ସାମୁଦ୍ରିକ ବାତ୍ୟା ‘ୟାସ୍‌’ ମୁକାବିଲା ପ୍ରସ୍ତୁତି ସମୀକ୍ଷା ବୈଠକରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

‘ୟାସ୍‌’ ମୁକାବିଲା ପ୍ରସ୍ତୁତି ବୈଠକରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମେ ୨୬ ତାରିଖ ସନ୍ଧ୍ୟା ବେଳେ ଭାରତର ପୂର୍ବଉପକୂଳରେ ସ୍ଥଳଭାଗ ପ୍ରବେଶ କରିବାର ସମ୍ଭାବନା ଥିବା ସାମୁଦ୍ରିକ ବାତ୍ୟା ‘ୟାସ୍‌’ ମୁକାବିଲା ପ୍ରସ୍ତୁତି ସମୀକ୍ଷା ବୈଠକରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଛନ୍ତି। ସୂଚନାଯୋଗ୍ୟ, ବାତ୍ୟା ‘ୟାସ୍‌’ର ନାମକରଣ କରିଛି ଓମାନ୍‌। ଏହାର ଅର୍ଥ ‘ସୁଗନ୍ଧି ବୃକ୍ଷ’। ‘ୟାସ୍‌’ ଶବ୍ଦର ଉତ୍ପତ୍ତି ପାରସ୍ୟ ଭାଷାରୁ। ଏହାର ଇଂଗ୍ରାଜୀ ପ୍ରତିଶବ୍ଦ ହେଉଛି ‘ଜସ୍ମିନ୍‌’ (କୁନ୍ଦ ଜାତୀୟ ଫୁଲ)। ବରିଷ୍ଠ ସରକାରୀ ଅଧିକାରୀ, ‘ନ୍ୟାସ୍‌ନାଲ୍‌ ଡିଜାଷ୍ଟର୍‌ ମ୍ୟାନେଜ୍‌ମେଣ୍ଟ୍‌ ଅଥରିଟି’ର ପ୍ରତିନିଧି, ଟେଲିକମ୍‌, ଶକ୍ତି ଓ ବେସାମରିକ ବିମାନ ଚଳାଚଳ ଏବଂ ଭୂବିଜ୍ଞାନ ମନ୍ତ୍ରାଳୟର ସଚିବଙ୍କ ସହ ପ୍ରଧାନମନ୍ତ୍ରୀ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି।
ଏହି ଭର୍ଚ୍ୟୁଆଲ୍‌ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ। ସାମୁଦ୍ରିକ ବାତ୍ୟା ‘ୟାସ୍‌’ ପଶ୍ଚିମବଙ୍ଗର ସୁନ୍ଦରବନ ଓ ଉତ୍ତର ଓଡ଼ିଶା ମଧ୍ୟରେ ସ୍ଥଳଭାଗକୁ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି। ମେ ୨୨ ତାରିଖ ଦିନ କ୍ୟାବିନେଟ୍‌ ସେକ୍ରେଟେରି କମିଟି ‘ନ୍ୟାସ୍‌ନାଲ୍‌ କ୍ରାଇସିସ୍‌ ମ୍ୟାନେଜ୍‌ମେଣ୍ଟ୍‌ କମିଟି’, ସବୁ ଉପକୂଳବର୍ତ୍ତୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଏବଂ ସମ୍ପୃକ୍ତ କେନ୍ଦ୍ରୀୟ ମନ୍ତ୍ରାଳୟ/ଏଜେନ୍‌ସିଙ୍କ ସହ ବୈଠକ କରିଥିବା କଥା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଗୃହ ବ୍ୟାପାର ମନ୍ତ୍ରାଳୟ ଅହର୍ନିଶ ପରିସ୍ଥିତିର ସମୀକ୍ଷା କରୁଛି ଏବଂ ସମ୍ପୃକ୍ତ କେନ୍ଦ୍ରୀୟ ମନ୍ତ୍ରାଳୟ/ଏଜେନ୍‌ସିଙ୍କ ସହ ଯୋଗାଯୋଗ ରଖିଛି। ନୌକା, ଗଛକଟାଳି, ଟେଲିକମ୍‌ ଉପକରଣ ଆଦି ସହ ‘ଏନ୍‌ଡିଆର୍‌ଏଫ୍’ ୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଆଗୁଆ ୪୬ଟି ଟିମ୍ ମୁତୟନ କରିଥିବା ଏବଂ ଅନ୍ୟାନ୍ୟ ସମସ୍ତ ସମ୍ଭାବ୍ୟ ପ୍ରସ୍ତୁତି କଥା ପ୍ରଧାନମନ୍ତ୍ରୀଙ୍କୁ ଏହି ବୈଠକରେ ସୂଚନା ଦିଆଯାଇଛି। ବିପଜ୍ଜନକ ସ୍ଥାନଗୁଡ଼ିକରୁ ଲୋକମାନଙ୍କୁ ନିରାପଦରେ ସ୍ଥାନାନ୍ତର କରିବରେ ରାଜ୍ୟମାନଙ୍କୁ ସହଯୋଗ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରଭାବିତ ଅଞ୍ଚଳରେ ଯଥା ସମ୍ଭବ ଶୀଘ୍ର ବିଜୁଳି ଯୋଗାଣ ଓ ଟେଲିଯୋଗଯୋଗ ବ୍ୟବସ୍ଥା ପୁନଃ କାର୍ଯ୍ୟକ୍ଷମ କରିବା ଉପରେ ସୁନିଶ୍ଚିତ ହେବାକୁ ସେ କହିଛନ୍ତି। ବାତ୍ୟା ପ୍ରସ୍ତୁତି ସମୀକ୍ଷା ନିମନ୍ତେ ଶନିବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିଜ ରାଜ୍ୟର ଅଧିକାରୀମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ।

Share Now:

Kalinga News Beuro

Next Post

ରାଜଧାନୀକୁ ବାତ୍ୟା ଚିନ୍ତା : ମୁକାବିଲା ପାଇଁ ବିଏମ୍‌ସି ପ୍ରସ୍ତୁତ

Sun May 23 , 2021
ଅନୁପସ୍ଥିତ ରହିପାରିବେନି ଅଧିକାରୀ,ବିଭିନ୍ନ ବିଭାଗ ସହ ଆଲୋଚନା କଲେ କମିସନର ଭୁବନେଶ୍ବର : ଆସନ୍ତା ୨୬ ତାରିଖରେ ବାତ୍ୟା ୟସ୍ ପ୍ରଭାବରେ ଭୁବନେଶ୍ବରରେ ବର୍ଷା ପବନ ହେବାର ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ବାତ୍ୟା ହେଲେ ଏହାର ଯେପରି ସଫଳ ମୁକାବିଲା କରିହେବ ଏବଂ ତୁରନ୍ତ ଜନଜୀବନ ସ୍ବାଭାବିକ ହୋଇପାରିବ ସେଥିପାଇଁ ବିଏମ୍‌ସିର ପ୍ରସ୍ତୁତି ଆରମ୍ଭ ହୋଇଛି। ବିଏମ୍‌ସି କମିସନର ସଞ୍ଜୟ ସିଂହ ଶନିବାର ବିଭିନ୍ନ […]
ରାଜଧାନୀକୁ ବାତ୍ୟା ଚିନ୍ତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial