ଭାରତୀୟ ହକି ଦଳର ଅଲମ୍ପିକ୍ସରେ ପଦକକୁ ନେଇ ନବୀନଙ୍କୁ ‌ଶ୍ରେୟ ଦେଲେ ଅଧିନାୟକ ମନପ୍ରୀତ

ପ୍ରଶଂସା ସାଉଁଟୁଛନ୍ତି ନବୀନ

ରାଜ୍ୟସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ,୧୬ରେ ହକି ଦଳକୁ ଭୁବନେଶ୍ବରରେ ସମ୍ବର୍ଦ୍ଧନା

ଭୁବନେଶ୍ବର : ଏହା ଆମ ସମସ୍ତଙ୍କ ପାଇଁ ବିଶେଷ ମୁହୂର୍ତ୍ତ। ଏହି ବିଶେଷ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ। ସେ ଏହି ଯାତ୍ରାରେ ଆମକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି। ହକି ପାଇଁ ତାଙ୍କ ଦୂରଦୃଷ୍ଟି ଓ ନିରନ୍ତର ପ୍ରୋତ୍ସାହନ ଆମକୁ ଦେଶ ପାଇଁ ଏପରି ଉଲ୍ଲେଖନୀୟ ବିଜୟ ଆଣିବାରେ ସହାୟକ ହୋଇଛି। ସମସ୍ତେ କ୍ରିକେଟ୍‌କୁ ପ୍ରୋତ୍ସାହନ କରିବାକୁ ଆଗେଇ ଆସୁଥିଲା ବେଳେ ଶ୍ରୀ ପଟ୍ଟନାୟକ ହକିକୁ ବାଛିଲେ। ଆଜି ତାହାର ଫଳାଫଳ ଆପଣମାନେ ଦେଖିଲେ। ସେଥିପାଇଁ ତାଙ୍କୁ ହୃଦୟରୁ ଧନ୍ୟବାଦ। ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳ କାଂସ୍ୟ ପଦକ ହାସଲ କଲା ପରେ ଏହା ହେଉଛନ୍ତି ଦଳର ଅଧିନାୟକ ମନପ୍ରୀତ ସିଂହଙ୍କ ମନର କଥା। ଖୋଲାଖୋଲି ଭାବେ ଭାରତୀୟ ହକି ଟିମ୍‌ର ଉତ୍‌ଥାନ ପଛରେ ଶ୍ରେୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ। କେବଳ ମନପ୍ରୀତ ନୁହନ୍ତି, ଆଜି ଭାରତୀୟ ହକି ଦଳର ଅଲମ୍ପିକ୍ସ ପଦକକୁ ନେଇ ସାରା ଦେଶ ଉତ୍ସବ ପାଳନ କରୁଥିଲା ବେଳେ ଓଡ଼ିଶାକୁ ପ୍ରଶଂସାର ସୁଅ ଛୁଟିଛି। ଟୋକିଓ ଅଲମ୍ପିକ୍ସରେ ଭାରତର ହକି ଖେଳାଳିଙ୍କ ଜର୍ସିରେ ଓଡ଼ିଶାର ଲୋଗୋ ଓଡ଼ିଶାବାସୀଙ୍କୁ ଗର୍ବିତ କରିଛି। ତାହା ସହ ସାରା ଦେଶରେ ଓଡ଼ିଶାର ଚର୍ଚ୍ଚା ପ୍ରତ୍ୟେକ ଓଡ଼ିଆଙ୍କୁ ଏକ ବିରଳ ଉପଲବ୍ଧି ଦେଇଛି। ରାଜ୍ୟସଭାରେ ମଧ୍ୟ ଆଜି ଓଡ଼ିଶା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରଶଂସା ଏକ ଉଲ୍ଲେଖନୀୟ ଘଟଣା ଥିଲା। ରାଜ୍ୟସଭାରେ ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇବା ଅବସରରେ କହିଥିଲେ ଯେ ଏହି ସଫଳତା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ଓଡ଼ିଶା ସରକାରଙ୍କ ବିଶେଷ ଅବଦାନ ରହିଛି। ପୁରୁଷ ଓ ମହିଳା ହକି ଦଳକୁ ୫ ବର୍ଷ ପାଇଁ ପ୍ରାୟୋଜକ ହେବାକୁ ଶ୍ରୀ ପଟ୍ଟନାୟକ ଆଗେଇ ଆସିଥିଲେ। ଓଡ଼ିଶା ସରକାରଙ୍କ ନିରନ୍ତର ସମର୍ଥନ ହକି ଖେଳାଳିମାନଙ୍କୁ ବେଶ୍‌ ଉତ୍ସାହିତ କରିଛି। ଉପାଧ୍ୟକ୍ଷଙ୍କ ଏହି ମନ୍ତବ୍ୟକୁ ଗୃହରେ ସଦସ୍ୟମାନେ ଟେବୁଲ୍ ବାଡ଼େଇ ସମର୍ଥନ କରିଥିଲେ। ଜାତୀୟ ଗଣମାଧ୍ୟମଠାରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଆଡ଼େ ହକି ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାକୁ ବିଶେଷ ଧନ୍ୟବାଦ ଦିଆଯାଉଥିବା ଦେଖିବାକୁ ମିଳୁଛି। ହକିର ଉତ୍‌ଥାନ ପଛରେ ଓ ଆଧୁନିକ ଯୁବପିଢ଼ି ମଧ୍ୟରେ ହକି ପ୍ରତି ଆଗ୍ରହ ଜନ୍ମାଇବାରେ ଓଡ଼ିଶାର ଅବଦାନକୁ ସମସ୍ତେ ମୁକ୍ତ କଣ୍ଠରେ ସ୍ବୀକାର କରୁଛନ୍ତି। ହକି ଟିମ୍‌ର ଓଡ଼ିଶା ସରକାର ପ୍ରାୟୋଜକ ସାଜିବା ଠାରୁ ଆରମ୍ଭ କରି ହକିର ଭିତ୍ତିଭୂମି ପାଇଁ ରାଜ୍ୟରେ ହେଉଥିବା ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଛନ୍ତି। ହକିକୁ ଜାତୀୟ କ୍ରୀଡ଼ାର ମାନ୍ୟତା ଦିଆଯାଇଥିଲେ ବି ଆଶାନୁରୂପକ ପ୍ରୋତ୍ସାହନ ମିଳୁ ନ ଥିବାର ଅଭିଯୋଗ ହୋଇ ଆସୁଥିଲା। ସାରା ଭାରତ କ୍ରିକେଟ୍‌ ପଛରେ ମତୁଆଲା ଥିଲା। କ୍ରିକେଟ୍‌ରେ କୋଟି କୋଟି ଟଙ୍କା ଉଡ଼ୁଥିଲା ବେଳେ ଏହାର ଗ୍ଲାମର୍‌ ଖେଳପ୍ରେମୀଙ୍କୁ ବେଶ୍‌ ଆକର୍ଷିତ କରୁଥିଲା। କିନ୍ତୁ ଏହି ସମୟରେ ଓଡ଼ିଶା ଏକ ଭିନ୍ନ ବାଟ ଆପଣାଇଥିଲା। ଜାତୀୟ କ୍ରିଡ଼ାକୁ ପ୍ରୋତ୍ସାହନ ଦେଇ ତାହାର ନବକଳେବର ପାଇଁ ସହଯୋଗର ହାତ ବଢ଼ାଇଥିଲା ଓଡ଼ିଶା। ଓଡ଼ିଶା ସରକାର ୨୦୧୮ ମସିହାରେ ୫ ବର୍ଷ ପାଇଁ ଉଭୟ ପୁରୁଷ ଓ ମହିଳା ହକି ଟିମ୍‌ର ପ୍ରାୟୋଜକ ହେବାକୁ ଚୁକ୍ତି କରିଥିଲେ। ୫ ବର୍ଷ ପାଇଁ ୧୫୦ କୋଟି ଟଙ୍କା ଦେଇ ଉଭୟ ହକି ଦଳର ଦାୟିତ୍ବ ନେଇଛନ୍ତି ରାଜ୍ୟ ସରକାର। କୌଣସି ରାଜ୍ୟ ସରକାର ଜାତୀୟ କ୍ରୀଡ଼ାର ପ୍ରାୟୋଜକ ହେବା ଥିଲା ଦେଶରେ ପ୍ରଥମ ଘଟଣା। ‌ଜାତୀୟ କ୍ରୀଡ଼ା ହକି ପାଇଁ ଓଡ଼ିଶାର ଏହି ଅବଦାନକୁ ସବୁ ମହଲରେ ସ୍ବାଗତ କରାଯାଇଥିଲା। କେବଳ ଅର୍ଥ ଦେଇ ଓଡ଼ିଶା ସରକାର ଦାୟିତ୍ବ ସାରି ଦେଇ ନ ଥିଲେ। ରାଜ୍ୟ ଭିତରେ ହକିକୁ ପ୍ରୋତ୍ସାହନ ଦେବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଜାରି ରହିଲା। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ହକି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ସହ ସାରା ଦେଶର ଦୃଷ୍ଟି ଆକର୍ଷଣ କଲା ଓଡ଼ିଶା। ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ହକି ପ୍ରତିଯୋଗିତା ଆୟୋଜନ କରି ଦେଶର କ୍ରୀଡ଼ା ମାନଚିତ୍ରରେ ଓଡ଼ିଶା ସ୍ବତନ୍ତ୍ର ସ୍ଥାନ ହାସଲ କରିବା ସହ ରାଜ୍ୟର ହକି ଖେଳାଳିମାନଙ୍କୁ ଉତ୍ସାହିତ କରାଯାଇପାରିଛି। ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ଏକାଧିକ ଗୁରୁତ୍ବପୂର୍ଣ୍ଣ ହକି ଟୁର୍ଣ୍ଣାମେଣ୍ଟ୍‌ ଆୟୋଜନ କରିଛି। ଏହା ମଧ୍ୟରେ ଅଛି ୨୦୧୮ ବିଶ୍ବକପ୍, ୨୦୧୪ ଚମ୍ପିଆନ୍ସ ଟ୍ରଫି ଓ ୨୦୧୭ରେ ହକି ୱାର୍ଲଡ୍‌ ଲିଗ୍ ଫାଇନାଲ୍‌। ଭୁବନେଶ୍ବର ଓ ରାଉରକେଲାରେ ୨୦୨୩ ପୁରୁଷ ହକି ବିଶ୍ବକପ୍ ଆୟୋଜନ ପାଇଁ ପ୍ରସ୍ତୁତି ଜୋର୍‌ଦାର ଚାଲୁ ରହିଛି। ବିଶ୍ବକପ୍ ପାଇଁ ରାଉରକେଲାରେ ଭାରତର ସବୁଠାରୁ ବଡ଼ ହକି ଷ୍ଟାଡିୟମ୍ ନିର୍ମାଣ ଚାଲିଛି। ଏହାର ଦର୍ଶକ କ୍ଷମତା ରହିଛି ୨୦ ହଜାର। ଏସବୁ ଦ୍ବାରା ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ହକି ପ୍ରତି ଆଗ୍ରହ ବି ବଢ଼ିଛି।
ହକି ଖେଳକୁ ଏକ ନୂଆ ରୂପ ଓ ସୁଦୃଢ଼ ଭିତ୍ତିଭୂମି ଯୋଗାଇ ଦିଆଯିବା ସହ ଓଡ଼ିଶାକୁ ବିଶ୍ବର କ୍ରୀଡ଼ା ରାଜଧାନୀ ରୂପେ ପରିଗଣିତ କରିବାକୁ ଉଦ୍ୟମ ଜାରି ରହିଛି। ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନଫେରନସିଂରେ ବିଜୟୀ ଦଳର ସବୁ ଖେଳାଳିଙ୍କ ସହ କଥା ହୋଇଥିଲେ। ସେମାନଙ୍କୁ ଶୁଭେଚ୍ଛା ଜଣାଇ ଉତ୍ସାହିତ କରିଥିଲେ। କହିଥିଲେ, ‘ଆପଣମାନଙ୍କୁ ବହୁତ ବହୁତ ଶୁଭେଚ୍ଛା। ସାରା ଭାରତ ଉତ୍ସାହିତ ଓ ଗର୍ବିତ। ଓଡ଼ିଶାବାସୀ ବି ବହୁତ ଖୁସି। ଆମେ ସବୁ ଆପଣଙ୍କ ପଛରେ ଅଛି। ଅଗଷ୍ଟ ୧୬ ତାରିଖରେ ଆପଣମାନଙ୍କୁ ସ୍ବାଗତ କରିବାକୁ ଆମେ ଅପେକ୍ଷା କରିଛୁ।’ ଖେଳାଳିମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ବେଶ୍‌ ଖୁସି ପ୍ରକଟ କରିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ଓଡ଼ିଶା ଭାରତୀୟ ମହିଳା ଓ ପୁରୁଷ ହକି ଟିମ୍‌ର ମୁଖ୍ୟ ପ୍ରାୟୋଜକ ହୋଇଥିବାରୁ ରାଜ୍ୟ ଓ ରାଜ୍ୟ ବାହାରର ପ୍ରତିଟି ଓଡ଼ିଆ ନିଜକୁ ଧନ୍ୟ ମନେ କରୁଛନ୍ତି। ଏହି ବିଜୟ ପ୍ରକ୍ରିୟା ଜାରି ରହୁ। ମୋର ଏତିକି ଭଗବାନଙ୍କ ନିକଟରେ ପ୍ରାର୍ଥନା।’

Share Now:

Kalinga News Beuro

Next Post

ମଧ୍ୟପ୍ରଦେଶରେ ବନ୍ୟା ବିପର୍ଯ୍ୟୟ: ଉଦ୍ଧାର କାର୍ଯ୍ୟରେ ସେନା ଓ ଏନ୍‌ଡିଆରଏଫ୍‌ ମୁତୟନ

Fri Aug 6 , 2021
ଭୋପାଳ: ମଧ୍ୟପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ଆସିଥିବା ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିଛି। ଗତ ମଙ୍ଗଳବାର ଠାରୁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଗ୍ବାଲିୟର-ଚମ୍ବଲ୍‌ ଅଞ୍ଚଳରେ ବନ୍ୟା ଯୋଗୁଁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ପାଖାପାଖି ୧୨୫୦ ଗ୍ରାମ ବନ୍ୟା‌ ଯୋଗୁଁ ପ୍ରଭାବିତ ହୋଇଥିବା ବେଳେ ୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାାନାନ୍ତର କରାଯାଇଛି। ୨ ହଜାରରୁ ଅଧିକ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ଭାରତୀୟ […]
ମଧ୍ୟପ୍ରଦେଶରେ ବନ୍ୟା ବିପର୍ଯ୍ୟୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial