୧୮ ହଜାର କୋଟିରେ ଏୟାର ଇଣ୍ଡିଆକୁ କିଣିଲା ଟାଟା

ଟାଟା ପାଖକୁ ଫେରିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଉଦ୍ୟମ ପରେ ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆକୁ ବିକ୍ରି କରିବାରେ କେନ୍ଦ୍ର ସରକାର ସଫଳ ହୋଇଛନ୍ତି। ଟାଟା ଗୃପ ୧୮ ହଜାର କୋଟି ଟଙ୍କାରେ ଏହାକୁ କିଣିଛି। ୬୮ ବର୍ଷର ବ୍ୟବଧାନ ପରେ ଟାଟା ପାଖକୁ ଫେରିଛି ଏୟାର ଇଣ୍ଡିଆ। ୧୯୩୨ରେ ଟାଟା ଏୟାରଲାଇନ୍ସ ଭାବେ ଏହାକୁ ଜେଆର୍‌ଡି ଟାଟା ସ୍ଥାପନ କରିଥିଲେ। ୧୯୫୩ରେ ତାହାର ଜାତୀୟକରଣ କରାଯାଇଥିଲା। ଏୟାର ଇଣ୍ଡିଆକୁ ପୁଣି ଥରେ ଟାଟା ଗ୍ରୁପ୍‌କୁ ସ୍ବାଗତ କରି ରତନ ଟାଟା ଭାବବିହ୍ବଳ ହୋଇପଡ଼ିଛନ୍ତି। ଦୀର୍ଘ ୪୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ଆକାଶରେ ରାଜୁତି କରିଥିବା ଏୟାର ଇଣ୍ଡିଆ ୧୯୯୪-୯୫ ପରେ ଦୁର୍ବଳ ହେବା ଆରମ୍ଭ କରିଥିଲା। ସେହି ବର୍ଷ ଘରୋଇ ସଂସ୍ଥାଙ୍କୁ ବିମାନ ଚଳାଚଳ କରିବାର ଅନୁମତି ଦିଆଯାଇଥିଲା। କିଛି ଘରୋଇ ସଂସ୍ଥା ସୁଲଭ ମୂଲ୍ୟରେ ବିମାନ ଯାତ୍ରା ସୁବିଧା ପ୍ରଦାନ କରିବା ପରେ ଏୟାର ଇଣ୍ଡିଆ ଅନେକ ଯାତ୍ରୀଙ୍କୁ ହରାଇଥିଲା। ଏହାକୁ ନଜରରେ ରଖି ୨୦୦୦-୦୧ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଏହାର ଅଂଶଧନ ବିକ୍ରି କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଶ୍ରମିକ ସଂଘଗୁଡ଼ିକର ତୀବ୍ର ବିରୋଧ ଯୋଗୁଁ ତାହା ସମ୍ଭବ ହୋଇନଥିଲା। କିଛିବର୍ଷ ପରେ ଏୟାର ଇଣ୍ଡିଆ ଓ ଇଣ୍ଡିଆନ୍ ଏୟାରଲାଇନ୍ସ ମଧ୍ୟରେ ମିଶ୍ରଣ ହୋଇଥିଲା। ଏହା ପରେ ୨୦୦୭-୦୮ ଠାରୁ କଂପାନି କ୍ଷତିରେ ଚାଲୁଛି। କେବଳ ସରକାରୀ ସହାୟତା ଯୋଗୁଁ ଏହା ବଞ୍ଚିରହିଛି।
୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଶାସନ ଭାର ଗ୍ରହଣ କରିବାପରେ ପୁଣିଥରେ ଏୟାର ଇଣ୍ଡିଆକୁ ବିକିବା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା। ୨୦୧୮ରେ ହୋଇଥିବା ଏକ ଉଦ୍ୟମ ବିଫଳ ହୋଇଥିଲେ। ଏହାକୁ କିଣିବାକୁ କୌଣସି ସଂସ୍ଥା ଆଗ୍ରହ ଦେଖାଇନଥିଲେ। ଚଳିତ ବର୍ଷ ଏୟାର ଇଣ୍ଡିଆକୁ ବିକ୍ରି କରିବା ଲାଗି ଶେଷ ଉଦ୍ୟମ ଆରମ୍ଭ ହୋଇଥିଲା। ବିକ୍ରି ପ୍ରକ୍ରିୟାର ତଦାରଖ ଦାୟିତ୍ବ ଏକ ମନ୍ତ୍ରୀଗୋଷ୍ଠୀକୁ ଦିଆଯାଇଥିଲା। ସେଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ୍ ଓ ‌ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସଦସ୍ୟ ଥିଲେ। ଏଥର ଏୟାର ଇଣ୍ଡିଆକୁ ବିକ୍ରି କରିବା ଲାଗି ୧୨,୯୦୬ କୋଟି ଟଙ୍କାର ରିଜର୍ଭ ମୂଲ୍ୟ ଧାର୍ଯ୍ୟ କରାଯାଇଥିଲା। ଟାଟା ଗୃପ ତା’ଠାରୁ ଯଥେଷ୍ଟ ଅଧିକ ଅର୍ଥାତ ୧୮ ହଜାର କୋଟି ଟଙ୍କାର ବିଡ୍ ଦାଖଲ କରି ବିଜୟୀ ହୋଇଛି। ଏୟାର ଇଣ୍ଡିଆକୁ କିଣିବା ଲାଗି ଚୂଡ଼ାନ୍ତ ଦୌଡ଼ରେ ଟାଟା ଓ ସ୍ପାଇସ୍‌ଜେଟ୍ ଥିଲେ। ଉଭୟ କଂପାନି ପାଖରେ ବିମାନ ଚଳାଚଳର ଅଭିଜ୍ଞତା ଥିଲା। କିନ୍ତୁ ଟାଟା ହାତକୁ ଏୟାର ଇଣ୍ଡିଆ ଯାଉ ବୋଲି ବିଶେଷଜ୍ଞମାନେ ଚାହୁଥିଲେ। ଶେଷରେ ତାହା ହିଁ ହୋଇଛି। ଟାଟାର ବିଡ୍‌କୁ ବିଜୟୀ ଘୋଷଣା କରାଯାଇଥିବାରୁ ଏହାର ଖାତାକୁ ଏୟାର ଇଣ୍ଡିଆର ୧୫,୩୦୦ କୋଟି ଟଙ୍କାର ଋଣ ସ୍ଥାନାନ୍ତର ହେବ। କଂପାନିର ସମସ୍ତ କର୍ମଚାରୀଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଟାଟା ନିଜ ପାଖରେ ରହିବ। ଦ୍ବିତୀୟ ବର୍ଷ ଠାରୁ ଏହା ସ୍ବେଚ୍ଛାକୃତ ଅବସର ସ୍କିମ୍ (ଭିଆର୍‌ଏସ୍‌) ଘୋଷଣା କରିପାରିବ। ଏୟାର ଇଣ୍ଡିଆକୁ କିଣିବା ଲାଗି ଟାଟା ଯେଉଁ ୧୮ ହଜାର କୋଟି ଟଙ୍କା ଦେବ, ତାହାର ୧୫% ରାଶି ସରକାରଙ୍କ ଖାତାକୁ ଯିବ। ବଳକା ଟଙ୍କା କଂପାନିର ଋଣ ଶୁଝିବା ଲାଗି ବ୍ୟବହାର କରାଯିବ।

Share Now:

Kalinga News Beuro

Next Post

ରାଜ୍ୟସ୍ତରୀୟ ଲୋକକଳା ଗ୍ରାମ ମହୋତ୍ସବ ଅନୁଷ୍ଠିତ : ପାରମ୍ପରିକ ଲୋକନୃତ୍ୟରେ ଝୁମିଲେ ଦର୍ଶକ

Sat Oct 9 , 2021
ଭୁବନେଶ୍ବର : ପାରମ୍ପରିକ ଲୋକନୃତ୍ୟରେ ଚଳଚଞ୍ଚଳ ହୋଇଥିଲା ରବୀନ୍ଦ୍ର ମଣ୍ଡପ। ଅବସର ଥିଲା ଭାରତ ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଲୋକକଳା ଗ୍ରାମ ମହୋତ୍ସବ-୨୦୨୧। ବଲାଙ୍ଗୀରର ଶବର ସଉରା ମାନଙ୍କର ପାରମ୍ପରିକ ନୃତ୍ୟରୁ ଆରମ୍ଭ ହୋଇଥିଲା ଆଜି ସଂଧ୍ୟାର କାର୍ଯ୍ୟକ୍ରମ। ଏହାକୁ ବଲାଙ୍ଗୀର ପୁଇଁତଳା ଗ୍ରାମର କୃଷ୍ଣପ୍ରିୟା କଳା ପରିଚୟର କଳାକାରମାନେ ପରିବେଷଣ […]
ପାରମ୍ପରିକ ଲୋକନୃତ୍ୟରେ ଝୁମିଲେ ଦର୍ଶକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial