ପ୍ରାଣ ନେଇଗଲେ ବୁଲା କୁକୁର: ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ପ୍ରାଣ ନେଇଗଲେ କୁକୁର

ଭୁବନେଶ୍ବର: ରାଜଧାନୀ ରାସ୍ତାରେ ମୃତ୍ୟୁ ଦୂତ ସାଜିଛନ୍ତି ବୁଲା କୁକୁର। ବୁଲା କୁକୁରଙ୍କ ପାଇଁ ଜଣେ ଯୁବକଙ୍କର ଜୀବନ ଯାଇଛି। ଗତକାଲି ରାତିରେ କଟକରୋଡର ଲକ୍ଷ୍ମୀସାଗର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ବାଙ୍କୁଆଳ କଳ୍ପନା ରିଭର ଭ୍ୟୁ କମ୍ପ୍ଲେକ୍ସରେ ରହୁଥିବା ସାବତ କୁମାର(୪୨)। ସେ ଇନ୍ୟୁସରାନ୍ସ ଏଜେଣ୍ଟ ଭାବେ କାମ କରନ୍ତି। ପୁଲିସ ସୂଚନା ଅନୁସାରେ, ଗତାକାଲି ରାତି ପ୍ରାୟ ୧୨ଟାରେ ସାବତ ସ୍କୁଟି ଯୋଗେ ରସୁଲଗଡରୁ ଘରକୁ ଫେରୁଥିଲେ। ଲକ୍ଷ୍ମୀସାଗର ଛକ ପୂର୍ବରୁ ତାଙ୍କୁ କିଛି ବୁଲା କୁକୁର ଭୁକିବା ସହ ଗୋଡ଼ାଇଥିଲେ। ସାବତ କୁକୁରଙ୍କ ଦାଉରୁ ରକ୍ଷା ପାଇବା ଲାଗି ଗାଡ଼ିକୁ ଦ୍ରୁତ ଗତିରେ ଚଳାଇଥିଲେ ଏବଂ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଯିବାରୁ ତଳେ ପଡ଼ି ଯାଇଥିଲେ। ଖବର ପାଇ ୧୦୮ ଆମ୍ବୁଲାନ୍ସ ସାବତଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।
ବାପଛେଉଣ୍ଡ ହୋଇଗଲା ୧୭ ମାସର ପୁଅ
ସାବତଙ୍କର ପ୍ରାୟ ଅଢେଇ ବର୍ଷ ତଳେ ବିବାହ ହୋଇଥିଲା। ତାଙ୍କର ଏକ ୧୭ ମାସର ପୁଅ ରହିଛି। ସାବତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକ। ଏଭଳି ଅକାଳ ମୃତ୍ୟୁକୁ ନେଇ ଆଜି କ୍ୟାପିଟାଲ ହସ୍ପିଟାଲରେ ପରିସରରେ ଶୋକର ଛାୟା ଖେଳି ଯାଇଥିଲା। ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ସମୟରେ ପରିବାର ଲୋକ, ସମ୍ପର୍କୀୟ ଓ ଚିହ୍ନା ପରିଚିତ ବ୍ୟକ୍ତି ଉପସ୍ଥିତ ଥିଲେ।
ରାଜଧାନୀରେ ୬୦ ହଜାର କୁକୁର, ଦିନକୁ ୪ରୁ ୫ ଦୁର୍ଘଟଣା
ରାଜଧାନୀରେ ବଢ଼ି ବଢ଼ିଢି ଚାଲିଛି ବୁଲା କୁକୁରଙ୍କ ସଂଖ୍ୟା। ବୁଲା କୁକୁରଙ୍କ ପାଇଁ ଦୁର୍ଘଟଣା ବି ବଢୁଛି। ବିଏମସିରୁ ମିଳିଥିବା ସୂଚନା ଅନୁସାରେ, ରାଜଧାନୀରେ ପ୍ରାୟ ୬୦ ହଜାର ବୁଲା କୁକୁର ଅଛନ୍ତି। ଆନିମଲ ୱେଲଫେୟାର ବୋର୍ଡ ଅଫ୍ ଇଣ୍ଡିଆ ଗାଇଡଲାଇନ୍ ଅନୁସାରେ ସହାରଞ୍ଚଳରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ କୁକୁରଙ୍କ ସଂଖ୍ୟା ୩ ହଜାର ରହିଥାଏ। ମାତ୍ର ରାଜଧାନୀ ଜନସଂଖ୍ୟା ଅନୁସାରେ କୁକୁରଙ୍କ ସଂଖ୍ୟା ୨ ଗୁଣରୁ ବେଶି ବୋଲି କୁହାଯାଉଛି। ଏହି କାରଣଣୁ ରାଜଧାନୀରେ ପ୍ରତିଦିନ କୁକୁରଙ୍କ ପାଇଁ ୪ରୁ ୫ଟି ଦୁର୍ଘଟଣା ଘଟୁଛି। ଯାହା ଚିନ୍ତାଜନକ ରହିଛି। ଛୁଟିଦିନକୁ ବାଦ୍ ଦେଲେ ପ୍ରତିଦିନ ୧୫ରୁ ୨୦ଟି କୁକୁରର ବନ୍ଧ୍ୟାକରଣ କରାଯାଉଛି। ମାସକୁ ପ୍ରାୟ ୨୫୦ରୁ ୩ଶହ କୁକୁରଙ୍କ ବନ୍ଧ୍ୟାକରଣ କରା ଯାଉଥିବା ସୂଚନା ମିଳିଛି। ଏହ‌ା ସତ୍ତ୍ବେ ବୁଲା କୁକୁରଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି।

Share Now:

Kalinga News Beuro

Next Post

ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ କେଳେଙ୍କାରୀ ମ‌ାମଲା : ମିଳୁନି କାଗଜପତ୍ର, ଭଙ୍ଗାହେବ ଆଲମିରା

Mon Feb 22 , 2021
ଭୁବନେଶ୍ବର : ପଳାସପଲ୍ଲୀସ୍ଥିତ ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହି କେନ୍ଦ୍ରର ଆୟବ୍ୟୟ ହିସାବ କଲାବେଳେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ମିଳୁନଥିବା ଦେଖାଯାଇଛି। ଏଣୁ ପରିସରରେ ଥିବା ଆଲମିରା ଓ ଅନ୍ୟାନ୍ୟ ବନ୍ଦ କୋଠରି ଖୋଲାଯାଇ ଏହି ସବୁ କାଗଜପତ୍ର ଜବତ କରାଯିବାକୁ ଯୋଜନା ହୋଇଛି। ଖୁବ୍‌ଶୀଘ୍ର ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଆଲମାରିର ତାଲା ଭଙ୍ଗା […]
ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ କେଳେଙ୍କାରୀ ମ‌ାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial