ହଟ୍‌ସ୍ପଟ୍‌ରେ ଆରମ୍ଭ ହେଲା ବିଶୋଧନ

ହଟ୍‌ସ୍ପଟ୍‌ରେ ଆରମ୍ଭ ହେଲା ବିଶୋଧନ

ତିନି ଜୋନ୍ ପାଇଁ ୯ଟି ବିଶୋଧନ ଗାଡ଼ି, ପ୍ରମୁଖ ହାଟକୁ ନିୟମିତ ବିଶୋଧନ କରାଯିବ

ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ଆଜିଠାରୁ ପୁଣି ରାଜଧାନୀର ବିଭିନ୍ନ ସ୍ଥାନରେ ସୋଡିୟମ୍‌ ହାଇପୋକ୍ଲୋରାଇଟ୍ ସଲ୍ୟୁସନ୍ ସିଞ୍ଚନ କାମ ଆରମ୍ଭ ହୋଇଛି। ରାଜଧାନୀର ସମସ୍ତ ହାଟ, ବଜାର, ପ୍ରମୁଖ ଅଞ୍ଚଳକୁ ବିଶୋଧନ କରିବାକୁ ଥିବା ବେଳେ ଏବେ ହଟ୍‌ସ୍ପଟ୍ ଅଞ୍ଚଳଗୁଡ଼ିକୁ ବଛାଯାଇଛି। ରାଜଧାନୀର ଯେଉଁ ସବୁ ଅଞ୍ଚଳଗୁଡ଼ିକରୁ ପ୍ରତିଦିନ ପୁଳାପୁଳା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେଠାରେ ବିଏମ୍‌ସି ପକ୍ଷରୁ ବିଶୋଧନ ଆରମ୍ଭ ହୋଇଛି। ଗତବର୍ଷ ଅଗ୍ନିଶମ ବିଭାଗର ବହୁ ଗାଡ଼ି ଏହି ସୋଡିୟମ୍‌ ହାଇପୋକ୍ଲୋରାଇଟ୍ ସଲ୍ୟୁସନ୍ ସିଞ୍ଚନ ଯୋଗୁଁ ନଷ୍ଟ ହୋଇଯିବାରୁ ଏଥର ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ଗାଡ଼ି କିଣି ବିଶୋଧନ କାମ ଆରମ୍ଭ ହୋଇଛି। ପ୍ରତି ଜୋନ୍‌କୁ ତିନିଟି ଲେଖାଏଁ ଗାଡ଼ି ଦିଆଯାଇଛି। ଏହିପରି ୯ଟି ଗାଡ଼ି ସାରା ରାଜଧାନୀରେ ବୁଲି ବିଶୋଧନ କରିବ। ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍ ପକ୍ଷରୁ ଆଜି ସତ୍ୟନଗର ଶ୍ମଶାନରୁ ଆରମ୍ଭ ହୋଇଥିଲା ବିଶୋଧନ କାର୍ଯ୍ୟକ୍ରମ। ଏହାପରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ପୁରୁଣା ଭୁବନେଶ୍ବର ଅଞ୍ଚଳରେ ହୋଇଥିଲା। ୟୁନିଟ୍‌-୧ ଓ ୟୁନିଟ୍‌-୪ ହାଟରେ ଭିଡ଼ ଜମୁଥିବାରୁ ଏଠାରେ ବିଶୋଧନ କରାଯାଇଛି। ସେହିପରି ଉତ୍ତର ଜୋନ୍‌ରେ ପଟିଆ, ରସୁଲଗଡ଼, ଡମଣା ଗାଁ ଆଦି ଅଞ୍ଚଳରେ ବିଶୋଧନ କରାଯାଇଥିଲା। ଦକ୍ଷିଣ-ପଶ୍ଚିମ ଜୋନ୍‌ ପକ୍ଷରୁ ନୂଆପଲ୍ଲୀ, ସୂର୍ଯ୍ୟନଗର, ଆଇଆର୍‌ସି ଭିଲେଜ୍‌, ଜାଗମରା, ଡୁମଡୁମା ଆଦି ଅଞ୍ଚଳରେ ବିଶୋଧନ ହୋଇଥିଲା। ଆସନ୍ତାକାଲି ବରମୁଣ୍ଡା, ଖଣ୍ଡଗିରି, ନୂଆପଲ୍ଲୀ ଅଞ୍ଚଳରେ ବିଶୋଧନ ହେବ। ଏହି ସବୁ ଅଞ୍ଚଳ ଏବେ ରାଜଧାନୀର ହଟ୍‌ସ୍ପଟ୍ ପାଲଟିଥିବାରୁ ବିଏମ୍‌ସି ପକ୍ଷରୁ ଏଠାରେ ବିଶୋଧନ କରାଯାଇଛି। ଏଣିକି ପ୍ରତିଦିନ ସକାଳ ଓ ସଂଧ୍ୟାରେ ପାଳି କରି ବିଭିନ୍ନ ହାଟ, ବଜାର, ଜନଗହଳି ସ୍ଥାନ ଓଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ସ୍ଥାନଗୁଡ଼ିକୁ ବିଶୋଧନ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

Share Now:

Kalinga News Beuro

Next Post

ସଂକ୍ରମଣ ରୋକିବାକୁ ମଫସଲ ଅଞ୍ଚଳ ପାଇଁ କୋଭିଡ୍-୧୯ ଗାଇଡ୍‌ଲାଇନ୍‌ ଜାରି କଲେ କେନ୍ଦ୍ର ସରକାର

Sun May 16 , 2021
ନୂଆଦିଲ୍ଲୀ: ମଫସଲ ଅଞ୍ଚଳରେ କରୋନାଭାଇରସ୍ ସଂକ୍ରମଣ ରୋକିବା ଲାଗି ରବିବାର ଦିନ କେନ୍ଦ୍ର ସରକାର ନୂଆ ମାର୍ଗଦର୍ଶିକା ବା ଗାଇଡ୍‌ଲାଇନ୍‌ ଜାରି କରିବା ସହ କହିଛନ୍ତି ଯେ, ସମ୍ପ୍ରତି ଉପନଗର, ମଫସଲ ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ମଧ୍ୟ କ୍ରମଶଃ ସଂକ୍ରମଣ ପ୍ରବେଶ କଲାଣି। ଗାଇଡ୍‌ଲାଇନ୍ ଉନ୍ମୋଚନ କରି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କହିଛି ଯେ, ଅନ୍ୟାନ୍ୟ ଅତ୍ୟାବଶ୍ୟକ ସ୍ବାସ୍ଥ୍ୟ ସେବା ଯୋଗାଣ ଚାଲୁ ରଖିବା […]
ମଫସଲ ଅଞ୍ଚଳ ପାଇଁ କୋଭିଡ୍-୧୯ ଗାଇଡ୍‌ଲାଇନ୍‌-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial