ଡବଲ ବିପଦ ପାଇଁ ଡବଲ ମାସ୍କ : ରାଜ୍ୟବାସୀଙ୍କୁ ନବୀନଙ୍କ ନିବେଦନ

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା

ଗୋଟିଏ ସମୟରେ ୨ ବଡ଼ ବିପଦର ସାମ୍ନା କରୁଛୁ,ପ୍ରଶାସନକୁ ପୂରା ସହଯୋଗ କରନ୍ତୁ

ଭୁବନେଶ୍ବର : ‘‘ଆମେ ଏକା ସମୟରେ ଦୁଇଟି ବଡ ବିପଦର ସାମ୍‌ନା କରୁଛୁ। ଗୋଟିଏ କୋଭିଡ ଓ ଅନ୍ୟଟି ବାତ୍ୟା ‘ୟାସ୍’। ତେଣୁ ସମସ୍ତେ ପ୍ରଶାସନକୁ ସ୍ଥାନାନ୍ତରରେ ସହଯୋଗ କରନ୍ତୁ ଏବଂ ବାତ୍ୟା ଆଶ୍ରୟସ୍ଥଳ ବା ପକ୍କା ଘର, ଯେଉଁଠାରେ ବି ଥାଆନ୍ତୁ, ଦୁଇଟି ମାସ୍କ ଏକ ସମୟରେ ପିନ୍ଧନ୍ତୁ। ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ନୁହେଁ, ଦୁଇଟି ମାସ୍କ ପିନ୍ଧିବା ଆମ ସ୍ବାସ୍ଥ୍ୟ ପାଇଁ ଖୁବ ଜରୁରୀ। ଡବଲ ବିପଦ ପାଇଁ ଡବଲ ମାସ୍କ।’’
ଆସୁଥିବା ବାତ୍ୟା ପରିପ୍ରେକ୍ଷୀରେ ଓଡ଼ିଶାବାସୀଙ୍କୁ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ସତର୍କ କରାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘‘ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର। ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା। ପ୍ରତ୍ୟେକ ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ଆମର ଲକ୍ଷ୍ୟ। ତେଣୁ ସମସ୍ତେ ବାତ୍ୟା ଆଶ୍ରୟସ୍ଥଳ ତଥା ପକ୍କା ଘର ଆଦି ନିରାପଦ ସ୍ଥାନକୁ ଚାଲିଆସିବା ଦରକାର। କୋଭିଡ ପାଇଁ ପ୍ରଶାସନ ଗତ ଦୁଇ ମାସ ଧରି ଚାପରେ ଅଛି । ତେଣୁ ବାତ୍ୟାର ମୁକାବିଲା ପାଇଁ ଜନସାଧାରଣ ସ୍ଥାନାନ୍ତରରେ ପ୍ରଶାସନକୁ ସହଯୋଗ କରିବା ଉଚିତ୍। ବିଶେଷକରି ଯେହେତୁ ଏବେ କୋଭିଡ ସମୟ, ତେଣୁ ଆମକୁ ଅଧିକ ସାବଧାନ ରହିବାକୁ ହେବ।’’ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ସାରା ମାନବ ଜାତି ବର୍ତ୍ତମାନ ଏକ କଷ୍ଟକର ସମୟ ଦେଇ ଗତି କରୁଛି ଏବଂ ଗତ ଏକ ବର୍ଷରୁ ଅଧିକ ସମୟ ଧରି କୋଭିଡ ବିରୁଦ୍ଧରେ ଆମର ଲଢେଇ ଜାରି ରହିଛି। ଏହା ଭିତରେ ବାତ୍ୟା ‘ୟାସ୍’ ବର୍ତ୍ତମାନ ଆମ ପାଇଁ ଆହୁରି ଏକ ବଡ ବିପଦ ଭାବରେ ଦେଖା ଦେଇଛି। ଏକ ସମୟରେ ଦୁଇ ଦୁଇଟି ବଡ ବିପଦ ବାତ୍ୟା ଓ କୋଭିଡର ମୁକାବିଲା ଆମକୁ କରିବାକୁ ହେବ। ଅତୀତର ସ୍ମରଣ କରାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ବର୍ଷ ମେ’ ମାସରେ ମଧ୍ୟ ଆମେ କୋଭିଡ ସହ ବାତ୍ୟା ଅମ୍ଫାନର ସାମନା କରିଥିଲେ। ଲୋକଙ୍କ ସହଯୋଗରେ ଆମେ ସଫଳତାର ସହ ପରିସ୍ଥିତିର ମୁକାବିଲା କରିଥିଲେ। ବାତ୍ୟା ଓଡିଶା ପାଇଁ ନୂଆ ନୁହେଁ, ତଥାପି ଆମକୁ ସତର୍କ ରହିବାକୁ ହେବ। ସାମାନ୍ୟ ହେଳା ବଡ ବିପଦ ସୃଷ୍ଟି କରିପାରେ। ସରକାର ବାତ୍ୟା ଓ କୋଭିଡ ଦୁଇଟି ଯାକ ପରିସ୍ଥିତିର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଜନସାଧାରଣଙ୍କ ସହଯୋଗ ହିଁ ଆମର ପ୍ରସ୍ତୁତିକୁ ଆହୁରି ମଜବୁତ କରିବ ବୋଲି ସେ ଆଶାପ୍ରକାଶ କରିଥିଲେ।
ଜନସାଧାରଣଙ୍କୁ ସତର୍କ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାତ୍ୟା ସମୟରେ ଓ ବାତ୍ୟା ପରେ ଆମେ କୋଭିଡ ପାଇଁ ଅଧିକ ସାବଧାନ ରହିବାକୁ ହେବ। ଆବଶ୍ୟକତାକୁ ଦେଖି ମିସନ୍ ଶକ୍ତି ଗୋଷ୍ଠୀ ଜରିଆରେ ଲୋକଙ୍କୁ ମାସ୍କ ଯୋଗାଇବା ପାଇଁ ସେ ଜିଲ୍ଲାପାଳମାନଙ୍କୁ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡିଶା ସବୁବେଳେ ଭଲ କାମ କରିଆସିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବିପଦ ସମୟରେ ସାଧାରଣଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ପ୍ରତିନିଧି ବନ୍ଧୁମାନେ ଓ ନାଗରିକ ସମାଜ ସରକାରଙ୍କୁ ପୂରା ସହଯୋଗ ଦେଇ ଆସିଛନ୍ତି। ତେଣୁ ଏଥର ମଧ୍ୟ, ଆମେ ସମସ୍ତେ ମିଶି ଏ ଦୁଇ ବିପଦ ବିରୋଧରେ ଏକାଠି ଲଢିବା ଓ ନିଶ୍ଚୟ ଜିତିବା।

Share Now:

Kalinga News Beuro

Next Post

କରୋନା କାଳରେ ଘରୋଇ ହସ୍ପିଟାଲ‌ରେ ଶୋ‌ଷଣ : ବେଆଇନ ଭାବେ ଚାଲିଛି ଶତାଧିକ ଡାକ୍ତରଖାନା!

Tue May 25 , 2021
ପୂର୍ବତନ ବିଧାୟକ ପ୍ରଶ୍ନ ଉଠା‌ଇବା ପରେ ବି ପ୍ରଶାସନ ଚୁପ୍‌ କଟକ: କରୋନା କାଳରେ କଷଣ ଦେଉଛନ୍ତି ଘରୋଇ ମେଡିକାଲ। କରୋନା ମହାମାରୀକୁ ସୁ‌ଯୋଗ ଭାବି ‌ରୋଗୀଙ୍କଠାରୁ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। କରୋନା ବେଳେ ବି ଦଲାଲି କରି ଅର୍ଥ ‌ରୋଜଗାର କରିବାର ବାଟ ବାଛିଛନ୍ତି କିଛି ଘରୋଇ ମେଡିକାଲ। ଗତକାଲି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ତାଙ୍କ ପୁଅର ଚିକିତ୍ସା କରୁଥିବା କଟକ-ପାରାଦୀପ ରୋଡ୍‌ସ୍ଥିତ […]
କରୋନା କାଳରେ ଘରୋଇ ହସ୍ପିଟାଲ‌ରେ ଶୋ‌ଷଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial