ଶ୍ରମିକଙ୍କୁ ଟ୍ରେନରେ ଅଧାବାଟରୁ ଓହ୍ଲାଇ ଦିଆଗଲା : ୮୦୦ କି.ମି. ଚାଲି ଘରକୁ ବାହାରିଛନ୍ତି ୧୦ ପ୍ରବାସୀ

୮୦୦ କି.ମି. ଚାଲି ଘରକୁ ବାହାରିଛନ୍ତି ୧୦ ପ୍ରବାସୀ

ଅନ୍ତଃରାଜ୍ୟ ବସ୍‌ ସେବା ବନ୍ଦ ଯୋଗୁଁ ହଟହଟା

ଭୁବନେଶ୍ବର : ୨୦୨୦ ମସିହା ଲକ୍‌ଡାଉନ୍‌ ସମୟରେ ଭୋକଶୋଷରେ ପ୍ରବାସୀ ଶ୍ରମିକମାନେ ହଜାର ହଜାର କିଲୋମିଟର ଚାଲିବା ଅନେକଙ୍କୁ ଦେଶ ବିଭାଜନ ସମୟର ଦୁର୍ଦ୍ଦଶା ମନେ ପକାଇ ଦେଇଥିଲା। ଚଳିତ ବର୍ଷ ପୁଣି ସେହି ପରିସ୍ଥିତି ସୃଷ୍ଟିର ଆଶଙ୍କା ସୃଷ୍ଟି ହେଲାଣି। ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ ଯୋଗୁଁ ଜଣେ ମହିଳାଙ୍କ ସମେତ ୧୦ ବଙ୍ଗାଳୀ ପ୍ରବାସୀ ଶ୍ରମିକ ଭୁବନେଶ୍ବରରୁ ଚାଲିଚାଲି ୮୦୦ କିଲୋମିଟର ଦୂର ମାଲଦା ଆଡ଼କୁ ବାହାରିଛନ୍ତି। ସେମାନେ ଟ୍ରେନରେ ଟିକେଟ କରିଥିଲେ ମଧ୍ୟ ଅଧାବାଟରୁ ସେମାନଙ୍କୁ ଓହ୍ଲାଇ ଦିଆଯିବାରୁ ବାଧ୍ୟ ହୋଇ ଚାଲିଚାଲି ଘରକୁ ଫେରିବାକୁ ସ୍ଥିର କରିଥିବା କହିଛନ୍ତି। ହାଇଦ୍ରାବାଦରୁ ଭୁବନେଶ୍ବର ଦେଇ ମାଲ୍‌ଦା ଆଡ଼କୁ ଚାଲିକି ଯାଉଥିବା ଏହି ୧୦ ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ରାଜକୁମାର ହେମରମ(୨୯)ଙ୍କ କହିବା ଅନୁଯାୟୀ ହାଇଦ୍ରାବାଦରେ ସେ ମିସ୍ତ୍ରି କାର୍ଯ୍ୟ କରନ୍ତି। ଆସନ୍ତା ୨୫ ତାରିଖ ତାଙ୍କ ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ଏଥିପାଇଁ ସେମାନେ ହାଓ୍ବଡ଼ା ଟ୍ରେନରେ ଟିକେଟ କରିଥିଲେ। କିନ୍ତୁ ଓ୍ବେଟିଂରେ ରହିବାରୁ ଅଧା ବାଟରେ ଟ୍ରେନରୁ ଓହ୍ଲାଇ ଦିଆଗଲା। ସ୍ଥିତି ଏଭଳି ହେଲା ଯେ ସେମାନେ ଆଗକୁ ତ ଯାଇପାରିଲେ ନାହିଁ, ପଛକୁ ଫେରିବା ଭଳି ଅବସ୍ଥା ବି ନ ଥିଲା। ତେଣୁ ବାଧ୍ୟ ହୋଇ ୨୫ ହଜାର ଟଙ୍କା ଦେଇ ସମସ୍ତେ ଘରୋଇ ବସ୍‌ରେ ଟିକେଟ କଲେ। ବସ୍‌ଟି ସେମାନଙ୍କୁ ଭୁବନେଶ୍ବର ପର୍ଯ୍ୟନ୍ତ ଆଣି ଛାଡ଼ିଦେଲା। ଆଶା ଥିଲା, ଏଠାରୁ ଆଉ ଏକ ବସ୍‌ରେ କୋଲକାତା ଯିବେ। ଏଥିପାଇଁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଅନେକ ସମୟ ଅପେକ୍ଷା କରି ରହିଲେ। କିନ୍ତୁ ବସ୍‌ ଚଳାଚଳ ବନ୍ଦ ଥିବା ଜାଣିବା ପରେ ସେମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା। ତେଣୁ ବାଧ୍ୟ ହୋଇ ଭୁବନେଶ୍ବରରୁ କଟକ ଦେଇ ସେମାନେ ମାଲଦା ଆଡ଼କୁ ବାହାରିଥିବା କହିଛନ୍ତି। ଏହି ଦଳରେ ଜଣେ ୩୫ ବର୍ଷୀୟା ମହିଳାଙ୍କ ସମେତ ୨୯ ରୁ ୫୧ ବର୍ଷୀୟ ୯ ଜଣ ପୁରୁଷ ଅଛନ୍ତି। ଏମାନଙ୍କ ଆଉ ଏକ ସମସ୍ୟା ହେଲା, ସେମାନେ ଯେତେ ଟଙ୍କା ଧରି ଆସିଥିଲେ, ଅଧିକାଂଶ ଟଙ୍କା ବସ୍‌ ଯାତ୍ରାରେ ଖର୍ଚ୍ଚ ହୋଇଯାଇଛି। ଭୋକରେ କିଭଳି ଯିବେ, କେମିତି ପହଞ୍ଚିବେ, ଏହାକୁ ନେଇ ସେମାନଙ୍କ ପାଖରେ ଭାଷା ନାହିଁ। କିନ୍ତୁ ଯେମିତି ହେଲେ ଗାଁରେ ପହଞ୍ଚିଯିବୁ ବୋଲି କହିଛନ୍ତି ସମସ୍ତେ।
ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ୧୫୦ଟି ବସ୍‌ ପଶ୍ଚିମବଙ୍ଗ, ଝାରଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ବିହାର, ମଧ୍ୟପ୍ରଦେଶକୁ ଯାଇଥାଏ। ଏଥିରୁ ପ୍ରାୟ ୨୦ଟି ବସ୍‌ ଭୁବନେଶ୍ବରରୁ କୋଲକାତା ଯାତାୟାତ କରେ। ପ୍ରତ୍ୟେକ ବସ୍‌ରେ ପ୍ରାୟ ୪୦/୫୦ ଯାତ୍ରୀ ଯାଇଥାଆନ୍ତି। ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ ନ କରି ସରକାରଙ୍କ ପକ୍ଷରୁ ଅଚାନକ ଅନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ କରି ଦିଆଯାଇଛି। ଏଭଳି ସ୍ଥିତିରେ କେବଳ ଏହି ୧୦ ପ୍ରବାସୀ ଶ୍ରମିକ ନୁହଁନ୍ତି; ଆହୁରି କେତେ ଯେ ଯାତ୍ରୀ ଏଭଳି ଜଟିଳ ସ୍ଥିତିର ସମୁଖୀନ ହେଉଥିବେ ତାହା ଅନୁମାନ କରାଯାଇପାରେ।

Share Now:

Kalinga News Beuro

Next Post

ପୁଣି ରାଜ୍ୟରେ ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ : ଗତ ୨୪ ଘଣ୍ଟାରେ ୪୮୫୧ କରୋନା ପଜିଟିଭ ଚିହ୍ନଟ

Wed Apr 21 , 2021
ଭୁବନେଶ୍ୱର: ପୁଣି ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନାର ଦୈନିକ ସଂକ୍ରମଣ। ଗୋଟିଏ ଦିନରେ ୪ ହଜାର ୮୫୧ ନୂଆ ମାମଲା ଚିହ୍ନଟ ହୋଇଛି। ଏହା ପୂର୍ବବର୍ତ୍ତୀ ୨୪ ଘଣ୍ଟାରେ ୪ ହଜାର ୭୬୧ ନୂଆ ମାମଲା ସାମ୍ନାକୁ ଆସିଥିଲା। ଯାହା ଗତ ସେପ୍ଟେମ୍ବରରେ ଦେଖାଦେଇଥିବା କରୋନାର ସର୍ବାଧିକ ସଂକ୍ରମଣକୁ ଟପି ଯାଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୪୮୫୧ ଜଣ ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରୁ ସ୍ଥାନୀୟ ମାମଲା […]
ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial