ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଏବେ ନିୟନ୍ତ୍ରଣାଧୀନ ରହିଛି। କିନ୍ତୁ ୫ରାଜ୍ୟରେ ସକ୍ରିୟ ମାମଲା ଅଧିକ ରହୁଛି। କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ କହିଛନ୍ତି, କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ମିଜୋରାମ ଏବଂ କର୍ଣ୍ଣାଟକରେ ସକ୍ରିୟ ମାମଲା ଅଧିକ ରହୁଛି। କେରଳରେ ବୁଧବାର ୧୨,୬୧୬ ନୂଆ ମାମଲା ଚିହ୍ନଟ ହୋଇଛି। ଏଥିସହ କେରଳରେ ମୋଟ୍ ସଂକ୍ରମଣ ମାମଲା ୪୭,୫୧,୪୩୪ରେ ପହଞ୍ଚିଛି। ଦେଶର ସର୍ବାଧିକ ଦୈନିକ ସଂକ୍ରମଣ ମାମଲା କେରଳରେ ରହୁଛି। ମହାରାଷ୍ଟ୍ରରେ ବୁଧବାର ୨,୮୭୬ ମାମଲା ଚିହ୍ନଟ ହୋଇଥିଲା। ମହାରାଷ୍ଟ୍ରରେ ଏଯାବତ୍ ୬୫,୬୭,୭୯୧ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସେହିପରି ତାମିଲନାଡ଼ୁରେ ୧୪୩୨ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ମୋଟ୍ ସଂକ୍ରମଣ ମାମଲା ୨୬,୭୨,୮୪୩ରେ ପହଞ୍ଚିଛି। ମିଜୋରାମରେ ଗତ କିଛି ଦିନ ଧରି ଲଗାତାର ସଂକ୍ରମଣ ବଢ଼ୁଛି।
ଗତ ୨୪ ଘଣ୍ଟାରେ ମିଜୋରାମରେ ୧୩୦୨ ନୂଆ ମାମଲା ଚିହ୍ନଟ ହୋଇଛି। ସେହିପରି କର୍ଣ୍ଣାଟକରେ ୫୨୩ ନୂଆ ମାମଲା ଚିହ୍ନଟ ହୋଇଛି। କର୍ଣ୍ଣାଟକରେ ମୋଟ୍ ସଂକ୍ରମଣ ମାମଲା ୨୯,୭୯,୩୩୧ ପହଞ୍ଚିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପରବର୍ତ୍ତୀ ୩ ମାସ ସତର୍କ ରହିବାପାଇଁ କହିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, ଆସନ୍ତା ୩ ମାସ ତଥା ଅକ୍ଟୋବର, ନଭେମ୍ବର ଏବଂ ଡିସେମ୍ବର ମାସ ପାଇଁ ଆମକୁ ସତର୍କ ହେବାକୁ ପଡ଼ିବ। ଅଗ୍ରୱାଲ୍ କହିଛନ୍ତି, କରୋନାର ଚ୍ୟାଲେଞ୍ଜ ଏଯାଏଁ ଶେଷ ହୋଇନି। ଆମେ କରୋନାର ଦ୍ବିତୀୟ ଲହରକୁ ଏଯାବତ ନିୟନ୍ତ୍ରଣ କରିପାରିନୁ। ଦେଶରେ ୨.୪୪ ଲକ୍ଷ ସକ୍ରିୟ ମାମଲା ରହିଛି। ୨୮ ଜିଲ୍ଲାରେ କେସ୍ ପଜିଟିଭ୍ ହାର ୫ରୁ ୧୦ ପ୍ରତିଶତ ରହିଛି। ଏହା ହେଉଛି ଉଚ୍ଚ ସଂକ୍ରମଣ ହାର। ଦେଶରେ ୩୪ ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭ୍ ହାର ୧୦ ପ୍ରତିଶତରୁ ଅଧିକ ରହୁଛି। ତେବେ ଲାକ୍ଷାଦ୍ବୀପ, ଚଣ୍ଡିଗଡ଼ , ଗୋଆ, ହିମାଚଳପ୍ରଦେଶ , ଆଣ୍ଡାମାନ ଏବଂ ନିକୋବର, ସିକ୍କିମରେ ୧୦୦ ପ୍ରତିଶତ ଲୋକ ସମ୍ପୂର୍ଣ୍ଣ ଟିକା ନେଇ ସାରିଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୨୨,୪୩୧ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୩୧୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ସକ୍ରିୟ ମାମଲା ୨,୪୪,୧୯୮। ୨୦୪ ଦିନରେ ଏହା ସବୁଠୁ କମ୍। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୭୨ ପ୍ରତିଶତ। ଅନ୍ୟପକ୍ଷେ ଦେଶରେ ଆରୋଗ୍ୟ ହାର ୯୭.୯୫ ପ୍ରତିଶତ।
ଦେଶରେ ୫ ରାଜ୍ୟରେ କରୋନା ସକ୍ରିୟ ମାମଲା ଅଧିକ: ୩ ମାସ ସତର୍କ ରହିବାକୁ ନିର୍ଦ୍ଦେଶ

Share Now: