ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂହ ଧାମୀ

ପୁଷ୍କର ସିଂହ ଧାମୀ

ଡେରାଡୁନ: ତୀରଥ ସିଂହ ରାୱତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆଜି ବସିଥିବା ବିଜେପିର ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି। ବିଜେପି ବିଧାୟକ ପୁଷ୍କର ସିଂହ ଧାମୀ ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡିଛି। ଉତ୍ତରାଖଣ୍ଡ ବିଜେପି ଯୁବମୋର୍ଚ୍ଚାର ଅଧ୍ୟକ୍ଷ ସାଙ୍ଗକୁ ଦୁଇ ଥର ବିଧାୟକ ହୋଇଥିବା ପୁଷ୍କରଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱ ଆସ୍ଥା ପ୍ରକଟ କରିଛନ୍ତି। ପୁଷ୍କର ଧାମୀ ଉତ୍ତରାଖଣ୍ଡର ଖଟିମା ବିଧାନସଭା ଆସନରୁ ବିଧାୟକ ଥିବାବେଳେ ଆରଏସଏସର ଜଣେ ସକ୍ରିୟ ସଦସ୍ୟ ଭାବେ ଜଣାଯାଏ। ସୂଚନା ଥାଉ କି ଗତକାଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଉପ ନିର୍ବାଚନ ଅନୁଷ୍ଠିତ ହେବା ନେଇ ଅନିଶ୍ଚିତତା ଯୋଗୁଁ ସାମ୍ବିଧାନିକ ସଙ୍କଟ ଏଡ଼ାଇବା ନିମନ୍ତେ ରାୱତ ତାଙ୍କ ପଦରୁ ଓହରିଯିବାପାଇଁ ନିଷ୍ପତ୍ତି ନେଇଥିଲେ। ବିଜେପି ସଭାପତି ଜେ ପି ନଡ୍ଡାଙ୍କ ସହ ଆଲୋଚନା ପରେ ରାଜ୍ୟପାଳଙ୍କୁ ଭେଟି ଗତକାଲି ସେ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ତୀରଥ ସିଂହ ରାୱତ ଗତ ମାର୍ଚ୍ଚ ୧୦ରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସ୍ଥାନରେ ସେ ନୂଆ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ଶପଥ ଗ୍ରହଣ ସମୟରେ ସେ ଉତ୍ତରାଖଣ୍ଡ ବିଧାନସଭାରେ ଜଣେ ନିର୍ବାଚିତ ବିଧାୟକ ନଥିଲେ। ସେ ପୌରି ଗଡ଼ୱାଲ୍‌ ଆସନରୁ ଲୋକସଭା ସାଂସଦ ଥିଲେ। ବର୍ତ୍ତମାନ ମଧ୍ୟ ସେ ସାଂସଦ ଅଛନ୍ତି।
ତେବେ ସମ୍ବିଧାନ ଅନୁଯାୟୀ ଜଣେ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଶପଥ ନେବାର ୬ ମାସ ମଧ୍ୟ‌ରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ। ତିରଥ ସିଂହ ରାୱତଙ୍କ ପାଖରେ ସେପ୍ଟେମ୍ବର ୧୦ ଯାଏଁ ସମୟ ଥିଲା। ସେ ଉପନିର୍ବାଚନ ଦ୍ବାରା ରାଜ୍ୟ ବିଧାନସଭାକୁ ଏହି ସମୟ ମଧ୍ୟରେ ନିର୍ବାଚିତ ହୋଇପାରିଥାନ୍ତେ। କିନ୍ତୁ ବର୍ତ୍ତମାନର କୋଭିଡ୍‌ ମହାମାରୀ ସଙ୍କଟ ଭିତରେ ରାଜ୍ୟରେ ଉପନିର୍ବାଚନ ନେଇ ଅନିଶ୍ଚିତତା ଜାରି ରହିଛି। କେନ୍ଦ୍ର ସରକାର ଏବଂ ନିର୍ବାଚନ କମିସନ୍‌ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଯେଉଁ କଡ଼ା ସମାଲୋଚନାର ଶିକାର ହୋଇଥିଲେ ସେ ଦୃଷ୍ଟିରୁ ବର୍ତ୍ତମାନ ଉତ୍ତରାଖଣ୍ଡରେ ଉପନିର୍ବାଚନ କରାଇବାକୁ କମିସନ ଚାହୁନାହାନ୍ତି। ତେବେ ଉପନିର୍ବାଚନ ଆଶା କ୍ଷୀଣ ହେବାରୁ ତିରଥ ସିଂହ ରାୱତଙ୍କ ସ୍ଥାନରେ ବିଜେପି ଆଉ ଜଣେ ମୁଖ୍ୟମନ୍ତ୍ରୀ ଚୟନ କରିଛି।

Share Now:

Kalinga News Beuro

Next Post

କରୋନା ସଂକଟ ବେଳେ ତୈଳ ଦରବୃଦ୍ଧି ଏକ ଶୋଷଣ

Sat Jul 3 , 2021
ଭୁବନେଶ୍ୱର : କରୋନା ସଂକଟ ଲାଗି ରହିଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କ ରୋଜଗାର ପ୍ରଭାବିତ ହୋଇଛି। ବହୁ ଲୋକ ରୋଜଗାର ହରାଇଥିବା ବେଳେ ଅନେକ ସ୍ବଳ୍ପ ଦରମାରେ କାମ କରୁଛନ୍ତି। ଏଭଳି ସମୟରେ ତୈଳ ଦରବୃଦ୍ଧି ସୀମା ଟପିଗଲାଣି। ଏଥିଯୋଗୁଁ ଗାଡ଼ି ଥିବା ଲୋକେ ଯେତିକି ପ୍ରଭାବିତ, ଭଡ଼ା ଗାଡ଼ି ଉପରେ ନିର୍ଭର କରୁଥିବା ଲୋକେ ସେତିକି ଯନ୍ତ୍ରଣା ଭୋଗୁଛନ୍ତି। ତୈଳ ଦର ବୃଦ୍ଧି ପାଇଁ ଅନ୍ୟାନ୍ୟ ବହୁ […]
ତୈଳ ଦରବୃଦ୍ଧି ଏକ ଶୋଷଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial