ଆଜି ପହିଲି ରଜ: ଉତ୍ସାହ ନାହିଁ, ମନ ଭାଙ୍ଗି ଦେଇଛି କରୋନା

ଆଜି ପହିଲି ରଜ

ଭୁବନେଶ୍ବର: ଏଇ ବର୍ଷ ତ’ କରୋନା ଯୋଗୁଁ ରଜ ମଉଜ ହୋଇପାରିଲାନି। ସାହି ଗଳିରେ ବନସ୍ତେ ଡାକିଲା ଗଜ… ଗୀତ ବାଜିଲାନି। ସିନେମା ନାହିଁ କି ବୁଲା ବୁଲି ନାହିଁ। ହଉ ହେଲା… ଆର ବରଷକୁ ଦୁଇ ବର୍ଷର ରଜ ଏକାଥରେ ପାଳିଦେବୁ। ଗତବର୍ଷ ଏଭଳି କିଛି ଆଶା ବାନ୍ଧିଥିବା କୁମାରୀମାନଙ୍କ ମ‌ନ ପୁଣି ଭାଙ୍ଗି ଦେଇଛି କରୋନା। ଗତ ବର୍ଷ ତ’ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ମନ ପସନ୍ଦର ନୂଆ ଡ୍ରେସ୍‌ ଖଣ୍ଡେ କିଣି ପିନ୍ଧିବାର ସୁଯୋଗ ମିଳିଥିଲା। କିନ୍ତୁ ଚଳିତ ବର୍ଷ ଲକ୍‌ଡାଉନ୍‌ ଯୋଗୁଁ ସବୁ ବନ୍ଦ। ରଜକୁ ଆମେ ନୂଆ ଡ୍ରେସ୍‌ ଖଣ୍ଡେ ପିନ୍ଧିବାର ବି ସୁଯୋଗ ପାଇବୁନି। ରଜ ଦୋଳି, ପାନ ପସରା ଆଉ ଆମେ ଝିଆମାନେ ଏକାଠି ହୋଇ ରଜ ପାଳନ ଯେମିତି କେଉଁ ଯୁଗର କଥା ଭଳି ଲାଗୁଛି। ଆର ବରଷକୁ ପାଳିବୁ ବୋଲି ବି କହିବାକୁ ଜିଭ ଲେଉଟୁନି। କ’ଣ ପୁଣି ତୃତୀୟ ଲହରି ଆସୁଛି ବୋଲି କୁହାଗଲାଣି। ଏଣୁ ରଜ ଆମେ କେବେ ଜାକଜମକରେ ପାଳିବୁ ସେ ନେଇ ଆଶା ମଉଳି ଗଲାଣି ବୋଲି ରାଜଧାନୀର ଯୁବତୀମାନେ କହିଛନ୍ତି। ଆଜି ରଜ ସଜବାଜ ରଙ୍ଗହୀନ ଥିବା ବେଳେ ଆସନ୍ତା ୩ ଦିନ ରଜ ବି ଫିକା ପଡ଼ିବ ବେଲି ଅନୁମାନ କରାଗଲାଣି। କରୋନା ଯୋଗୁଁ ୨ ବର୍ଷ ହେଲା ରଜ ମଉଜ ଫିକା ପଡ଼ିଥିବା ବେଳେ ଏ ବର୍ଷ ଉତ୍ସାହ ଓ ଆଗ୍ରହ ବି ମଳିନ ପଡ଼ିଛି।
ରାଜଧାନୀରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି। ଆଗାମୀ ଦିନରେ ମଲ୍‌ ଖୋଲାଯିବାର ଅନୁମାନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ମଲ କର୍ତୃପକ୍ଷ ଏବେ ଗ୍ରାହକଙ୍କୁ ଆକର୍ଷିତ କରିବା ଓ ନିଜ ସହ ଯୋଡ଼ିବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ତେ‌ବେ ମଲ୍‌ରେ ସିଧାସଳଖ କୌଣସି କାର୍ଯ୍ୟକ୍ରମ ଆୟୋଜନ କରାଯାଇନି। ଲକ୍‌ଡାଉନ୍‌ କାରଣରୁ ବିଭିନ୍ନ ମଲ୍‌ ପକ୍ଷରୁ ଅନ୍‌ଲାଇନ୍‌ରେ ରଜ ପ୍ରତିଯୋଗିତା ବ୍ୟବସ୍ଥା କରାଯାଇଛି। ଗ୍ରାହକମାନେ ମଲ୍‌ ତରଫରୁ ଦିଆଯାଇଥିବା ଫର୍ମ ପୂରଣ କରି ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇପାରିବେ ବୋଲି ସୂଚନା ଦିଆଯାଇଛି। କୃତୀ ପ୍ରତିଯୋଗୀଙ୍କ ପାଇଁ ଆକର୍ଷଣୀୟ ଉପହାର ମଧ୍ୟ ରହିଛି। ପ୍ରତିଯୋଗିତା ପାଇଁ ପଞ୍ଜୀକରଣ ମାଗଣା ରହିଥିବା ବେଳେ ରଜ ଲୁକ୍‌, ପୋଡ଼ପିଠା ତିଆରି, ସାଧାରଣ ଜ୍ଞାନ ପ୍ରତିଯୋଗିତା ଭଳି ଖେଳ ରହିଛି। ଉତ୍କଳ କନିକା ଗ୍ୟାଲେରିଆ ପରି ଅନେକ ବଡ଼ ବଡ଼ ମଲ୍‌ରେ ଏପରି ବ୍ୟବସ୍ଥା କରାଯାଇଥିବା ସୂଚନା ରହିଛି।

Share Now:

Kalinga News Beuro

Next Post

ଅବହେଳିତ ଆଦିବାସୀ ଗାଁ: ଜଣେ ବି ୧୦ମ ଶ୍ରେଣୀ ପାସ୍‌ କରିନାହାନ୍ତି

Mon Jun 14 , 2021
ଗାଁ’ରେ ନାହିଁ ଅଙ୍ଗନବାଡ଼ି କେନ୍ଦ୍ର,ସ୍କୁଲ ନ ଯାଇ ପିଲାଏ ସଂଗ୍ରହ କରୁଛନ୍ତି ମହୁଲ, ଖଲି ପତ୍ର, ଜାଳେଣୀ କାଠ ଓଡ଼ଗାଁ: ଓଡ଼ଗାଁ ବ୍ଲକ୍ ବାଣ୍ଠପୁର ପଞ୍ଚାୟତ ନେପାଳ ଆଦିବାସୀ ଅଞ୍ଚଳ ପ୍ରଶାସନର ଉଦାସୀନତା ଯୋଗୁ ସମାଜରେ ଅଜଣା ଅଚିହ୍ନା ହୋଇ ରହିଛି। ଗାଁର ବିକାଶ କଥା ଚିନ୍ତା କରିବାକୁ ପ୍ରଶାସନ କେବେ ବି ଚେଷ୍ଟା କରିନି। ବର୍ଷାଦିନ ହେବା ମାତ୍ରେ ଆଦିବାସୀମାନେ ଗାଁରେ ବନ୍ଦୀ ହୋଇ ରୁହନ୍ତି। ଦୁର୍ଗମ ଅଞ୍ଚଳର […]
ଅବହେଳିତ ଆଦିବାସୀ ଗାଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial