ମିଳିମିଶି ବନ୍ଦ କରିଦେଲେ:ଚାଷୀଙ୍କ କଥା ଶୁଣୁଛି କିଏ

ଭୁବନେଶ୍ୱର :ବିରୋଧୀ ଦଳ ଚାଷୀ ପ୍ରସଙ୍ଗରେ ଦେଇଥିବା ମୋସନକୁ ବାଚସ୍ପତି ଗ୍ରହଣ କରୁନାହାନ୍ତି କି ମୁତଲବୀ ନୋଟିସ। ସରକାର ବି ନିଜ ତରଫରୁ ମୋସନ ଆଣୁନାହାନ୍ତି। ପରିଣାମ ହେଲା ବିରୋଧୀ ଦଳ ଆଜି ବିଧାନସଭାରେ ସକାଳେ ହଟ୍ଟଗୋଳ କଲେ, ଉପରବେଳା ଅଭିଯୋଗ ପ୍ରତି ଅଭିଯୋଗ ଚାଲିଲା। ଆଉ ବିଜେଡି ବିଧାୟକମାନେ ପୂର୍ବାହ୍ନରେ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଲେ ଏବଂ ଅପରାହ୍ନରେ ବିରୋଧୀଙ୍କୁ କରିଥିଲେ ଆକ୍ଷେପ। ଚାଷୀ ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜନୈତିିକ ଦଳ ଏଭଳି କାନ୍ଦୁ କାନ୍ଦୁ ବିଧାନସଭାର ଅତି ଗୁରୁତ୍ୱପୂର୍ଣ୍ଣ ଦୁଇଦିନ ବରବାଦ ହୋଇଯାଇଛି। ସକାଳେ କିଛି ସେକେଣ୍ଡ ପାଇଁ ବୈଠକ ସମ୍ଭବ ହୋଇଥିଲା, ଆଉ ଅପରାହ୍ନରେ ଭିଡି ଓଟାରି ୨୪ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା ଗୃହ। ଆଜି ବି ଚାଷୀଙ୍କୁ ବିଧାନସଭା ନିରାଶ କରିଛି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଜି ଅପରାହ୍ନରେ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି। ବିଧାନସଭା ଆରମ୍ଭ ହେବା ପୂର୍ବରୁ ସରକାର କହୁଛନ୍ତି, ବିରୋଧୀ ଦଳ ଯାହା ଆଣିବେ, ତାହା ଉପରେ ଆଲୋଚନା କରିବୁ।

ଆଉ ବିଧାନସଭାରେ ସରକାର ପଳାୟନପନ୍ଥୀ ସାଜୁଛନ୍ତି। ଅପରାହ୍ନରେ ଗୃହ ଆରମ୍ଭ ହେବା ମାତ୍ରେ ଶ୍ରୀ ମିଶ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ, ଗୃହ ସରକାରୀ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ। କିନ୍ତୁ ଦୁଇଦିନ ହେଲା କୌଣସି ସରକାରୀ କାର୍ଯ୍ୟ ହେଉନାହିଁ। କାର୍ଯ୍ୟସୂଚୀରେ ସରକାରୀ କାର୍ଯ୍ୟର ତାଲିକା ଥାଇ ଦୁଇଦିନ ଧରି କୌଣସି ଗୃହରେ କାର୍ଯ୍ୟ ନ ହେବା ବିଧାନସଭା ଇତିହାସରେ ବିରଳ ଘଟଣା ହେବ।

ବର୍ତମାନ ରାଜ୍ୟରେ ଚାଷୀର ସମସ୍ୟା ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି ବୋଲି ଦର୍ଶାଇ ବିରୋଧୀ ଦଳ ନେତା କହିଥିଲେ, ଗତ ଦୁଇମାସ ହେଲା ବିଭିନ୍ନ ଗଣମାଧ୍ୟମରେ ଏ ନେଇ ଚର୍ଚ୍ଚା ଚାଲିଛି। ଏଥିପାଇଁ ସେ ଏହି ପ୍ରସଙ୍ଗକୁ ନେଇ ଗୃହରେ ଆଲୋଚନା ନିମନ୍ତେ ମୋସନ ଏବଂ ମୁଲତବୀ ପ୍ରସ୍ତାବ ଆଣିଥିଲେ। ଚାଷୀଙ୍କ ସଂପର୍କରେ ଆଲୋଚନା ହେବା କ’ଣ ରାଜ୍ୟ ସ୍ୱାର୍ଥ ନୁହେଁ ନା ସରକାରୀ କାର୍ଯ୍ୟ ନୁହେଁ? ଯଦି ଗୃହର ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ନ ଥିଲା, ଚାଷୀ ସ୍ୱାର୍ଥ ସମ୍ବଳିତ ପ୍ରସ୍ତାବ ଉପରେ ଆଲୋଚନା ନିମନ୍ତେ ବାଚସ୍ପତି ଅନୁମତି ଦେଇପାରିଥାନ୍ତେ ବୋଲି ସେ କହିଥିଲେ।

ବାଚସ୍ପତି ତାଙ୍କୁ କହିବାକୁ ଦେଉନାହାନ୍ତି କିମ୍ବା ମୁଲତବୀ ପ୍ରସ୍ତାବକୁ ବି ଆଲୋଚନା ପାଇଁ ଗ୍ରହଣ କରୁନାହାନ୍ତି। ଅଥଚ, ଶାସକ ଦଳ ସଦସ୍ୟମାନେ ଗୃହ କାର୍ଯ୍ୟ ବର୍ଜନ କରି ରାଜଭବନ ଯାଇ ସ୍ମାରକପତ୍ର ପ୍ରଦାନ କରୁଛନ୍ତି। ଏ ନେଇ ରାଜ୍ୟପାଳଙ୍କ ସାକ୍ଷାତ ପାଇଁ ପୂର୍ବରୁ ନିଶ୍ଚିତ ଅନୁମତି ନିଆଯାଇଥିଲା। ଅର୍ଥାତ୍‌ ଏହା ପୂର୍ବ ପରିକଳ୍ପିତ ଯୋଜନା। ଯଦି ଗୃହରେ ସରକାରୀ କାର୍ଯ୍ୟ ନ ଚାଲେ, ତେବେ କାହିଁକି ସରକାରୀ ଅର୍ଥ ଖର୍ଚ ହେବ ଶ୍ରୀ ମିଶ୍ର କ୍ଷୋଭ ପ୍ରକଟ କରିଥିଲେ। ଏ ସଂପର୍କରେ ପ୍ରଥମେ ସିଦ୍ଧାନ୍ତ ନିଆଯାଉ, ନହେଲେ ବିରୋଧୀ ଦଳ ଗୃହ କାର୍ଯ୍ୟରେ ଯୋଗଦେବ ନାହିଁ କହି ଦଳର ସଦସ୍ୟମାନଙ୍କ ସହିତ କକ୍ଷତ୍ୟାଗ କରିଥିଲେ।

ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଗୃହରେ ବିରୋଧୀ ଦଳ ନେତାଙ୍କୁ ସମର୍ଥନ କରିଥିଲେ। ସେ କହିଥିଲେ ଯେ ଚାଷୀ ଆତ୍ମହତ୍ୟା ଭଳି ସଙ୍ଗିନ ଘଟଣା ଉପରେ ଶାସକ ଦଳ ଆଲୋଚନା କରୁନାହାନ୍ତି। ବରଂ ରାଜ୍ୟପାଳଙ୍କ ସହିତ ପୂର୍ବରୁ ସାକ୍ଷାତ ସମୟ ଧାର୍ଯ୍ୟ ହୋଇଥିବାରୁ ସରକାରୀ ଦଳ ପକ୍ଷରୁ ଗୃହକୁ ମୁଲତବୀ କରାଯାଇଥିଲା ଏଥିସହିତ ବିଜେପି ବିଧାୟକମାନେ ମଧ୍ୟ କକ୍ଷତ୍ୟାଗ କରିଥିଲେ।

ସରକାରୀ ଦଳର ବରିଷ୍ଠ ବିଧାୟକ ମହେଶ ସାହୁ ଉଭୟ କଂଗ୍ରେସ ଏବଂ ବିଜେପି ବିରୋଧରେ ଅସନ୍ତୋଷ ଅଜାଡିଥିଲେ। କହିଥିଲେ, ବାରଣ ସତ୍ତ୍ୱେ ସେମାନେ ଗୃହକୁ ପ୍ଲାକାର୍ଡ, ଧାନକେଣ୍ଡା ଆଣୁଛନ୍ତି। ଚିତ୍ରବିଚିତ୍ର ପରିଧାନ କରି ଗୃହ କାର୍ଯ୍ୟରେ ବାଧା ଉପୁଜାଉଛନ୍ତି। ଏହାପରେ ବାଚସ୍ପତିଙ୍କ ନିର୍ଦେଶରେ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ବିଭିନ୍ନ ବିଜ୍ଞପ୍ତି, ସଂଶୋଧନ ପ୍ରସ୍ତାବ, ନିୟମାବଳୀର ବିଜ୍ଞପ୍ତି ଆଦି ଉପସ୍ଥାପନ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହ ଆରମ୍ଭ ହେଲା ମାତ୍ରେ ବିରୋଧୀ କଂଗ୍ରେସ ଦଳର ବିଧାୟକମାନେ ବ୍ୟାନର ପିନ୍ଧି ହଟ୍ଟଗୋଳ କରିଥିଲେ। ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି କୀଟନାଶକ ନମୁନା ପ୍ରଦର୍ଶନ କରିଥିଲେ। କେଇ ସେକେଣ୍ଡ ମଧ୍ୟରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପରେ ଶାସକ ଦଳର ମନ୍ତ୍ରୀ, ବିଧାୟକ ସମସ୍ତେ ରାଜଭବନ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ସ୍ମାରକପତ୍ର ଦେଇଥିଲେ।

Share Now:

Kalinga News Beuro

Leave a Reply

Next Post

ଡ଼ିଏଭି ଛାତ୍ରୀ ମୃତ୍ୟୁ ମାମଲା: ରୁଜୁହେଲା ସଂଗୀନ ମାମଲା

Thu Nov 30 , 2017
ଭୁବନେଶ୍ୱର: ସୋମବାର ବିଳମ୍ବିତ ରାତିରେ ୟୁନିଟ୍‌-୮ ଡିଏଭି ବିଜିନେସ୍‌ ସ୍କୁଲ ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ ତାନିଆ ବାନାର୍ଜୀଙ୍କ ଆତ୍ମହତ୍ୟା ଘଟଣାକୁ କ୍ୟାପିଟାଲ ଥାନା ପୁଲିସ ଗୁରୁତ୍ୱର ସହ ନେଇଛି। ହଷ୍ଟେଲରେ ସହପାଠିନୀମାନଙ୍କ କସ୍‌ମେଟିକ୍ସ ଚୋରିକୁ ନେଇ ତାନିଆ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଥିବା ବେଳେ ତାନିଆଙ୍କ ଆତ୍ମହତ୍ୟା ପାଇଁ ସ୍କୁଲ୍‌ କର୍ତୃପକ୍ଷ ଓ କେତେଜଣ ସହପାଠିନୀ ଦାୟୀ ବୋଲି ତାନିଆଙ୍କ ମା’ କେୟା ବାନାର୍ଜୀ ଅଭିଯୋଗ କରିବା ପରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial