୨୬ରେ ଚଳିତ ବର୍ଷର ଶେଷ ‘ସୁପର୍‌ମୁନ୍’: ଓଡ଼ିଶାରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ନାହିଁ

୨୬ରେ ଚଳିତ ବର୍ଷର ଶେଷ ‘ସୁପର୍‌ମୁନ୍’

ଭୁବନେଶ୍ବର : ଚଳିତ ବର୍ଷର ଶେଷ ‘ସୁପର୍‌ମୁନ୍’ ଆସନ୍ତା ୨୬ ତାରିଖରେ ଦେଖାଯିବ। ଏହି ଦିନ ଚନ୍ଦ୍ର ଆମଠାରୁ ୩ଲକ୍ଷ ୫୭ହଜାର ୪୬୨କିମି ଦୂରରେ ଦେଖାଯିବ। ଯେଉଁଥିପାଇଁ ସାଧାରଣ ଦିନର ପୂର୍ଣ୍ଣଚନ୍ଦ୍ରଠାରୁ ଏହା ପ୍ରାୟ ୭ ପ୍ରତିଶତ ବଡ଼ ଏବଂ ୧୫ ପ୍ରତିଶତ ଅଧିକ ଉଜ୍ଜ୍ୱଳ ଦେଖାଯିବ। ଜ୍ୟୋତିଷ ରିଚାର୍ଡ ନଲ୍‌ଙ୍କ ପରିଭାଷାରେ, ଆମଠାରୁ ସାଧାରଣ ଦୂରତାର ୧୦ ପ୍ରତିଶତ ବା ତା’ଠାରୁ କମ୍ ଦୂରତାରେ ଚନ୍ଦ୍ର ଥିବା ସମୟରେ ପୂର୍ଣ୍ଣମୀ ପଡ଼ିଥାଏ, ଯାହାକୁ ସୁପର୍‌ମୁନ୍ କୁହାଯାଏ। ସାଧାରଣ ଦୂରତାର ୧୦ ପ୍ରତିଶତ ଅର୍ଥାତ୍ ୩ଲକ୍ଷ ୬୦କିମି ବା ତା’ଠାରୁ କମ୍ ଦୂରତାରେ ଚନ୍ଦ୍ର ଥିଲେ, ସେହି ସମୟରେ ପୂର୍ଣ୍ଣମୀ ପଡ଼ିଥାଏ ଏବଂ ସୁପର୍‌ମୁନ୍ ଦୃଶ୍ୟମାନ ହୋଇଥାଏ। ତେବେ ଏହା ପୂର୍ବରୁ ଏପ୍ରିଲ୍ ୨୬ରେ ୩ଲକ୍ଷ ୫୭ହଜାର ୬୧୫କିମି ଦୂରରେ ଚନ୍ଦ୍ର ପୃଥିବୀର ନିକଟତର ହୋଇଥିଲା ଏବଂ ସୁପର୍‌ମୁନ୍ ହୋଇଥିଲା। ମାତ୍ର ଏଥର ତା’ଠାରୁ ୧୫୩ କିମି କମ ଦୂରତାରେ ଚନ୍ଦ୍ର ଦେଖାଯିବ। ସଂଯୋଗବଶତଃ ମେ’ ୨୬ରେ ସୁପର୍‌ମୁନ୍ ସହ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ଚନ୍ଦ୍ରଗ୍ରହଣ ସମୟରେ ଭାରତରେ ତଥା ରାଜ୍ୟରେ ଦିନ ହୋଇଥିବାରୁ ଏବଂ ଚନ୍ଦ୍ର ଦିଗ୍‌ବଳୟ ତଳେ ଥିବାରୁ ଏଠାରେ ଗ୍ରହଣ ଦେଖାଯିବ ନାହିଁ। ଚନ୍ଦ୍ର ପୃଥିବୀର ଉପଛାୟାରେ ଅପରାହ୍ନ ୨ଟା ୧୭ମିନିଟ୍‌ରେ ପ୍ରବେଶ କରିବ ଏବଂ ସନ୍ଧ୍ୟା ୭ଟା ୧୯ରେ ଉପଛାୟାରୁ ସମ୍ପୂର୍ଣ୍ଣ ବାହାରିଯିବ। ସେହିପରି ଚନ୍ଦ୍ର ପୃଥିବୀର ଛାୟାରେ ୩ଟା ୧୪ରେ ପ୍ରବେଶ କରିବ ଓ ସନ୍ଧ୍ୟା ୬ଟା ୨୨ରେ ଛାୟାରୁ ସଂପୂର୍ଣ୍ଣ ବାହାରିବ। ତେବେ ଚନ୍ଦ୍ର ପୃଥିବୀର ଉପଛାୟାରେ ଥିବା ବେଳେ ଖାଲି ଆଖିରେ ଗ୍ରହଣ ଦେଖାଯାଏ ନାହିଁ। ଛାୟା ଭିତରକୁ ପ୍ରବେଶ କଲେ ଯାଇ ଖାଲି ଆଖିରେ ଦୃଶ୍ୟମାନ ହୁଏ। ତେବେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଏକ ସରଳରେଖାରେ ରୁହନ୍ତି ଏବଂ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼େ ସେତେବେଳେ ଚନ୍ଦ୍ରଗ୍ରହଣ ହୋଇଥାଏ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ଲାଲ୍ ରଙ୍ଗ ବା ରକ୍ତବର୍ଣ୍ଣ ଧାରଣ କରେ। ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାର ପ୍ରକୃଷ୍ଠ ସମୟ ୪ଟା ୪୧ରୁ ୪ଟା ୫୫ ମଧ୍ୟରେ ହୋଇଥିବାରୁ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ପକ୍ଷରୁ ଲୋକଙ୍କ ପାଇଁ ଅନ୍‌ଲାଇନ୍‌ରେ ଲାଇଭ୍ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପ୍ଲାନେଟାରିୟମ୍‌ ପକ୍ଷରୁ ଲୋକଙ୍କ ପାଇଁ ଅନ୍‌ଲାଇନ୍‌ରେ ଏହି https://youtu.be/Ut9hARzfLs8 ଲିଙ୍କ୍ ଦିଆଯାଇଛି।

Share Now:

Kalinga News Beuro

Next Post

ସାମୁଦ୍ରିକ ବାତ୍ୟା ‘ୟାସ୍‌’ ମୁକାବିଲା ପ୍ରସ୍ତୁତି ସମୀକ୍ଷା ବୈଠକରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

Sun May 23 , 2021
ନୂଆଦିଲ୍ଲୀ: ମେ ୨୬ ତାରିଖ ସନ୍ଧ୍ୟା ବେଳେ ଭାରତର ପୂର୍ବଉପକୂଳରେ ସ୍ଥଳଭାଗ ପ୍ରବେଶ କରିବାର ସମ୍ଭାବନା ଥିବା ସାମୁଦ୍ରିକ ବାତ୍ୟା ‘ୟାସ୍‌’ ମୁକାବିଲା ପ୍ରସ୍ତୁତି ସମୀକ୍ଷା ବୈଠକରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଛନ୍ତି। ସୂଚନାଯୋଗ୍ୟ, ବାତ୍ୟା ‘ୟାସ୍‌’ର ନାମକରଣ କରିଛି ଓମାନ୍‌। ଏହାର ଅର୍ଥ ‘ସୁଗନ୍ଧି ବୃକ୍ଷ’। ‘ୟାସ୍‌’ ଶବ୍ଦର ଉତ୍ପତ୍ତି ପାରସ୍ୟ ଭାଷାରୁ। ଏହାର ଇଂଗ୍ରାଜୀ ପ୍ରତିଶବ୍ଦ ହେଉଛି ‘ଜସ୍ମିନ୍‌’ (କୁନ୍ଦ ଜାତୀୟ ଫୁଲ)। ବରିଷ୍ଠ […]
‘ୟାସ୍‌’ ମୁକାବିଲା ପ୍ରସ୍ତୁତି ବୈଠକରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial