ଶିମିଳିପାଳ ଜଙ୍ଗଲ ନିଆଁ ପ୍ରସଙ୍ଗ: ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍ ସଦସ୍ୟ

ଶିମିଳିପାଳ ଜଙ୍ଗଲ ନିଆଁ ପ୍ରସଙ୍ଗ

ଭୁବନେଶ୍ବର: ଶିମିଳିପାଳରେ ନିଆଁ ଘଟଣାର ଯାଞ୍ଚ କରିବା ଲାଗି ଆଜି ଭୁବନେଶ୍ବରରେ କେନ୍ଦ୍ରୀୟ ଟିମ୍ ସଦସ୍ୟ ପହଞ୍ଚିଛନ୍ତି। କେନ୍ଦ୍ରୀୟ ଟିମ୍ ସଦସ୍ୟ ତଥା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ନୂଆଦିଲ୍ଲୀର ଆଇଜିଏଫ୍ ଡକ୍ଟର ଅମିତ୍ ମଲିକ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବନ ବିଭାଗ ପକ୍ଷରୁ ସ୍ବାଗତ କରାଯାଇଛି। ଟିମର ଅନ୍ୟ ଜଣେ ସଦସ୍ୟ ସୁବ୍ରତ ମହାପାତ୍ର ଭୁବନେଶ୍ବରରେ ଅଛନ୍ତି। କିନ୍ତୁ ଅନ୍ୟତମ ସଦସ୍ୟା ଆରତି ଚୌଧୁରୀ ଆସୁନଥିବା କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଟିମ ସଦସ୍ୟ ଅମିତ ଓ ସୁବ୍ରତ ଶିମିଳିପାଳ ଗସ୍ତ କରିବେ। ଶିମିଳିପାଳରେ ନିଆଁ କାହିଁକି ଲାଗିଲା, ଏହାର କାରଣ ଓ ନିରାକରଣ ସମ୍ପର୍କରେ ଅନୁଧ୍ୟାନ କରି ଉଭୟେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ। ସୂଚନାଯୋଗ୍ୟ, ଗତକାଲି ବନାଗ୍ନି ସମସ୍ୟାକୁ ନେଇ ରାଜ୍ୟ ବିଜେପିର ୯ଜଣିଆ ସଂସଦୀୟ ପ୍ରତିନିଧିଦଳ କେନ୍ଦ୍ରମନ୍ତ୍ରୀଙ୍କୁ ସେମାନଙ୍କର ଉଦ୍‌ବେଗ ଜଣାଇଥିଲେ। ଟୁଇଟ୍ କରି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟ ସମେତ ବିଭିନ୍ନ ସମ୍ବେଦନଶୀଳ ଜଙ୍ଗଲରେ ନିଆଁକୁ ଆୟତ୍ତ କରିବା ତଥା ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ଦେଇଥିଲୁ। ଓଡିଶାରେ ଜଙ୍ଗଲ ନିଆଁକୁ ଲିଭାଇବା, ଜଙ୍ଗଲ ଜମି ଓ ଉଦ୍ଭିଦସମୂହ କ୍ଷୟକ୍ଷତିର ଆକଳନ କରିବା ତଥା ଜଙ୍ଗଲ ଉପରେ ନିଜର ଜୀବନଜୀବିକା ପାଇଁ ନିର୍ଭର କରୁଥିବା ସମୁଦାୟଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛୁ। ସେହିଭଳି ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତି, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଜଙ୍ଗଲ ବିଭାଗର ପ୍ରତିନିଧି, ପରିବେଶବିତ, ଜଙ୍ଗଲ ସୁରକ୍ଷା ଦେଉଥିବା ଲୋକମାନଙ୍କୁ ନେଇ ଏକ କ୍ଷମତାସଂପନ୍ନ କମିଟି ଗଠନ କରିବା ପାଇଁ ଅନୁରୋଧ କରାଯାଇଥିଲା। ବିଜେପି ସାଂସଦମାନେ ଶିମିଳିପାଳରେ ନିଆଁ ଘଟଣାର ଯାଞ୍ଚ କରିବା ଲାଗି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିଥିଲେ। କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତୁରନ୍ତ ତିନି ଜଣିଆ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍‌ ଗଠନ କରିଥିଲେ ଓ ସେମାନେ ଯେକୌଣସି ମୁହୂର୍ତରେ ଓଡ଼ିଶା ଆସିବେ। ଏହି ଟିମ୍‌ରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ନୂଆଦିଲ୍ଲୀର ଆଇଜିଏଫ୍ ଡ. ଅମିତ ମଲ୍ଲିକ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଭୁବନେଶ୍ବର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ଡିଡିଜି ସୁବ୍ରତ ମହାପାତ୍ର ଏବଂ ଅଗ୍ନି ବିଶେଷଜ୍ଞ ଆରତି ଚୌଧୁରୀ ରହିଛନ୍ତି। ଏମାନେ ନିଆଁ ଲାଗିବା ଘଟଣାର ଆକଳନ କରିବେ ଓ ଶିମିଳିପାଳ ଜଙ୍ଗଲ ସ୍ଥିତିକୁ ସ୍ବତନ୍ତ୍ର ଦୃଷ୍ଟି ଦେବେ। କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କୁ ବୈଷୟିକ ଓ ବିଶେଷଜ୍ଞ ପରାମର୍ଶ ପ୍ରଦାନ କରିବେ। ସ୍ଥିତି ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ଏହି ଟିମ୍ ଓଡ଼ିଶାରେ ରହିବ। ମନ୍ତ୍ରାଳୟର ଅଧିକାରୀମାନଙ୍କ ସହ ବନାଗ୍ନି ସମସ୍ୟା ନେଇ ନିଜେ ସମୀକ୍ଷା କରିବେ ବୋଲି ଟ୍ବିଟ୍ କରି କହିଥିଲେ ମନ୍ତ୍ରୀ ଶ୍ରୀ ଜାଭଡେକର।

Share Now:

Kalinga News Beuro

Next Post

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୬୪ କରୋନା ସଂକ୍ରମିତ ଚିହ୍ନଟ

Fri Mar 12 , 2021
ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୬୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୭ ଜଣ ସ୍ଥାନୀୟ ସଂକ୍ରମିତ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୫୬ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩୩ ଲକ୍ଷ ୫୪ ହଜାର ୮ ଜଣ ଓ […]
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୬୪ କରୋନା ସଂକ୍ରମିତ ଚିହ୍ନଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial