ଅବ୍ୟବସ୍ଥାର ଅନ୍ତ ନାହିଁ: ଟିକା ନେବାକୁ ଆସି ହନ୍ତସନ୍ତ

ଟିକା ନେବାକୁ ଆସି ହନ୍ତସନ୍ତ

ଟାଣ ଖରାରେ ଘଣ୍ଟାଘଣ୍ଟା ଛିଡ଼ା ହେଲେ ବରିଷ୍ଠ ନାଗରିକ,ସାମାଜିକ ଦୂରତା ଶୂନ

ଭୁବନେଶ୍ବର : ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ‌ବଢ଼ୁଛି। ‌ତେଣୁ ସଂକ୍ରମଣ କେମିତି ନ ବଢ଼ିବ, ସେଥିପାଇଁ ସରକାର ଟିକାଦାନ ବୟସସୀମାକୁ କମାଇ ଦେଇଛନ୍ତି। ରାଜଧାନୀ ଭୁବନେଶ୍ବରରେ ବି ପ୍ରତିଦିନ ଅଧିକରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଟିକାଦାନକୁ ବ୍ୟାପକ କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି। ୨୭ଟି ସରକାରୀ ହସ୍ପିଟାଲ ସ‌ମେତ ମୋଟ ୫୮ଟି ହସ୍ପିଟାଲରେ ଟିକାଦାନ ବ୍ୟବସ୍ଥା କରାଯାଇଛି। କରୋନା ସଂକ୍ରମଣ ବଢ଼ିବା ପରେ ଏବେ ଟିକା ନେବା ଲାଗି ଲୋକଙ୍କ ମଧ୍ୟରେ ଆଗ୍ରହ ମଧ୍ୟ ବଢ଼ିଛି। ପୂର୍ବରୁ ଟିକାଦାନ କେନ୍ଦ୍ର ଖାଁ ଖାଁ ଲାଗୁଥିବାବେଳେ ଏପ୍ରିଲ ୧ରୁ ସମସ୍ତ ସ୍ବା‌ସ୍ଥ୍ୟକେନ୍ଦ୍ରରେ ଟିକା ପାଇଁ ଭିଡ଼ ଜମୁଛି। ହେଲେ କେତେକ କେନ୍ଦ୍ରରେ ବିଏମ୍‌ସି ପକ୍ଷରୁ ଭିଡ଼ ପରିଚାଳନା ଓ ବ୍ୟବସ୍ଥିତ ଢଙ୍ଗରେ ଟିକାଦାନ ବ୍ୟବସ୍ଥା ହୋଇ ନ ଥିବାରୁ ଜନ ଅସେନ୍ତାଷ ବୃଦ୍ଧି ପାଉଛି। ଶନିବାର ଝାରପଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଜିଜିପି କଲୋନି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ୟୁନିଟ-୪ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମେତ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣରେ ଚରମ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ପୂର୍ବାହ୍ନ ୧୦ଟାରୁ ଟିକାଦାନ ଆରମ୍ଭ ହେଉଥିବାରୁ ଅଧିକାଂଶ ଲୋକ ଏହା ପୂର୍ବରୁ ଆସି ଫର୍ମ ସଂଗ୍ରହ କରିଥିଲେ। ମାତ୍ର ସେମାନେ ଖରାରେ ଧାଡ଼ି ବାନ୍ଧି ଦୀର୍ଘ ସମୟ ଧରି ଅପେକ୍ଷା କ‌ରିବା ପରେ ବହୁ ଲୋକଙ୍କୁ ଟିକା ଦିଆଯାଇ ପାରିବନି ‌କହି ଫେରାଇ ଦିଆଯାଇଥିଲା। ଆଜି ପାଇଁ ଟିକାର କୋଟା ସରିଗଲା, ସୋମବାର ଆସନ୍ତୁ ବୋଲି କୁହାଯାଇଥିଲା। ଝାରପଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୧୦୦ଟି ଫର୍ମ ଦିଆଯିବା ପରେ ଆସିଥିବା ଲୋକଙ୍କୁ ପଞ୍ଜୀକରଣ ପାଇଁ ଫର୍ମ ମଧ୍ୟ ଦିଆଯାଇନଥିଲା। ଯାହାକୁ ନେଇ ଆଜି ଝାରପଡ଼ା ଓ ଜିଜିପି କଲୋନି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅସନ୍ତୋଷ ଦେଖା ଦେଇଥିଲା। ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ କହିଥିଲେ ଯେ, ଆମକୁ ଯେତିକି ଟାର୍ଗେଟ୍ ଦିଆଯାଇଛି ତାହା ପୂରଣ ହୋଇଗଲାଣି। ଆଉ ଟିକା ଦେଇହେବନି। କିନ୍ତୁ ଖରାରେ ଦୀର୍ଘ ‌ସମୟ ଅପେକ୍ଷା କରିଥିବା ବରିଷ୍ଠ ନାଗରିକ ଏହା ଶୁଣିବାକୁ ନାରାଜ ଥିଲେ। ଏହାକୁ ନେଇ ବରିଷ୍ଠ ନାଗରିକ ଓ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା।

ଝାରପଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଟିକା ନେବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କ କହିବାନୁଯାୟୀ, ଦିନକୁ କେତେ ଜଣଙ୍କୁ ଟିକା ଦିଆଯାଇପାରିବ, ‌ପ୍ରଥମ ଡୋଜ୍ ଓ ଦ୍ବିତୀୟ ଡୋଜ୍ କେତେ ଜଣଙ୍କୁ ଦିଆଯିବ ସେନେଇ କିଛି ସ୍ପଷ୍ଟ କରାଯାଉନି। ଫଳରେ ଆମେ ଘଣ୍ଟା ଘଣ୍ଟା ଧରି ଖରାରେ ଛିଡ଼ା ହେବା ପରେ ଆଜି ଟିକା ଦେଇହେବନି ବୋଲି କହି ଆମକୁ ଫେରାଇ ଦିଆଯାଉଛି। ପ୍ରଥମତଃ ଟିକାଦାନ କେନ୍ଦ୍ରଗୁଡ଼ିକରେ ଦିନକୁ କେତେ ଟିକା ଦିଆଯିବ ଏବଂ କେତେ ସମୟ ପର୍ଯ୍ୟନ୍ତ ଟିକାଦାନ ହେବ, ବିଏମ୍‌ସି କର୍ତ୍ତୃପକ୍ଷ ତାହା ସ୍ପଷ୍ଟ କରିବା ଦରକାର। ଲୋକ ଯେପରି ଖରାରେ ଛିଡ଼ା ହେବନି, ପଞ୍ଜୀକରଣ ଶେଷ ହେବା ପରେ କେତେବେଳେ ଟିକା ନେଇପାରିବେ ସେ ନେଇ ଲୋକଙ୍କୁ ପ୍ରଥମରୁ ଜଣାଇଦେଲେ ଲୋକ ହଇରାଣ ହୁଅନ୍ତେନି। ଅନ୍ୟପକ୍ଷରେ ଲୋକ କରୋନା ନହେବା ପାଇଁ ଟିକା ନେବାକୁ ଆସୁଛନ୍ତି। ହେଲେ ଟିକାଦାନ କେନ୍ଦ୍ରରେ ଯେଉଁଭଳି ଲୋକ ଧାଡ଼ି‌ରେ ଲଗାଲଗି ହୋଇ ଛିଡ଼ା ହେଉଛନ୍ତି ଏବଂ ଯେପରି ଠେଲାପେଲା ହେଉଛି ସେଥିରେ ଯଦି କେହି କରୋନା ଆକ୍ରାନ୍ତ ଥିବେ ତେବେ ‌ଟିକା ନେବା ପୂର୍ବରୁ ବାକି ଲୋକଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ହିଁ କରୋନା ହୋଇଯିବ। ଆଦୌ ସାମାଜିକ ଦୂରତା ରହୁନଥିବାରୁ ଏହିଠାରୁ ହିଁ ଗୋଷ୍ଠୀ ସକଂମ୍ରଣ ବ୍ୟାପିବ। ଏହାକୁ ବିଏମ୍‌ସି କର୍ତ୍ତୃପକ୍ଷ ଧ୍ୟାନ ଦେବା ଦରକାର। ସେହିପରି ଜିଜିପି କଲୋନି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଟିକା ନେବାକୁ ଆସିଥିବା ଲୋକଙ୍କ ଅଭିଯୋଗ ଯେ, ସକାଳ ୯ଟାରୁ ଟିକାକରଣ ପାଇଁ ଆଧାର କାର୍ଡ ରଖି ପଞ୍ଜୀକରଣ କରାଗଲା। ପୂର୍ବାହ୍ନ ୧୦ଟାରୁ ଟିକା ଦିଆଯିବ ବୋଲି କୁହାଯାଇଥିଲା। କିନ୍ତୁ ୧୦ଟା ବେ‌ଳକୁ ଆସିଲା ବେଳକୁ ଅଧାରକାର୍ଡଗୁଡ଼ିକ ବାହାରେ ପଡ଼ିଥିଲା। ପୁଣି ଖରାରେ ଧାଡ଼ିରେ ଛିଡ଼ା ହୋଇ ପଞ୍ଜୀକରଣ କରିବାକୁ କୁହାଯାଇଥିଲା। ପ୍ରବଳ ଖରା ଓ ଗୁଳୁଗୁଳି ହେଉଥିଲେ ହେଁ ଏହାକୁ କେହି ଧ୍ୟାନ ଦେଉନାହାନ୍ତି। ଆଉ କିଛି ଲୋକ ଅଭିଯୋଗ କରିଥିଲେ ଯେ, ଟିକା ନେବା ପରେ ଅଧ ଘଣ୍ଟା ବସିବାକୁ କୁହାଯାଉଛି। ହେଲେ ବସିବାକୁ ଜାଗା ନାହିଁ। ତେଣୁ ଆମେ ଖରା‌ରେ ବୁଲିବା ଅପେକ୍ଷା ଘରକୁ ପଳାଉଛୁ। କିଛି ଖରାରେ ଧାଡ଼ିରେ ଛିଡ଼ା ହୋଇଥିଲେ ହେଁ ଆଜି ଆଉ ଟିକା ଦେଇହେବନି ବୋଲି କୁହାଯିବାରୁ ଲୋକମାନେ ହୋହଲ୍ଲା କରିଥିଲେ। ଟିକାକରଣରେ ଅବ୍ୟବସ୍ଥା ନେଇ ସ୍ବାସ୍ଥ୍ୟକେନ୍ଦ୍ରର ଜନସ୍ବାସ୍ଥ୍ୟ ପରିଚାଳକ (ପିଏଚ୍‌ଏମ୍‌) ନିଶିଥ ରଞ୍ଜନ ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ଦିନକରେ ୧୮୦ଜଣଙ୍କୁ ଟିକା ଦେବାକୁ କୁହାଯାଇଛି। ୧୨ଟା ସୁଦ୍ଧା‌ ଆ‌ମ ଟାର୍ଗେଟ୍ ପୂରଣ ହୋଇଗଲା। ତେଣୁ ଆମେ ବନ୍ଦ କରିଦେଲୁ। ଲୋକଙ୍କୁ ଖରାରେ ଛିଡ଼ା କରାଇବା ଅପେକ୍ଷା ଫେରାଇ ଦେବା ଭଲ ହେବ ବୋଲି ଭାବିଲୁ।

Share Now:

Kalinga News Beuro

Next Post

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା: ୟେଲୋ ୱାର୍ଣ୍ଣିଂ ଜାରି

Sun Apr 4 , 2021
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ରୁ ଊର୍ଧ୍ବ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଏଥିସହିତ ୩୦ରୁ ୪୦କିମି ବେଗରେ ପବନ ବହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, ଅନୁଗୁଳ ସମେତ ନୟାଗଡ଼, ଖୋର୍ଧା, ଗଞ୍ଜାମ, ସୁବର୍ଣ୍ଣପୁର, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ କାଳବୈଶାଖୀ ସହିତ ବଜ୍ରପାତ ଆଶଙ୍କା […]
୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial