ଧରାପଡ଼ିଲେ ଦୁଇ ବନ୍ଧୁକ ବେପାରୀ : ୧୦ ବନ୍ଧୁକ ଜବତ, ମାଲିକ ଫେରାର

ଧରାପଡ଼ିଲେ ଦୁଇ ବନ୍ଧୁକ ବେପାରୀ

ଭୁବନେଶ୍ବର : ଢେଙ୍କାନାଳ ଭାପୁର ନିକଟ ନିକାଞ୍ଛନ ସ୍ଥାନରେ ଚୋରା ବନ୍ଧୁକ ତିଆରି କାରଖାନା ଓ ବିକ୍ରି ନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ଖବର ମିଳିଥିଲା। ଖବର ମୁତାବକ କାରାଖାନା ମାଲିକ ଦୁଇ ବେପାରୀଙ୍କୁ ବନ୍ଧୁକ ବିକ୍ରି କରିବାକୁ ଆସିଥିଲା। ଏସଟିଏଫ୍ ଚଢ଼ଉ କରି ଦୁଇ ବନ୍ଧୁକ ବେପାରୀଙ୍କୁ ଧରିବାକୁ ସକ୍ଷମ ହେଲା। କିନ୍ତୁ କାରଖାନା ମାଲିକ ଫେରାର ହୋଇଗଲା। ଦୁଇ ବେପାରୀଙ୍କ ପାଖରୁ ୧୦ ବନ୍ଧୁକ ଜବତ ହେଲା ସତ, କିନ୍ତୁ କେଉଁଠି କାରାଖାନା ଚାଲିଛି ଓ ବନ୍ଧୁକ ତିଆରି ହେଉଛି ତାହାର ସନ୍ଧାନ ମିଳିପାରିଲା ନାହିଁ। ଗିରଫ ଦୁଇ ଜଣ ହେଲେ କଟକ ଜିଲ୍ଲା ଖୁଁଟୁଣୀ ରାମକୃଷ୍ଣପୁର ଅଞ୍ଚଳର କାଳନ୍ଦୀ ନାୟକ ଓ ଢେଙ୍କାନାଳ ବାଲିଆମ୍ବ ଅଞ୍ଚଳର ଶ୍ୟାମସୁନ୍ଦର ଶୀଠ। ଉଭୟଙ୍କ ଠାରୁ ୯ ଟି ରାଇଫଲ୍ ଓ ଗୋଟିଏ ମାଉଜର ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ବନ୍ଧୁକ ତିଆରି ଓ ବିକ୍ରି ସମ୍ପର୍କରେ ଏସଟିଏଫ୍‌କୁ ପୂର୍ବରୁ ଖବର ମିଳିଥିଲା। ଗତକାଲି ଅପରାହ୍ନରେ ଢେଙ୍କାନାଳ ଭାପୁର ଗାଁ ରାସ୍ତା ନିକଟରେ ଡିଲ୍ ଚାଲୁଥିବା ବେଳେ ଟିମ୍ ଚଢ଼ଉ କରି କାଳନ୍ଦୀ ଓ ଶ୍ୟାମସୁନ୍ଦରକୁ କାବୁ କରିଥିଲା। ଫେରାର କାରଖାନା ମାଲିକ ଏହି ବନ୍ଧୁକ ତିଆରି କରି ବେପାରୀମାନଙ୍କୁ ଯୋଗାଉଥିଲା। ବେପାରୀ ଏହାକୁ ୫ରୁ ୭ ହଜାର ଟଙ୍କାରେ କିଣନ୍ତି। ବିଶେଷ କରି ଜଙ୍ଗଲରେ ଜୀବଜନ୍ତୁ ଶିକାର କରୁଥିବା ଶିକାରୀ, କାଠମାଫିଆ, ବାଲି ମାଫିଆ, ପଥର ମାଫିଆ ଏସବୁ ବନ୍ଧୁକ କିଣୁଥିଲେ। ବେପାରୀମାନେ ଶିକାରୀ ଓ ମାଫିଆଙ୍କୁ ୧୦ରୁ ୨୦ ହଜାର ଟଙ୍କାରେ ଏହାକୁ ବିକ୍ରି କରୁଥିଲେ। ସେହିପରି ମାଉଜର ଗୋଟାକୁ ମୂଲ୍ୟ ଥିଲା ୩୦ ହଜାର। କେତେକ ସମୟରେ ଚଢ଼ା ଦରରେ ବନ୍ଧୁକ ବେପାର ଚାଲେ। ଗିରଫ ଦୁଇ ଅଭିଯୁକ୍ତ ଏକାଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ଅଛନ୍ତି। ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି। ଅଧିକ ତଦନ୍ତ ପାଇଁ ଉଭୟଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ସେହିପରି ଚୌଦ୍ବାର, ଆଠଗଡ଼, ଖୁଁଟୁଣୀ ଅଞ୍ଚଳ, ନୟାଗଡ଼ ଅଞ୍ଚଳରେ ମଧ୍ୟ ବିପୁଳ ପରିମାଣର ଦେଶୀ ବନ୍ଧୁକ ତିଆରି ଚାଲିଛି। ସେମାନେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବନ୍ଧୁକ ବିକ୍ରି ଯୋଗାନ୍ତି। ଗତ କିଛିମାସ ତଳେ ଚନ୍ଦକା ଅଞ୍ଚଳରୁ ବଡ଼ଧରଣର ଦେଶୀ ବନ୍ଧୁକ ରାକେଟ୍ ଠାବ ହୋଇଥିଲା। ବିପୁଳ ପରିମାଣର ବନ୍ଧୁକ ମଧ୍ୟ ଜବତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଏସଟିଏଫ୍ ଏ ଯାବତ୍ ୫୬ ବନ୍ଧୁକ ଓ ୯୧ ଗୁଳି ଜବତ କରିସାରିଲାଣି।

Share Now:

Kalinga News Beuro

Next Post

ସଂଧ୍ୟା ପରେ ‘ଗୁଲାବ୍’ ଛୁଇଁବ ସ୍ଥଳଭାଗ : ଗୋପାଳପୁରଠାରୁ ୧୩୫ କିଲୋମିଟର ଦୂରରେ

Sun Sep 26 , 2021
ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ଗୁଲାବ୍’ର ପ୍ରଭାବରେ ରାଜ୍ୟର ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ‘ଗୁଲାବ୍’ ଗୋପାଳପୁରଠାରୁ ୧୩୫ କିଲୋମିଟର ଦୂରରେ ରହିଛି। ପୂର୍ବରୁ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଗତି କରୁଥିବା ବାତ୍ୟା ଏବେ ୧୬ କିଲୋମିଟର ବେଗରେ ଗତି କରୁଛି। ବର୍ତ୍ତମାନ ଏହାର ଗତିପଥକୁ ଡପଲର୍ ରାଡାର ସାହାଯ୍ୟରେ ଅନୁଧ୍ୟାନ କରାଯାଉଛି। ବିଶାଖପାଟଣା ଓ ଗୋପାଳପୁରସ୍ଥିତ ପାଣିପାଗ […]
ସଂଧ୍ୟା ପରେ ସ୍ଥଳଭାଗ ଛୁଇଁବ ‘ଗୁଲାବ୍’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial