ଶକ୍ତି ସଞ୍ଚୟ ନାଁରେ ଦୁର୍ନୀତି : ଠିକାସଂସ୍ଥାଙ୍କ ସହ ଅଧିକାରୀଙ୍କ ଭାଗଚାଷ ଅଭିଯୋଗ

ଶକ୍ତି ସଞ୍ଚୟ ନାଁରେ ଦୁର୍ନୀତି

ଭୁବନେଶ୍ୱର: ଶକ୍ତି ସଞ୍ଚୟ ନାଁରେ ବିଏମ୍‌ସିରେ ଦୁର୍ନୀତି ଚାଲିଛି। ୮୦ ପ୍ରତିଶତ ପର୍ଯ୍ୟନ୍ତ ବିଜୁଳି ବଞ୍ଚାଇବା ବା ବିଜୁଳି ବିଲ୍‌ରେ ପୂର୍ବାପେକ୍ଷା ୮୦ ପ୍ରତିଶତ ଟଙ୍କା ବଞ୍ଚାଇବା ଚୁକ୍ତି କରିଥିବା ସଂସ୍ଥାକୁ କେହି ଜଗିବାକୁ ନାହାନ୍ତି। ଅଧିକାରୀ ସଂସ୍ଥା ସହ ହାତ ମିଶାଇଥିବାରୁ ମୋଟା ଅଙ୍କର ଅର୍ଥ ବାଟ ମାରଣା ହେଉଛି। ୧୦ ବର୍ଷ ଧରି ଠିକା ସଂସ୍ଥା ଶକ୍ତି ସଞ୍ଚୟ ନାମରେ ହରିଲୁଟ୍‌ କରୁଥିଲେ ମଧ୍ୟ ଜଗିବା ପାଇଁ ବିଏମ୍‌ସି ଯେଉଁ ‘ଇଣ୍ଡିପେଣ୍ଡେଣ୍ଟ ଏନର୍ଜି ଅଡିଟର’ ନିଯୁକ୍ତ କରିବା କଥା ତାହା କରିନାହିଁ। ସୋଡିୟମ ବଲ୍‌ବ୍‌ ହଟାଇ ଲଗାଯାଇଥିବା ଏଲ୍‌ଇଡି ବଲ୍‌ବ୍‌ର ଦକ୍ଷତା ମାପିବା ପାଇଁ ବର୍ଷକୁ ଦୁଇଥର ହେବାକୁ ଥିବା ‘ଲକ୍ସ ଲେ‌ଭେଲ୍‌ ମେଜରମେଣ୍ଟ’ ୧୦ ବର୍ଷ ମଧ୍ୟରେ ଥରୁଟିଏ ହୋଇ ନାହିଁ। ଗୋଟିଏ ଅନାମଧେୟ ସଂସ୍ଥା ବର୍ଷ ବର୍ଷ ଧରି ବିଦ୍ୟୁତ ବଲ୍‌ବ୍‌ ଯୋଗାଇ ଚାଲିଛି। କେଉଁଠି ଷ୍ଟ୍ରିଟ୍‌ଲାଇଟ୍‌ ଜନିତ ସମସ୍ୟା ହେଲେ ତାହାକୁ ୪୮ ଘଣ୍ଟା ମଧ୍ୟରେ ମରାମତି କରିବାକୁ ଦୁଇଟି ସଂସ୍ଥା ବିଏମ୍‌ସି ସହ ଚୁକ୍ତି କରିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ ମରାମତି ନ ହେଲେ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବାକୁ ଚୁକ୍ତି ରହିଥିଲେ ମଧ୍ୟ ଆଜି ଯାଏଁ ଟଙ୍କାଟିଏ ଆଦାୟ ହୋଇ ନାହିଁ। ସବୁଠାରୁ ବଡ଼ କଥା ହେଉଛି ବିଏମ୍‌ସିର ଏହି ବିଜୁଳି ଉପବିଭାଗ ଦାୟିତ୍ୱରେ ଯେଉଁ ଇଞ୍ଜିନିୟର ଅଛନ୍ତି ସେ ସିଭିଲ୍‌ ଇଞ୍ଜିନିୟର। ଏଣୁ ବର୍ଷ ବର୍ଷ ଧରି ଏହି ବ୍ୟବସ୍ଥାରେ ହରିଲୁଟ୍‌ ଚାଲିଥିଲେ ମଧ୍ୟ ଧରିବାକୁ କେହି ନାହାନ୍ତି ବୋଲି ଅଭିଯୋଗ ହୋଇଛି।
ସହର ସାରା ଲାଗିଥିବା ଷ୍ଟ୍ରିଟ୍‌ଲାଇଟ୍‌ରେ ସୋଡିୟମ ବଲ୍‌ବ୍‌ ଲାଗିଥିବାରୁ ଅଧିକ ବିଲ୍‌ ଆସୁଥିଲା। ଏଣୁ ଏ ସବୁକୁ ବଦଳାଇ ଏଲ୍‌ଇଡି ଲଗାଇଲେ ଶକ୍ତି ସଞ୍ଚୟ ହେବା ସହ ବିଲ୍‌ ବାବଦକୁ ଯାଉଥିବା କୋଟି କୋଟି ଟଙ୍କା ବିଏମ୍‌ସିର ସଞ୍ଚୟ ହେବ। ଏଭଳି ଚିନ୍ତା କରି ବିଏମ୍‌ସି ୨୦୧୩ ମସିହାରେ ପିପିପି ମୋଡ୍‌ରେ ‘ଏନର୍ଜି ସେଭିଂ ମୋଡ୍‌ ପ୍ରକଳ୍ପ’ର ପରିକଳ୍ପନା କରିଥିଲା। ଏଥିପାଇଁ ବିଏମ୍‌ସି ସୁପର ୱେଲ୍ଥ ଫାଇନାନ୍‌ସିଆଲ୍‌ ଏଣ୍ଟରପ୍ରାଇଜର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ସହ ୨୦୧୩ ମସିହାରେ ୧୦ ବର୍ଷ ପର୍ଯ୍ୟନ୍ତ ଚୁକ୍ତି କରିଥିବା ବେଳେ ଓ ନିଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସହ ୨୦୧୭ରେ ୭ ବର୍ଷ ପର୍ଯ୍ୟନ୍ତ ଚୁକ୍ତି କରିଥିଲା। ଏହି ଦୁଇଟି ଠିକା ସଂସ୍ଥା ଲାଇଟ୍‌ ଲଗାଇବା ସହ ସମସ୍ତ ପ୍ରକାରର ରକ୍ଷଣାବେକ୍ଷଣ କରିବେ। ବିଏମ୍‌ସିକୁ ପୂର୍ବାପେକ୍ଷା ୮୦.୦୨ ପ୍ରତିଶତ କମ୍‌ ବିଲ୍‌ ପୈଠ କରିବାକୁ ହେବ। ଏଥିରୁ କମିଲେ ସଂସ୍ଥାମାନେ ଜରିମାନା ଦେବେ, ଏଥିରୁ ଭଲ ପ୍ରଦର୍ଶନ କଲେ ବିଏମ୍‌ସି ଇନ୍‌ସେଣ୍ଟିଭ୍‌ ଦେବ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଏମ୍‌ସି ‘ଇଣ୍ଡିପେଣ୍ଡେଣ୍ଟ ଏନର୍ଜି ଅଡିଟର(ଆଇଇଏ)’ ନିଯୁକ୍ତ କରିବ। ପ୍ରତ୍ୟେକ ଦିନ ଏହି ସଂସ୍ଥାମାନଙ୍କର ପ୍ରଦର୍ଶନର ରେକର୍ଡ କରାଯିବ। ଏହି ଇଇଏ ରିପୋର୍ଟ ଆଧାରରେ ବିଏମ୍‌ସି ଏମାନଙ୍କ ଠାରୁ ଜରିମାନା ଆଦାୟ କରିବ କିମ୍ବା ଇନ୍‌ସେଣ୍ଟିଭ୍‌ ଦେବ। ୧୦ ବର୍ଷ ମଧ୍ୟରେ ବିଏମ୍‌ସି ୨୦୧୮, ୨୦୧୯ ଓ ୨୦୨୦ ମସିହା ଏଭଳି ତିନିବର୍ଷରେ ସୁପରୱେଲ୍ଥ ଫାଇନାନ୍‌ସିଆଲ୍‌ ଏଣ୍ଟରପ୍ରାଇଜର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଠାରୁ ୬ କୋଟି ୩ ଲକ୍ଷ ୧୬ ହଜାର ୬୮୦ ଟଙ୍କା ଜୋରିମାନା ବାବଦରେ ଆଦାୟ କରିଛି। ଏହି ଜୋରିମାନା ଆଦାୟ ବି ସନ୍ଦେହ ଘେରରେ। ବିଏମ୍‌ସିରେ ଆଇଇଏ ନିଯୁକ୍ତି ହୋଇ ନଥିଲା ବେଳେ ଏହି ଜୋରିମାନା ଆଦାୟ ପାଇଁ କିଏ ସୁପାରିସ୍‌ କଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share Now:

Kalinga News Beuro

Next Post

ଡ୍ରେନ୍‌ ଉପରେ ଶୌଚାଳୟ : ଏବେ ବର୍ଷା ହେଲେ ରାସ୍ତାରେ ଭାସିବ ମଇଳା

Tue Jul 4 , 2023
ଜଟଣୀ: ରାସ୍ତାକଡ଼ରେ ଝୁମ୍ପୁଡ଼ି କରି ବର୍ଷ ବର୍ଷ ଧରି ରହୁଛନ୍ତି। ପାଇଖାନା କରିଛନ୍ତି ଡ୍ରେନ୍‌ ଉପରେ। ଡ୍ରେନ୍‌ ଉପରେ ପଟା, ବାଉଁଶ ପକାଇ ଜରିପାଲ ଟାଣି ତିଆରି କରିଛନ୍ତି ଅସ୍ଥାୟୀ ପାଇଖାନା। ପିଲାଠୁ ବୟସ୍କଯାଏ ପରିବାର ସମସ୍ତେ ସେହି ପାଇଖାନା ବ୍ୟବହାର କରୁଛନ୍ତି। ଏହା ବର୍ଷ ବର୍ଷର କଥା। ବର୍ଷା ଦିନ ଆସିଲେ, ଡ୍ରେନ୍‌ ମଇଳା ରାସ୍ତାରେ ଭାସେ। ତେଣୁ ଯାତାୟାତ ପାଇଁ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା […]
ଡ୍ରେନ୍‌ ଉପରେ ଶୌଚାଳୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial