ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡକୁ ସଂଯୋଗ ରାସ୍ତାର ଦୁରାବସ୍ଥା : ରାସ୍ତା ଉପରେ ଗାଡ଼ି ଧୁଆ‌, କଡ଼ରେ ଅଳିଆ

ଖଣ୍ଡଗିରି: ବିଶ୍ୱସ୍ତରୀୟ ବରମୁଣ୍ଡା ବସ୍‌ ଟର୍ମିନାଲ(ଆଇଏସ୍‌ବିଟି) ନିର୍ମାଣ ଚାଲିଛି। ଏଇ ମାସରେ ହିଁ ଲୋକାର୍ପିତ ହେବ। କିନ୍ତୁ ଏହା ଭିତରକୁ ପ୍ରବେଶ କିମ୍ବା ପ୍ରସ୍ଥାନ କରିବାକୁ ଥିବା ସର୍ଭିସ୍‌ ରୋଡ୍‌ର ଅବସ୍ଥା ଅତ୍ୟନ୍ତ ଖରାପ। ୧୬ ନମ୍ବର ଜାତୀୟ ରାଜପଥର ସର୍ଭିସ୍‌ ‌ରୋଡ ମଝିରେ ବସ୍‌ ଧୁଆ ହେଉଛି। ରାସ୍ତା କଡ଼ରେ ଅଳିଆ ଗଦା ହୋଇଛି। ସନ୍ଧ୍ୟା ହେଲେ ରାସ୍ତାକଡ଼ରେ ବସ୍‌ ପାର୍କିଂ ହେଉଛି। ଅଟୋ କଥା ନ କହିଲେ ଭଲ। ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀ ହୁଅନ୍ତୁ ବା ଗାଡ଼ିଚାଳକ, ଏହି ରାସ୍ତାରେ ଅକଥନୀୟ ଅତ୍ୟାଚାରର ଶିକାର ହେଉଛନ୍ତି। ନିକଟ ଅତୀତରେ ଏହି ରାସ୍ତାରେ ଜବରଦଖଲ ଉଚ୍ଛେଦ ହୋଇଥିଲେ ମଧ୍ୟ ପୁଣି ଥରେ ଏଠରେ ଜବରଦଖଲ ଆରମ୍ଭ ହେଲାଣି। ବସ୍‌ଷ୍ଟାଣ୍ଡକୁ ଚଳାଚଳ କରୁଥିବା ଯାନବାହାନ ସହ ଏହା ହେଉଛି ବରମୁଣ୍ଡା, ଖଣ୍ଡଗିରି, ଧର୍ମବିହାର, ରେଣ୍ଟାଲ୍‌ କଲୋନି, ଜଗନ୍ନାଥବିହାର, ରୁଚିକା ମାର୍କେଟ୍‌ ଆଦି ଅଞ୍ଚଳବାସୀଙ୍କ ନିତିଦିନିଆ ଯାତାୟାତ ରାସ୍ତା। ଦୀର୍ଘ ବର୍ଷ ଧରି ହେବ ଫ୍ଲାଏ ଓଭରର ଉଭୟ ସର୍ଭିସ୍‌ରୋଡ୍‌ର ସମ୍ପୂର୍ଣ୍ଣ ଖରା‌ପ ହୋଇଯାଇଛି। ଏହି ଅଂଶରେ ରାସ୍ତା ସାରା ବଡ଼ବଡ଼ ଖାଲ। ଠାଏ ଠାଏ ପିଚୁ ଉଠିଯାଇଛି। ମରାମତି ହେଉ ନଥିବାରୁ ବଡ଼ ବଡ଼ ଖାଲ ମରଣଯନ୍ତା ପାଲଟିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବରମୁଣ୍ଡା ପଟୁ ଖଣ୍ଡଗିରି ଯିବାକୁ ଥିବା ରାସ୍ତା ଉପରେ ଗାଡ଼ି ଧୁଆ ହେଉଛି। ପ୍ରତ୍ୟେକ ଦିନ ଏଠାରେ ଦିନ ରାତି ଗା‌ଡ଼ି ଧୁଆ ଚାଲୁଛି। ଫଳରେ ରାସ୍ତା‌ଟି ସମ୍ପୁର୍ଣ୍ଣ ସଂଙ୍କୀର୍ଣ୍ଣ ହୋଇ ପଡ଼ୁଛି। ଯେତିକି ଜାଗା ଅଛି ‌‌ସେଥିରେ ଯିବା ବେଳେ ଗାଡ଼ି ଧୁଆ ପାଣି ଚାଳକ ଉପରେ ପଡ଼ୁଛି। ତା ସହିତ ଭୟଙ୍କର ଜାମ୍‌ ହେଉଛି।
ପ୍ରତ୍ୟେକ ଦିନ ଏଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ପାଖରେ ପେଟ୍ରୋଲ ପମ୍ପ ଥିବାରୁ ସମୟ ସମୟରେ ଏମିତି ଭିଡ଼ ହେଉଛି ଯେ ଲୋକେ ଘଣ୍ଟା ଘଣ୍ଟା ଧରି ଭିତରେ ଫସି ରହୁଛନ୍ତି। ବଡ଼କଥା ହେଉଛି ପେଟ୍ରୋଲ ଟାଙ୍କିରୁ ଅନେକ ବାଇକ୍‌ ଚାଳକ ରଙ୍ଗ୍‌ରୁଟ୍‌ରେ ଅନେକ ସମୟରେ ଆସୁଥିବାରୁ ଅସମ୍ଭାଳ ଭିଡ଼ ହେଉଛି। ଭିଡ଼ ନିୟନ୍ତ୍ରଣ କରିବାକୁ ଏଠାରେ ଟ୍ରାଫିକ୍‌ ପୁଲିସ ରହୁନାହାନ୍ତି କିମ୍ବା ଖୋଲାଖୋଲି ଭାବରେ ରାସ୍ତା ଉପରେ ଗାଡ଼ି ଧୁଆ ଚାଲିଥିଲେ ମଧ୍ୟ କାହାରିକୁ ଦିଶୁ ନାହିଁ। ଏମିତି ଦିନଟିଏ ନାହିଁ, ଯେଉଁ ଦିନ ଏଠାରେ ଦୁର୍ଘଟଣା ନ ହେଉଛି। ଦୁର୍ଘଟଣା ଯୋଗୁ ଗାଡ଼ି ଚାଳକଙ୍କ ମଧ୍ୟରେ ହାତାହାତି ଯାଏ କଥା ଯାଉଛି। ବେ‌ଳେ ବେଳେ ଗଣ୍ଡଗୋଳ ହେଲେ ଅନ୍ୟମାନେ ଭିଡ଼ରେ ଫସୁଛନ୍ତି। ଏହି ରାସ୍ତାରେ ଯେଉଁମାନେ ବରମୁଣ୍ଡାରୁ ବାହାରି ଖଣ୍ଡଗିରି ଛକ ଆଡ଼କୁ ଯିବାକୁ ଚାହୁଛନ୍ତି, ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ବରମୁଣ୍ଡାରୁ ଜାଗମରା, ଖଣ୍ଡଗିରିବାରିକୁ ଯିବାକୁ ଚାହୁଥିବା ଲୋକେ ଯମଯନ୍ତ୍ରଣା ଭୋଗୁଛନ୍ତି। ଆହୁରି ଏକ ବଡ଼ ସମସ୍ୟା ହେଉଛି ଏହି ରାସ୍ତାକଡ଼ରେ ଆବର୍ଜନା ଗଦା ହେଉଛି। ପ୍ରତି ଦିନ ବରମୁଣ୍ଡାକୁ ରାଜ୍ୟର କୋଣଅନୁକୋଣରୁ ହଜାର ହଜାର ଲୋକ ଆସୁଛନ୍ତି। ଆବର୍ଜନାରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବାରୁ ଲୋ‌କେ ନାକ ବନ୍ଦ କରି ଯାଉଛନ୍ତି। ଧର୍ମବିହାର ବାସିନ୍ଦା ରାମହରି ବେହେରା କହିଛନ୍ତି, ଉଭୟ ସର୍ଭିସ୍‌ ରୋଡ୍‌ ବହୁ ବର୍ଷରୁ ଖରାପ ହୋଇ ପଡ଼ିଛି। ଶ୍ରୀ ଅରବିନ୍ଦ ସ୍କୁଲ୍‌ ସମ୍ମୁଖ ରାସ୍ତା ରାଷ୍ଟ୍ରପତି ଆସିବା ସମୟରେ ସଜଡ଼ା ହୋଇଥିଲା। ପ‌ରେ ୨ ଜଣ ମରିବ‌ାପରେ କଲଭଟ୍‌ ତିଆରି ହୋଇଛି। ହେଲେ ରାସ୍ତା ଠିକ୍‌ କରାଯାଉନାହିଁ କି ଡ୍ରେନରେ ସ୍ଲାବ୍‌ ପଡ଼ୁନି। ରାସ୍ତାରେ ଗାଡ଼ି ‌ଧୁଆ ହେଉଥିବାରୁ ସବୁବେଳେ ରାସ୍ତାରେ ପାଣି ଜମୁଛି ଓ ଦେହରେ ଗାଡ଼ି ଧୁଆ ପାଣି ପଡ଼ୁଛି।

Share Now:

Kalinga News Beuro

Next Post

ବର୍ଷେ ଗଲାନି ଅଧକୋଟିର ପ୍ରକଳ୍ପ : ୪୬ହଜାର ବିଜୁଳି ବିଲ୍‌ ବାକି, ଚୋର ନେଇଗଲା ପମ୍ପ୍‌

Sun Jan 21 , 2024
ନିରାକାରପୁର: ପ୍ରାୟ ୮୦ଏକର ଜାଗା ପାଇଁ ତିଆରି ହୋଇଥିଲା ଅଧକୋଟିର ଉଠାଜଳସେଚନ ପ୍ରକଳ୍ପ। ଟାଙ୍ଗୀ ବ୍ଲକ୍‌ ରାମେଶ୍ୱର ପଞ୍ଚାୟତର ତାଳପଡ଼ା, ମିରିଗଦୟଣୀ, ଗୁଡ଼ବେଡ଼ିଆଦି ଗାଁ’ର ୨୦୦ ଅଧିକ ଚାଷୀ ଏଥିରୁ ଉପକୃତ ହେବେ ବୋଲି ସ୍ୱପ୍ନ ରହିଥିଲା। କିନ୍ତୁ, ବର୍ଷକ ପୂର୍ବରୁ ପ୍ରକଳ୍ପ ଠପ୍‌ ହୋଇଯାଇଛି। ଅଧକୋଟିର ସେଚ ପ୍ରକଳ୍ପରେ ଏବେ କଳଙ୍କି ଲାଗିଲାଣି। ପ୍ରକଳ୍ପର ଏମିତି ଅବସ୍ଥା ହେବାର କାରଣ ହେଉଛି, ବିଦ୍ୟୁତ୍‌ ବିଲ୍। ପ୍ରକଳ୍ପ କରିବା ପୂର୍ବରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial