ନୂଆଦିଲ୍ଲୀ: ଭାରେତ୍ତୋଳନ ତାରକା ମୀରାବାଇ ଚାନୁ ଟୋକିଓରେ ଭାରତ ପାଇଁ ପ୍ରଥମ ପଦକ ଜିତି ଭାରତୀୟଙ୍କୁ ଗୌରବାନ୍ୱିତ କରିଛନ୍ତି। ସେ ପଦକ ଜିତିବା ପରେ ଏକ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଥିଲେ ଯେ, ସେ ବହୁଦିନ ହେବ ପିଜା ଖାଇନାହାନ୍ତି। ତାଙ୍କର ପିଜା ଖାଇବାର ଇଚ୍ଛାକୁ ଦେଖି ଦେଶର ଲୋକପ୍ରିୟ ପିଜା ବିକ୍ରି କରୁଥିବା କମ୍ପାନି ‘ଡୋମିନୋଜ’ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଡୋମିନୋଜ ପକ୍ଷରୁ କୁହାଯାଇଛି କି, ଟୋକିଓ ଅଲିମ୍ପିକରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଭାରେତ୍ତୋଳନକାରୀ ମୀରାବାଇଙ୍କୁ କମ୍ପାନି ତରଫରୁ ଆଜୀବନ ମାଗଣାରେ ପିଜା ଯୋଗାଇ ଦିଆଯିବ।
ଉଲ୍ଲେଖଯୋଗ୍ୟ, ଟୋକିଓ ଅଲମ୍ପିକରେ ଭାରତ ପାଇଁ ପ୍ରଥମ ପଦକ ହାସଲ କରିଥିବା ମୀରବାଇ ଚାନୁ ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଗାଁଠୁ ସହର ସବୁ ବର୍ଗର ଲୋକେ ମୀରାଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଅନେକ ନେତା ମୀରାବାଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବଲିଉଡରୁ ଅମିତାଭ ବଚନ, ଅଭିଷେକ ବଚନ, ସ୍ୱରା ଭାସ୍କର ସମେତ ଅନେକ କଳାକାର ବି ତାଙ୍କୁ ଭାରତର ତାରକା ବୋଲି ଅଭିହିତ କରିଛନ୍ତି।
ଅଲିମ୍ପିକ ରୌପ୍ୟ ପଦକ ବିଜେତା ଚାନୁଙ୍କୁ ଆଜୀବନ ମାଗଣାରେ ଯୋଗାଇବ ପିଜା : ଡୋମିନୋଜ

Share Now: