ପ୍ରେମ କରିବାର ଫଳ : ପ୍ରେମିକ ସାଜିଲା ଦାଦନ

ପ୍ରେମିକକୁ ଭେଟିବାରୁ ନାବାଳିକାକୁ ପିଟିଲେ

ନାବାଳିକା ଉପରେ ଅକଥନୀୟ ଅତ୍ୟାଚାର ଭିଡିଓ ଭାଇରାଲ୍, ୩ ଅଭିଯୁକ୍ତ ଗିରଫ

ରାଇଘର: ପ୍ରେମିକକୁ ଭେଟିବାରୁ ଜଣେ ନାବାଳିକାଙ୍କ ଉପରେ ହୋଇଛି ଅକଥନୀୟ ଅତ୍ୟାଚାର। ପ୍ରାୟ ଦେଢ଼ ମାସ ତଳେ ନାବାଳିକାଙ୍କ ସଂପର୍କୀୟ ଭାଇ ଏବଂ ଗାଁର କିଛି ଯୁବକ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ପିଟିଥିଲେ। ଏହାପରେ ଗାଁରେ ବସିଥିଲା କଙ୍ଗାରୁ କୋର୍ଟ। ପ୍ରେମିକକୁ ହାଜର କରି ଜରିମାନା ଦେବାକୁ ଦିଆଯାଇଥିଲା ନିର୍ଦ୍ଦେଶ। ଟଙ୍କା ଯୋଗାଡ଼ ପାଇଁ ଗାଁ ଛାଡ଼ି ଦାଦନ ଖଟିବାକୁ ପ୍ରେମିକ ମହାରାଷ୍ଟ୍ର ଚାଲି ଯାଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ କୁନ୍ଦେଇ ପଞ୍ଚାୟତର ଏହି ଘଟଣାରେ ଆଜି କୁନ୍ଦେଇ ଥାନା ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଘଟଣାକୁ ସେହି ସମୟରେ ଚପାଇ ଦେବାକୁ ଯଥାସଧ୍ୟ ଉଦ୍ୟମ କରାଯାଇଥିବା ବେଳେ ଭିଡିଓ ଭାଇରାଲ୍‌ ହେବାପରେ ପୂରା ଘଟଣା ସାମ୍ନାକୁ ଆସିଛି। ଗତ ଜୁଲାଇ ମାସ ୧୬ତାରିଖ ଦିନର ଘଟଣା। କୁନ୍ଦେଇ ପଞ୍ଚାୟତ ଅନ୍ତର୍ଗତ କୋଟପରା ଗାଁର ଜଣେ ନାବାଳିକା ସେହି ଦିନ ନିଜ ପ୍ରେମିକକୁ ଭେଟିବା ପାଇଁ ଯାଇଥିଲେ। ଏ ନେଇ କୌଣସି ସୂତ୍ରରୁ ନାବାଳିକାଙ୍କ ସଂପର୍କୀୟ ଭାଇ ଏବଂ ଅନ୍ୟ କିଛି ଯୁବକଙ୍କୁ ସୂଚନା ମିଳି ଯାଇଥିଲା। ନାବାଳିକା ଜଣକ ଗାଁ ଶେଷ ମୁଣ୍ଡରେ ଥିବା ଜଙ୍ଗଲରେ ପହଞ୍ଚିବା ବେଳକୁ ସମସ୍ତେ ତାଙ୍କୁ ଘେରି ଯାଇଥିଲେ। ସେହି ଜଙ୍ଗଲରେ ହିଁ ନାବାଳିକାଙ୍କୁ ନିସ୍ତୁକ ପିଟିଥିଲେ। ପ୍ରାଣ ବିକଳରେ ନାବାଳିକା ଦୌଡ଼ିଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରାଯାଇଥିଲା। ଅସହାୟ ଅବସ୍ଥାରେ ନାବାଳିକା କାକୁତିମିନତି ହୋଇଥିଲେ ବି କେହି ଶୁଣି ନଥିଲେ ବରଂ ଅଧିକ ପିଟିଥିଲେ। କଥା ଯାଇ ଗାଁରେ ପହଞ୍ଚିବାରୁ ବସିଥିଲା ବୈଠକ (କଙ୍ଗାରୁ କୋର୍ଟ)। ନାବାଳିକାଙ୍କ ପରିବାର ଏବଂ ପ୍ରେମିକ ତଥା ଖୁଡ଼ୁକ ପଞ୍ଚାୟତ ଅନ୍ତର୍ଗତ ପୂଜାରୀପାରା ଗ୍ରାମର ଚୈତରାମ ବିଶ୍ୱକର୍ମାଙ୍କ ପୁଅ ଜଗଦୀଶ ବିଶ୍ୱକର୍ମାଙ୍କୁ ସେଠାରେ ହାଜର କରାଗଲା। ଦୁହେଁ ଭିନ୍ନ ଜାତିର ହୋଇଥିବାରୁ ସେମାନଙ୍କ ପ୍ରେମକୁ ସ୍ବୀକୃତି ମିଳିବ ନାହିଁ ବୋଲି ଏକପାଖିଆ ନିଷ୍ପତ୍ତି ଶୁଣାଇ ଦିଆଗଲା। ଏହାପରେ ନାବାଳିକାଙ୍କ ପରିବାରକୁ ୨୦ହଜାର ଏବଂ ପ୍ରେମିକଙ୍କ ପରିବାରକୁ ୬୦ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଭଳି ସ୍ଥିତିରେ ପ୍ରେମିକ ଜଗଦୀଶ ନିଜ ନୂଆ ମୋଟର ସାଇକଲକୁ ମାତ୍ର ୨୫ହଜାର ଟଙ୍କାରେ ବିକ୍ରି କରି ଟଙ୍କା ଜମା କରିଥିଲେ। ଅବଶିଷ୍ଟ ୩୫ହଜାର ଟଙ୍କା ୪ମାସ ମଧ୍ୟରେ ପୈଠ ନ କଲେ ଗାଁରୁ ବିତାଡ଼ିତ କରାଯିବ ବୋଲି ଚେତାବନୀ ଦିଆଗଲା। ଘୋର ଆର୍ଥିକ ଅନଟନ ମଧ୍ୟରେ ରହିଥିବା ଜଗଦୀଶ ଏହି ଜରିମାନା ଟଙ୍କା ଯୋଗାଡ଼ କରିବାକୁ ଉଦ୍ୟମ କରିଥିଲା। ଏଥିରେ ବିଫଳ ହେବାରୁ ବାଧ୍ୟ ହୋଇ ସେ ମହାରାଷ୍ଟ୍ରକୁ ଦାଦନ ଖଟିବାକୁ ଚାଲି ଯାଇଥିବା ଜଣାପଡ଼ିଛି।
ସେ ଦିନର ନିଶାପ ପରେ ସମସ୍ତେ ଚୁପ୍ ହୋଇ ରହିଥିଲେ। ଏହି ଘଟଣା ଯେମିତି ଗାଁ ବାହାରକୁ ନ ଯିବ ସେଥିପାଇଁ ସମସ୍ତଙ୍କୁ ତାଗିଦ୍ ମଧ୍ୟ କରାଯାଇଥିଲା। କୁହାଯାଇଥିଲା ଯେ, ଘଟଣା ପଦାକୁ ଗଲେ ଗାଁ ବଦନାମ ହେବ ବୋଲି। କିନ୍ତୁ ନାବାଳିକା ଉପରେ ହୋଇଥିବା ଆକ୍ରମଣ ସମୟର ଭିଡିଓ ପରବର୍ତ୍ତୀ ସମୟରେ ଭାଇରାଲ୍‌ ହୋଇଯାଇଥିଲା। ପୁଲିସକୁ ବି ଏନେଇ ସୁରାକ ମିଳିବାରୁ ଅଧିକ ତଦନ୍ତ କରିଥିଲା। ଗତକାଲି କୁନ୍ଦେଇ ଥାନାରେ ୬୭/୨୦୨୦ରେ ମାମଲା ରୁଜୁ କରି ଘଟଣାର ଅଭିଯୁକ୍ତ ଦିନେଶ ଗଣ୍ଡ, ନରସିଂହ ଗଣ୍ଡ ଓ ସଂପର୍କୀୟ ଭାଇ ଶିଶୁପାଳ ଗଣ୍ଡକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଅତିଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ରାମଚନ୍ଦ୍ର ଅଗସ୍ତି ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ମିଠାଦୋକାନୀ ହତ୍ୟା ମାମଲା: ୨ ଦିନ ପରେ ବି ପୁଲିସ ହାତ ଖାଲି, ଶୁଣିଲାନି ପ୍ରଶାସନ ବ୍ୟବସାୟୀ ସଂଘ ଦେଲା ଆର୍ଥିକ ସହାୟତା

Wed Oct 7 , 2020
ଭୁବନେଶ୍ବର: ଦିନ ଦି’ପହରେ ରାଜଧାନୀର ରାଜ ରାସ୍ତାରେ ମିଠା ଦୋକାନୀ ପ୍ରଭାକର ସାହୁ ଓରଫ୍ ଜମ୍ବୁଙ୍କୁ ଦୁର୍ବୃତ୍ତମାନେ ଗୋଡ଼େଇ ଗୋଡ଼େଇ ହାଣିଲେ। ସମସ୍ତେ ଦେଖୁଥିବା ଅବସ୍ଥାରେ ତାଙ୍କ ବେକକୁ କାଟି ବିଭତ୍ସଭାବେ ହତ୍ୟା କଲେ। ଘଟଣାକୁ ୪୮ ଘଣ୍ଟା ପୂରିଗଲାଣି। ଅଥଚ ପୁଲିସ ଅପରାଧୀମାନଙ୍କ ଟେର୍‌ ପାଉନି। ତଦନ୍ତଭାର ସ୍ପେସାଲ୍‌ ସ୍କ୍ବାଡ୍‌କୁ ଦିଆଯାଇଥିଲେ ବି ଅପରାଧୀଙ୍କୁ ଠାବ କରିବା ସମ୍ଭବ ହୋଇନାହିଁ। ଅଭିଯୁକ୍ତଙ୍କ ବାବଦରେ ସମସ୍ତ ସୂଚନା ଥାଇ ମଧ୍ୟ […]
ମିଠାଦୋକାନୀ ହତ୍ୟା ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial