କୋଭିଡ୍ ସେଣ୍ଟର ଅଫ୍ ଏକ୍ସିଲେନ୍ସ୍ ହେବ ଶିଶୁଭବନ

ଶିଶୁଭବନ

କଟକ : କରୋନାର ତୃତୀୟ ଲହର ଶିଶୁଙ୍କ ପାଇଁ ଘାତକ ହେବାର ଆଶଙ୍କା କରାଯାଉଛି। ଏଭଳି ଜଟିଳ ପରିସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଶିଶୁଭବନକୁ ପେଡିଆଟ୍ରିକ କୋଭିଡ୍ ନୋଡାଲ ସେଣ୍ଟର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶିଶୁଭବନ ହେବ ରାଜ୍ୟରେ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସ୍’। ଶିଶୁଭବନର ଶିଶୁରୋଗ ବିଶେଷଜ୍ଞ ଦଳ ରାଜ୍ୟରେ ସମସ୍ତ ମେଡିକାଲ୍ କଲେଜଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପେଡିଆଟ୍ରିକ କୋଭିଡ୍ କେୟାର ସେଣ୍ଟରକୁ ନିୟନ୍ତ୍ରିତ କରିବ। ଖୁବ୍‌ଶୀଘ୍ର ଶିଶୁଭବନ ଜାପାନ କୋଠାରେ ସ୍ବତନ୍ତ୍ର ପେଡିଆଟ୍ରିକ୍ ହସପିଟାଲ୍ ଖୋଲିବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ୫୦ ବେଡ୍ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ୪୦ଟି ସାଧାରଣ ବେଡ୍ ଓ ୧୦ଟି ଆଇସିୟୁ ବେଡ୍ ରହିବା ନେଇ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଶିଶୁଭବନକୁ ରାଜ୍ୟ ସରକାର ପେଡିଆଟ୍ରିକ କୋଭିଡ୍ ହସପିଟାଲ ପାଇଁ ସେଣ୍ଟର ଅଫ୍ ଏକ୍ସିଲେନ୍ସ କରିବାକୁ ଯାଉଛିନ୍ତି। ଆଗାମୀ ଦିନରେ କରୋନାରେ ଶିଶୁ ଆକ୍ରାନ୍ତ ହେଲେ ସରକାରଙ୍କ ଦୈନିକ ଯାହାକିଛି ଗାଇଡଲାଇନ୍ ଓ ଚିକିତ୍ସା ପ୍ରଣାଳୀ ଲାଗୁ କରିବେ, ତାକୁ ରାଜ୍ୟର ୭ଟି ମେଡିକାଲ୍ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ପେଡିଆଟ୍ରିକ କୋଭିଡ୍ ହସ୍ପିଟାଲର ଡାକ୍ତର ଓ ପାରାମେଡିକାଲ୍ କର୍ମଚାରୀଙ୍କୁ ଶିଶୁଭବନର ବିଶେଷଜ୍ଞ ଦଳ ତାଲିମ ଦେବେ। ଶିଶୁଭବନରେ ମାନବସମ୍ବଳ ଭଲ ସ୍ଥିତିରେ ଥିବାରୁ ଏହାକୁ ପେଡିଆଟ୍ରିକ କୋଭିଡ୍ ନୋଡାଲ୍ ସେଣ୍ଟର ଘୋଷଣା କରାଯାଇଥିବା କୁହାଯାଉଛି। ଏବେ ଶିଶୁଭବନରେ ଟେଲିମେଡିସିନ୍ ସେଣ୍ଟର ମାଧ୍ୟମରେ ରାଜ୍ୟର ଶିଶୁ ରୋଗ ଡାକ୍ତରଙ୍କୁ ତାଲିମ୍ ଆରମ୍ଭ ହୋଇଯାଇଛି। ଶିଶୁଭବନ ଜିଲ୍ଲାର ରାଜ୍ୟର ଅନ୍ୟ ପେଡିଆଟ୍ରିକ କୋଭିଡ ହସ୍ପିଟାଲକୁ ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇ ଦେବ। ଡାଇରେକ୍ଟର ଅଫ୍ ମେଡିକାଲ୍ ଏଜୁକେସନ୍ ଏବଂ ଟ୍ରେନିଂ(ଡିଏମଇଟି) ପ୍ରଫେସର ଡାକ୍ତର ସିବିକେ ମହାନ୍ତି ଆଜି ଦିନ ପ୍ରାୟ ୧୨ଟା ବେଳେ ଶିଶୁଭବନ ଗସ୍ତରେ ଆସିଥିଲେ। ଜାପାନ କୋଠାରେ ପେ’ ମେଡିକାଲ୍ ୱାର୍ଡରେ ଖୋଲିବାକୁ ଯାଉଥିବା ସ୍ବତନ୍ତ୍ର ପେଡିଆଟ୍ରିକ କୋଭିଡ୍ ହସପିଟାଲର ସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରଫେସର ଡାକ୍ତର ମହାନ୍ତି କହିଛନ୍ତି ଯେ ଶିଶୁଭବନ ସେଣ୍ଟର ଅଫ୍ ଏକ୍ସିଲେନ୍ସ ହେବାକୁ ଥିବାରୁ ଆଜି ସ୍ଥିତି ଅନୁଧ୍ୟାନ କରାଯାଇଛି। ଏଠାରେ ଉଚ୍ଚ କୋଟିର କୋଭିଡ କେୟାର ସେଣ୍ଟର ତିଆରି ହେବା ସମ୍ପର୍କରେ ସୂଚନା ଦେଇଛନ୍ତି। ଅନ୍ୟପଟେ ଶିଶୁଭବନରେ ନିର୍ମାଣାଧିନ ପିଜି ହଷ୍ଟେଲରେ ୧୦୦ ବେଡର କୋଭିଡ ହସପିଟାଲ୍ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କୋଠା ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବା ବେଳେ ତୃତୀୟ ଲହର ଅକ୍ଟୋବର ସୁଦ୍ଧା ଆସିବା ନେଇ ଆଶଙ୍କା କରାଯାଉଛି। ଏଭଳି ସ୍ଥିତିରେ ତୁରନ୍ତ କୋଭିଡ ହସ୍ପିଟାଲ୍ ଖୋଲିବାକୁ ପେ’ ମେଡିକାଲ ଓ୍ବାର୍ଡକୁ ଚିହ୍ନଟ କରାଯାଇଛି। ପେ’ ମେଡିକାଲରେ ଥିବା ବେଡକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ଶିଶୁଭବନ କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୫୦ଟି କୋଭିଡ୍ ବେଡ୍ ଖୋଲିବାକୁ ଥିବା ବେଳେ ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହାକୁ ସଂପ୍ରସାରଣ କରାଯିବା। ଗତକାଲି ଆରଆଣ୍ଡବିର ଇଞ୍ଜିନିୟର ବି ଜାପାନ କୋଠାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆସନ୍ତା ଏକ ମାସ ଭିତରେ ବେଡ୍ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ ହୋଇଛି। ଦିନେ ଦୁଇ ଦିନ ମଧ୍ୟରେ ବ୍ୟୟ ଅଟକଳ କରି କାମ ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଛି। ଶିଶୁଭବନରେ କରୋନାର ପ୍ରଥମ ଲହରରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ୨୦୨୦ ଏପ୍ରିଲ ପ୍ରଥମ ସପ୍ତାହରେ କରୋନା ସନ୍ଦିଗ୍ଧଙ୍କ ପାଇଁ ସାରି ୱାର୍ଡ ନାଁରେ ଏକ ଆସୋଲେସନ୍ କେନ୍ଦ୍ର ଖୋଲାଯାଇଥିଲା। ୱାର୍ଡ-୩ରେ ଡାଇରିଆ ୱାର୍ଡର ଉପର ମହଲାରେ ୧୨ ବେଡ୍ ବିଶିଷ୍ଟ ୱାର୍ଡ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ କରୁଛି। ଏଠାରେ କେବଳ କରୋନା ସନ୍ଦିଗ୍ଧଙ୍କୁ ରଖାଯାଉଥିବା ବେଳେ ପଜିଟିଭ୍ ଚିହ୍ନଟ ହେଲେ ବାହାରେ ଥିବା କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଉଛି।

Share Now:

Kalinga News Beuro

Next Post

କଳାହାଣ୍ଡି ଜିଲ୍ଲାରେ ପୋଷାକ, କ୍ରୀଡ଼ା ସାମଗ୍ରୀ ଯୋଗାଣରେ ଫିକ୍ସିଂ

Fri Aug 20 , 2021
ନିର୍ଦ୍ଦିଷ୍ଟ ଦୋକାନରୁ କିଣାଯାଉଛି ସାମଗ୍ରୀ କେସିଙ୍ଗା : କଳାହାଣ୍ଡି ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ କୋଭିଡ୍‌ ଟଙ୍କା ହଡ଼ପ, ଇଂରାଜୀ ମିଡିୟମ୍‌ ସ୍କୁଲ୍‌ରେ ପାଠପଢ଼ା ପାଇଁ ଆସୁଥିବା ଅନୁଦାନର ଜାଲିଆତି ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ବର୍ତ୍ତମାନ ସରକାରୀ ସ୍କୁଲ୍‌ରେ ମାଗଣା ପୋଷାକ ବଣ୍ଟନ ପାଇଁ ଦିଆଯାଉଥିବା ଅନୁଦାନରେ ବି ଫିକ୍ସିଂ ହେଉଥିବା ଅଭିଯୋଗ ଉଠିଛି। ପୋଷାକ କିଣା ପାଇଁ ସରକାରଙ୍କ ନିୟମ ରହିଥିଲେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଦୋକାନରୁ ବର୍ଷ ବର୍ଷ […]
କ୍ରୀଡ଼ା ସାମଗ୍ରୀ ଯୋଗାଣରେ ଫିକ୍ସିଂ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial