ପଟ୍ଟାଙ୍ଗି: ବିଜେପିରୁ ମୋହ ତୁଟାଇଲେ ଜୟରାମ ପାଙ୍ଗି। ପୂର୍ବତନ ସାଂସଦ ଜୟରାମ ପାଙ୍ଗି ବିଜେପି ଦଳରୁ ଇସ୍ତଫା ଦେଇଛନ୍ତି। କୋଟିଆରେ ଉତ୍କଳ ଦିବସ ପାଳନ ଅବସରରେ ଆଜି ସେ ନିଜର ଇସ୍ତଫା ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି। କିନ୍ତୁ ଶ୍ରୀ ପାଙ୍ଗି ଆଗାମୀ ଦିନରେ କେଉଁ ଦଳରେ ସାମିଲ ହେବେ ସେ ସମ୍ପର୍କରେ ସ୍ପଷ୍ଟ କରିନାହାନ୍ତି। ତେବେ ଲୋକଙ୍କ ସହ ରହି ଅଂଚଳର ବିକାଶ ଦିଗରେ କାମ କରିବି ବୋଲି କହିଛନ୍ତି। ଗତ କିଛିଦିନ ଧରି ସ୍ବତନ୍ତ୍ର କେନ୍ଦ୍ର ଶାସିତ ରାଜ୍ୟ ଘୋଷଣା ଦାବି କରି ଆସୁଛନ୍ତି। ଅବିଭକ୍ତ କୋରାପୁଟ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ରାଜ୍ୟର ସୀମାନ୍ତ ଅଞ୍ଚଳକୁ ନେଇ ଦଣ୍ଡକାରଣ୍ୟ ପାର୍ବତ୍ୟମାଳା ବିକାଶ ପରିଷଦ ନାମରେ ସଂଗଠନ ଗଢିଛନ୍ତି। ଏହି ସଂଗଠନରେ ଓଡିଶା, ଛତିଶଗଡ, ଆନ୍ଧ୍ର ତିନୋଟି ରାଜ୍ୟର ପ୍ରମୁଖ ବ୍ୟକ୍ତିମାନେ ବିଭିନ୍ନ ପଦ ପଦବିରେ ରହିଛନ୍ତି। ଏହି ସଂଗଠନରେ କାର୍ଯ୍ୟ ଜାରି ରହିବ ବୋଲି ସେ କହିଛନ୍ତି। ୨୦୧୭ରେ ବିଜେଡିରୁ ନିଲମ୍ବିତ ହେବାପରେ ପରବର୍ତ୍ତୀ ସମୟରେ ବିଜେପିରେ ସାମିଲ ହୋଇଥିଲେ। ସେ ୨୦୧୯ ଲୋକସଭା ନିର୍ବାଚନରେ କୋରାପୁଟ ଲୋକସଭା ଆସନ ପାଇଁ ବିଜେପି ଦଳରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ।
ଉତ୍କଳ ଦିବସରେ ବିଜେପି ଛାଡ଼ିଲେ ଜୟରାମ ପାଙ୍ଗି

Share Now: