦ୍ର ଅନୁସୂଚିତ ଜନଜାତି କମିସନଙ୍କ ନିକଟରେ ଫେରାଦ ହେବ ବୋଲି ସେ କହିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ସହ ମୃତକଙ୍କ ପରିବାରକୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ବିଜେପି ଦାବି ଉପସ୍ଥାପନ କରିବ ବୋଲି ସେ କହିଛନ୍ତି। ଏହାସହ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରି କନ୍ଧମାଳ ଜିଲ୍ଲା ଗସ୍ତ କରି ଏହି ଘଟଣାର ତଦନ୍ତ କରି କେନ୍ଦ୍ର ସରକାରଙ୍କୁ ରପେରର୍ଟ ପ୍ରଦାନ କରିବା ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି।
ଆଜି ସନ୍ଧ୍ୟାରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ କନ୍ଧମାଳ ଗସ୍ତରେ ବାହାରିଛନ୍ତି। ଆସନ୍ତାକାଲି ସେମାନେ ବେଲଘର ଓ ଘୁ.ଉଦୟଗିରି ଗସ୍ତରେ ଯାଇ ଘଟଣାର ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି। ଅନ୍ୟପଟେ କନ୍ଧମାଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାର କହଁରଙ୍କ ନେତୃତ୍ବରେ ଗଟଣାର ତଦନ୍ତ କରିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ଘଟଣାକୁ ଗୁରତ୍ବର ସହ ଗ୍ରହଣ କରି ରାଙ୍ଗାପାରୁ ଆବାସିକ ଉଚ୍ଚବିଦ୍ୟାଳୟର ମ୍ୟାଟ୍ରନଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିବା ବେଳେ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ରିପୋର୍ଟ ତଲବ କରିଛନ୍ତି।

Share Now:

Kalinga News Beuro

Next Post

ପୂର୍ବ ଶତ୍ରୁତାକୁ ନେଇ ଏସିଡ୍‌ ଆକ୍ରମଣ : ଦୁଇ ଯୁବକ ଆହତ

Sat Oct 8 , 2022
କଟକ: କଟକ ଚାନ୍ଦିନୀଚୌକ ଅଞ୍ଚଳରେ ଏସିଡ ଆକ୍ରମଣରେ ଦୁଇଜଣ ଯୁବକ ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଆଜି ସାମାନ୍ୟ ବଚସାରୁ ଏହି ଘଟଣା ଘଟିଥିବା ସୂଚନା। ଏହି ଘଟଣାରେ ବାଲୁବଜାର ଅଞ୍ଚଳର ସତ୍ୟବାନ୍ ସାହୁ (୧୯) ଓ ତାଙ୍କର ସହଯୋଗୀ ଆହତ ହୋଇ ବର୍ତ୍ତମାନ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ରହିଛି। ସୂଚନା ଅନୁଯାୟୀ, ଚାନ୍ଦିନୀଚୌକ ଅଞ୍ଚଳରେ ଦିନ […]
ଏସିଡ୍‌ ଆକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial