ବର୍ଷେ ଗଲାନି ଅଧକୋଟିର ପ୍ରକଳ୍ପ : ୪୬ହଜାର ବିଜୁଳି ବିଲ୍‌ ବାକି, ଚୋର ନେଇଗଲା ପମ୍ପ୍‌

ନିରାକାରପୁର: ପ୍ରାୟ ୮୦ଏକର ଜାଗା ପାଇଁ ତିଆରି ହୋଇଥିଲା ଅଧକୋଟିର ଉଠାଜଳସେଚନ ପ୍ରକଳ୍ପ। ଟାଙ୍ଗୀ ବ୍ଲକ୍‌ ରାମେଶ୍ୱର ପଞ୍ଚାୟତର ତାଳପଡ଼ା, ମିରିଗଦୟଣୀ, ଗୁଡ଼ବେଡ଼ିଆଦି ଗାଁ’ର ୨୦୦ ଅଧିକ ଚାଷୀ ଏଥିରୁ ଉପକୃତ ହେବେ ବୋଲି ସ୍ୱପ୍ନ ରହିଥିଲା। କିନ୍ତୁ, ବର୍ଷକ ପୂର୍ବରୁ ପ୍ରକଳ୍ପ ଠପ୍‌ ହୋଇଯାଇଛି। ଅଧକୋଟିର ସେଚ ପ୍ରକଳ୍ପରେ ଏବେ କଳଙ୍କି ଲାଗିଲାଣି। ପ୍ରକଳ୍ପର ଏମିତି ଅବସ୍ଥା ହେବାର କାରଣ ହେଉଛି, ବିଦ୍ୟୁତ୍‌ ବିଲ୍। ପ୍ରକଳ୍ପ କରିବା ପୂର୍ବରୁ ନିଷ୍ପତ୍ତି ଥିଲା, ଉଠା ଜଳସେଚନ ବିଭାଗ ଚାଷୀଙ୍କ ପାଇଁ ଏ ପ୍ରକଳ୍ପ ତିଆରି କରିବ। ତାଳପଡ଼ା ମୌଜାର କାଞ୍ଜିଆ କୂଳରେ ପ୍ରକଳ୍ପ ତିଆରି ହେବ। ପ୍ରାୟ ୮୦ଏକର ଜମିକୁ ଏ ପ୍ରକଳ୍ପ ପାଣି ଯୋଗାଇବ। ବାରମାସୀ ସୁନାର ଫସଲ ଫଳାଇବ। ଯୋଜନା ଅନୁସାରେ, ୨୦୦୯/୧୦ ଆର୍ଥିକ ବର୍ଷରେ ପ୍ରକଳ୍ପର ଶୁଭାରମ୍ଭ ହେଲା। ପାଣି ମଟର ଖଞ୍ଜାଗଲା। ସ୍ୱତନ୍ତ୍ର ଟ୍ରାନ୍‌ସଫର୍ମର ବି ଲାଗିଲା। ପ୍ରକଳ୍ପ ନିର୍ମାଣର ଦାୟିତ୍ୱ ସିନା ଉଠା ଜଳସେଚନ ବିଭାଗ ମୁଣ୍ଡାଇଥିଲା, କିନ୍ତୁ ପରିଚାଳନା ଦାୟିତ୍ୱ ଥିଲା ଚାଷୀଙ୍କର। ପ୍ରକଳ୍ପ ଚାଲୁ ପାଇଁ ବିଦ୍ୟୁତ୍‌ ବିଲ୍ ଲୋଡ଼ା। ଯାହା ବିଲ୍ ଉଠିବ ତାହା ଚାଷୀ ଭରଣା କରିବାକୁ କୁହାଗଲା। ତଦନୁସାରେ, ପ୍ରଥମବର୍ଷ ଠିକ୍‌ଠାକ୍‌ ପ୍ରକଳ୍ପରୁ ଜଳସେଚନ କାମ ଚାଲିଲା। ଫସଲ ଫଳିଲା। କିନ୍ତୁ, ମାସ ପରେ ମାସ ଗଡ଼ିଲା ପଛେ ବିଦ୍ୟୁତ୍‌ ବିଲ୍ ପୈଠ ହେଲା ନାହିଁ।
ବିଲ୍ ଗଡ଼ି ଗଡ଼ି ପ୍ରାୟ ୪୬ହଜାର ଡେଇଁଗଲା। ଯେଉଁଥିପାଇଁ ବିଦ୍ୟୁତ୍ କମ୍ପାନି ପ୍ରକଳ୍ପରୁ ବିଜୁଳି ସଂଯୋଗକୁ କାଟି ଦେଇଛି। ଏହି କାରଣ ପାଇଁ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ବିଜୁଳି ସଂଯୋଗ କଟା ହେବା ପରଠାରୁ ପ୍ରକଳ୍ପର ପାଣି ମଟରଟି ବି ଚୋରି ହୋଇଯାଇଛି। ଅଚଳ ପ୍ରକଳ୍ପର ପାଇପ୍‌ ସବୁ କଳଙ୍କି ଲାଗି ଗଲାଣି। ସିମେଣ୍ଟ୍ କୁଣ୍ଡ ବି ଭାଙ୍ଗିରୁଜି ଗଲାଣି। ଗଲା ପ୍ରାୟ ୧୪ବର୍ଷ ହେଲା ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ପାଣିଗ୍ରାହୀ ସମାନ କଥା କହିଛନ୍ତି। ବିଜୁଳି ବିଲ୍ ବକେୟା ଯୋଗୁ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଏନେଇ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। କିନ୍ତୁ ଭିନ୍ନ ପ୍ରକାର ଅଭିଯୋଗ ଆଣିଛନ୍ତି ଚାଷୀ ପ୍ରଭାକର ବଳିୟାର ସିଂ, ଭରତ ପାଲଟାସିଂହ, ଅକ୍ଷୟ ମାର୍ଥା, ଦିଲୀପ ପରିଡ଼ା, ବୀର ବଳବନ୍ତରାୟ, ସୁଦର୍ଶନ ପାଲ୍‌ଟାସିଂହ। କହିଛନ୍ତି, ପ୍ରକଳ୍ପର ପାଣି ପମ୍ପ୍‌ ଚୋରି ହୋଇଗଲା। ଏନେଇ ଥାନାରେ ବି ଅଭିଯୋଗ କଲୁ। କିନ୍ତୁ, କେହି ଶୁଣିଲେ ନାହିଁ। ତା’ ପରଠାରୁ ପ୍ରକଳ୍ପର ଏଇ ଅବସ୍ଥା।

Share Now:

Kalinga News Beuro

Next Post

ଭଗବାନ ରାମଲଲ୍ଲା ପିନ୍ଧିଛନ୍ତି ଏସବୁ ଦୁର୍ମୂଲ୍ୟ ରତ୍ନ ଆଭୂଷଣ

Mon Jan 22 , 2024
ଅଯୋଧ୍ୟା: ଭଗବାନ ରାମଲଲ୍ଲା ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହୋଇଛି। ସାମ୍ନାକୁ ଆସିଛି ଭଗବାନ ରାମଙ୍କର ଆକର୍ଷଣୀୟ ବିଗ୍ରହ। ଭଗବାନ ରାମଙ୍କ ମୂର୍ତ୍ତିକୁ ଅତ୍ୟନ୍ତ ଆକର୍ଷଣୀୟ ଅଳଙ୍କାରରେ ସଜାଯାଇଛି। ଆସନ୍ତୁ ଜାଣିବା ଏହି ଅଳଙ୍କାର ତିଆରିରେ କେଉଁ ରତ୍ନପଥର ବ୍ୟବହାର କରାଯାଇଛି ଏବଂ ବଜାରରେ ଏହି ରତ୍ନର ମୂଲ୍ୟ କେତେ। ଭଗବାନ ଶ୍ରୀରାମଙ୍କ ବିଗ୍ରହକୁ ଧ୍ୟାନର ସହ ଦେଖିଲେ ଆପଣ ଜାଣିପାରିବେ ଯେ ତାଙ୍କୁ ସଜାଇବା ପାଇଁ ଅତ୍ୟନ୍ତ ଦିବ୍ୟ ଓ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial