ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଚାଲିଚାଲି ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସାରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାହାରିଛନ୍ତି। ସେ ସକାଳ ୯ଟା ୮ ମିନିଟ ସମୟରେ ରାଜଭବନରୁ ବାହାରି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିଥିଲେ। ଖାଲି ପାଦରେ ବିନ୍ଦୁସାଗର ନିକଟରୁ ଚାଲିଚାଲି ଯାଇଥିଲେ ରାଷ୍ଟ୍ରପତି। ବିନ୍ଦୁସାଗର ଦେଇ ସେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ। ମନ୍ଦିର ପରିସରରେ ଥିବା ସିଦ୍ଧି ବିନାୟକ ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ। ତାପରେ ମହାପ୍ରଭୁ ଲିଙ୍ଗରାଜଙ୍କ ଗର୍ଭଗୃହରେ ଜଳାଭିଷେକ କରିଥିଲେ। ତାପରେ ସେ ମା ପାର୍ବତୀଙ୍କୁ ଦର୍ଶନ କରିଥିଲେ। ଏହାପରେ ମନ୍ଦିବେଢ଼ା ପରିକ୍ରମା କରିଥିଲେ। ଶେଷରେ ନନ୍ଦୀଭୃଙ୍ଗୀଙ୍କ ଦର୍ଶନ କରି ସେଠାରୁ ବାହାରିଥିଲେ। ମନ୍ଦିର ସମ୍ମୁଖରେ ତାଙ୍କୁ ସ୍ୱାଗତ କରିବା ଲାଗି ଆଦିବାସୀ ନୃତ୍ୟ ଓ ବାଦ୍ୟର ଆସର ଜମିଥିଲା। କିଛି ସମୟ ପାଇଁ ରାଷ୍ଟ୍ରପତି ସେମାନଙ୍କ ପାଖରେ ଅଟକିଥିଲେ। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝିଅ ମଧ୍ୟ ଉପସ୍ଥିତ ଥିଲେ। ମନ୍ଦିର କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡୁ ନିଯୋଗ ସଂପାଦକ କମଳାକାନ୍ତ ବଡୁଙ୍କୁ ରାଷ୍ଟ୍ରପତିଙ୍କ ଜଳାଭିଷେକ ଓ ପୂଜାର୍ଚ୍ଚନରେ ସହାୟତା କରିଥିଲେ। ଏହି ସମୟରେ ସେବାୟତଙ୍କ ପକ୍ଷରୁ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରିୟ କୋଠ ଭୋଗ, ମୁଆଁ ଓ କୋରାଖଇ ଭେଟି ଦେଇଥିଲେ ସେବାୟତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହି କାର୍ଯ୍ୟକ୍ରମ ସମୟରେ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ନିଜେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ବି ଉପସ୍ଥିତ ରହି ସୁରକ୍ଷା ଓ ଆନୁସାଙ୍ଗିକ ବ୍ୟବସ୍ଥାର ତଦାରଖ କରିଥିଲେ। ମନ୍ଦିରରୁ ବାହାରି ରାଷ୍ଟ୍ରପତି ବିମାନବନ୍ଦର ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଲିକେପ୍ଟର ଯୋଗେ କଟକ ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା କେନ୍ଦ୍ର ଗସ୍ତ କରି ଧାନ ଗବେଷଣା କେନ୍ଦ୍ରରେ ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କରିବେ।

Share Now:

Kalinga News Beuro

Next Post

ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

Sun Feb 12 , 2023
କୋରେଇ: ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଲଷ୍ମୀନଗର ପଞ୍ଚାୟତ ଅନ୍ତର୍ଗତ ରାଧାନଗର ଗ୍ରାମରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହାଫଳରେ ନଗଦ ୧ ଲକ୍ଷ ଟଙ୍କା, ସୁନା ଅଳଙ୍କାର ଓ ଧାନ ସମେତ ଘରର ବହୁ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏହି ଭୟାବହ ଅଗ୍ନିକାଣ୍ଡ ଯୋଗୁ ନୀଳମଣି ପତ୍ରୀ, ଦୀନବନ୍ଧୁ ପତ୍ରୀ ଓ ଶତ୍ରୁଘନ ପତ୍ରୀଙ୍କ ପରିବାର ବିପନ୍ନ ହୋଇଯାଇଛନ୍ତି। ଉକ୍ତ ତିନି ପରିବାରର ୬ ବଖରା ଘର […]
ଭୟାବହ ଅଗ୍ନିକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial