ବିଏମ୍‌ସିର ଅଜବ ନିୟମ : ରାଜଧାନୀ ବାସିନ୍ଦା ହୋଇନଥିଲେ ଟିକା ନାହିଁ

ରାଜଧାନୀ ବାସିନ୍ଦା ହୋଇନଥିଲେ ଟିକା ନାହିଁ

୧୦ଲକ୍ଷ ଲୋକ ନେଲେ ପ୍ରଥମ ଡୋଜ୍

ଭୁବନେଶ୍ବର : ରାଜଧାନୀରେ ଟିକାକରଣର ଆଜି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ସୁଦ୍ଧା ୧୫ଲକ୍ଷ ୪୩ହଜାର ୪୩୮ ଡୋଜ୍ ଦିଆଯାଇଥିବାବେଳେ ଏଥିରେ ୧୦ଲକ୍ଷ ୨୬୫ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ଏଥିରୁ ୫ଲକ୍ଷ ୪୩ହଜାର ୧୭୩ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ହେଲେ ଏବେ ଟିକାକରଣ ବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲାଣି। କାରଣ ବିଏମ୍‌ସି କର୍ତ୍ତୃପକ୍ଷ ନିୟମ କରି ଦେଇଛନ୍ତି ଯେ, ଭୁବନେଶ୍ବରର ବାସିନ୍ଦା ହୋଇନଥିଲେ ଟିକା ମିଳିବନି। ଯଦି କେହି ଭୁବନେଶ୍ବରର ଠିକଣା ଥିବା ଆଧାରକାର୍ଡ ଦେଖାଇବେ ତେବେ ‌ତାଙ୍କୁ ଟିକା ମିଳିବ। ଏହାକୁ ନେଇ ଏବେ ଅ‌ସନ୍ତୋଷ ବଢ଼ିବାରେ ଲାଗିଛି। ରାଜଧାନୀରେ ସମସ୍ତଙ୍କୁ ଟିକା ଅଭିଯାନ ଚଳାଇଥିବା ବିଏମ୍‌ସିର ଏହି ଅଜବ ନିୟମ ଲୋକଙ୍କୁ ଉତ୍ତ୍ୟକ୍ତ କଲାଣି। ଟିକା କେନ୍ଦ୍ରକୁ ଆସି ବିନା ‌ଟିକାରେ ଫେରୁଥିବା ଲୋକ କହିଛନ୍ତି ଯେ ଆମେ ଭୁବନେଶ୍ବରରେ ଭଡ଼ା ରହୁଛୁ। ଆମର ଆଧାର କାର୍ଡରେ ଗାଁ ଠିକଣା ଅଛି। କିନ୍ତୁ ଆମେ ଏଠାରେ ରହୁଛୁ। କ’ଣ ଟିକା ନେବା ପାଇଁ ଗାଁକୁ ଯାଇ ଧାଡ଼ିରେ ଛିଡ଼ା ହେବୁ? କେବଳ କର୍ମଜୀବୀଙ୍କ ପାଇଁ ଏହି ସମସ୍ୟା ନାହିଁ। ହଜାର ହଜାର ବସ୍ତିବାସିନ୍ଦା ଏବେ ଟିକାରୁ ବଞ୍ଚିତ ହେଲେଣି। ବହୁ ବସ୍ତିବାସିନ୍ଦା ସେମାନଙ୍କ ଗାଁରେ ରାସନ୍ କାର୍ଡ ପାଇଥିବାରୁ ସେମାନେ ଆଧାରକାର୍ଡରେ ଗାଁ ଠିକଣା ରଖିଛନ୍ତି। ଏପରିକି ତାଙ୍କର ସବୁଥିରେ ଗାଁ ଠିକଣା ଅଛି। ଯେଉଁଥିପାଇଁ ଏବେ ସେମାନେ ଟିକା ନେଇପାରୁନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାର ଗଞ୍ଜାମରେ କୋଭାକ୍ସିନ୍ ଟିକା ଦେବା ନେଇ ଘୋଷଣା କରିବା ପରେ ଏହି ସମସ୍ୟା ଉପୁଜିଛି। ଭୁବନେଶ୍ବର ପାଇଁ କମ୍‌ ଟିକା ମହଜୁଦ୍ ରଖାଯାଉଥିବାରୁ ଏହି କଟକଣା ଲଗାଯାଇଛି।

Share Now:

Kalinga News Beuro

Next Post

ରିଙ୍କି ହତ୍ୟା ମାମଲା: ପୁଲିସ ହାତରେ ଶବ ବ୍ୟବଚ୍ଛେଦ ରିପୋର୍ଟ

Tue Jul 13 , 2021
ମୃତ୍ୟୁ ପୂର୍ବରୁ ଧସ୍ତାଧସ୍ତି ହୋଇଥିବା ସନ୍ଦେହ ଭୁବନେଶ୍ବର : ରାଜଧାନୀର ଏୟାରଫିଲ୍ଡ ଥାନା ଭୀମଟାଙ୍ଗି ହାଉସିଂ ବୋର୍ଡରେ ରିଙ୍କି ଓରଫ୍ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କୁ ହତ୍ୟା ଘଟଣାରେ ପୁଲିସ ହାତରେ ଲାଗିଛି ଶବ ବ୍ୟବଚ୍ଛେଦ ରିପୋର୍ଟ। ରିଙ୍କିଙ୍କ ଶରୀରରେ ଏକାଧିକ ଆଘାତ ଥିବା ରିପୋର୍ଟରୁ ଜଣାପଡ଼ିଛି। ବାମ ହାତରେ ଛୁରାମାଡ଼ର ଗଭୀର ଆଘାତ ଲାଗିଛି। ଏଥିରୁ ଅନୁମାନ କରାଯାଉଛି ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଛାତି କିମ୍ବା ବେକକୁ ଆକ୍ରମଣ କରିବା […]
ପୁଲିସ ହାତରେ ଶବ ବ୍ୟବଚ୍ଛେଦ ରିପୋର୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial