ଲେକ୍‌-ଜୋନ୍ ଭାଗ୍ୟ ଫିଟିବ: ୩୮ଏକର ଅଞ୍ଚଳର ଉନ୍ନତୀକରଣ ହେବ

ଲେକ୍‌-ଜୋନ୍ ଭାଗ୍ୟ ଫିଟିବ

ଦୁଇ ବର୍ଷରେ ଖର୍ଚ୍ଚ ହେବ ୩୩.୮୫କୋଟି, ୪ବର୍ଷ ପରେ ପୁଣି ହେଲା ଟେଣ୍ଡର

ଭୁବନେଶ୍ବର : ମୁଖ୍ୟ ଡ୍ରେନ୍‌-୧୦ ଓ ଏହା ନିକଟବର୍ତ୍ତୀ ୩୮ଏକର ଜମିରେ ନିର୍ମାଣ ହେବାକୁ ଥିବା ଲେକ୍‌ ଜୋନ୍‌-୩ ପ୍ରକଳ୍ପ ପାଇଁ ବାଟ ଫିଟିଛି। ଦୀର୍ଘ ୪ ବର୍ଷ ପରେ ପୁଣି ଏଥିପାଇଁ ଟେଣ୍ଡର୍‌ ହୋଇଛି। ଆସନ୍ତା ଜୁନ୍‌ ୭ରେ ଏହାର ଟେଣ୍ଡର୍‌ ଖୋଲା ଯିବାକୁ ଥିବା ବେଳେ ୨୪ ମାସରେ କାମ ଶେଷ କରିବାକୁ ଟାର୍ଗେଟ୍‌ ରଖାଯାଇଛି। ଏଥିପାଇଁ ୩୩ କୋଟି ୮୫ ଲକ୍ଷ ଖର୍ଚ୍ଚ ଅଟକଳ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ମୁଖ୍ୟ ‌ଡ୍ରେନ୍-୧୦ ଓ ଏହା ନିକଟବର୍ତ୍ତୀ ଅଞ୍ଚଳକୁ ନେଇ ଲେକ୍‌ ଜୋନ୍‌ ନିର୍ମାଣ ହେଉଛି। ଲେକ୍‌ ଜୋନ୍‌-୧ରେ ବିଡିଏ ସିଟି ସେଣ୍ଟର ଅଛି। ଏଠାରେ ୨୪ ଏକର ଅଛି। ଏହାପରେ ନିକୋପାର୍କ ଛକରୁ ଆଇଡିବିଆଇ ଛକ ମଧ୍ୟରେ ପ୍ରାୟ ୬୩ ଏକର ଜମି ଥିବା ବେଳେ ୨୫ ଏକର ଲେକ୍‌ ଜୋନ୍‌-୨ରେ ଯାଉଛି। ବାକି ୩୮ଏକର ଆଇଡିବିଆଇ ଛକ ନିକଟବର୍ତ୍ତୀ ଅଞ୍ଚଳ ଲେକ୍‌ ଜୋନ୍‌-୩ ଭାବେ ଉନ୍ନତୀକରଣ ହେବ।
ସ୍ମାର୍ଟ ଜନପଥ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ‌ଏବେ ଲେକ୍‌ ଜୋନ୍‌-୩କୁ ଅଗ୍ରାଧିକାର ଦିଆଯାଇଛି। ୨୦୧୭ ମସିହାରେ ଏହି ଲୋକ୍‌ ଜୋନ୍‌-୩ ପାଇଁ ଟେଣ୍ଡର୍‌ ଡକାଯାଇଥିବା ବେଳେ ୬୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଥିଲା। କିନ୍ତୁ ଏବେ ଏହା ପ୍ରାୟ ଅଧା ହୋଇଯାଇଛି। ପ୍ରାୟ ୫/୬ଥର ଡିଜାଇନ୍ ବଦଳିବା ପରେ ଏବେ ଡିଜାଇନ୍ ଚୂଡ଼ାନ୍ତ ‌ହୋଇଛି। ଏବେ ଡକାଯାଇଥିବା ଟେଣ୍ଡର୍‌ରେ ପାଣି ବିଶୋଧନ କରିବା ସହ ଏହାର ଦୁଇକଡ଼ରେ ରାସ୍ତା ନିର୍ମାଣ କରାଯିବ। ଏଠାରେ ବାଇକ୍, ସାଇକେଲ୍‌ ଚଳାଇବାଠାରୁ ଆରମ୍ଭ କରି ଚାଲିବା ପାଇଁ ସ୍ବତନ୍ତ୍ର ଟ୍ରାକ୍ ରହିବ। ବିଭିନ୍ନ ପ୍ରକାରର ଲ୍ୟାଣ୍ଡସ୍କେପ୍, ଷ୍ଟ୍ରିଟସ୍କେପ୍‌ ରହିବ। ବିଏସ୍‌ସିଏଲ୍‌ର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଆଗ ଲେକ୍‌-ଜୋନ୍ ୩ କାମ ହେବ। ତା’ ପରେ ଲେକ୍‌ ଜୋନ୍‌-୧ ଓ ଲେକ୍‌ ଜୋନ୍-୨ କାମ ହେବ। ଲେକ୍‌ ନିଉଟ୍ରାଲିଟି ପ୍ରକଳ୍ପରେ ମୁଖ୍ୟ ଡ୍ରେନ୍-୧୦ର ଉନ୍ନତୀକରଣ ହେଉଥିବା ବେଳେ ଏବେ ଅଧିକ ସମସ୍ୟା ଥିବା ଅଞ୍ଚଳର କାମ ହେବ। ୪ବର୍ଷ ତଳେ ଏହାର ଡିଜାଇନ୍ ପ୍ରସ୍ତୁତ ହେବା ସହ ଟେଣ୍ଡର୍‌ ହୋଇଥିଲା। କିନ୍ତୁ ଜମି ଅଧିଗ୍ରହଣ, ଡିଜାଇନ୍ ଜନିତ ତ୍ରୁଟି ଯୋଗୁଁ ଏହା ହୋଇପାରିଲାନି। ଏବେ ସମସ୍ୟାର ପ୍ରାୟ ସମାଧାନ ହୋଇଛି। ଯେଉଁମାନଙ୍କ ଜମି ଅଧିଗ୍ରହଣ ହେବ, ସେମାନଙ୍କୁ ପୂର୍ବରୁ କିଛି କ୍ଷତିପୂରଣ ଦିଆଯାଇଛି, ଏବେ କିଛି ଲୋକଙ୍କୁ ଦିଆଯିବ। ବେଆଇନ ନିର୍ମାଣ ହୋଇଥିବା ଘରଗୁଡ଼ିକୁ ଉଚ୍ଛେଦ କରାଯିବ। ଏହାପରେ ଏହାର କାମ ଆରମ୍ଭ ହେବ। ଦୁଇ ବର୍ଷ ଭିତରେ ମୁଖ୍ୟ ଡ୍ରେନ୍ ୧୦ ନୂଆ ରୂପ ପାଇବ। ଏଠାରେ ପାଣି ପୂରା ବିଶୋଧନ ହୋଇଯିବ।

Share Now:

Kalinga News Beuro

Next Post

ଭାରତ ମହାସାଗରରେ ଖସିଲା ଚୀନ୍‌ର ବୃହତ୍ତମ ରକେଟ୍‌ ‘ଲଙ୍ଗ୍‌ ମାର୍ଚ ଫାଇଭ୍-ବି’

Sun May 9 , 2021
ନୂଆଦିଲ୍ଲୀ: ରବିବାର ଦିନ ଚୀନ୍‌ର ବୃହତ୍ତମ ରକେଟ୍‌ ୧୮ ଟନ୍‌ ଓଜନବିଶିଷ୍ଟ ‘ଲଙ୍ଗ୍‌ ମାର୍ଚ ଫାଇଭ୍-ବି’ର ଧ୍ବଂସାବଶେଷ ଭାରତ ମହାସାଗର ମଧ୍ୟକୁ ଖସିପଡ଼ିଥିବା କଥା ଚୀନା ରାଷ୍ଟ୍ରାୟତ ଗଣମଧ୍ୟମସୂତ୍ରରୁ ପ୍ରକାଶ। ସମୁଦ୍ରରେ ପଡ଼ିବା ପୂର୍ବରୁ ପୃଥିବୀର ବାୟୁମଣ୍ଡଳରେ ଘର୍ଷଣ ଯୋଗୁଁ ରକେଟ୍‌ର ବହୁ ଉପକରଣ ପୋଡ଼ି ନଷ୍ଟ ହୋଇଯାଇଥିଲା। ବେଜିଙ୍ଗ୍ ସମୟ ସକାଳ ୧୦.୨୪ରେ ‘ଲଙ୍ଗ୍‌ ମାର୍ଚ ଫାଇଭ୍‌-ବି’ର ଅଂଶବିଶେଷ ପୃଥିବୀର ବାୟୁମଣ୍ଡଳ ମଧ୍ୟକୁ ପ୍ରବେଶ କରିବା ପରେ ପୂର୍ବକୁ […]
ଭାରତ ମହାସାଗରରେ ଖସିଲା ଚୀନ୍‌ର ବୃହତ୍ତମ ରକେଟ୍‌ ‘ଲଙ୍ଗ୍‌ ମାର୍ଚ ଫାଇଭ୍-ବି’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial