ଶବ ପୋଡ଼ିବାକୁ ହୀନସ୍ତା ପଳାସୁଣି ଗ୍ରାମବାସୀ: ମଶାଣି ଭୂଇଁ‌‌ରେ ବସ୍ତି

ଶବ ପୋଡ଼ିବାକୁ ହୀନସ୍ତା ପଳାସୁଣି ଗ୍ରାମବାସୀ

‘ଅନ୍ୟତ୍ର ଜାଗା ନଦେଲେ ପୁରୁଣା ଜାଗାରେ ଶବ ପୋଡ଼ିବୁ’-ଗ୍ରାମବାସୀ

ଭୁବନେଶ୍ବର: ଶହ ଶହ ବର୍ଷ ଧରି ବାପ, ଅଜା ଅମଳରୁ ଯେଉଁ ଜମିରେ ଶବ ସତ୍କାର ହୋଇଆସୁଥିଲା, ସହରର ବିକାଶ ପାଇଁ ଜନସ୍ବାସ୍ଥ୍ୟ ବିଭାଗ ସେହି ଜମିକୁ ନେଇଗଲା। କିନ୍ତୁ ତା’ ବଦଳରେ ଯେଉଁ ଜମି ଦେଲା, ସେଠାରେ ପାଖାପାଖି ୨ହଜାର ଲୋକ ବସବାସ କରୁଥିବା ବସ୍ତି ଗଢ଼ି ଉଠିଛି। ତେଣୁ ଗାଁରେ କାହାର ମୃତ୍ୟୁ ହେଲେ ଗ୍ରାମବାସୀଙ୍କୁ ବାଧ୍ୟ ହୋଇ ସତ୍ୟନଗର ମଶାଣି ନଚେତ୍‌ ପୁରୀ ସ୍ବର୍ଗଦ୍ବାର ଉପରେ ନିର୍ଭର କରି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଏହି ସମସ୍ୟା ନେଇ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ନେତା, ମନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇଥିଲେ ହେଁ କେହି ଶୁଣୁନାହାନ୍ତି। ଏଇଥରକ ମଶାଣି ଜମିର ସମାଧାନ କରିଦେବେ ବୋଲି ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇ ନେତା, ମନ୍ତ୍ରୀ ଗ୍ରାମବାସୀଙ୍କଠାରୁ ଭୋଟ୍‌ ଭିକ୍ଷା କରିଥାଆନ୍ତି। କିନ୍ତୁ ନିର୍ବାଚନ ସରିବା ପରେ ସବୁ ଭୁଲି ଯାଆନ୍ତି। ଫଳରେ ଖଣ୍ଡେ ମଶାଣି ଜମି ପାଇଁ ଏମିତି ଦୀର୍ଘ ୪୦ ବର୍ଷ ହେଲା ପ୍ରଶାସନ ଓ ସରକାର ସହ ଲଢ଼େଇ କରୁଛନ୍ତି ପଳାସୁଣି ଗ୍ରାମବାସୀ। ଗ୍ରାମବାସୀଙ୍କ କହିବା କଥା, ୧୯୮୧ ମସିହାରେ ପାନୀୟ ଜଳ ପ୍ରକଳ୍ପ ପାଇଁ ଜନସ୍ବାସ୍ଥ୍ୟ ବିଭାଗ ଗାଁର ୪୪୦ ଡେସିମିଲ୍‌ ମଶାଣି ଜମି (ଖାତା ନମ୍ବର ୧୩୫୨, ପ୍ଲଟ ନମ୍ବର ୮୧୮)କୁ ନେଇ ଯାଇଥିଲା। ସେତେବେଳେ ଏ ସଂପର୍କରେ ଗ୍ରାମବାସୀଙ୍କୁ ବିଭାଗ ଜଣାଇନଥିଲା। ପରବର୍ତ୍ତୀ ସମୟରେ ଶବପୋଡ଼ାକୁ ନେଇ ବିବାଦ ଉପୁଜିବାରୁ ସବୁ କଥା ପଦାକୁ ଆସିଥିଲା। ଗ୍ରାମବାସୀ ଏହାର ପ୍ରତିବାଦ କରି ତହସିଲ୍ କାର୍ଯ୍ୟାଳୟକୁ ଚିଠି ଲେଖିବାରୁ ଗ୍ରାମବାସୀଙ୍କୁ (ଖାତା ନମ୍ବର ୧୩୫୨, ପ୍ଲଟ ନମ୍ବର ୬୬୧ରେ) ୪୪୦ ଡେସିମିଲ୍‌ର ଶ୍ମଶାନ ଜମି ଦିଆଯାଇଛି ବୋଲି ଉତ୍ତର ମିଳିଥିଲା। କିନ୍ତୁ ଉକ୍ତ ଜମିକୁ ଚିହ୍ନଟ କରି ହସ୍ତାନ୍ତର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଦୀର୍ଘ ଦିନ ଧରି ଗ୍ରାମବାସୀଙ୍କ ସହ ଖେଳିଲା। ଜମି ଚିହ୍ନଟ ପାଇଁ ଧାର୍ଯ୍ୟ ଦିନରେ ୩ ପକ୍ଷ(ତହସିଲ, ସାଧାରଣ ପ୍ରଶାସନ ବିଭାଗ ଓ ଗ୍ରାମବାସୀ)ଙ୍କ ଏକାଠି ମେଳ ନ ହେବାରୁ ଦିନ ଗଡ଼ି ଚାଲିଲା। ତେବେ ସ୍ଥାନୀୟ ବିଧାୟକ ଏଥିରେ ହସ୍ତକ୍ଷେପ କରିବାରୁ ଶେଷରେ ଗତ ୨୪ ମାର୍ଚ୍ଚରେ ଉକ୍ତ ଜାଗା ଚିହ୍ନଟ ହୋଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଗ୍ରାମବାସୀଙ୍କ ଶଶ୍ମାନ ପାଇଁ ଯେଉଁ ଜମିଟି ଚିହ୍ନଟ ହୋଇଛି, ସେଠାରେ ଏବେ ପାଖାପାଖି ୨ ହଜାର ଲୋକ ବସବାସ କରୁଥିବା ମୁଣ୍ଡାସାହି ବସ୍ତି ଗଢ଼ି ଉଠିଛି। ତେଣୁ ଏହାକୁ ନେଇ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଏ ସଂପର୍କରେ ପଳାସୁଣୀ ଗ୍ରାମ୍ୟ ବିକାଶ କମିଟିର ସଭାପତି କୈଳାସ ଚନ୍ଦ୍ର ଲେଙ୍କା, ଉପସଭାପତି ରମେଶ ସାହୁ, ସମ୍ପାଦକ ଭରତ ଚନ୍ଦ୍ର ସାହୁ ପ୍ରମୁଖ କହିଛନ୍ତି ଯେ, ଉକ୍ତ ସ୍ଥାନ ଶ୍ମାଶାନ ପାଇଁ ଆଦୌ ଉପଯୋଗୀ ନୁହେଁ। ସେଠାରେ ବସ୍ତି ଗଢ଼ି ଉଠିଛି। ଏହାସହ ଗାଁଠାରୁ ଦୂରତା ଅଧିକ ହେଉଛି। ସରୁ ଅଣଓସାରିଆ ରାସ୍ତା ସେଠାରେ ଥିବାରୁ ଗ୍ରାମବାସୀ ଯାତାୟାତରେ ଅସୁବିଧା ଭୋଗିବେ। ତେଣୁ ପ୍ରଶାସନ ପକ୍ଷରୁ ଅନ୍ୟତ୍ର ଜମି ଦିଆଯାଉ। ଏପରି କରାନଗଲେ ଗ୍ରାମବାସୀମାନେ ପୂର୍ବର ଶ୍ମଶାନ ଥିବା ସ୍ଥାନକୁ ଅକ୍ତିଆର କରିବାକୁ ବାଧ୍ୟ ହେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏହାକୁ ନେଇ ସାଧାରଣ ପ୍ରଶାସନ ଓ ଜନସ୍ବାସ୍ଥ୍ୟ ବିଭାଗ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଏ ସଂପର୍କରେ ୱାଟ୍‌କୋର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସ୍ବାଇଁଙ୍କୁ ପଚାରିବାରୁ ସେ କହିଛନ୍ତି, ଏହାର ସାମାଧାନ ଆମେ କରିପାରିବୁ ନାହିଁ। ଏହା ସାଧାରଣ ପ୍ରଶାସନ ବିଭାଗର ଦାୟିତ୍ବ, ତେଣୁ ସେମାନେ କରନ୍ତୁ। ତେବେ ଦୁଇ ବିଭାଗ ମଧ୍ୟରେ ଟଣାଓଟରା ମଧ୍ୟରେ ପଳାସୁଣୀ ଗ୍ରାମବାସୀ ଏବେ ଶବ ପୋଡ଼ିବା ପାଇଁ ହନ୍ତସନ୍ତ ହେଉଛନ୍ତି। ତେବେ ଏ ସଂପର୍କରେ ସାଧାରଣ ପ୍ରଶାସନ ବିଭାଗର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପକ୍ଷରେ ଚିହ୍ନଟ ହୋଇଥିବା ଜମିରେ ଯେହେତୁ ବସ୍ତି ଗଢ଼ି ଉଠିଛି, ତାହାକୁ ଉଚ୍ଛେଦ କରିବା ଦାୟିତ୍ବ ବିଏମ୍‌ସିର। କିନ୍ତୁ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ବିଏମ୍‌ସି ଏପର୍ଯ୍ୟନ୍ତ ମୁଣ୍ଡ ଖେଳାଉ ନାହିଁ। ଏ ସଂପର୍କରେ ବିଏମ୍‌ସିର ଡେପୁଟି କମିସନର୍‌(ଉତ୍ତର ଜୋନ୍‌)ଙ୍କ ସହ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ସେ କୌଣସି ଉତ୍ତର ଦେଇନଥିଲେ।

Share Now:

Kalinga News Beuro

Next Post

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ: ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୩୪ ସଂକ୍ରମିତ

Fri Apr 16 , 2021
ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ତିନି ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ୩୧୦୮ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୧୮୦୬ ଓ ସ୍ଥାନୀୟ ଅଞ୍ଚଳରୁ ୧୩୦୨ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୩୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୨୩ଜଣ ସଂକ୍ରମିତ […]
ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ୧୭ ଲକ୍ଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial