ନନ୍ଦନକାନନରେ ନୂଆବର୍ଷର ନବଜାତ ଅତିଥି : ମା’ ହେଲା ସିଂହୀ ରେୱା

ମା’ ହେଲା ସିଂହୀ ରେୱା

୪ ଶାବକରୁ ୨ ମୃତ, ୨ ଶାବକ ସହ ଖେଳୁଛି ବାଘୁଣୀ ରୁପା

ବାରଙ୍ଗ: ୨୦୨୩ ମସିହା ଆରମ୍ଭରୁ ନନ୍ଦନକାନନରେ ଖୁସିର ମାହୋଲ୍‌ ଦେଖିବାକୁ ମିଳୁଛି। ଗତ ୬ ତାରିଖରେ ବାଘୁଣୀ ରୁପାର ଦ୍ଵିତୀୟ ଗର୍ଭରୁ ୩ ଛୁଆ ଜନ୍ମ ହୋଇଥିବା ବେଳେ ଆଜି ସିଂହୀ ରେୱାର ପ୍ରଥମ ଗର୍ଭରୁ ୪ ଶାବକ ନୂଆବର୍ଷ ଅବସରରେ ନନ୍ଦନକାନନର ନବଜାତ ଅତିଥି ସାଜିଛନ୍ତି। ଗତବର୍ଷ ନଭେମ୍ବର ମାସରେ ସିଂହୀ ବିଜ୍‌ଲି ୫ ଶାବକ ଜନ୍ମ ଦେଇ ପୁରୁଣା ବର୍ଷ(୨୦୨୨)କୁ ବିଦାୟ ଦେଇଥିବା ବେ‌ଳେ ଚଳିତ ମାସର ପ୍ରଥମ ୧୦ ଦିନରେ ବାଘୁଣୀ ରୁପା ଓ ସିଂହୀ ରେୱା ନବଜାତ ଶାବକ ଭେଟି ଦେଇ ନୂଆବର୍ଷକୁ ସ୍ୱାଗତ କରିଛନ୍ତି। ଆଜି ସକାଳେ ନନ୍ଦନକାନନ ପ୍ରାଣୀଉଦ୍ୟାନ ସିଂହ ସଫାରିରେ ଏସୀୟ ସିଂହୀ ରେୱା(୬) ୪ଟି ଶାବକଙ୍କୁ ଜନ୍ମ ଦେଇଥିଲା। ମଧ୍ୟପ୍ରଦେଶ ଇନ୍ଦୋର ଚିଡ଼ିଆଖାନାରୁ ଆସିଥିବା ସିଂହୀ ରେୱା ଓ ନନ୍ଦନକାନନ ସିଂହୀ ରାଧା ଗର୍ଭରୁ ଜନ୍ମିତ ଜିତ୍‌(୬)ର ମିଳନରୁ ଏହି ଶାବକମାନେ ଜନ୍ମ ନେଇଛନ୍ତି। ରେୱାର ଏହା ପ୍ରଥମ ଗର୍ଭ। ତେଣୁ ଉପଯୁକ୍ତ ଯତ୍ନ ନେଇନପାରିବାରୁ ରେୱାର ୨ଟି ଶାବକଙ୍କ ମୃତ୍ୟୁ ହୋଇଯାଇଛି। ଗୋଟିଏ ମୃତଶାବକ ଜନ୍ମ ହୋଇଥିବା ବେଳେ ଗୋଟିଏ ଜନ୍ମ ପରେ ମରିଥିବା ଜଣାପଡ଼ିଛି। ମୃତ ଶାବକକୁ ସିଂହୀ ରେୱା ଅଧା ଖାଇ ଦେଇଥିବା ଜଣାପଡ଼ିଛି। ଆଜି ସକାଳୁ ଜନ୍ତୁରକ୍ଷକମାନେ ରେୱା ଜନ୍ମ ଦେଇଥିବା ଜାଣିବାକୁ ପାଇଥିଲେ। ସେତେବେଳକୁ ଗୋଟିଏ ମଲା ଛୁଆ ମା’ଠୁ ଦୂରରେ ପଡ଼ିଥିବା ବେଳେ ଗୋଟିକର ମୃତଦେହର ଅଧା ପଡ଼ିଥିଲା।
ଖବର ପାଇ ନନ୍ଦନକାନନ କର୍ତ୍ତୃପକ୍ଷ ଓ ଡାକ୍ତରୀ ଟିମ୍‌ ସଫାରିରେ ପହଞ୍ଚିଥିଲେ। ପ୍ରଥମଥର ମା’ ହୋଇଥିବାରୁ ରେୱା ଅନ୍ୟ ଦୁଇ ଛୁଆଙ୍କୁ ସ୍ତନ୍ୟପାନ କରାଇ ବଞ୍ଚାଇ ପାରିବ ନାହିଁ ବୋଲି ଜଣାପଡ଼ିଥିଲା। ତେଣୁ ଦୁଇ ନବଜାତ ସିଂହ ଶିଶୁଙ୍କ ସୁରକ୍ଷା ପାଇଁ ମା’ଠାରୁ ଅଲଗା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମୃତ ଶାବକ ଦ୍ୱୟଙ୍କୁ ପୋତି ଦେବା ସହ ଦୁଇ ଜୀବିତ ଛୁଆଙ୍କୁ ଲାଳନପାଳନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଏହି ନବଜାତ ସିଂହ ଶାବକ ୨ଟିଙ୍କୁ ମିଶାଇଲେ ନନ୍ଦନକାନନର ମୋଟ ସିଂହ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଦୁଇ ନବଜାତକଙ୍କ ସମେତ ଏସୀୟ ସିଂହ ସଂଖ୍ୟା ୧୩, ବର୍ଣ୍ଣଶଙ୍କର ଜାତୀୟ ୮(ଅଣ୍ଡିରା ୪ ଓ ମାଈ ୪) ଓ ଆଫ୍ରିକୀୟ ସିଂହ ଗୋଟିଏ ରହିଛି। ସୂଚନାଯୋଗ୍ୟ, ଗତ ୬ ତାରିଖରେ ବାଘୁଣୀ ରୁପା ୩ଟି ଶାବକ ଜନ୍ମ ଦେଇଥିଲା ଏବଂ ସେଥିରୁ ଗୋଟିଏ ଛୁଆ ମରିଯାଇଥିଲା। ଏବେ ୨ଟି ଛୁଆ ସୁସ୍ଥ ଅଛନ୍ତି।

Share Now:

Kalinga News Beuro

Next Post

ଅସ୍ତ୍ରୋପଚାର କଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା

Thu Jan 12 , 2023
ନୂଆଦିଲ୍ଲୀ: ତ୍ରିପୁରାର ମୁଖ୍ୟମନ୍ତ୍ରୀ ହେବା ପରେ ମାଣିକ ଶାହା ପ୍ରାୟ ଏକ ବର୍ଷ ହେବ ରାଜନୈତିକ କାର୍ଯ୍ୟକଳାପ ବ୍ୟତୀତ ନିଜର ପୁରୁଣା ଦାଇତ୍ୱ ତୁଲାଉଥିବାର ପୂର୍ବରୁ ଅନେକ ଘଟଣା ସାାମ୍ନାକୁ ଆସିଛି। ବୃତ୍ତି ଅନୁଯାୟୀ ତ୍ରିପୁରା ମୁଖ୍ୟମନ୍ତ୍ରୀ ଡାକ୍ତର ହୋଇଥିବା ହେତୁ ସେ ଗତ ବୁଧବାର ଦିନ ହସ୍ପିଟାଲର ଅପରେସନ ଥିଏଟରରେ ପହଞ୍ଚି ଜଣେ ୧୦ ବର୍ଷ ପିଲାର ଦାନ୍ତ ଅସ୍ତ୍ରୋପଚାର କରିଥିଲେ।ଶାହା ତ୍ରିପୁରାର ଜଣେ ଜଣାଶୁଣା ଓରାଲ୍ ଆଣ୍ଡ […]
ଅସ୍ତ୍ରୋପଚାର କଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial