ସୂର୍ଯ୍ୟ ଚାରିପଟେ ୭,୨୦,୦୦୦ କିମି ଲମ୍ବା ବିରଳ ଲଞ୍ଜାତାରା

ସୂର୍ଯ୍ୟ ଚାରିପଟେ ବୁଲୁଛି ବିରଳ ଲଞ୍ଜାତାରା

ୱାଶିଂଟନ: ଆମ ସୂର୍ଯ୍ୟଙ୍କ ଚାରିପଟେ ବୁଲୁଥିବା ଗ୍ରହ, ଉପଗ୍ରହ, ଗ୍ରହାଣୁ ଓ ଧୂମକେତୁ ପ୍ରଭୃତିଙ୍କୁ ନେଇ ଆମ ସୌରଜଗତ ଗଠିତ। ଧୂମକେତୁଙ୍କ କକ୍ଷପଥ ଅତିଶୟ ଅଣ୍ଡାକାର। ସେମାନେ ଯେତେବେଳେ ସୂର୍ଯ୍ୟଙ୍କ ନିକଟତର ହୁଅନ୍ତି ସୂର୍ଯ୍ୟଙ୍କ ଆକର୍ଷଣରେ ସେମାନଙ୍କ ସୂର୍ଯ୍ୟଙ୍କ ପାର୍ଶ୍ବବର୍ତ୍ତୀ ଗ୍ୟାସୀୟ ଅବୟବ ଲମ୍ବା ହୋଇଯାଇ ଏକ ଲାଞ୍ଜ ପରି ଦେଖାଯାଏ। ତେଣୁ ଏହାକୁ ଲଞ୍ଜାତାରା କୁହାଯାଏ। ଅନେକ ବର୍ଷ ବ୍ୟବଧାନରେ ଗୋଟିଏ ଗୋଟିଏ ଲଞ୍ଜାତାରା ଦେଖିବାକୁ ମିଳନ୍ତି। କିନ୍ତୁ ଆମ ସୌର ଜଗତରେ ରହି ସୂର୍ଯ୍ୟଙ୍କ ଚାରିପଟେ ବୁଲୁଥିବା ଏମତି ଗୋଟିଏ ବିରଳ ଲଞ୍ଜାତାରା ‌ବୈଜ୍ଞାନିକମାନେ ଦେଖିବାକୁ ପାଇଛନ୍ତି ଯାହା ଲାଞ୍ଜର ଦୈର୍ଘ୍ୟ ୭,୨୦,୦୦୦ କିମି। ବୈଜ୍ଞାନିକମାନଙ୍କ ସୂଚନା ଅନୁସାରେ ଆମ ସୌର ଜଗତର ମୁଖ୍ୟ ଗ୍ରହାଣୁ ବଳୟ ଦେଇ ଏହି ଲଞ୍ଜାତାରା ଗତି କରୁଥିବା ଦେଖିବାକୁ ମିଳିଛି। ଏହା ଏକ ଗ୍ରହାଣୁ କି ଧୂମକେତୁ ବୈଜ୍ଞାନିକମାନେ ସ୍ଥିର କରିପାରିନାହାନ୍ତି। ତେବେ ଏହା ଏକ ଗ୍ରହାଣୁ ବି ହୋଇପାରେ ଓ ତା’ ସହ ଏକ ଧୂମକେତୁ ବି ହୋଇପାରେ। ଏହି ଲଞ୍ଜାତାରା ହେଉଛି ମୁଖ୍ୟ ଗ୍ରହାଣୁ ବଳୟରେ ଥିବା ଅଧ ନିୟୁତରୁ ଅଧିକ ଗ୍ରହାଣୁଙ୍କ ମଧ୍ୟରୁ ଅଷ୍ଟମ ମହାକାଶୀୟ ପିଣ୍ଡ ଯାହା ଏକାଧିକ ଥର ସକ୍ରିୟ ବା ଦୃଶ୍ୟମାନ ହୋଇଥିବା ସୁନିଶ୍ଚିତ କରାଯାଇଛି। ମଙ୍ଗଳ ଓ ବୃହସ୍ପତି ମଝିରେ ମୁଖ୍ୟ ଗ୍ରହାଣୁ ବଳୟରେ ଥିବା ଗ୍ରହାଣୁମାନେ ନିଜର ଆକୃତିରେ ପରିବର୍ତ୍ତନ କରନ୍ତି ନାହିଁ। କିନ୍ତୁ ଏହି ୨୦୦୫ କ୍ୟୁଏନ୍‌୧୭୩ ନାମଧାରୀ ଲଞ୍ଜାତାରା ମୁଖ୍ୟ ଗ୍ରହାଣୁ ବଳୟ ଦେଇ ଗତି କଲାବେଳେ ତା’ ଦେହରୁ ଧୂଳି ଝଡ଼ିବା ପରି କିଛି ଜିନିଷ ଝଡ଼ୁଛି ଏବଂ ତା’ର ୭,୨୦,୦୦୦ କିଲୋମିଟର ଦୀର୍ଘ ଏକ ଲାଞ୍ଜ ହଲୁଛି। ଏଥିରୁ ଜଣାପଡ଼ୁଛି ଯେ ଏହା ବରଫ ପରି ବସ୍ତୁରେ ଆବୃତ। ଯେତେବେଳେ ଏହା ସକ୍ରିୟ (ଆମକୁ ଦୃଶ୍ୟମାନ) ହେଉଛି ସେତେବେଳେ ବରଫଗୁଡ଼ିକ ବାଷ୍ପରେ ପରିଣତ ହୋଇଯାଉଛି। ଜୁଲାଇ ୨୦୨୧ରେ ଏହା ସକ୍ରିୟ ହୋଇଥିବା ଆଷ୍ଟର‌ଏଡ୍ ଟେରେଷ୍ଟ୍ରିୟାଲ ଇମ୍ପାକ୍ଟ ଲାଷ୍ଟ ଆଲର୍ଟ ସିଷ୍ଟମ୍ (ଆଟ୍‌ଲାସ୍‌) ସର୍ଭେରୁ ଜଣାପଡ଼ିଛି।
ଆମେରିକୀୟ ମହାକାଶ ବିଜ୍ଞାନ ସୋସାଇଟିର ଗ୍ରହ ବିଜ୍ଞାନ ବିଭାଗର ୫୩ତମ ବାର୍ଷିକ ସମ୍ମିଳନୀରେ ଉପସ୍ଥାପିତ ସନ୍ଦର୍ଭର ମୁଖ୍ୟ ଲେଖକ ହେନରୀ ସିହ କହିଛନ୍ତି ଯେ, ଏହି ମହାକାଶୀୟ ପିଣ୍ଡଟି ଉଭୟ ଗ୍ରହାଣୁ ଓ ଧୂମକେତୁ ହୋଇପାରେ ବୋଲି ଅନୁମାନ କରାଯାଉଛି। ଅର୍ଥାତ୍ ଏହା ମୁଖ୍ୟ ଗ୍ରହାଣୁ ବଳୟର ଏକ ଗ୍ରହାଣୁ, ଯାହାକୁ ଏବେ ଏକ ଧୂମକେତୁ ବୋଲି ଚିହ୍ନଟ କରାଯାଇଛି। ୨୦୦୫ କ୍ୟୁଏନ୍‌୧୭୫ ନାମକ ଏହି ମହାକାଶୀୟ ପିଣ୍ଡକୁ ପ୍ରଥମେ ୨୦୦୫ରେ ଠାବ କରାଯାଇଥିଲା, ଯାହାର ଗ୍ରହାଣୁ ପରି ଗୁଣ ଦେଖିବାକୁ ମିଳିଥିଲା। ଏହା ଚାରିପଟେ ୩.୨ କିମି ବେଧ ବିଶିଷ୍ଟ ବରଫ ଗୁଣ୍ଡର ଧୂଳି ବାଦଲ ଦେଖିବାକୁ ମିଳିଥିଲା। କିନ୍ତୁ ୨୦୨୧ ଜୁଲାଇ ମାସରେ ଏହା ପୁନଃ ଦୃଷ୍ଟିଗୋଚର ହୋଇଥିବା ବେଳେ ଏହାର ୭,୨୦,୦୦୦ କିଲୋମିଟରର ଏକ ଲାଞ୍ଜ ଥିବା ଦେଖିବାକୁ ମିଳିଛି। ପୃଥିବୀରୁ ଚନ୍ଦ୍ରର ଦୂରତା ଯେତିକି ଏହା ତା’ର ଦୁଇଗୁଣରୁ କିଛି କମ୍ ହେବ। ଲାଞ୍ଜ ଏତେ ଲମ୍ବା ହେଲେ ବି ତା’ର ଚଉଡ଼ା ବହୁତ କମ୍- ମାତ୍ର ୧,୪୦୦ କିଲୋମିଟର। ଏହା ଉପରେ ଗବେଷଣା କରିବା ବୈଜ୍ଞାନକିମାନଙ୍କ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି।

Share Now:

Kalinga News Beuro

Next Post

ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାର ତଦନ୍ତ ଶେଷ: ହତ୍ୟାକାଣ୍ଡକୁ ବି ଦୁର୍ଘଟଣା କରିପାରନ୍ତି କ୍ରାଇମବ୍ରାଞ୍ଚ

Sat Oct 9 , 2021
ଡିଏଫ୍‌ଓଙ୍କୁ କ୍ରାଇମବ୍ରାଞ୍ଚର କ୍ଲିନ୍‌ଚିଟ୍‌,ସୌମ୍ୟ ଜଳୁଥିବା ବେଳେ ବିଦ୍ୟାଭାରତୀ ଦେଖୁଥିଲେ କଟକ : ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର କାରଣ ହତ୍ୟା କି ଆତ୍ମହତ୍ୟା ନୁହେଁ, ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ। ସୌମ୍ୟରଞ୍ଜନ କିଛି କାଗଜ କିରୋସିନ୍ ଢାଳି ପୋଡ଼ୁଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ଗୋଡ଼ ଖସିଯିବାରୁ କିରୋସିନ୍ ତାଙ୍କ ଉପରେ ଢାଳି ହୋଇଯାଇଥିଲା ଏବଂ ସେ ନିଆଁରେ ଜଳି ଯାଇଥିଲେ। ତେବେ ସୌମ୍ୟ ନିଆଁରେ […]
ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial