ଜେଲ୍‌ ଗଲେ ଲାଞ୍ଚୁଆ ଇନ୍ସପେକ୍ଟର:ଅଧକୋଟିର ସଂପତ୍ତି ଠାବ

ଅତିଷ୍ଠ ହୋଇ ପଡ଼ିଥିଲେ ସ୍ଥାନୀୟ ବାସିନ୍ଦା, କୋର୍ଟରେ ଉତ୍ତେଜନା

ଭୁବନେଶ୍ୱର: ୫୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିବା ଜଟଣୀ ଥାନା ଇନ୍ସପେକ୍ଟର ସଂଜୀବ ମହାନ୍ତିଙ୍କୁ ଆଜି ଭିଜିଲାନ୍ସ ସ୍ୱତନ୍ତ୍ର ସେଲ୍‌ ଭୁବନେଶ୍ୱର କୋର୍ଟରେ ହାଜର କରାଇଥିଲା। କୋର୍ଟ ତାଙ୍କ ଜାମିନ୍‌ ଆବେଦନକୁ ଖାରଜ କରି ୧୪ ଦିନ ପାଇଁ ଜେଲ ହାଜତକୁ ପଠାଇ ଦେଇଛନ୍ତି। ତେବେ କୋର୍ଟରେ ହାଜର ହେବା ପରେ ଆଇନଜୀବୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଇନଜୀବୀମାନେ ଇନ୍ସପେକ୍ଟର ଶ୍ରୀ ମହାନ୍ତିଙ୍କୁ ତୀବ୍ର ବିରୋଧ କରିବା ସହ ଘେରି ଯାଇ ଗାଳିଗୁଲଜ କରିଥିଲେ। ଏପରିକି କେତେକ ଆଇନଜୀବୀ ଇନ୍ସପେକ୍ଟର୍‌ ଶ୍ରୀ ମହାନ୍ତିଙ୍କୁ ମାଡ଼ ମାରିବାକୁ ଉଦ୍ୟମ ମଧ୍ୟ କରିଥିଲେ। ଆଇନଜୀବୀମାନେ ଅଭିଯୋଗ କରିଥିଲେ, ଇନ୍ସପେକ୍ଟର ଶ୍ରୀ ମହାନ୍ତି ମାମଲା ରୁଜୁ କରିବାକୁ ସେମାନଙ୍କୁ ମଧ୍ୟ ଲାଞ୍ଚ ମାଗନ୍ତି। ତେବେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ କୋର୍ଟରୁ ଜେଲ୍‌ ପଠାଇ ଦିଆଯାଇଥିଲା। ଅପରପକ୍ଷେ ଭିଜିଲାନ୍ସ ଶ୍ରୀ ମହାନ୍ତିଙ୍କ ଅଧାକୋଟି ଟଙ୍କାର ସଂପତ୍ତି ଠାବ କରିଥିବା ଜଣାଯାଇଛି। ପୁଲିସ କମିସନର୍‌ ସତ୍ୟଜିତ୍‌ ମହାନ୍ତି କହିଛନ୍ତି, ଲାଞ୍ଚୁଆ ଅଫିସର୍‌ମାନେ ସତର୍କ ହେବାର ସମୟ ଆସିଛି। ଯେଉଁମାନେ ଲାଞ୍ଚ ମାଗୁଛନ୍ତି, ସେମାନଙ୍କ ବିରୋଧରେ ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବି ଥିଲେ ବଦନାମ
ଇନ୍ସପେକ୍ଟର ଶ୍ରୀ ମହାନ୍ତି ଜଟଣୀରେ ଯୋଗ ଦେବା ପୂର୍ବରୁ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ମଧ୍ୟ ଇନ୍ସପେକ୍ଟର ଥିଲେ। କେନ୍ଦ୍ରାପଡ଼ାରେ ଥିବା ବେଳେ ଗ୍ୟାଙ୍ଗଷ୍ଟର ଟିଟୋକୁ ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହେଉଥିଲା। ସେହିପରି ଜଗତସିଂହପୁରରେ ମଧ୍ୟ ଜଣେ ଆଇନଜୀବୀଙ୍କୁ ମିଥ୍ୟା ଅଭିଯୋଗରେ ଥାନାରେ ଅଟକ ରଖି ବିବାଦୀୟ ହୋଇ ପଡ଼ିଥିଲେ। କମିସନରେଟ ପୁଲିସରେ ଯୋଗ ଦେବା ପରେ ତାଙ୍କ ବିରୋଧରେ ପୁଳାପୁଳା ଅଭିଯୋଗ ହେଉଥିଲା। ସେ ସାଧାରଣ ଲୋକଙ୍କ ଅଭିଯୋଗକୁ ଆଦୌ ଗୁରୁତ୍ୱ ଦେଉନଥିଲେ। ଯେଉଁଥି ପାଇଁ ସ୍ଥାନୀୟ ଲୋକ ଇନ୍ସପେକ୍ଟରଙ୍କ ଉପରେ ଖପ୍ପା ଥିଲେ।

ରୁଜୁ ହେବ ଆୟ ବହିର୍ଭୂତ ମାମଲା
ଇନ୍ସପେକ୍ଟର ସଂଜୀବ ମହାନ୍ତିଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଆଉ ଏକ ମାମଲା ରୁଜୁ କରାଯିବ। ଗତକାଲି ଇନ୍ସପେକ୍ଟର ଶ୍ରୀ ମହାନ୍ତି ଗିରଫ ହେବା ପରେ ଭିଜିଲାନ୍ସ ଏକକାଳୀନ ଇନ୍ସପେକ୍ଟରଙ୍କ ପୈତୃକ ଘର ଢେଙ୍କାନାଳ, ଜଟଣୀ ସରକାରୀ କ୍ୱାଟର୍ସ ଓ ଜଟଣୀ ଥାନା ଚାମ୍ବର ଯାଞ୍ଚ କରିଥିଲା। ଏହି ସମୟରେ ତାଙ୍କ କ୍ୱାଟର୍ସରୁ ନଗଦ ୭ଲକ୍ଷ ଟଙ୍କା, ବହୁ ପରିମାଣର ସୁନାଗହଣା ଆଦି ଠାବ ହୋଇଥିଲା। ୮ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୬ ଲକ୍ଷ ଟଙ୍କାର ଆସବାବପତ୍ର, ସାଢ଼େ ୬ ଲକ୍ଷ ଟଙ୍କାର ସୁନାଗହଣା, ଜଟଣୀରେ ୨ଟି ଜମି ଓ ଢେଙ୍କାନାଳରେ ଗୋଟିଏ ଜମି ରହିଥିବା ଜଣାଯାଇଛି। ଏହା ଛଡ଼ା ଗାଁରେ ତାଙ୍କର ଦୁଇ ମହଲା ଘର, ଭୁବନେଶ୍ୱରରେ ୨ଟି ଜମି ଥିବା ଜଣାପଡ଼ିଛି। ତେଣୁ ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି।

କମିସନ୍‌ରେଟ୍‌ ପୁଲିସ ପାଇଁ ନୂଆ ନୁହେଁ
ଲାଞ୍ଚ ନେଇ କମିସନ୍‌ରେଟ୍‌ ପୁଲିସର ଜଣେ ଇନ୍ସପେକ୍ଟର ନୂଆ ନୁହେଁ। ଏହା ପୂର୍ବରୁ ୨୦୧୫ ମେ’ ୨୩ ତାରିଖରେ ଧଉଳି ଥାନା ଇନ୍ସପେକ୍ଟର ଦେବୀପ୍ରସାଦ ଦାସ ମଧ୍ୟ ଲାଞ୍ଚ ନେଇ ଗିରଫ ହୋଇଥିଲେ। ସେହିପରି ପୂର୍ବରୁ ଜଟଣୀ ଥାନା ଏସ୍‌ଆଇ ରାକେଶ ସାମନ୍ତରାୟ ଓ ପରେ ନବ କିଶୋର ମହାପାତ୍ରଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଥିଲା। ଏହାର କିଛି ଦିନ ପୂର୍ବରୁ ନନ୍ଦନକାନନ ଥାନା ଏଏସ୍‌ଆଇ ଅମିନ୍‌ ଖାନ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ବଡ଼ କଥା ହେଉଛି, କମିସନରେଟ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଜଣେ ଏସ୍‌ଆଇ ତତ୍କାଳୀନ ପୁଲିସ କମିସନରଙ୍କୁ ଭେଟାଇ ଦେବାକୁ କହି ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଥିଲେ। ଏହି ସବୁ ଘଟଣା କମିସନ୍‌ରେଟ୍‌ ପୁଲିସର ଚେହେରାକୁ ମଳିନ କରିଛି।

ଜେଲ୍‌ରେ ଚର୍ଚା ସୁଡ଼ଙ୍ଗ ଗ୍ୟାଙ୍ଗ୍‌ ସହ ଭେଟ
କିଛି ଦିନ ତଳେ ଜଟଣୀ ଥାନା ପୁଲିସ ଏକ ସୁଡ଼ଙ୍ଗ ଗ୍ୟାଙ୍ଗ୍‌ର ୪ ଜଣ ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏବେ ସେହି ଗ୍ୟାଙ୍ଗ ସଦସ୍ୟମାନେ ଝାରପଡ଼ା ଜେଲରେ। ଇନ୍ସପେକ୍ଟର ଶ୍ରୀ ମହାନ୍ତି ମଧ୍ୟ ଗିରଫ ହୋଇ ଏବେ ଝାରପଡ଼ା ଜେଲରେ। ଉଭୟ ପୁଲିସ ଓ ଚୋର ମୁହାଁମୁହିଁ ଭେଟ ହେବା ଘଟଣାକୁ ନେଇ ଜେଲ୍‌ ଭିତରେ ଚର୍ଚ୍ଚା ଜୋର୍‌ ଧରିଛି।

କିଏ ହେବ ପରବର୍ତ୍ତୀ ଇନ୍ସପେକ୍ଟର ?
ଇନ୍ସପେକ୍ଟର ସଂଜୀବ ମହାନ୍ତି ଗିରଫ ହେବା ପରେ ତାଙ୍କୁ ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି ନିଲମ୍ବିତ କରିଛନ୍ତି। ଏବେ ଜଟଣୀ ଇନ୍ସପେକ୍ଟର ପଦବି ଖାଲି। ଦାୟିତ୍ୱରେ ସ୍ଥାନୀୟ ଏସିପି। ଜଟଣୀ ଏକ ସମ୍ବେଦନଶୀଳ ଓ ଅପରାଧପ୍ରବଣ ଅଞ୍ଚଳ। ଡ୍ରଗସ ଓ ଗଞ୍ଜେଇ ଭଳି ନିଶା କାରବାର, ଚୋରା ମୋରମ ଚାଲାଣ, ଗୋଚାଲାଣ ଓ ଚୋରି ଘଟଣା ଥାନା ଅଞ୍ଚଳରେ ବଢ଼ି ବଢ଼ି ଚାଲିଛି। ଆଗକୁ ଗଣେଶ ପୂଜା। ଏହି ସମୟରେ ଜଟଣୀରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି। ତେଣୁ ଖୁବ୍‌ ଶୀଘ୍ର ଜଣେ ଦକ୍ଷ, ଅଭିଜ୍ଞ, ସାହସୀ ଇନ୍ସପେକ୍ଟରଙ୍କୁ ଆବଶ୍ୟକ କରୁଛନ୍ତି ଜଟଣୀବାସୀ। ଏଥିପାଇଁ ଚନ୍ଦ୍ରଶେଖରପୁର ଥାନା ଇନ୍ସପେକ୍ଟର ଦୀପକ ମିଶ୍ର, ଖଣ୍ଡଗିରି ଥାନା ଇନ୍ସପେକ୍ଟର ହିମାଂଶୁ ସ୍ୱାଇଁ, ମଞ୍ଚେଶ୍ୱର ଥାନା ଇନ୍ସପେକ୍ଟର କେପି ମିଶ୍ର କିମ୍ବା ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଦୟା ନାୟକଙ୍କୁ ଜଟଣୀ ଥାନା ଇନ୍ସପେକ୍ଟର ଭାବେ ଅବସ୍ଥାପିତ କରାଯାଇପାରେ ବୋଲି ପୁଲିସ ମହଲରେ ଚର୍ଚା ହେଉଛି।

Share Now:

Kalinga News Beuro

Leave a Reply

Next Post

ୟୁଜିସି ଅନୁଦାନ ଖର୍ଚ୍ଚ କରିପାରୁନି ଉତ୍କଳ ବିଶ୍ୱବିଦ୍ୟାଳୟ

Wed Sep 5 , 2018
୧୬୨ ବିଶ୍ୱବିଦ୍ୟାଳୟ ମଧ୍ୟରେ ତଳଆଡ଼ୁ ଦ୍ୱିତୀୟ, ଦ୍ୱାଦଶ ପଞ୍ଚବାର୍ଷିକରେ ଖର୍ଚ୍ଚ ହୋଇଛି ମାତ୍ର ୬% ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅନୁଦାନ ଅର୍ଥ ଖର୍ଚ୍ଚ କରିପାରୁନି ଉତ୍କଳ ବିଶ୍ୱବିଦ୍ୟାଳୟ। ଦ୍ୱାଦଶ ପାଞ୍ଚ ବାର୍ଷିକ ଯୋଜନାରେ ମିଳିଥିବା ଟଙ୍କା ଖର୍ଚ୍ଚ କରିବାରେ ଉତ୍କଳ ଦେଶର ଅନ୍ୟ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ତୁଳନାରେ ବହୁ ପଛରେ ପଡ଼ିଛି। ଦେଶର ୧୬୨ଟି ରାଜ୍ୟ ବିଶ୍ୱବିଦ୍ୟାଳୟକୁ ନେଇ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଉତ୍କଳ ବିଶ୍ୱବିଦ୍ୟାଳୟ ତଳ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial