ସରିନି ପ୍ରଥମ ପର୍ଯ୍ୟାୟ :ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ +୨ ଖାତାଦେଖା

ଭୁବନେଶ୍ୱର : ବାଦବିବାଦ ମଧ୍ୟରେ ଗତି କରୁଥିବା ଯୁକ୍ତ୨ ଖାତା ମୂଲ୍ୟାୟନକୁ ନେଇ ଚାଲିଛି ଟଣାଓଟରା। ବ୍ଲକଗ୍ରାଣ୍ଟ ଅଧ୍ୟାପକମାନେ ଖାତା ଦେଖିବାକୁ ବର୍ଜନ କରିଥିଲେ ମଧ୍ୟ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଶେଷ ହୋଇଛି ବୋଲି କହିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ପରିଷଦ ପକ୍ଷରୁ କୁହାଯାଇଛି ଯେ ଖାତା ଦେଖା ସୁରୁଖୁରୁରେ ଚାଲିଛି। କୌଣସି ସମସ୍ୟା ନାହିଁ। କାର୍ଯ୍ୟାନୁଷ୍ଠାନ ଧମକ ପରେ ଅଧିକ ସଂଖ୍ୟାରେ ଅଧ୍ୟାପକ ମୂଲ୍ୟାୟନରେ ସାମିଲ ହୋଇଛନ୍ତି। ଗତ ୫ ଦିନରେ ପ୍ରାୟ ୨୦ ପ୍ରତିଶତ ଅଧ୍ୟାପକ ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟିଂ କରିଛନ୍ତି। ସମସ୍ତ କେନ୍ଦ୍ରରେ ୭୦ରୁ ୭୫ ପ୍ରତିଶତ ଅଧ୍ୟାପକ ଖାତା ଦେଖୁଛନ୍ତି। ଇ-ମୂଲ୍ୟାୟନ କେନ୍ଦ୍ରରେ ଅଧିକ ସଂଖ୍ୟାରେ ଅଧ୍ୟାପକ ଯୋଗ ଦେଇଥିବାରୁ ବସିବାକୁ ସ୍ଥାନ ହେଉ ନ ଥିବା ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏବେ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଖାତା ମୂଲ୍ୟାୟନ ଶେଷ ହୋଇ ନାହିଁ। କଳା ଓ ବିଜ୍ଞାନ ବିଭାଗର ଆହୁରି ୩୦% ଖାତା ଦେଖା ଏବେ ବାକି ରହିଛି। ଏହା ସରିବାକୁ ଆହୁରି ୪ରୁ ୫ ଦିନ ସମୟ ଲାଗିବ। କିନ୍ତୁ ଇତି ମଧ୍ୟରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ପରିଷଦ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ବିଜ୍ଞାନ ବିଭାଗର ଗଣିତ, ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ବିଷୟ ଖାତା ମୂଲ୍ୟାୟନ ଲାଗି ଅଧ୍ୟାପକମାନେ ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟିଂ କରିଛନ୍ତି। ବିଜ୍ଞାନ ସହ କଳା ଓ ବାଣିଜ୍ୟ ବିଭାଗର ବିଭିନ୍ନ ବିଷୟର ଖାତା ମୂଲ୍ୟାୟନ ସୋମବାରଠାରୁ ଆରମ୍ଭ ହେବ। ଏପ୍ରିଲ ସୁଦ୍ଧା ଖାତା ମୂଲ୍ୟାୟନ ଶେଷ କରାଯାଇ ମେ’ ୨୦ ଭିତରେ ବିଜ୍ଞାନ ବିଭାଗର ପରୀକ୍ଷା ଫଳ ବାହାରିବ। ଜୁନ୍‌ ପ୍ରଥମ ସପ୍ତାହରେ କଳା ଓ ବାଣିଜ୍ୟ ବିଭାଗ ଫଳାଫଳ ବାହାରିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟ ପକ୍ଷରେ ବ୍ଲକଗ୍ରାଣ୍ଟ ଅଧ୍ୟାପକମାନେ ଏବେ ବି ଜିଦରେ ଅଟଳ। ଦାବି ପୂରଣ କରାଯାଉ ନ ଥିବାରୁ ପୁଣିଥରେ ମହାସମାବେଶ କରିବାକୁ ଯୋଜନା ପ୍ରସ୍ତୁତ କରିଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ଆସନ୍ତାକାଲି ଭୁବନେଶ୍ୱରଠାରେ ମିଳିତ ମଞ୍ଚ ଓ ବିଭିନ୍ନ ସଙ୍ଗଠନ ନେତାଙ୍କ ବୈଠକ ଡକାଯାଇଛି। ଏଥିରେ ଆସନ୍ତା ୧୮ ତାରିଖରେ ରାଜଧାନୀରେ ପୁଣିଥରେ ମହାସମାବେଶ କରିବା ନେଇ ଆଲୋଚନା ହେବ। ୫୦ ହଜାରରୁ ଅଧିକ ବ୍ଲକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ, କର୍ମଚାରୀମାନେ ସମାବେଶରେ ଯୋଗଦେବାର ସମ୍ଭାବନା ରହିଛି ବୋଲି ୪୮୮ ବର୍ଗ କଲେଜ ଶିକ୍ଷକ ସଂଘର ସଭାପତି ପବିତ୍ର ମହାଲା କହିଛନ୍ତି।

ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ କହିଛନ୍ତି ଯେ ୧୫ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଖାତାଦେଖା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ତାହା ହୋଇପାରି ନାହିଁ। ବିଭ୍ରାଟ ସୃଷ୍ଟି ହୋଇଛି। ଏବେ ତରବରିଆ ଭାବେ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ କରାଯାଉଛି। ଯୋଗ୍ୟତା ନ ଥିବା ଅଧ୍ୟାପକଙ୍କୁ ଖାତା ମୂଲ୍ୟାୟନରେ ସାମିଲ କରାଯାଇ ଥିବାରୁ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ଉପରେ ତାହାର ପ୍ରଭାବ ପଡ଼ିବ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାଜରାସ୍ତାରେ ଏହି ଲଢ଼େଇ ଜାରି ରହିବ।

Share Now:

Kalinga News Beuro

Leave a Reply

Next Post

ହାର୍ଟ ପାଇଁ ହିତକର ଏସବୁ ଖାଦ୍ୟ: ବିଭିନ୍ନ ରୋଗରୁ ମିଳିବ ମୁକ୍ତି

Mon Apr 16 , 2018
ଆଜିକାଲିର ବ୍ୟସ୍ତ ଜୀବନରେ ସାଧାରଣତଃ ଘର ତିଆରି ଖାଦ୍ୟ ଖାଇବାକୁ ସମୟ ହୁଏନି। ବାହାର ଖାଦ୍ୟ ଖାଇବାକୁ ପଡ଼ିଥାଏ। ତେଣୁ ଶରୀରର ଯତ୍ନ ନେବା କଷ୍ଟକର ହୋଇପଡ଼େ। ଯାହାଫଳରେ ଅନେକ ରୋଗ ଗ୍ରାସ କରିବା ସହ ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ। ଆଧୁନିକ ଜୀବନଶୈଳୀ ଓ ଖରାପ ଖାଦ୍ୟ ଖାଇବା ଅଭ୍ୟାସ ଅନେକ ରୋଗର କାରଣ ସାଜିଥାଏ । ବ୍ଲୁ ଏଚ୍‌ ଓ ରିପୋର୍ଟ ମୁତାବକ ଏବେ କମ୍‌ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial