କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏବେ ତାଲିବାନ ପାଇଁ ଚାରିଆଡୁ ସଂକଟ ଘନେଇବାରେ ଲାଗିଛି। ଏହାରି ମଧ୍ୟରେ ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ (ଆଇଏମଏଫ) ଆଫଗାନିସ୍ତାନକୁ ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯିବା ନେଇ ଘୋଷଣା କରିଛି। ଆଇଏମଏଫର ପ୍ରବକ୍ତା ଗେରି ରାଇସ ଏ ବାବଦରେ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, “ଯାହା ସବୁବେଳେ ହୋଇଥାଏ, ତାହା ଏବେ ହୋଇଛି , ଆଇଏମଏଫ ସବୁବେଳେ ଅର୍ନ୍ତରାଷ୍ଟ୍ରୀୟ ସମୁଦାୟର ବିଚାର ମୁତାବକ ପରିଚାଳିତ ହୋଇଥାଏ।” ସେ ଆହୁରି କହିଛନ୍ତି କି ଏହି ସମୟରେ ଆଫଗାନିସ୍ତାନର ସରକାର ବାବଦରେ ଅର୍ନ୍ତରାଷ୍ଟ୍ରୀୟ ସମୁଦାୟର ସ୍ପଷ୍ଟତା କମ ରହିଛି। ଏହାର ପରିଣାମ ସ୍ୱରୂପ ଏହି ଦେଶକୁ ଏସଡିଆର କିମ୍ବା ଆଇଏମଏଫ ତରଫରୁ ପୂର୍ବରୁ ମିଳୁଥିବା ଆର୍ଥିକ ସହାୟତା ବନ୍ଦ ହେବାକୁ ଯାଉଛି। ଏହା ପୂର୍ବରୁ ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ କହିଥିଲେ କି ତାଲିବାନ ଆଫଗାନିସ୍ତାନକୁ ଦଖଲ କରିଥିଲେ ବି ତାଲିବାନୀଙ୍କ ପାଖରେ ଆଫଗାନର ସମସ୍ତ ନଗଦ ଟଙ୍କା ଓ ସୁନା ଷ୍ଟକ ପହଂଚି ପାରି ନାହିଁ। ଅନ୍ୟପଟେ ଦ ଆଫଗାନିସ୍ତାନ ବ୍ୟାଙ୍କ (ଡିଏବି) ର ଗଭର୍ଣ୍ଣର ଅଜମଲ ଅହମଦୀ ଟ୍ୱିଟର ମାଧ୍ୟମରେ କହିଛନ୍ତି କି ବ୍ୟାଙ୍କ ପାଖରେ ୯ ଅରବ ଡଲାରର ଭଣ୍ଡାର ଥିଲା। ହେଲେ ଏହାର ଅଧିକାଂଶ ଭାଗ ବିଦେଶୀ ବ୍ୟାଙ୍କ ହାତରେ ରହିଛି। ଯାହା ପାଖରେ ତାଲିବାନ ପହଂଚିପାରିବ ନାହିଁ।
ଆଫଗାନିସ୍ତାନକୁ ଆର୍ଥିକ ସହାୟତା ବନ୍ଦ କରିବାକୁ ଘୋଷଣା କଲା ଆଇଏମଏଫ

Share Now: