‘ମୋ ସ୍କୁଲ୍ ଅଭିଯାନ’ ଅର୍ଥ ଫେରାଇବେ ପ୍ରଧାନ ଶିକ୍ଷକ

ଖର୍ଚ୍ଚ କରିପାରି ନଥିବା ଅର୍ଥ ଫେରାଇବେ ପ୍ରଧାନ ଶିକ୍ଷକ

ଭୁବନେଶ୍ବର : ‘ମୋ ସ୍କୁଲ୍ ଅଭିଯାନ’ ଅଧୀନରେ ଆର୍ଥିକ ଅନୁଦାନ ପାଇ ମଧ୍ୟ କାମ ଆରମ୍ଭ କରିନଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ ଆର୍ଥିକ ଅନୁଦାନ ଫେରାଇବେ। ଆଜି ଏଭଳି ଚେତାବନୀ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ। ଶୁକ୍ରବାର ଦିନ ଭର୍ଚୁଆଲ୍‌ ମୋଡ୍‌ରେ ହୋଇଥିବା ‘ମୋ ସ୍କୁଲ୍ ଅଭିଯାନ’ର ୩୧ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ସେ ଅର୍ଥ ଖର୍ଚ୍ଚ ନ କରି ପକାଇ ରଖିଥିବା ସ୍କୁଲ୍‌ର ପ୍ରଧାନ ଶିକ୍ଷକମାନେ ତୁରନ୍ତ ଏ ନେଇ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଓଡ଼ିଶାର ୨୩ଟି ଜିଲ୍ଲାର ପୁରାତନ ଛାତ୍ରଛାତ୍ରୀଙ୍କ ସହାୟତା, ସିଏସ୍ଆର୍ ପାଣ୍ଠି ଅନୁଦାନ ଓ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୮କୋଟି ୩୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି। ଏଥର ଏହି ଯୋଜନାରେ ନନ୍-କୋର୍ ଆକ୍ଟିଭିଟିକୁ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଦ୍ୟାଳୟଗୁଡ଼ିକ ଭିତ୍ତିଭୂମି ରକ୍ଷଣାବେକ୍ଷଣ, ବଗିଚା ଓ ପୋଷଣ ବଗିଚାର ପରିଚାଳନା, ସ୍ବଚ୍ଛତା ଓ ପରିମଳ, ବିଦ୍ୟାଳୟର ସୁରକ୍ଷା, କମ୍ପ୍ୟୁଟର, ସ୍ପୋକନ୍ ଇଂଲିଶ, ଚିତ୍ରାଙ୍କନ, ନୃତ୍ୟ ଓ ସଙ୍ଗୀତ ଆଦି ଶିକ୍ଷା ପାଇଁ ଆଉଟ୍‌ସୋର୍ସିଂ ମାଧ୍ୟମରେ କର୍ମଚାରୀ ନିଯୁକ୍ତ କରାଯାଇ ପାରିବ। ପିଲାମାନଙ୍କ ପାଇଁ ସ୍ଵତନ୍ତ୍ର କୋଚିଂ କ୍ଲାସ୍‌ର ମଧ୍ୟ ଆୟୋଜନ କରା ଯାଇପାରିବ। ଜିଲ୍ଲାପାଳଙ୍କ ଅନୁମତିକ୍ରମେ ଆର୍ଥିକ ସହାୟତା ପ୍ରଦାନ କରିଥିବା ବ୍ୟକ୍ତିବିଶେଷ କିମ୍ବା ସଂସ୍ଥାଙ୍କ ସହ ଆଲୋଚନା କରିବା ପରେ ପ୍ରଧାନଶିକ୍ଷକ ସରକାରଙ୍କୁ ପ୍ରସ୍ତାବ ପଠାଇବେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଗୁଣା ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ।
୨୦୨୨ ଶେଷ ସୁଦ୍ଧା ଓଡ଼ିଶାର ୫୦ ହଜାର ବିଦ୍ୟାଳୟରେ ‘ମୋ ସ୍କୁଲ୍’ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି କ୍ରମରେ ଜାନୁଆରି ୨୬ରୁ ୩୧ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ୫୮ହଜାର ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ। ପୁରାତନ ଛାତ୍ରଛାତ୍ରୀଙ୍କ ସହ ସ୍କୁଲ୍ ପରିଚାଳନା କମିଟିର ସଦସ୍ୟ ଓ ପ୍ରଧାନଶିକ୍ଷକ ବିଦ୍ୟାଳୟର ବିକାଶ ପାଇଁ ଯୋଜନା କରିବେ ବୋଲି କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୬ ଲକ୍ଷ ୨୭ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ ଅଭିଯାନ’ ରେ ସାମିଲ ହୋଇଛନ୍ତି। ଗତ ୧ ମାସ ମଧ୍ୟରେ ‘ମୋ ସ୍କୁଲ୍ ଅଭିଯାନ’ ସହ ଯୋଡ଼ି ହୋଇଥିବା ୧୧ ହଜାରରୁ ଊର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୪ କୋଟି ୮୬ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବାଲେଶ୍ୱରରେ ସର୍ବାଧିକ ୨ କୋଟି ୩୬ ଲକ୍ଷ, ସୋନପୁରରେ ୨୩ ଲକ୍ଷ ୯୬ ହଜାର, ବରଗଡ଼ରେ ୨୩ ଲକ୍ଷ ୬୮ ହଜାର, ଯାଜପୁରରେ ୧୯ ଲକ୍ଷ ୨୧ ହଜାର ଓ ଜଗତସିଂହପୁରରେ ୧୭ ଲକ୍ଷ ୮୭ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀଙ୍କ ଠାରୁ ପ୍ରାପ୍ତ ହୋଇଛି। ସେହିଭଳି ବିଭିନ୍ନ ସିଏସ୍ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୧ କୋଟି ୨୩ ଲକ୍ଷ ଟଙ୍କାର ଅନୁଦାନ ଆସିଛି। ବାଲେଶ୍ୱର ଜିଲ୍ଲାରେ ଚଳିତଥର ମଧ୍ୟ ପୁରାତନ ଛାତ୍ରଛାତ୍ରୀମାନେ ସର୍ବାଧିକ ଆର୍ଥକ ଅନୁଦାନ ପ୍ରଦାନ କରିଥିବାରୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାକାରୀଙ୍କ ଭୂମିକାକୁ ପ୍ରଶଂସା କରାଯାଇଛି। ରାଜ୍ୟର ୪୨ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ମୋ ସ୍କୁଲ୍ ଅଭିଯାନ’କୁ ପହଞ୍ଚାଇବାକୁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେବା ସହ ପଛରେ ପଡ଼ିଥିବା ଜିଲ୍ଲାଗୁଡ଼ିକରେ ସଚେତନ କାର୍ଯ୍ୟକ୍ରମକୁ ଜିଲ୍ଲାପାଳମାନଙ୍କୁ କହିଛନ୍ତି। ଅନ୍ୟପଟେ ସ୍ଵଚ୍ଛତାକୁ ଦୃଷ୍ଟିରେ ରଖି ୩୦ଟି ଜିଲ୍ଲାର ମୋଟ ୧୫୦ଟି ସ୍କୁଲ୍‌ରେ ‘ସୋସିଆଲ୍ ଅଡିଟ୍’ ଆରମ୍ଭ ହୋଇଛି। ପର୍ଯ୍ୟାୟକ୍ରମେ ରାଜ୍ୟର ୩୫ ହଜାର ପ୍ରକଳ୍ପ ବିଦ୍ୟାଳୟରେ ଏହି ଅଡିଟ୍ କରାଯିବ। ଏହି ବୈଠକରେ ଓଏସ୍‌ଇପିଏ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ଟିଇ ଓ ଏସ୍‌ସିଇଆରଟି ନିର୍ଦ୍ଦେଶକ, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ଅତିରିକ୍ତ ସଚିବ ତଥା ବିଭାଗୀୟ ଅର୍ଥ ପରାମର୍ଶଦାତା, ମୋ ସ୍କୁଲ କାର୍ଯ୍ୟକ୍ରମର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Share Now:

Kalinga News Beuro

Next Post

ପ୍ରମୁଖ ସହରରେ ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ : ଦେଶରେ ୧୬ ହଜାର ନୂଆ ମାମଲା

Sat Jan 1 , 2022
ପ୍ରଥମ ଥର ଦିଲ୍ଲୀ, ମୁମ୍ବାଇର ଆର୍‌ ଭାଲ୍ୟୁ ୨ ଟପିଲା ନୂଆଦିଲ୍ଲୀ : ଭାରତର ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ ବେଙ୍ଗାଲୁରୁରେ କୋଭିଡ୍‌ ସଂକ୍ରମଣ ଅତି କ୍ଷୀପ୍ର ହୋଇଛି। ଦିଲ୍ଲୀରେ ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ଆକଳନ କରାଯାଇଛି। ଓମିକ୍ରନ୍‌ଜନିତ ତୃତୀୟ ଲହର ଭୟ ଯୋଗୁଁ ଦିଲ୍ଲୀର ସମସ୍ତ ପଜିଟିଭ୍‌ ନମୁନା ଗୁଡ଼ିକୁ ଜିନୋମ୍‌ ସିକ୍ବେନ୍ସ ପାଇଁ ପଠାଯାଇଛି। ଦେଶରେ ୧୮ ପ୍ରତିଶତ ନମୂନା‌ରେ ଓମିକ୍ରନ୍‌ […]
ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial